ଆଜିର ଖାସ ଖବର
Sat. May 30th, 2026

ସର୍ଟ ଫିଲ୍ମ ଫେଷ୍ଟିଭାଲ

By Dainikasha Jul11,2024

କୋଲକତାରେ ‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୧୯’ ମାର୍ଚ୍ଚ ୧୮ ରୁ ୩୧ ତାରିଖ ଦୀର୍ଘ ୧୪ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଫିଲ୍ମ ଫେଷ୍ଟିଭାଲର ଏହା ଦ୍ୱିତୀୟ ସଂସ୍କରଣ । ପ୍ରଥମ ସଂସ୍କରଣ ୨୦୧୮ ମାର୍ଚ୍ଚ ୩୦ ରୁ ଏପ୍ରିଲ ୯ ତାରିଖ ଯାଏଁ ଆୟୋଜିତ ହୋଇଥିଲା । ‘ଫଡ଼ରେସନ ଅଫ ଫିଲ୍ମ ସୋସାଇଟିସ ଇନ ଇଣ୍ଡିଆ’ର ପୂର୍ବାଞ୍ଚଳ ଶାଖା ଆନୁକୂଲ୍ୟରେ ପ୍ରଯୋଜିତ ଫିଲ୍ମ ଫେଷ୍ଟିଭାଲରେ ସର୍ବମୋଟ ୨୭୧ ଗୋଟି ସର୍ଟଫିଲ୍ମ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଥିଲା । ପୂର୍ବ-ଭାରତରେ ସର୍ଟ ଫିଲ୍ମକୁ ପ୍ରୋତ୍ସାହନ ଦିଗରେ ଆଲୋଚ୍ୟ ଫେଷ୍ଟିଭାଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ବିଚ଼ାର କରାଯାଏ ।

ଫୋଟୋଗ୍ରାଫିରେ ଡ଼ିଜିଟାଲ କାରିଗରୀ କୌଶଳ ବିକାଶ ଭିଡ଼ିଓ ପ୍ରସ୍ତୁତି ଓ ପ୍ରଦର୍ଶନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ମୁଖ୍ୟତଃ ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକର ଶେଷଭାଗରେ ସ୍ମାର୍ଟଫୋନର ବିକାଶ ଏବଂ ଦ୍ୱିତୀୟ ଦଶକ ଆରମ୍ଭରୁ ଭାରତରେ ବହୁଳ ବ୍ୟବହାର ଭିଡ଼ିଓ ଉତ୍ତୋଳନ, ସମ୍ପାଦନା ଓ ପ୍ରଦର୍ଶନ ଶସ୍ତା, ସରଳ ଓ ସର୍ବଜନ ବ୍ୟବହାରଯୋଗ୍ୟ କରିବା ପରେ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନର ପାରମ୍ପରିକ ମୂଲ୍ୟବୋଧରେ ପରିବର୍ତ୍ତନ ସଂଭବପର ହୋଇଛି ।

ଊନବିଂଶ ଶତାଦ୍ଦୀର ଶେଷ ପାଦରେ ଚଳଚ଼ିତ୍ର କାରିଗରୀ କୌଶଳ ଉଦ୍ଭାବନ ଓ ଏକବିଂଶ ଶତାଦ୍ଦୀ ପ୍ରାରମ୍ଭରେ ଭାରତରେ ଡ଼ିଜିଟାଲ କାରିଗରୀ କୌଶଳ ବିକାଶ ଯାଏଁ ଶହେ ବର୍ଷ ଧରି ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନ ଏକ ବ୍ୟୟବହୁଳ ଶିଳ୍ପରୂପେ ମୁଣ୍ଡ ଟେକିଥିଲା । ଚଳଚ଼ିତ୍ର ନିର୍ମାଣଲାଗି ଖୁବ କମ ସଂଖ୍ୟକ ସର୍ଜନଶୀଳ ପ୍ରତିଭା ସୁଯୋଗ ପାଉଥିଲେ । ବିଭିନ୍ନ କାରଣରୁ ଏହାର ସଂଙ୍କୁଚିଚ ପରିଧି ସର୍ବସାଧାରଣଙ୍କୁ ଦୂରେଇ ରଖୁଥିଲା । ତେବେ ଡ଼ିଜିଟାଲ କାରିଗରୀ କୌଶଳର ବିକାଶ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନର ପ୍ରତ୍ୟେକଟି ପାଦରେ ଖର୍ଚ୍ଚକାଟ ସାଙ୍ଗକୁ ଉନ୍ନତମାନର ଉତ୍ପାଦ ଲାଗି ସୁଯୋଗ ସୃଷ୍ଟି ମୁଖ୍ୟସ୍ରୋତର ବ୍ୟାବସାୟିକ ଚଳଚ଼ିତ୍ର ସାଙ୍ଗକୁ ବିକଳ୍ପ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିପାରିଛି ।

ଏତାଦୃଶ ପରିବେଶରେ ସର୍ଟ ଫିଲ୍ମ ବିଶ୍ୱବ୍ୟାପୀ ପ୍ରତିଭାଧରଙ୍କ ଲାଗି ନୂତନ ସମ୍ଭାବନା ଆଣିଦେଇଛି । ମୁଖ୍ୟସ୍ରୋତର ଚଳଚ଼ିତ୍ରଗୁଡ଼ିକ ପ୍ରାୟତଃ ଫିକ୍ସନାଲ ଥିବାସ୍ଥଳେ ସର୍ଟଫିଲ୍ମରେ ଉଭୟ ଫିକ୍ସନ ଓ ଡ଼କ୍ୟୁମେଣ୍ଟରି ଗୁରୁତ୍ୱ ବହନ କରୁଥିବା ଦେଖାଯାଏ । ଅଧିକାଂଶ ସର୍ଟ ଫିଲ୍ମ ଟେଲିଭିଜନ ସିରିଜର ଅଧ୍ୟାୟ ପଦାଙ୍କରେ ୩୦ ମିନଟ ଆଖପାଖ ଅବଧିରେ ନିର୍ମିତ ହେଉଥିବା ସ୍ଥଳେ ଆବଶ୍ୟକତା ଅନୁଯାୟୀ ଦୁଇ ତିନି ମିନଟରୁ ଘଣ୍ଟାଏ ବା ତତୁର୍ଦ୍ଧ ସମୟସୀମା ମଧ୍ୟ ଗୃହୀତ ହୋଇଥାଏ । ସର୍ଟ ଫିଲ୍ମର ସ୍ୱଳ୍ପ ଅବଧି ମୌଳିକତା ପରିସ୍ମୁଟନରେସହାୟକ ହେଉଥିବା ଲକ୍ଷ୍ୟ କରାଯାଏ।

ସର୍ଟ ଫିଲ୍ମର ବ୍ୟାବସାୟିକ ଅଙ୍ଗୀକ ବା ‘ବିଜିନେସ ମଡ଼େଲ’ ପୂର୍ଣ୍ଣ ବିକଶିତ ହୋଇପାରି ନାହିଁ । ଫିଲ୍ମ ଫେଷ୍ଟିଭାଲ ଭିନ୍ନ ଚଳଚ଼ିତ୍ର ପ୍ରେକ୍ଷାଳୟର ରୂପେଲି ପରଦାରେ ସର୍ଟ ଫିଲ୍ମ ପ୍ରଦର୍ଶନର ସୁଯୋଗ ନ ଥାଏ । ଟେଲିଭିଜନ ଚ଼୍ୟାନେଲଗୁଡ଼ିକର ପ୍ରସାରଣରେସର୍ଟ ଫିଲ୍ମର ସ୍ଥାନ ସୀମିତ । ଷ୍ଟ୍ରିମିଂ ଓ ୱେବ ପୋର୍ଟାଲରେ ସର୍ଟ ଫିଲ୍ମ ପ୍ରସାରଣର ସମ୍ଭାବନା ଥିଲେ ହେଁ ଏଦିଗରେ ବିଶେଷ ଅଗ୍ରଗତି ସଂଭବପର ହୋଇପାରି ନାହିଁ । ଫଳରେ ସର୍ଟ ଫିଲ୍ମ ନିର୍ମାଣ ସଉକ ମେଣ୍ଟାଇବା କିମ୍ୱା ମୂଳସ୍ରୋତ ଚଳଚ଼ିତ୍ର ଶିକ୍ଷାନବୀଶଙ୍କ ନିମନ୍ତେ ପରୀକ୍ଷାଗାର ଅବସ୍ଥାରେ ଅଟକିଛି । ଅବଶ୍ୟ ସ୍ମାର୍ଟଫୋନ ଭଳି ହେଣ୍ଡହେଲଡ଼ ମୋବାଇଲ ସ୍କ୍ରିନର ବହୁଳ ବ୍ୟବହାର ଏବଂ ଉପଭୋକ୍ତାମାନେ ଗ୍ରାହକ ଚ଼ାନ୍ଦା ଦେଇ ଷ୍ଟ୍ରିମିଂ ପ୍ରସାରଣ ଉପଭୋଗଧାରା କ୍ରମଶଃ ବୃଦ୍ଧି ପାଇଚ଼ାଲିଥିବା ଅବସରରେ ସର୍ଟ ଫିଲ୍ମ ପ୍ରଦର୍ଶନ ନିମନ୍ତେ ଉନ୍ନତ ବିଜନେସ ମଡ଼େଲ ବିକାଶ ଆଶା କରାଯାଇପାରେ ।

ଚଳଚ଼ିତ୍ର ନିମନ୍ତେ ଚ଼ିତ୍ରନାଟ୍ୟ ରଚନା ଠାରୁ ଆରମ୍ଭ କରି ସମ୍ପାଦନା, ଶଦ୍ଦ ସଂଯୋଜନା, ଗ୍ରାଫିକ୍ସ ବା ନିର୍ଦ୍ଦେଶନା ଚଳଚ଼ିତ୍ର ନିର୍ମାଣ ବିଷୟକ ବିଭିନ୍ନ କ୍ଷେତ୍ରରେ ନବାଗତଙ୍କୁ ସ୍ୱକୀୟ ପ୍ରତିଭା ପ୍ରଦର୍ଶନ ନିମନ୍ତେ ସର୍ଟ ଫିଲ୍ମ ଏକ ଆକର୍ଷଣୀୟ ସୁଯୋଗ । ସେହିପରି ଅଭିନେତା, ଗାୟକ ବା ସଙ୍ଗୀତ ନିର୍ଦ୍ଦେଶକଙ୍କ ନିମନ୍ତେ ମଧ୍ୟ ଉପଯୋଗୀ । ମୂଳସ୍ରୋତର ଚଳଚ଼ିତ୍ର ଓ ଟେଲିଭିଜନ ପ୍ରଯୋଜକମାନେ ସର୍ଟ ଫିଲ୍ମରୁ ପ୍ରତିଭା ଚୟନ କରିବା ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର ପାଇଥାନ୍ତି ।

ଡ଼କ୍ୟୁମେଣ୍ଟରି ନିର୍ମାଣ ଓ ପ୍ରଦର୍ଶନରେ ବିଜିନେସ ମଡ଼େଲ ପ୍ରଚଳନ ନଥିବା ସ୍ଥଳେ ସର୍ଟ ଫିଲ୍ମ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସ୍ମାର୍ଟଫୋନ ଭଳି ନିତ୍ୟବ୍ୟବହାର୍ଯ୍ୟ ସରଞ୍ଜାମ ଯୋଗେ ଭିଡ଼ିଓ ଉତ୍ତୋଳନର ସୁବିଧା ସାଧାରଣ ଜୀବନର ଅନେକ ଘଟଣାକ୍ରମର ଚ଼ିତ୍ରାଙ୍କନ ସମ୍ଭବପର ହୋଇପାରୁଛି । ଫଳରେ ଅତୀତରେ ଲୋକଲୋଚନକୁ ନ ଆସିପାରୁଥିବା ଅନେକ ଦୃଶ୍ୟ ଭିଡ଼ିଓ ଡ଼କ୍ୟୁମେଣ୍ଟରି ଯୋଗେ ପ୍ରଦର୍ଶନର ସୁଯୋଗ ସୃଷ୍ଟି କରୁଛି । ଫିକ୍ସନାଲ ସର୍ଟ ଫିଲ୍ମ ପାଇଁ ବିଜିନେସ ମଡ଼େଲ ବିକଶିତ ହେଲେ ଡ଼କ୍ୟୁମେଣ୍ଟରି ସର୍ଟ ଫିଲ୍ମପ୍ରଦର୍ଶନର ସୁଯୋଗ ସୃଷ୍ଟି ହୋଇପାରିବା ଆଶା କରାଯାଏ ।

ଏହି ପରିବେଶରେ ଫେଷ୍ଟିଭାଲଗୁଡ଼ିକ ଦେଶରେ ପ୍ରଯୋଜିତ ସର୍ଟ ଫିଲ୍ମଗୁଡ଼ିକର ଗୁଣାତ୍ମକ ପ୍ରଦର୍ଶନ ନିମନ୍ତେ ମଞ୍ଚ ପ୍ରସ୍ତୁତ କରିଥାନ୍ତି । କୋଲକତାରେ ଅନୁଷ୍ଠିତ ‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲ – ୨୦୧୯’ରେ କୋଲକତାରେ ନିର୍ମିତ ସର୍ଟ ଫିଲ୍ମଗୁଡ଼ିକ ହିଁମୁଖ୍ୟସ୍ଥାନ ଅଧିକାର କରିଥିଲା । ତତ୍ ସଙ୍ଗେ ମରଠୀ, ମାଳାୟଳମ, ତାଲିମ, ତେଲୁଗୁ ଓ ଆସାମୀ ଭାଷାଭାଷୀ ଅଞ୍ଚଳର କିଛି ଚଳଚ଼ିତ୍ର ମଧ୍ୟ ସ୍ଥାନ ପାଇଥିଲା । ଓଡ଼ିଶା ସଂପର୍କୀତ ହିମାଂଶୁ ଖଟୁଆଙ୍କ ମୋଗଲ ତାମସା, ବିଶ୍ୱନାଥ ରଥଙ୍କ କୋରାପୁଟ କୋଟପାଡ଼ ହସ୍ତତନ୍ତ୍ର ଓ ସିଦ୍ଧାର୍ଥ ଗୌତମଙ୍କ ‘ଚୁପ’ ଚଳଚ଼ିତ୍ର ପ୍ରଦର୍ଶିତ ହୋଇଥିଲା । ଫିଲ୍ମ ଫେଷ୍ଟିଭାଲଟି ଦକ୍ଷିଣ ଏସୀୟ ଦେଶପୁଞ୍ଜଲାଗି ଉର୍ତ୍ସଗୀକୃତ ହୋଇଥିଲେ ହେଁ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ଆଫଗାନସ୍ଥାନ ଚ଼ାରିଗୋଟି ପଡ଼ୋଶୀ ରାଷ୍ଟ୍ରରୁ ମାତ୍ର କେତେଗୋଟି ସର୍ଟ ଫିଲ୍ମ ସନ୍ନିବେଶିତ ହୋଇଥିଲା ।

‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭାଲ’ର ଦ୍ୱିତୀୟ ସଂସ୍କରଣରେ ବହୁ ଉଚ୍ଚମାନର ଚଳଚ଼ିତ୍ର ପ୍ରଦର୍ଶିତ ହୋଇଛି । ସଂପ୍ରତିକ ପରିପ୍ରେକ୍ଷୀରେ ଭାରତରେ ଧାର୍ମିକ ବିଦ୍ୱେଷ ଆଧାରରେ ନିର୍ମିତ ଫିକ୍ସନାଲ ସର୍ଟ ଫିଲ୍ମ‘ହର୍ଷିତ’ ଓ ‘ଗଙ୍ଗା ପ୍ରପତି’ ଦର୍ଶକଙ୍କ ମନରେ ଗଭୀର ରେଖାପାତ କରିଥିଲା । ଲେଖକ ଓ ନିର୍ଦ୍ଦେଶକ ଧ୍ରୁବ ହର୍ଷଙ୍କ ୨୫ ମିନଟ ଅବଧିର ହିନ୍ଦି ସର୍ଟ ଫିଲ୍ମ‘ହର୍ଷିତ’, ସେକ୍ସପିଅରଙ୍କ ‘ହାମଲେଟ’ ନାଟକଦ୍ୱାରା ଅନୁପ୍ରାଣିତ । ମୁମ୍ୱାଇର ଏକ ମୁସଲମାନ ବହୁଳ ଜନାକୀର୍ଣ୍ଣ ଗଳିରେ ବସବାସ କରୁଥିବା ହିନ୍ଦୁ ଯୁବକ ହର୍ଷିତ ତା’ର ପଡ଼ୋଶୀ ମୁସଲମାନ ରହିଳା ସହ ପ୍ରେମାବଦ୍ଧ । ତେବେ ରହିଳାର ପିତା ହର୍ଷିତର ମା’ର ପ୍ରେମିକ ଓ ଅତୀତରେ ହର୍ଷିତର ବାପାଙ୍କୁ ହତ୍ୟା କରିଥାଏ । ହର୍ଷିତର ମା’ର ଭାଷାରେ ହର୍ଷିତ ରହିଳାର ବାପାଙ୍କ ଔରସରୁ ଜନ୍ମ । ରହିଳାର ପିତା ହର୍ଷିତ ଓ ରହିଳାର ପ୍ରେମ ତଥା ଶାରିରୀକ ସଂପର୍କ ଜାଣିବାପରେ ରହିଳାଙ୍କୁ ହତ୍ୟା କରେ । ହର୍ଷିତ ରହିଳାର ପିତାକୁ ହତ୍ୟା କରି ନିଜ ବାପା ଓ ପ୍ରେମିକାର ହତ୍ୟାର ପ୍ରତିଶୋଧ ନିଏ । ସର୍ଟ ଫିଲ୍ମଟିରେ ଅଭିନୟ, ଲୋକେସନ ଓ ସଂଳାପ ସାଙ୍ଗକୁ ଚ଼ିତ୍ରନାଟ୍ୟଉଚ୍ଚକୋଟିର ।

ଉତ୍ତର-ଭାରତର କୌଣସି ଏକ ଛୋଟ ସହରରେ ଜଣେ ବଙ୍ଗାଳୀ ଭଦ୍ରବ୍ୟକ୍ତି ରବିବାର ଛୁଟି ଦିନ ଗଙ୍ଗାନଦୀକୂଳରେ ମାଛ ଧରିବାକୁ ବନସୀ ଧରି ପହଞ୍ଚନ୍ତି । ନଦୀରେ ଗାଈ ଶବଟିଏ ବହି ଆସିଥାଏ । ଏକ ଚମାର ଯୁବକ ତାହା ଦେଖି ବାପାଙ୍କୁ ଡ଼ାକି ଆଣି ଦିହେଁ ଗାଈର ଚ଼ମ଼ଡ଼ା ଉତ୍ତାରିବାକୁ ଉଦ୍ୟମ କରନ୍ତି । ଗଙ୍ଗାନଦୀରେ ସ୍ନାନାର୍ଥେ ଆସିଥିବା ଜଣେ ପଣ୍ଡିତ ଏହି ଦୃଶ୍ୟ ଦେଖି ସ୍ଥାନୀୟ ଗୋ-ରକ୍ଷକଙ୍କୁ ଖବର ଦିଅନ୍ତି ଏବଂ ଗୋ-ରକ୍ଷକମାନେ ନଦୀକୂଳରେ ପହଞ୍ଚି ଚମାରକୁ ପିଟିପିଟି ବେହସ କରି ଗଙ୍ଗାନଦୀରେ ଭସାଇ ଦିଅନ୍ତି । ମଧ୍ୟବିତ୍ତ ବଙ୍ଗାଳୀ ବାବୁ ଚୁପଚ଼ାପ ସବୁ ଦେଖି ଘରକୁ ଫେରନ୍ତି । ଏକ ପକ୍ଷରେ ଧାର୍ମିକ ଅନ୍ଧତା ସଂପ୍ରସାରଣ ସାଙ୍ଗକୁ ଅପର ପକ୍ଷରେ ସାଧାରଣ ଜନତାଙ୍କ ଅସହୟତା ଚଳଚ଼ିତ୍ରଟିରୁ ସୁସ୍ୱଷ୍ଟ । ଦୋବାଲ ବସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ୨୬ ମିନଟର ‘ଗଙ୍ଗା ପ୍ରପତି’ ସର୍ଟ ଫିଲ୍ମଟି ବେଶ୍ ଚ଼ିନ୍ତାଦ୍ୟୋକ ।

ଦେବବ୍ରତ ଭୌମିକଙ୍କ ୩୦ ମିନଟ ସର୍ଟ ଫିଲ୍ମ‘ଆଇନା’ ପଶ୍ଚିମବଙ୍ଗ ପୁରୁଲିଆ ଆଦିବାସୀଙ୍କ ଦାରିଦ୍ର୍ୟର ଏକ ନିଚ୍ଛକ ପ୍ରତିଛବି । ଲକ୍ଷ୍ମୀ ଗାଁ ମୁଣ୍ଡ ଜଙ୍ଗଲରେ ବାପା ମାଆଙ୍କ ସହ ବସବାସ କରେ । ଲକ୍ଷ୍ମୀ ଖନା, କିନ୍ତୁ ବିଦ୍ୟାଳୟ ଯାଏ । ଲକ୍ଷ୍ମୀର ବାପା ମଦ୍ୟପ ଓ ଅଳସୁଆ । ମା’ ଦିନସାରା ମଜୁରି ଲାଗି ଘର ଚଳାଏ । ଲକ୍ଷ୍ମୀର ଘରେ ଦର୍ପଣ ନଥାଏ । ତା’ର ମା ଭଙ୍ଗା ଦର୍ପଣ ଦେଖି କପାଳରେ ଚ଼ିତା ଲଗାଏ । ଏହା ଅଶୁଭ କୁହାଯାଉଥିବା ହେତୁ ଲକ୍ଷ୍ମୀ ଏକ କାବାଡ଼ିବାଲାଠାରୁ ପରିତ୍ୟକ୍ତ ଦର୍ପଣଟିଏ ଆଣି ମରାମତ କରି ମା’କୁ ଦିଏ । ସର୍ଟ ଫିଲ୍ମଟିର କାହାଣୀ ଓ ଦାରିଦ୍ର୍ୟର ଚ଼ିତ୍ରଣ ମନଛୁଆଁ ।

କୌଶିକ ମଣ୍ଡଳଙ୍କ ୨୨ ମିନଟର ଫିକ୍ସନାଲ ସର୍ଟ ଫିଲ୍ମ‘କଲର ପେନସିଲ’ରେ ଅବିର ଓ ତୁଳୀ ପ୍ରଣୟାବଦ୍ଧ । ଅବିର ଚ଼ାକିରି ନପାଇଥିବା ହେତୁ ତୁଳୀ ଚ଼ାକିରି କରୁଥିବା ଏକ ଯୋଗ୍ୟ ବର ସହ ବିବାହ କରି ଚ଼ାଲିଯାଏ । ଅବିର ସ୍କୁଲ ଶିକ୍ଷକଭାବେ ଚ଼ାକିରି ପାଏ ଏବଂ ଆଠ ବର୍ଷପରେ ଏକ ମଫସଲ ସ୍କୁଲକୁ ବଦଳି ହୋଇଯାଏ । ସେଠି ତାହାର ଛାତ୍ରୀର ମାର୍ଫତରେ ମିଶେ ତାହାର ମା’ ତୁଳୀକୁ । କାହାଣୀ, ଅଭିନୟ, ଲୋକେସନ ଓ ଚ଼ିତ୍ରନାଟ୍ୟ ଉଚ୍ଚକୋଟୀର ।

ଜଗନ୍ନାଥ ଚଟ୍ଟୋପାଧାୟଙ୍କ ୨୪ ମିନଟର ଫିକ୍ସାନାଲ ସର୍ଟ ଫିଲ୍ମ‘ସୁଖସାଗର-ଡ଼ଟ-କମ’ରେ ଲାବଣ୍ୟପ୍ରଭା ସ୍ୱଚ୍ଛଳବର୍ଗର ଏକ ବିଧବା ମହିଳା । ତାଙ୍କରି ଦେଖାଶୁଣା କରିବା ନିମନ୍ତେ ଜଣେ ବିଧବା ଯୁବତୀ ନିଯୁକ୍ତ ହୋଇଥାନ୍ତି । ଲାବଣ୍ୟପ୍ରଭାଙ୍କ ପୁଅ, ବୋହୁ ଓ ନାତୁଣୀ ତଥା ଝିଅ ଅନ୍ୟତ୍ର ବସବାସ କରନ୍ତି । ପାରମ୍ପରିକଭାବେ ଲାବଣ୍ୟପ୍ରଭା ହୁଏତ ଆଶା କରିଥିଲେ ଯେ ପତିଙ୍କ ଅନ୍ତେ ଛୋଟ ପରିବାରଟିକୁ ନେଇ ସୁଖଶାନ୍ତିରେ ବଞ୍ଚିବେ । ତେବେ ତାହା ସଂଭବପର ହୋଇପାରି ନାହିଁ । ଚଳଚ଼ିତ୍ରର ଆକର୍ଷଣ ହେଲା ମୂଳରୁ ଶେଷ ଯାଏଁ ଲାବଣ୍ୟପ୍ରଭା ଯେଉଁ ପାରିବାରିକ ବନ୍ଧନ ଆଶା କରୁଥିଲେ ତାହା ଚ଼ିତ୍ରିତ ହୋଇଛି । କିନ୍ତୁ ଶେଷରେ ଉନ୍ମୋଚ଼ିତ ହୋଇଛି ଯେ ଯାହା ପ୍ରଦର୍ଶିତ ହୋଇଛି ତାହା ପ୍ରହେଳିକା । ଲାବଣ୍ୟପ୍ରଭା ଏକାକୀ, ଅସହାୟ ଓ ଦୁଃଖୀ ।

ଉତ୍ପଳ ଦାସଙ୍କ ୨୬ ମିନଟର ଡ଼କ୍ୟୁମେଣ୍ଟରି ‘ଲିଭିଂ ଉଇଥ ଡ଼େଡ’ କୋଲକତାରେ ମାଦେରିଆ ନାମକ ପ୍ରବାସୀଙ୍କ ଦ୍ୱାରା ସ୍ଥାପିତ ଦୁଇଶହ ବର୍ଷର ଶବ ସଂରକ୍ଷଣ ଓ ସତ୍କାର ବ୍ୟବସାୟ ସଂପର୍କରେ ତର୍ଜମା କରାଯାଇଥିଲା । ସୁବ୍ରତ ସେନଙ୍କ ୬୬ ମିନଟର ଡ଼କ୍ୟୁମେଣ୍ଟରି ‘କାଳୀ’ରେ ବଙ୍ଗରକାଳୀପୂଜା ତତ୍ତ୍ୱ ଓ କାଳୀ ଝିଅଙ୍କ ଦୁର୍ଦ୍ଦଶା ବର୍ଣ୍ଣିତ । ସାନ୍ତନୁ ରାୟଙ୍କ ୨୮ ମିନଟର ଡ଼କ୍ୟୁମେଣ୍ଟରି ‘ଏ ପ୍ଳେସ କାଲଡ଼ ମୁସ୍ତାଙ୍ଗ’ ମଧ୍ୟ-ପୂର୍ବନେପାଳର ମୁସ୍ତାଙ୍ଗ ଉପତ୍ୟକାକୁ ମୋଟର ସାଇକଲ ଯୋଗେ ଯାତ୍ରା ଓ ସେଠାକାର ଜନବସତି ଚ଼ିତ୍ରିତ ।

ଗୁରୁପ୍ରସାଦ ସିଂଙ୍କ ମାତ୍ର ୬ ମିନଟର ଡ଼କ୍ୟୁମେଣ୍ଟରି ‘ସାରେ ଜହାଁ-ସେ ଆଚ୍ଛା’ରେ ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଇକବାଲଙ୍କ ତରାନେ-ଇ-ହିନ୍ଦ ସଂପର୍କରେ ସୂଚ଼ନା ଦେଇ କଳାପଟାରେ ଲିଖିତ ସାରେ ଜାହାଁ-ସେ ଆଚ୍ଛା ଗୀତର ଫକ୍ତି ନକଲ କରିବାକୁ କହନ୍ତି । ତେବେ ଗୋଟିଏ ଛୋଟ ଝିଅର ପେନସିଲ ଖାତାରେ ଅଟକି ଯାଏ । ମାତ୍ର କିଛି ଦିନ ପୂର୍ବେ ତାହାର ଏକ ସହପାଠୀ ଗଣଧର୍ଷଣର ଶୀକାର ହୋଇ ମୃତ୍ୟୁବରଣ କରିଥିବା ସ୍ମୃତି ସତେଜ ରହିଥାଏ । ସେ ଶିକ୍ଷୟତ୍ରୀଙ୍କ ଆଦେଶ ପାଳନ କରିପାରେ ନାହିଁ । ପେନସିଲ ମୁନ ଭାଙ୍ଗିଯାଏ ।

ସତ୍ୟକାମ ଦତ୍ତଙ୍କ ୮ ମିନଟର ଡ଼କ୍ୟୁମେଣ୍ଟରି ‘ଫାଇଣ୍ଡିଙ୍ଗ ବିଉଟି ଇନ ଗାର୍ବେଜ’ ଆସାମର ଦିବ୍ରୁଗଡ଼ ସହରର ରାସ୍ତାଘାଟରେ ବିଚ୍ଛୁରିତ ଅଳିଆ-ଆବର୍ଜନା ପ୍ରତି ଏକ କଟାକ୍ଷ । ଏଣେ ତେଣେ ବର୍ଜବସ୍ତୁ ଫୋପାଡ଼ିବାରେ ଚ଼ା-ରାଜଧାନୀର ନାଗରିକମାନେ ଯେପରି ଅଭ୍ୟସ୍ତ ସେଭଳି ସ୍ଥାନୀୟ ପୌରପାଳିକା ମଧ୍ୟ ଉଦାସୀନ । ଦିବ୍ରୁଗଡ଼ଭଳି ଭାରତର ଛୋଟବଡ଼ ସହରରେ ସ୍ୱଚ୍ଛତାକୁ ନେଇ ସର୍ଟ ଫିଲ୍ମଟି ଏକ ପ୍ରଶ୍ନବାଚ଼ୀ ।

‘ସାଉଥ ଏସିଆନ ସର୍ଟ ଫିଲ୍ମ ଫେଷ୍ଟିଭଲ’ର ଦ୍ୱିତୀୟ ସଂସ୍କରଣଲାଗି ଚଳଚ଼ିତ୍ର ପ୍ରଦର୍ଶନ ପଶ୍ଚିମବଙ୍ଗ ସରକାରଙ୍କ ସୂଚ଼ନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପରିଚ଼ାଳିତ ନନ୍ଦନ-୩ୟ ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା । ନନ୍ଦନରେ ସାଂସ୍କୃତିକ ପରିବେଶ ସୃଷ୍ଟି ଲାଗି ପ୍ରେକ୍ଷାଳୟ, ଆର୍ଟଗ୍ୟାଲେରୀ ଓ ସଭାଗୃହର ବ୍ୟବସ୍ଥା ଉଚ୍ଚକୋଟୀର । ସେଠି ପହଞ୍ଚିଲାବେଳେ ଭୁବନେଶ୍ୱର ଜୟଦେବଭବନରେ ଏଭଳି ପରିବେଶର ଅଭାବ ବ୍ୟଥିତ କରିଥାଏ । ନନ୍ଦନର ୩ୟ ପ୍ରେକ୍ଷାଳୟରେ ଦର୍ଶକ ସିଟ ସଂଖ୍ୟା ପ୍ରାୟ ୧୫୦ । ସର୍ଟ ଫିଲ୍ମ ଫେଷ୍ଟିଭାଲ ମଧ୍ୟାହ୍ନ ୧୨ରୁ ରାତି ୮ ଯାଏଁ ଅନବରତ ଚ଼ାଲିଥାଏ । ଅନେକ ସମୟରେ ଦର୍ଶକ ସଂଖ୍ୟା ୫୦ ରୁ ୭୫ ମଧ୍ୟରେ ହିଁ ସୀମିତ ରହୁଥିଲା । ଏଭଳି ଆୟୋଜନଲାଗି ସଂଗଠକଙ୍କ ଧୈର୍ଯ୍ୟ ପ୍ରଶଂସାର୍ହ । 

Related Post