ହିନ୍ଦୀ ଚଳଚ଼ିତ୍ର ୨୦୧୭ରେ ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଥିଲା ବୋଲି କହିବାକୁ ହେବ । ଭାରତୀୟ ଚଳଚ଼ିତ୍ର ଶିଳ୍ପ ବିଗତ ତିନି ବର୍ଷଧରି ଅଧୋଗତିର ସମ୍ମୁଖୀନ ହୋଇଚାଲିଥିବାସ୍ଥଳେ ୨୦୧୭ରେ କୌଣସି ଉଲ୍ଲେଖନୀୟ ସଫଳତା ପାଇପାରି ନାହିଁ । ଚଳଚ଼ିତ୍ର ଶିଳ୍ପରେ ବାର୍ଷିକ ଅଭିବୃଦ୍ଧି ହାର ୨୦୧୫ରେ ୯.୩ ପ୍ରତିଶତ ଥିବାବେଳେ ୨୦୧୬ରେ ୩ ପ୍ରତିଶତକୁ ହ୍ରାସ ପାଇଥିଲା । ଗଣମାଧ୍ୟମ ମଞ୍ଚରେ ମୁଦ୍ରଣରେ ଅଭିବୃଦ୍ଧିହାର ୭ ପ୍ରତିଶତ, ଟେଲିଭିଜନରେ ୮.୫ ଓ ରେଡ଼ିଓରେ ୧୪.୬ ପ୍ରତିଶତ ରେକର୍ଡ଼ କରାଯାଇଥିବାସ୍ଥଳେ ଚଳଚ଼ିତ୍ର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।
୨୦୧୭ରେ ଶହେ କୋଟିରୁ ଅଧିକା ବକ୍ସ ଅଫିସରୁ ଆଦାୟ କରିଥିବା ପାଞ୍ଚଗୋଟି ହିଟ୍ ଚଳଚ଼ିତ୍ର ମଧ୍ୟରେ ‘ଗୋଳମାଳ ଏଗେନ’ (୨୦୫.୪୯ କୋଟି), ‘ଜୁଡୁୱା ୨’ (୧୩୨.୩୫ କୋଟି), ‘ଟଏଲେଟ : ଏକ ପ୍ରେମକଥା’ (୧୩୨.୦୭ କୋଟି), ‘ବଦ୍ରିନାଥ କୀ ଦୁଲହନିଆ’ (୧୧୪.୧୧ କୋଟି) ଓ ‘ଜଲି ଏଲଏଲବି ୨’ (୧୦୭.୭୭ କୋଟି) ଅନ୍ତର୍ଭୁକ୍ତ ।
ଯେଉଁ ପାଞ୍ଚଗୋଟି ଚଳଚ଼ିତ୍ର ହିଟ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ହୋଇପାରିଲା ନାହିଁ ସେଗୁଡ଼ିକ ମଧ୍ୟରେ ‘ଟ୍ୟୁବଲାଇଟ’ (୧୧୪.୫୭ କୋଟି), ‘ଜବ ହାରି ମେଟ ସେଜଲ’ (୬୨ କୋଟି), ‘ବାଦଶାହେ’ (୬୫.୭୭ କୋଟି), ‘ଜଗା ଜାସୁସ’ (୫୨.୬୦ କୋଟି) ଓ ‘ହାଫ ଗାର୍ଲ ଫ୍ରେଣ୍ଡ’ (୫୨.୨୯ କୋଟି) ଅନ୍ତର୍ଭୁକ୍ତ ।
ସେହିପରି ଯେଉଁ ପାଞ୍ଚଗୋଟି ଚଳଚ଼ିତ୍ର ବକ୍ସ ଅଫିସରେ ଅପେକ୍ଷାକୃତ ସଫଳତା ଲାଭ କରିଛନ୍ତି ସେଗୁଡ଼ିକ ହେଲା ‘ହିନ୍ଦୀ ମିଡିଅମ’ (୬୩.୦୬ କୋଟି), ‘ଲିପଷ୍ଟିକ ଅଣ୍ଡର ମାଇ ବୁର୍ଖା’ (୧୬.୫୨ କୋଟି), ‘ନିଉଟନ’ (୨୨.୧୫ କୋଟି), ‘ବରେଲୀ କୀ ବର୍ଫି’ (୩୪.୦୨ କୋଟି) ଓ ‘ଦି ଗାଜି ଅଟାକ’ (୨୦.୧୪ କୋଟି) ।
୨୦୧୭ ଡ଼ିସେମ୍ୱର ଶେଷରେ ରିଲିଜ ହୋଇଥିବା ‘ଟାଇଗର ଜିନ୍ଦା ହେ’ ପ୍ରଥମ ଦିନ ୩୪ କୋଟି ସହ ପ୍ରଥମ ସପ୍ତାହରେ ୨୦୬ କୋଟି ଟଙ୍କା ବକ୍ସ ଅଫିସରୁ ଆଦାୟ କରିଥିଲା । ହିନ୍ଦୀ ଚଳଚ଼ିତ୍ର ମଧ୍ୟରେ ଏହା ବର୍ଷର ସର୍ବୋଚ୍ଚସ୍ଥାନ ଅଧିକାର କରିବାରେ ସମର୍ଥ ହୋଇ ପାରିଥିଲା ।
୨୦୧୭ ଆରମ୍ଭରେ ତିନିଗୋଟି ବିଗ ବଜେଟ ହିନ୍ଦୀ ଚଳଚ଼ିତ୍ର ଆଶାନୁରୂପ ବ୍ୟବସାୟ କରିପାରି ନଥିଲେ ।‘କାବିଲ’ (୮୬.୫୪ କୋଟି), ‘ରଇସ’ (୧୨୮.୭୭ କୋଟି) ଓ ‘ରେଙ୍ଗୁନ’ (୨୦.୮୭ କୋଟି) ଦର୍ଶକ ମହଲରେ ଆଦୃତ ହୋଇପାରି ନଥିଲା।
‘ବାହୁବଳୀ: ଦି କନକ୍ଳୁଜନ’ ବକ୍ସ ଅଫିସରେ ହିଟ ହୋଇଥିଲେ ହେଁ ସମୀକ୍ଷକମାନେ ଏହାକୁ ହିନ୍ଦୀ ଚଳଚ଼ିତ୍ର ପର୍ଯ୍ୟାୟଭୁକ୍ତ କରନ୍ତି ନାହିଁ । ଏହାକୁ ତେଲୁଗୁର ଡବିଂ ମାନ୍ୟତା ଦିଆଯାଏ ।
‘ଦି ହିନ୍ଦୁ’ ୨ ଜାନୁୟାରୀ ୨୦୧୮ ମୁଦ୍ରିତ ସଂସ୍କରଣରେ ଦେବ୍ରୋହ କର୍ଣ୍ଣେଲିଏସଙ୍କ ପ୍ରକାଶିତ ସମୀକ୍ଷାରେ ୨୦୧୭ର ହିନ୍ଦୀ ଚଳଚ଼ିତ୍ର ଜଗତରେ ଦେଖାଦେଇଥିବା କେତେକ ମୁଖ୍ୟ ଧାରା ବା ଟ୍ରେଣ୍ଡ ସଂପର୍କରେ ବର୍ଣ୍ଣନା କରାଯାଇଛି ।
ପ୍ରଥମତଃ ହିନ୍ଦୀ ଚଳଚ଼ିତ୍ରର କାହାଣୀ ଏକେତ ବଡ଼ ସହର ବା ଛୋଟ ଗ୍ରାମ ଉପରେ ପର୍ଯ୍ୟବସିତ ହେଉଥିବା ସ୍ଥଳେ ୨୦୧୭ରେ ପ୍ରଯୋଜିତ ଅନେକ ଚଳଚ଼ିତ୍ରର କାହାଣୀ ଛୋଟ ସହର ଆଡ଼କୁ ମୁହାଁଇଥିଲା ।‘ମେରି ପ୍ୟାରୀ ବିନ୍ଦୁ’, ‘ବହେନ ହୋଗି ତେରି’, ‘ବରେଲୀ କୀ ବର୍ଫି’, ‘ବାବୁ ମୋସାଇ ବନ୍ଧୁକବାଜ’, ‘ଶୁଭ ମଙ୍ଗଳ’ ଓ ‘ସାବଧାନ’ ଭଳି ଚଳଚ଼ିତ୍ର ଛୋଟ ସହରର ପଟ୍ଟଭୂମି ଉପରେ ଗଢ଼ି ଉଠିଥିଲା ।
ଦ୍ୱିତୀୟତଃ କମେଡ଼ି ବର୍ଗରେ ‘ବଦ୍ରିନାଥ କୀ ଦୁଲହନିଆ’, ‘ଜଲି ଏଲଏଲବି ୨’, ‘ଜୁଡୱା ୨’ ଓ ‘ଗୋଳମାଳ ଏଗେନ’ ଦର୍ଶକମହଲରେ ବେଶ ଆଦୃତ ହୋଇଥିଲା ।
ତୃତୀୟତଃ ୨୦୧୭ରେ ବହୁ ନାରୀ ଚ଼ରିତ୍ର ପ୍ରଧାନ ଚଳଚ଼ିତ୍ର ନିର୍ମିତ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ‘ଅନରକଲୀ ଅଫ ଆରାହ’, ‘ନାମ ସବାନା’, ‘ବେଗମ ଜାନ’, ‘ନୂର’, ‘ସିମରନ’ ଓ ‘ହସିନା ପରକାର’ ଇତ୍ୟାଦି ମୁଖ୍ୟସ୍ଥାନ ଅଧିକାର କରିଥିଲା ।
ଚ଼ତୁର୍ଥତଃ ଏଣିକି ସଦ୍ୟ ରିଲିଜ ହୋଇଥିବା ହିନ୍ଦୀ ଚଳଚ଼ିତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚରେ ଉପଲବ୍ଧ ହେଉଛି । ଭିଡ଼ିଓ ଷ୍ଟ୍ରୀମିଂ ନେଟୱାର୍କ ‘ଆମେଜନ ପ୍ରାଇମ’ରେ ‘ହିନ୍ଦୀ ମିଡ଼ିଅମ’ ଓ ‘ନିଉଟନ’ ଦର୍ଶକମାନେ ଉପଭୋଗ କରିଥିଲେ ।‘ଟ୍ୟୁବ ଲାଇଟ’ ଓ ‘ଜବ ହ୍ୟାରି ମେଟ ସେଜଲ’ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହୋଇଥିଲା ।
୨୦୧୭ରେ ହିନ୍ଦୀ ଚଳଚ଼ିତ୍ରର ଦୁରାବସ୍ଥା ୨୦୧୮ରେ ‘ପଦ୍ମାବତ’ ସହ ଶାହାରୁଖ, ଅମୀର ଓ ସଲମନ ତିନି ଖାନଙ୍କ ନିର୍ମାଣଧୀନ ଚଳଚ଼ିତ୍ରଗୁଡ଼ିକ କିଛି ମାତ୍ରାରେ ସୁଧାର ଆଣିବ ବୋଲି ଆଶା କରାଯାଉଛି । ଶାହରୁଖ ଖାନ ଆନନ୍ଦ ରାୟଙ୍କ ନିର୍ଦ୍ଦେଶିତ ନାମକରଣ କରାଯାଇନଥିବା ଚ଼ିତ୍ରରେ ଅବତୀର୍ଣ୍ଣ ହେଉଥିବା ବେଳେ ଅମୀର ଖାନ ‘ଠଗସ ଅଫ ହିନ୍ଦୁସ୍ତାନ’ ଓ ସାଲମନ ‘ରେସ ୨’ରେ ଅଭିନୟ କରୁଛନ୍ତି । ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ରାଜକୁମାର ହିରାନୀଙ୍କ ‘ସଞ୍ଜୁ’ ସହ ଅକ୍ଷୟ କୁମାର ଓ ରଣବୀର କପୁରଙ୍କ ‘ପେଡ଼ମେନ’, ‘୨.୦’, ‘ଗୋଲଡ’ ଓ ‘ମୋଗଲ’ ଇତ୍ୟାଦି ୨୦୧୮ରେ ମୁକ୍ତିଲାଭ କରିବ ।
ଚଳଚ଼ିତ୍ର ଜଗତରେ ବକ୍ସ ଅଫିସ ଆୟ ନିମ୍ନଗାମୀ ହୋଇଚ଼ାଲିଥିବା ଅବସରରେ ହିନ୍ଦୀ ଚଳଚ଼ିତ୍ର ଉଭୟ ଏକକ ପର୍ଦ୍ଦା ଓ ମଲଟିପ୍ଳେକ୍ସର ଦର୍ଶକଙ୍କ ରୁଚି ସୁହାଇବାରେ ଅସମର୍ଥ ହେଉଛି କି ବୋଲି ପ୍ରଶ୍ନ ଉଠୁଛି । ଡ଼ିଜିଟାଲ ମଞ୍ଚରେ ମୁଖ୍ୟତଃ ମୋବାଇଲ ଫୋନ ପର୍ଦ୍ଦାରେ ଦର୍ଶକ ନିଜ ରୁଚ଼ି ଓ ସମୟକୁ ସୁହାଇବା ଭଳି ଚଳଚ଼ିତ୍ର ପ୍ରସାରଣର ସୁବିଧା ପାଇପାରୁଥିବା ବେଳେ ଭାରତରେ ଚଳଚ଼ିତ୍ର ପଦର୍ଶନ ନିମନ୍ତେ ନୂତନ ମଡ଼େଲ ସୃଷ୍ଟିର ପୂର୍ବାନୁମାନ କରାଯାଇପାରେ ।
