ଆଜିର ଖାସ ଖବର
Sat. May 30th, 2026

ପିଭିଆର-ଆଇନୋକ୍ସ ମିଶ୍ରଣ

By Dainikasha Jul11,2024

ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ମହାମାରୀ-ପର ଅବସ୍ଥାରେ ଦୁଇ ଟେଲିଭିଜନ ଚ୍ୟାନେଲ ଜୀ-ସୋନୀ ମିଶ୍ରଣ ପରେ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଦୁଇ ବୃହତ ପ୍ରେକ୍ଷାଳୟ ଶୃଙ୍ଖଳ ‘ଥିଏଟର ଚ଼େନ’ ପିଭିଆର ଓ ଆଇନକ୍ସ ମିଶ୍ରଣ ନିମନ୍ତେ ୨୦୨୨ ମାର୍ଚ୍ଚ ଶେଷ ସପ୍ତାହରେ ଘୋଷଣା କରିଥିଲେ । ମହାମାରୀଜନିତ ବିଘଟନ ମୁକାବିଲାରେ ଏହା ଏକ ବଳିଷ୍ଠ ପଦକ୍ଷେପ । ମହାମାରୀ-ପର ଗଣମାଧ୍ୟମ ଶିଳ୍ପରେ ସମ୍ଭାବ୍ୟ ପରିବର୍ତ୍ତନ ଧାରାରେ ବିଶେଷଜ୍ଞମାନେ ଏହି ମିଶ୍ରଣକୁ ସୂଚ଼କାଙ୍କଭାବେ ଗ୍ରହଣ କରିଥିଲେ ।

ମହାମାରୀରେ ସଂକ୍ରମଣ ଭୟରେ ଉଭୟ ପ୍ରଶାସନିକ କଟକଣା ଓ ଜନସାଧାରଣଙ୍କ ପରିବର୍ତ୍ତିତ ଆଚ଼ରଣ ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଯେ ଦୀର୍ଘକାଳ ବନ୍ଦ ରହିଲା ତାହା ନୁହ, ଖୋଲିବାପରେ ମଧ୍ୟ ଆଶାନୁରୂପ ବ୍ୟବସାୟର ବିଶ୍ୱାସ ଜନ୍ମାଇ ପାରିଲା ନାହିଁ । ପାଶ୍ଚାତ୍ୟ ଭୂଖଣ୍ଡରେ ବ୍ରିଟେନର ‘ସିନେ ୱାର୍ଲ୍ଡ’ ଭଳି ୧୦,୦୦୦ ରୂପେଲି ପରଦା ବିଶିଷ୍ଟ ଥଏଟର ଚ଼େନରୁ ୭୦୦ ସ୍କ୍ରୀନ ଅକ୍ଟୋବର ୨୦୨୦ରୁ ସବୁଦିନ ଲାଗି ବନ୍ଦ ହୋଇଯାଇଥିବା ଉଦାହରଣ ଦେଖିବାକୁ ମିଳିଥିଲା । ଆମ ଭାରତ ଓ ଓଡ଼ିଶାରେ ଏକକ ରୂପେଲି ପରଦା ବିଶିଷ୍ଟ ଛୋଟ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ମହାମାରୀ-ପର ଦୁଇବର୍ଷ ଶେଷ ସୁଦ୍ଧା ପୁଣି ପ୍ରଦର୍ଶନ ଆରମ୍ଭ କରିବାକୁ କୁଣ୍ଠାବୋଧରେ ଅଟକି ରହିଥିଲେ । ଫଳତଃ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନ ଶିଳ୍ପ ଅନ୍ୟାନ୍ୟ ବ୍ୟବସାୟ ତୁଳନାରେ ସର୍ବାପେକ୍ଷା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଏ ।

ବିଶେଷଜ୍ଞମାନଙ୍କ ବିଚାରରେ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ଅବକ୍ଷୟର ଧାରା ମୋଟାମୋଟି ଭାବେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରୁ ଆରମ୍ଭ ହୋଇଥିଲା ଏବଂ ଦଶ ବର୍ଷଧରି କ୍ରମାଗତ ଜାରି ରହିବା ଫଳରେ ମହାମାରୀର ଠିକ ପୂର୍ବାବସ୍ଥାରେ ପ୍ରାୟତଃ ସ୍ଥାଣୁ ଅବସ୍ଥାକୁ ଆସି ଯାଇଥିଲା । ମହାମାରୀର ଦୁଇ ବର୍ଷ ବ୍ୟାପୀ ପ୍ରଭାବପରେ ପରିସ୍ଥିତି ଅଣାୟତ୍ତସ୍ତରରେ ପହଞ୍ଚିଲା । ଅଧିକାଂଶ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ବାସ୍ତବ ପରିସ୍ଥିତିକୁ ପ୍ରାଥମିକ ପର୍ଯ୍ୟାୟରେ ଅସ୍ୱୀକାର କରି ଦ୍ୱିତୀୟ ପର୍ଯ୍ୟାୟରେ ଦୁରାବସ୍ଥାର ପ୍ରଭାବକୁ ପ୍ରଶ୍ନକରି ରୋଷ ପ୍ରକାଶସ୍ତରରେ ଅଟକିଥିବା ସ୍ଥଳେ ବୃହତ ଶିଳ୍ପଦ୍ୟୋଗୀମାନେ ପରିସ୍ଥିତିର ମୁକାବିଲା ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ଉଚ଼ିତ ମନେ କରୁଥିବା ଦେଖିବାକୁ ମିଳିଥିଲା ।

ପିଭିଆର ଓ ଆଇନକ୍ସର ମିଶ୍ରଣ ପ୍ରସ୍ତାବ ଘୋଷଣାପରେ ଗଣମାଧ୍ୟମକୁ ପିଭିଆରର ଅଧ୍ୟକ୍ଷ ଅଜୟ ବିଜଲି ଓ ଆଇନକ୍ସର ଅଧ୍ୟକ୍ଷ ସିଦ୍ଧାର୍ଥ ଜୈନଙ୍କ ବକ୍ତବ୍ୟ ଅନୁଶୀଳନ କଲେ ଯେଉଁ କେତେଗୋଟି ଉପସ୍ଥାପିତ ଯୁକ୍ତି ଚର୍ଚ୍ଚାକୁ ଆସିଥାଏ ସେଥିମଧ୍ୟରେ ମିଶ୍ରଣ ଫଳରେ ବ୍ୟାବସାୟିକ ଖର୍ଚ୍ଚକାଟ ପ୍ରଥମ । ଦେଶର ଦୁଇ ବଡ଼ ମଲଟିପ୍ଳେକ୍ସ ଚ଼େନ ମିଶ୍ରଣ ହେଲେ ପରିଚାଳନାଗତ ଖର୍ଚ୍ଚ କମିଯିବ ।

ଦ୍ୱିତୀୟତଃ, ପିଭିଆର ୭୩ଗୋଟି ସହରରେ ୧୮୧ଗୋଟି ପ୍ରେକ୍ଷାଳୟରେ ୮୭୧ଗୋଟି ରୂପେଲି ପରଦା ସହ ଆଇନକ୍ସର ୭୨ଗୋଟି ସହରରେ ୧୬୦ଗୋଟି ପ୍ରେକ୍ଷାଳୟରେ ୬୭୫ଗୋଟି ରୂପେଲି ପରଦା ଗୋଟିଏ ପରିଚାଳନାରେ ଏକତ୍ରୀତ ହେଲେ ପ୍ରାୟ ପନ୍ଦର ଶହ ପଚାଶ ରୂପେଲି ପରଦା ଦେଶର ସର୍ବବୃହତ ଚଳଚ଼ିତ୍ର ପ୍ରଦର୍ଶନକାରୀ ସଂସ୍ଥାର ମାନ୍ୟତା ପାଇବ । ଜାତୀୟସ୍ତରରେ ବହୁ ପରଦା ବିଶିଷ୍ଟ ପ୍ରେକ୍ଷାଳୟ ‘ମଲଟିପ୍ଳେକ୍ସ’ ବର୍ଗରେ ପ୍ରାୟ ଅର୍ଦ୍ଧେକ ସ୍ଥାନ ଅଧିକାର କରି ବକ୍ସ ଅଫିସ ଆୟ ଦେଶର ହିନ୍ଦି ଓ ଇଂଲିଶ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ୪୨ ପ୍ରତିଶତ ଦାବୀ କରିବ । ଏହି ପରିବେଶ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଦୀର୍ଘକାଳୀନ ଅଭିବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ ।

ତୃତୀୟତଃ, ମହାମାରୀ ପୂର୍ବାବସ୍ଥାରୁ ଓଟିଟି ଷ୍ଟ୍ରୀମିଂ ପ୍ଳାଟଫରମର ବିକାଶ, ମହାମାରୀ କାଳରେ ଲୋକପ୍ରିୟତା ବୃଦ୍ଧି ଓ ମହାମାରୀ-ପର ଅବସ୍ଥାରେ କେତେକ ବୃହତ ଚଳଚ଼ିତ୍ର ଓଟିଟି ମଞ୍ଚରେ ମୁକ୍ତିଲାଭ କରି ପ୍ରଦର୍ଶନରେ ଭଲ ଆୟ କରିଥିବା ଅଭିଜ୍ଞତା ପ୍ରେକ୍ଷାଳୟ ବ୍ୟବସାୟକୁ ଗୁଣାତ୍ମକ ବିକାଶ ନିମନ୍ତେ ବାଧ୍ୟ କରିଛି । ପିଭିଆର-ଆଇନକ୍ସ ମିଶ୍ରଣ ପରେ ପ୍ରେକ୍ଷାଳୟ ଦର୍ଶକଙ୍କୁ ବିଶ୍ୱସ୍ତରୀୟ ଅନୁଭବ ‘ୱର୍ଲଡ଼ କ୍ଳାସ ସିନେମା ଏକ୍ସପିରିଏନ୍ସ’ ଯୋଗାଇବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବା, ମୁଖ୍ୟତଃ ଦ୍ୱିତୀୟ ଓ ତୃତୀୟ ବର୍ଗ ସହରଗୁଡ଼ିକରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗକୁ ଅଧିକ ଆମୋଦଦାୟକ ଓ ଆକର୍ଷଣୀୟ ଗଢ଼ିତୋଳିବାକୁ ଉଦ୍ୟମ ସଂଭବ ହୋଇପାରିବ ।

ଚ଼ତୁର୍ଥତଃ, ଭାରତରେ ନୂଆ ଚଳଚ଼ିତ୍ର ପ୍ରେକ୍ଷାଳୟ ନିର୍ମାଣଧାରା ଅବ୍ୟାହତ ରହିଛି । ପଡ଼ୋଶୀ ଚ଼ୀନରେ ପ୍ରାୟ ସତୁରି ହଜାର ରୂପେଲି ପରଦାରେ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିବା ସ୍ଥଳେ ଭାରତରେ ମାତ୍ର ୯,୫୦୦ ହିସାବ କରାଯାଏ । ଚ଼ୀନରେ ପ୍ରତିବର୍ଷ ଛଅରୁ ସାତ ହଜାର ନୂଆ ରୂପେଲି ପରଦା ଯୋଗ ହେଉଥିବା ସ୍ଥଳେ ଭାରତରେ ୪୦୦ରେ ସୀମିତ ରହିଛି । ପିଭିଆର ଓ ଆଇନକ୍ସ ପୃଥକ ପୃଥକଭାବେ ବାର୍ଷିକ ୬୦ ଓ ୮୦ ନୂଆ ରୂପେଲି ପରଦା ନିଜ ଥଏଟର ଚ଼େନରେ ଯୋଗ କରୁଥିବା ବେଳେ ମିଶ୍ରଣପରେ ଦୁଇ ଶହକୁ ଉନ୍ନୀତ କରିବାପାଇଁ ଲକ୍ଷ୍ୟ ରଖିଛନ୍ତି । ଫଳରେ ବ୍ୟାବସାୟିକ ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରିବ ।

ପଞ୍ଚମତଃ, ମଲଟିପ୍ଳେକ୍ସଗୁଡ଼ିକର ଭୌଗଳିକସ୍ଥିତିରେ ପିଭିଆର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ପ୍ରଭାବ ବିସ୍ତାର କରିଥିବା ସ୍ଥଳେ ଆଇନକ୍ସ ପୂର୍ବ ଭାରତରେ ସ୍ଥିତି ସୁଦୃଢ଼ । ଦୁଇ ଥଏଟର ଚ଼େନର ମିଶ୍ରଣ ଫଳରେ ସମଗ୍ର ଭାରତରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟ ହାତକୁ ଅସିଯିବ ଏବଂ ବିଭିନ୍ନ ବ୍ୟାବସାୟିକ ମୂଲଚାଲ ‘ବିଜିନେସ ନେଗୋସିଏସନ’ ଲାଗି କ୍ଷମତା ବୃଦ୍ଧି ପାଇବ । ଷଷ୍ଠରେ ବ୍ୟାବସାୟିକ ଅଭିବୃଦ୍ଧି ଲାଗି ଟାଏର-୨ ଓ ଟାଏର-୩ ସହରଗୁଡ଼ିକରେ ପହଞ୍ଚିବା ତଥା ଦୀର୍ଘକାଳୀନ ଲକ୍ଷ୍ୟ ସାଧନଲାଗି ଯୋଜନା ପ୍ରଣୟନ କରିବା ନିମନ୍ତେ ଭିତ୍ତିଭୂମି, ମାନବ ସମ୍ୱଳ ଓ ଆର୍ଥିକ ନିବେଶ ନିମନ୍ତେ ମିଶ୍ରଣ ସହାୟକ ହେବ । ସପ୍ତମରେ ଡିଜିଟାଲ ମିଡ଼ିଆ ମୁଖ୍ୟତଃ ଓଟିଟି ମଞ୍ଚ ଭାରତୀୟ ଚଳଚ଼ିତ୍ର ପ୍ରଦର୍ଶନ ଶିଳ୍ପ ବିକାଶ ନିମନ୍ତେ ଶକ୍ତିଶାଳୀ ପ୍ରତିବନ୍ଧକରୂପେ ଗଢ଼ି ଉଠୁଥିବା ତଥା ଦର୍ଶକଙ୍କ ରୁଚ଼ି ବଦଳୁଥିବା ଅବସରରେ ସମ୍ମିଳିତ ପ୍ରଚ଼େଷ୍ଟା ଆବଶ୍ୟକ ।

ପିଭିଆର-ଆଇନକ୍ସ ମିଶ୍ରଣ ନିମନ୍ତେ ଛଅରୁ ନଅମାସର ପ୍ରସ୍ତୁତି ଆବଶ୍ୟକ ଥିବା କୁହାଯାଇଥିଲା । ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନିମନ୍ତେ ସେୟାର ହୋଲଡ଼ର, ଷ୍ଟକ ଏକ୍ସଚ଼େଞ୍ଜ, ସିକ୍ୟୁରିଟିସ ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଓ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ଭଳି ସଂସ୍ଥାର ଅନୁମୋଦନ ଲୋଡ଼ା । ପ୍ରସ୍ତାବିତ ରାଜିନାମା ଅନୁଯାୟୀ ପିଭିଆର କମ୍ପାନୀରେ ନିବେଶକଙ୍କ ତିନିଗୋଟି ଅଂଶଧନ ‘ସେୟାର’ ଆଇନକ୍ସର ଦଶ ଗୋଟି ‘ସେୟାର’ ସହ ସମତୁଲ ହେବ । ପିଭିଆର ପ୍ରାୟୋଜକଙ୍କ ୧୦.୬୨ ଏବଂ ଆଇନକ୍ସ ପ୍ରାୟୋଜକଙ୍କ ୧୬.୬୨ ଅଂଶଧନ ପିଭିଆର-ଆଇନକ୍ସ ନିବେଶରେ ଗଣିତ ହେବ । ଦୁଇ ପ୍ରଯୋଜକ ପରିବାରରୁ ଦୁଇଜଣ ଲେଖା ବୋର୍ଡ ମେମ୍ୱର ସହ ମୋଟ ୧୦ ଜଣିଆ ବୋର୍ଡ ନୂତନ କମ୍ପାନୀ ପରିଚାଳନା କରିବେ । ଦୁଇ କମ୍ପାନୀର ଅଧ୍ୟକ୍ଷ ଅଜୟ ବିଜାନି ଓ ସଞ୍ଜୀବ କୁମାର ପରିଚାଳନାରେ ସାମିଲ ହେବେ ।

ପାଶ୍ଚାତ୍ୟ ଭୂଖଣ୍ଡ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରୋପୀୟ ରାଷ୍ଟ୍ରପୁଞ୍ଜରେ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟ ବନ୍ଦ ହୋଇ ଆସୁଥିବା ସ୍ଥଳେ ଚ଼ୀନରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧିର ଉଦାହରଣ ଭାରତରେ ବିଶେଷଜ୍ଞଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଥାଏ । କେତେକଙ୍କ ମତରେ ମଲଟିପ୍ଳେକ୍ସ ସଂସ୍କୃତି କେବଳ ଚଳଚ଼ିତ୍ର ପ୍ରଦର୍ଶନରେ ସୀମିତ ନରହି ବହୁମୁଖୀ ମନୋରଞ୍ଜନ ବିପ୍ପଣୀ ଭାବେ ଗଢ଼ି ଉଠୁଥିବା ହେତୁ ବ୍ୟାବସାୟିକ ସଫଳତା ଆଶା କରାଯାଇପାରେ । ତେବେ ମଲଟିପ୍ଳେକ୍ସର ଭିଡ଼ରେ ଏକକ ରୂପେଲି ପରଦା ବିଶିଷ୍ଟ ‘ସିଙ୍ଗଲ ସ୍କ୍ରିନ’ ପ୍ରେକ୍ଷାଳୟ ଯେ ପ୍ରତିଯୋଗିତାରେ ପଛରେ ପଡ଼ିଯିବ ଏଥିରେ ସନ୍ଦେହ ନାହିଁ । 

Related Post