ଆଜିର ଖାସ ଖବର
Tue. Jul 28th, 2026

 ସୃଜନ ସମ୍ପାଦନ

By Dainikasha Jul11,2024

ସାମ୍ୱାଦିକତାର ଧର୍ମ ପାଠକ ଓ ଦର୍ଶକଙ୍କ ସମ୍ମୁଖରେ ସମକାଳୀନ ଘଟଣାବଳୀର ବିଶଦ ବିବରଣୀ ଉପସ୍ଥାପନରେ ପର୍ଯ୍ୟବସିତ । ପ୍ରତ୍ୟେକ ବିଷୟ ପ୍ରକାଶନରେ ସ୍ୱତନ୍ତ୍ର ବିଶ୍ଳେଷଣ ଓ ଉପସ୍ଥାପନ ଶୈଳୀ ପ୍ରସ୍ପୁଟିତ ହୋଇଥାଏ । ଏଭଳି ପ୍ରକ୍ରିୟାରେ କ୍ଷୀପ୍ରତା ସାମ୍ୱାଦିକତାର ଅନ୍ୟତମ ବିଭବ ।

ସମ୍ୱାଦ ରଚ଼ନା ନିମନ୍ତେ ବିଷୟ ନିର୍ବାଚ଼ନ ସାଧାରଣତଃ ସାମ୍ୱାଦିକମାନଙ୍କ ରୁଚ଼ି ଅନୁଯାୟୀ ସୃଜନ ଦୃଷ୍ଟିକୋଣ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଘଟଣାବଳୀ ବର୍ଣ୍ଣନାକାଳରେ ସାମ୍ୱାଦିକଙ୍କ ଜ୍ଞାନର ପରିସୀମା, ମୂଲ୍ୟବୋଧ ଓ ସମ୍ୱାଦ ପ୍ରସାରଣ ସଂସ୍ଥାର ଆଭିମୁଖ୍ୟ ପ୍ରଭାବିତ କରିଥାଏ । ଏସବୁ ସତ୍ତ୍ୱେ ସାମ୍ୱାଦିକତାରେ ଉତ୍କର୍ଷତା ମୁଖ୍ୟତଃ ଏକ ସର୍ଜନଶୀଳ କଳା ରୂପେ ବିବେଚ଼ିତ ।

ପାଶ୍ଚାତ୍ୟ ସାମ୍ୱାଦିକତା ପରମ୍ପରା ସମ୍ୱାଦ ରଚ଼ନାକୁ ମୁଖ୍ୟତଃ ପାଞ୍ଚଗୋଟି ପ୍ରଶ୍ନ ସହ ଯୋଡ଼ି ଥାଏ । ଚ଼ାରି ଡବ୍ଲ୍ୟୁ ଓ ଗୋଟିଏ ଏଚ଼, ଅର୍ଥାତ କିଏ (ହୁ), କ’ଣ (ହ୍ୱାଟ), କେବେ (ୱେନ), କେଉଁଠାରେ (ୱେର) ଓ କିପରି (ହାଉ) । ବେଡ଼ ହେରମାନ ନାମକ ଜଣେ ତତ୍ତ୍ୱବିତ ‘ହେରମାନ ବ୍ରେନ ଡ଼ୋମିନାନ୍ସ ଇନଷ୍ଟୃମେଣ୍ଟ’ ଶୀର୍ଷକ ଉପସ୍ଥାପନରେ ମନୁଷ୍ୟର ମସ୍ତିଷ୍କର କାର୍ଯ୍ୟକାରୀ ଅଂଶଗୁଡ଼ିକୁ ଚ଼ିହ୍ନିତ କରିଛନ୍ତି । ସାମ୍ୱାଦିକତା ସୃଜନ ପ୍ରକ୍ରିୟା ମସ୍ତିଷ୍କର କେଉଁ କେଉଁ କୋଣରେ ସମାହିତ ହୋଇଥାଏ ‘କଲମ୍ୱିଆ ଜର୍ଣ୍ଣାଲିଜମ ରିଭ୍ୟୁ’ର ୨୦୧୫ ମେ-ଜୁନ ସଂସ୍କରଣରେ ଟେରୀ ୱାଶିଂଟନ ‘ମେଟରସ ଅଫ ଦି ମାଇଣ୍ଡ’ ରଚ଼ନାରେ ଅନୁଶୀଳନ କରିଥିଲେ ।

‘ବ୍ରେନ ଡ଼ୋମିନାନ୍ସ ଇନଷ୍ଟୃମେଣ୍ଟ’ ବର୍ଣ୍ଣନା ଅନୁଯାୟୀ ମସ୍ତିଷ୍କର ଡ଼ାହାଣ ପାର୍ଶ୍ୱ ସୃଜନଶୀଳ ଓ କଳାତ୍ମକ ତଥା ବାମ ପାର୍ଶ୍ୱ ବିଚ଼ାରଶୀଳ ଓ ସମସ୍ୟା ସମାଧାନ କାର୍ଯ୍ୟ କରିଥାଏ । ସାମ୍ୱାଦିକତା ବୃତ୍ତିରେ ସମ୍ୱାଦିକଙ୍କ ମସ୍ତିଷ୍କ ଉଭୟ ଡ଼ାହାଣ ଓ ବାମ ପାର୍ଶ୍ୱକାର୍ଯ୍ୟକ୍ଷମ ହୋଇଥାଏ ।

ମସ୍ତିଷ୍କର ବାମ ପାର୍ଶ୍ୱ ଉପରିଭାଗ ସମ୍ୱାଦ ରଚ଼ନା ଅବସରରେ‘କ’ଣ (ହ୍ୱାଟ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ଏହା ଯୁକ୍ତିଯୁକ୍ତ (ଲଜିକାଲ), ସମାଲୋଚ଼ନାଧର୍ମୀ (କ୍ରିଟିକାଲ), ବାସ୍ତବାଭିମୁଖୀ (ରିଆଲିଷ୍ଟିକ), ମୀମାଂସାଧର୍ମୀ (ପ୍ରବଲମ ସଲଭିଂ), ବୈଷୟିକ (ଟେକିନିକାଲ) ଓ ବିଶ୍ଳେଷଣାତ୍ମକ (ଏନାଲିଟିକାଲ) ଦିଗଗୁଡ଼ିକୁ ସୂଚ଼ିତ କରିଥାଏ । ବାମ ପାର୍ଶ୍ୱ ତଳଭାଗ ‘କିପରି (ହାଉ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ଏହା ସାଂଗଠନିକ (ଅର୍ଗାନାଇଜସ), ଯୋଜନାବଦ୍ଧ (ପ୍ଳାନସ), କାର୍ଯ୍ୟଧାରା ପ୍ରଯୋଜନା (ଏଷ୍ଟାବ୍ଳିସିଂ ପ୍ରେସିଡ୍ୟୁର), ତୁରନ୍ତ (ପ୍ରମ୍ପଟ / ଟାଇମଲି), ବିଶ୍ୱାସନୀୟ (ରିଲାଏବଲ) ଓ ପ୍ରତିଷେଧାତ୍ମକ (ଟେକସ ପ୍ରିଭେଣ୍ଟଉଭ ଆକ୍ସନ) ଦିଗପ୍ରତି ଗୁରୁତ୍ୱାରୋପ କରିଥାଏ ।

ସେହିପରି ମସ୍ତିଷ୍କର ଡ଼ାହାଣ ପାର୍ଶ୍ୱର ଉପରିଭାଗ ‘କାହିଁକି (ହ୍ୱାଇ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ସୃଜନ ପ୍ରକ୍ରିୟାରେ ଅନିସନ୍ଧିତ୍ସୁ (କ୍ୟୁରିଏସ), ଆବେଗବଶତଃ (ଇମ୍ପେଟ୍ୟୁସ), ଆଶ୍ଚର୍ଯ୍ୟାତ୍ମକ (ଲାଇକସ ସପ୍ରାଇଜସ), ହସ୍ତକ୍ଷେପ (ଇଣ୍ଟରଫିଅରସ), ବିପଦସଂକୁଳ (ଟେକସ ରିସ୍କସ) ଓ ନୀତିବର୍ହିଭୂତ (ବ୍ରେକସ ରୁଲ) ଦିଗରେ ସହଯୋଗ କରିଥାଏ । ଡ଼ାହାଣ ପାର୍ଶ୍ୱର ତଳଭାଗ ‘କିଏ (ହୁ)’ ପ୍ରଶ୍ନର ଉତ୍ତର ଖୋଜିଥାଏ । ଏହା ସହାୟକ (ସାପୋର୍ଟିଉଭ), ସ୍ୱର୍ଶକାତର (ସେନସିଟିଉଭ), ଶିକ୍ଷାପ୍ରଦ (ଟିଚସ), ସଶକ୍ତିକରଣ (ଏମପାୱାରସ), ଲୋକାଭିମୁଖୀ (ପିଉପଲ ଓରିଏଣ୍ଟେଡ଼) ଓ ସ୍ୱୀକାରଶୀଳ (ଏକନୋଲେଜସ) ଭୂମିକା ନିର୍ବାହ କରିଥାଏ ।

ସାଧାରଣ କ୍ଷେତ୍ରରେ ଭିନ୍ନ ଭିନ୍ନ ଘଟଣାକୁ ମନୁଷ୍ୟ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚ଼ାର କରିଥାଏ । ସୃଜନ କ୍ଷେତ୍ରରେ ଆପତତଃ ତାହାହିଁ ଦେଖିବାକୁ ମିଳେ। ସାମ୍ୱାଦିକ ବ୍ୟକ୍ତିଗତଭାବେ ଗୋଟିଏ ଘଟଣାକୁ ଯେଉଁ ପର୍ଯ୍ୟାୟରେ ବିଚ଼ାର କରିଥାଏ ତାହାର ରଚ଼ନାରେ ସେହି ଦୃଷ୍ଟିକୋଣ ପ୍ରତିଫଳିତ ହୋଇଥାଏ । ସାମ୍ୱାଦିକର ବିଚ଼ାର ପ୍ରକ୍ରିୟା ନିଜ ମସ୍ତିଷ୍କଦ୍ୱାରା ନିୟନ୍ତ୍ରିତ ହେଉଥିବାସ୍ଥଳେ ମସ୍ତିଷ୍କ ପରିଧିର ଚ଼ାରିଗୋଟି ଭାଗ ଭିନ୍ନ ଭିନ୍ନ ସାମାଜିକ ଦିଗପ୍ରତି ଗୁରତ୍ୱାରୋପ କରିଥାଏ । ଘଟଣା ପ୍ରତି ସାମ୍ୱାଦିକର ବ୍ୟକ୍ତିଗତ ଦୃଷ୍ଟିକୋଣ କେବଳ ବିଷୟ ବିନ୍ୟାସରେ ସୀମାବଦ୍ଧ ନରହି ବର୍ଣ୍ଣନା ଶୈଳୀ ନିର୍ଦ୍ଧାରଣକୁ ମଧ୍ୟ ପ୍ରଭାବିତ କରୁଥିବା ସୁନିଶ୍ଚିତ ।

ହେରମେନଙ୍କ ଉପପାଦ୍ୟ ଅନୁଯାୟୀ ଗୋଟିଏ ଘଟଣାକୁ ଚ଼ାରିଜଣ ସାମ୍ୱାଦିକ ଚ଼ାରିପ୍ରକାରେ ଗୁରୁତ୍ୱାରୋପ, ବର୍ଣ୍ଣନା ତଥା ଉପସ୍ଥାପନ ଶୈଳୀ ନିର୍ଦ୍ଧାରଣ କରିଥାନ୍ତି । ଏହା ପ୍ରାକୃତିକ । ତେବେ ବାସ୍ତବ କ୍ଷେତ୍ରରେ ଆମେ ଓଡ଼ିଆ ସାମ୍ୱାଦିକତାର ଉଦାହରଣ ବିଚାର କଲାବେଳେ ଚ଼ାରିଗୋଟି ଭିନ୍ନ ସମ୍ୱାଦପତ୍ରରେ ପ୍ରକାଶିତ ଗୋଟିଏ ଘଟଣାର ବର୍ଣ୍ଣନା ପ୍ରାୟତଃ ଏକା ଦେଖିବାକୁ ପାଇଥାଉ । ଏହାର ମୁଖ୍ୟ କାରଣ ହେଲା ସେହି ସବୁ ସମ୍ୱାଦ ରଚ଼ନାରେ ସାମ୍ୱାଦିକମାନେ ମୌଳିକ ସାମ୍ୱାଦିକତା ଶୈଳୀ ଅବଲମ୍ୱନ ନକରି ମାତ୍ରାଧିକଭାବେ ପ୍ରେସ ବିଜ୍ଞପ୍ତି ଉପରେ ନିର୍ଭରଶୀଳ ହୋଇପଡ଼ିଥାନ୍ତି ବୋଲି କହିବାକୁ ହେବ ।

ସମ୍ୱାଦ ସଂଗ୍ରହ ତଥା ରଚ଼ନା କ୍ଷେତ୍ରରେ କୃତ୍ରିମ ପଦ୍ଧତି ଗ୍ରହଣ ସାମ୍ୱାଦିକମାନେ ଯଥାସଂଭବ ଏଡ଼ାଇବାଲାଗି ଉଦ୍ୟମ କରିବା ଆବଶ୍ୟକ । ଏଥିଲାଗି ସମ୍ପାଦକୀୟ ବିଭାଗର କର୍ତ୍ତ୍ୱପକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମ୍ୱାଦଦାତାମାନେ ନିଜ ଦ୍ୱାରା ପ୍ରସ୍ତୁତ ସମ୍ୱାଦ ସମ୍ପାଦକୀୟ ବିଭାଗର ସମ୍ମତ୍ତିପରେ ପ୍ରକାଶିତ ହେଉଥିବା ହେତୁ ସମ୍ୱାଦ ରଚ଼ନାରେ ମୌଳିକତା ପରିସ୍ପୁଟନ ନିମନ୍ତେ ସମ୍ପାଦକମାନେ ତତ୍ପର ହେଲେ ସଂପୃକ୍ତ ସମ୍ୱାଦପତ୍ରର ଆଙ୍ଗୀକରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସଂଭବପର ।

ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ କେବଳ ରାଜନୀତିକ ପକ୍ଷଭୁକ୍ତତା ସଂପୃକ୍ତ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣ କ୍ଷେତ୍ରରେ ଭିନ୍ନ ଆଚ଼ରଣର ଆଭାସ ଦେଇଥାଏ । ନଚ଼େତ ସମସ୍ତ ସମ୍ୱାଦପତ୍ର ଏକକ ଆଙ୍ଗୀକର ପୃଷ୍ଠପୋଷକତା କରୁଥିବା ହେତୁ ଅନେକ ସମୟରେ ଏକାଧିକ ସମ୍ୱାଦପତ୍ର ପ୍ରକାଶନର ଆବଶ୍ୟକତା ସଂପର୍କରେ ପ୍ରଶ୍ନ ଉଠିଥାଏ । ସମ୍ୱାଦ ରଚ଼ନା ଓ ପରିବେଷଣ ଲାଗି ପ୍ରାକୃତିକ ଭାବେ ବିବିଧତା ନିମନ୍ତେ ଭରପୁର ସୁଯୋଗ ଥିବାସ୍ଥଳେ ସୃଜନତାକୁ ଅଣଦେଖା କରିବା ଦୁଃଖର ବିଷୟ । ଓଡ଼ିଆ ସମ୍ୱାଦିକତାରେ ଉତ୍କର୍ଷତା ବିକାଶ କଳ୍ପେ ପ୍ରାଥମିକ ପର୍ଯ୍ୟାୟରେ ସମ୍ୱାଦ ରଚ଼ନାରେ ମୌଳିକତା ପରିସ୍ପୁଟନ ବିଧେୟ । 

Related Post