ଆଜିର ଖାସ ଖବର
Sat. May 30th, 2026

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ

By Dainikasha Jul11,2024

ସୃଜନ ବିକାଶ ଅନେକାଂଶରେ ଅନୁକରଣରେ ପର୍ଯ୍ୟବେସିତ । ସୃଜନରେ କଳାକୌଶଳ ଉପଯୋଗ ପାରିପାର୍ଶ୍ୱିକ ପରିବେଶରୁ ଆହରଣ କରାଯାଇଥାଏ । ଉଦାହରଣ ସ୍ୱରୂପ ସାହିତ୍ୟ ସୃଷ୍ଟିରେ ଭାଷାଜ୍ଞାନ ଓ ବ୍ୟାକରଣରେ ଦକ୍ଷତା ଅପରିହାର୍ଯ୍ୟ । ଏଥିଲାଗି ଉପଲବ୍ଧ ରଚ଼ନା ଅଧ୍ୟୟନ ହିଁ ଏକମାତ୍ର ଉନ୍ମୁକ୍ତ ପଥ । ଏହିପରି ତତ୍ତ୍ୱ ଊଣାଅଧିକେ ସମସ୍ତ ସର୍ଜନଶୀଳ ପ୍ରକ୍ରିୟାରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ଚଳଚ଼ିତ୍ର ବିଂଶ ଶତାଦ୍ଦୀରେ ବିକଶିତ ଏକ ପ୍ରଭାବଶାଳୀ ସମ୍ମିଳିତ କଳା । ଏହା ନାଟକ, ସଂଗୀତଠାରୁ ଆରମ୍ଭ କରି ଫୋଟୋଗ୍ରାଫି, ଆର୍ଟିଫିସିଆଲ ଇଣ୍ଟଲିଜେନସ ପର୍ଯ୍ୟନ୍ତ ବହୁବିଧ ଉପାଦାନର ସମାହାର । ଚଳଚ଼ିତ୍ର ନିର୍ମାଣରେ ଅନୁକରଣ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥାଏ ।

ଚଳଚ଼ିତ୍ର ବିଭିନ୍ନ ଭୌଗଳିକ ପ୍ରାନ୍ତରେ ପ୍ରଯୋଜିତ ହେଉଥିବା ଅବସରରେ ଭିନ୍ନଭିନ୍ନ ସାଂସ୍କୃତିକଧାରାର ମୌଳିକତା ଏଥିରେ ପ୍ରସ୍ପୁଟିତ ହେବା ସ୍ୱଭାବିକ । ଏହିଭଳି ବିବିଧତା ଅନୁଧ୍ୟାନ ସୃଜନ ବିକାଶକୁ ଋଦ୍ଧିମନ୍ତ କରିଥାଏ । ବିଭିନ୍ନ ରାଷ୍ଟ୍ରର ଚଳଚ଼ିତ୍ର ଉପଭୋଗ କରିବା ନିମନ୍ତେ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବମାନ ପ୍ରକୃଷ୍ଟ ପରିବେଶ ।

ଓଡ଼ିଶାରେ ଚଳଚ଼ିତ୍ରର ଉନ୍ମେଷ ଗତ ଶତାଦ୍ଦୀର ଚ଼ତୁର୍ଥ ଦଶକରେ ସଂଘଟିତ ହୋଇଥିଲେ ହେଁ ଅଷ୍ଟମ ଦଶକରେ ଟେଲିଭିଜନର ବିକାଶ ପରିପ୍ରେକ୍ଷୀରେ ଚଳଚ଼ିତ୍ର ନିର୍ମାଣ କଳାକୌଶଳର ପ୍ରସାର ଘଟିଥିଲା । ଭିଡ଼ିଓ ଓ କେବଲ ଟେଲିଭିଜନର ଲୋକପ୍ରିୟତା ପରେ ବର୍ତ୍ତମାନ ଇଣ୍ଟରନେଟର ବ୍ୟାପ୍ତି ତଥା ମୋବାଇଲ ଫୋନରେ ଭିଡିଓ ଫୋଟୋଗ୍ରାଫି ଉତ୍ତୋଳନ କ୍ଷମତା ଓ ସୋସିଆଲ ମିଡିଆରେ ପ୍ରଦର୍ଶନର ସୁଯୋଗ ଏକ ନୂତନ ସମୀକରଣ ସୃଷ୍ଟି କରିଛି ।

ସାମ୍ୱାଦିକତା ମୋବାଇଲ ପରଦାକୁ ସ୍ଥାନାନ୍ତରିତ ହେଉଥିବା ପରିପ୍ରେକ୍ଷୀରେ ଚଳଚ଼ିତ୍ର ନିର୍ମାଣର କଳାକୌଶଳରେ ଦକ୍ଷତା କ୍ରମଶଃ ସାଧାରଣ ସାମ୍ୱାଦିକଙ୍କ ନିମନ୍ତେ ଅପରିହାର୍ଯ୍ୟ ପ୍ରମାଣିତ ହେଲାଣି । ଏହି ପରିପ୍ରେକ୍ଷୀରେ ଚଳଚ଼ିତ୍ର ନିର୍ମାଣ ଏକ ସ୍ୱତନ୍ତ୍ର କଳା ପରିବର୍ତ୍ତେ ଗଣମାଧ୍ୟମର ମୁଖ୍ୟସ୍ରୋତରେ ସାମିଲ ହୋଇଛି ।

ଆମ ଦେଶରେ ଗୋଆ, ମୁମ୍ୱାଇ ଓ କୋଲକାତାରେ ଆୟୋଜିତ ତିନିଗୋଟି ଫିଲ୍ମ ଫେଷ୍ଟିଭାଲରେ ଅଧିକ ବିଦେଶୀ ଚଳଚ଼ିତ୍ର ପ୍ରଦର୍ଶନ ସାଙ୍ଗକୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଚଳିତ ବର୍ଷ ଅକ୍ଟୋବର ୧୨ ରୁ ୧୮ ତାରିଖ ଯାଏଁ ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ସପ୍ତାହବ୍ୟାପୀ ମହୋତ୍ସବରେ ୪୯ଗୋଟି ରାଷ୍ଟ୍ରରେ ପ୍ରଯୋଜିତ ୨୨୦ଗୋଟି ଚଳଚ଼ିତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି ।

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ ୧୯୯୭ ମସିହାରେ ବିଶିଷ୍ଟ ହିନ୍ଦି ଚଳଚ଼ିତ୍ର ନିର୍ଦ୍ଦେଶକ ହୃଷୀକେଶ ମୁଖର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ମୁମ୍ୱାଇ ଏକାଡ଼େମୀ ଅଫ ମୁଭିଙ୍ଗ ଇମେଜ ଅନୁଷ୍ଠାନ ଆନୁକୂଲ୍ୟରେ ଭାରତୀୟ ଚଳଚ଼ିତ୍ର ଜଗତରେ ସୃଜନତା ବିକାଶ ନିମନ୍ତେ ଆନ୍ତର୍ଜାତିକସ୍ତରର ପ୍ରସିଦ୍ଧି ଲାଭକରିଥିବା ଚଳଚ଼ିତ୍ରଗୁଡ଼ିକର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଶ୍ୟାମବେନେଗାଲଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠାନର ଟ୍ରଷ୍ଟିଭାବେ ଜୟା ବଚ୍ଚନ, ସବନା ଆଜମୀ, କରଣ ଜୋହର ଓ ଫରହାନ ଆଖତାର ପ୍ରମୁଖ ରହିଛନ୍ତି ।

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ନିମନ୍ତେ ଦର୍ଶକଙ୍କୁ ଅଗ୍ରୀମ ପ୍ରତିନିଧିଭାବେ ପଞ୍ଜୀକୃତ ହେବାକୁ ପଡିଥାଏ । ପଞ୍ଜୀକରଣ ପ୍ରକ୍ରିୟା ଫେଷ୍ଟିଭାଲ ୱେବସାଇଟରେ ଅନଲାଇନ ପ୍ରକ୍ରିୟାରେ ୬ ସେପ୍ଟେମ୍ୱରରୁ ଆରମ୍ଭ ହୋଇଛି ଏବଂ ଉତ୍ସବ ଶେଷଯାଏଁ ଚ଼ାଲିବ । ସାଧାରଣ ପ୍ରତିନିଧି ଚ଼ନ୍ଦା ଦୁଇ ହଜାର ଓ ଦୈନିକ ପ୍ରତିନିଧି ଚ଼ାନ୍ଦା ପାଞ୍ଚଶହ ଟଙ୍କା ନିର୍ଦ୍ଧାରିତ ହୋଇଛି । ବରିଷ୍ଠନାଗରିକ ଓ ଛାତ୍ରମାନଙ୍କ ନିମନ୍ତେ କିଛି ରିହାତିର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଫେଷ୍ଟିଭାଲରେ ଚଳଚ଼ିତ୍ରଗୁଡ଼ିକ ଅନ୍ଧେରୀର ଇନଫିନିଟି ଓ ସିଟି ମଲ, ଜୁହୁ, ଲୋଏର ପରେଲ ଫୋନିକ୍ସ ମଲ, କୁର୍ଲା ଫୋନିକ୍ସ ମାର୍କେଟସିଟି ମଲ, ଥାନେର ପିଭିଆର ଥିଏଟର୍ସ ଓ ଫ୍ଳୋରାଫାଉଣ୍ଟେନର ପୁରାତନ ରିଗାଲ ସିନେମା ହଲରେ ପ୍ରଦର୍ଶିତ ହେବ । ନିର୍ଦ୍ଧାରିତ ପ୍ରଦର୍ଶନ ସୂଚ଼ୀ ଆଧାରରେ ପଞ୍ଜୀକୃତ ପ୍ରତିନିଧିମାନେ ଚଳଚ଼ିତ୍ରଗୁଡ଼ିକର ପ୍ରଦର୍ଶନର ଦିନକ ପୂର୍ବରୁ ଅନଲାଇନରେ ‘ବୁକ-ମାଇ-ସୋ’ ଇ-କମର୍ସ ସାଇଟରେ ଜଣକ ପିଛା ଦୈନିକ ସର୍ବାଧିକ ଚାରିଗୋଟି ସୋ’ ପାଇଁ ସିଟ ସଂରକ୍ଷଣ କରିପାରିବେ ।

ସିଟ ସଂରକ୍ଷଣ ବ୍ୟବସ୍ଥା ଫାଷ୍ଟ-କମ-ଫାଷ୍ଟ-ସେରଭଡ଼ ଧାରାରେ ପରିଚ଼ାଳନା ହେଉଥିବାବେଳେ ଦର୍ଶକଙ୍କୁ ନିର୍ଦ୍ଧିଷ୍ଟ ଚଳଚ଼ିତ୍ର ଦେଖିବା ନିମନ୍ତେ ସୁଯୋଗ ସୃଷ୍ଟିଲାଗି କେତେକ ପ୍ରସିଦ୍ଧ ଚଳଚ଼ିତ୍ରର ଏକାଧିକବାର ପ୍ରଦର୍ଶନର ବ୍ୟବସ୍ଥା ହୋଇଛି ।

ଉଚ୍ଚମାନର ପୂର୍ଣ୍ଣଙ୍ଗ ଚଳଚ଼ିତ୍ର ଅନୁଧ୍ୟାନ ସାମ୍ୱାଦିକମାନଙ୍କୁ ପ୍ରାମାଣିକ ଚଳଚ଼ିତ୍ର ନିର୍ମାଣ ଓ ସମ୍ୱାଦଭିତ୍ତିକ ଭିଡ଼ିଓ ପ୍ରସ୍ତୁତିରେ ଦିଗଦର୍ଶନ ଦେବାର ଉପାଦାନ ଭରିରହିଛି । ମୂଳକଥା ହେଲା ଉତ୍ତମ ଚଳଚ଼ିତ୍ର ପ୍ରଦର୍ଶନ ଦର୍ଶକଙ୍କୁ ଉତ୍କର୍ଷତା ପ୍ରତି ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ସର୍ଜନଶୀଳ ହେବାନିମନ୍ତେ ପ୍ରୋତ୍ସାହିତ କରିଥାଏ । ସାମ୍ୱାଦିକମାନେ ସ୍ୱକୀୟ କଳାକୌଶଳ ଶାଣିତ କରିବା ନିମନ୍ତେ ସଂଗ୍ରହାଳୟ, କଳାତ୍ମକ ପ୍ରଦର୍ଶନୀ ଓ ଚଳଚ଼ିତ୍ର ଉତ୍ସବଗୁଡ଼ିକୁ ସମୟାନ୍ତେ ପରିଦର୍ଶନ କରିବା ବିଧେୟ ।

ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଲେ ନିର୍ଦ୍ଧିଷ୍ଟ ସମୟପାଇଁ କେବଳ ଚଳଚ଼ିତ୍ର ଦେଖିବା ତଥା ଫୋଟୋଗ୍ରାଫି, ଲାଇଟିଂ, କମ୍ପୋଜିସେନ, ଏଡ଼ିଟିଂ, ସ୍ପେସିଆଲ ଏଫେକ୍ଟ ଭଳି ବିଭିନ୍ନ ବିଷୟରେ ତନ୍ନତନ୍ନ ଅନୁଶୀଳନଲାଗି ସୁଯୋଗ ସୃଷ୍ଟି କରିଥାଏ । ଏତଦ୍ ବ୍ୟତୀତ ଫେଷ୍ଟିଭାଲ ଅବସରରେ ଆୟୋଜିତ ପ୍ରଦର୍ଶନୀ ଓ ଆଲୋଚନାଚ଼କ୍ରମାନ ଜ୍ଞାନର ପରିଧି ସଂପ୍ରସାରିତ କରିବା ନିମନ୍ତେ ସହାୟକ ହୋଇଥାଏ । ସାଧ୍ୟମତେ ଏଭଳି ସୁବିଧାସୁଯୋଗ ଆହରଣ କରିବା ବୁଦ୍ଧିମତାର ପରିଚ଼ୟ । ସାମ୍ୱାଦିକତା ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ଫିଲ୍ମଫେଷ୍ଟିଭାଲ ପରିଦର୍ଶନ ଶିକ୍ଷାଭ୍ରମଣ ବା ଷ୍ଟଡ଼ିଟୁରରେ ଅନ୍ତର୍ଭୁକ୍ତ କଲେ ସୁଦୂରପ୍ରସାରୀ ପ୍ରଭାବ ଆଶା କରାଯାଇପାରେ ।

ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ ପରକୁ ଚଳିତ ୨୦୧୭ ନଭେମ୍ୱର ୧୦ ରୁ ୧୭ ଯାଏଁ କୋଲକତା ଇଣ୍ଟରନ୍ୟାସନାଲ ଫିଲ୍ମଫେଷ୍ଟିଭାଲ ଏବଂ ଗୋଆରେ ନଭେମ୍ୱର ୨୦ ରୁ ୨୮ ଯାଏଁ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ଅନୁଷ୍ଠିତ ହେବ । ଏହି ସବୁ ଫେଷ୍ଟିଭାଲରେ ଯୋଗଦେବା ନିମନ୍ତେ ପ୍ରତିନିଧିଭାବେ ଅଗ୍ରୀମ ପଞ୍ଜୀକରଣ ଆବଶ୍ୟକ ପଡ଼ିଥାଏ ।

Related Post