ଆଜିର ଖାସ ଖବର
Mon. Jul 27th, 2026

ଇଣ୍ଟରନେଟରେ ଓଡ଼ିଆ ପାଠ୍ୟ

By Dainikasha Jul11,2024

ଆଧୁନିକ ଓଡ଼ିଶା ପ୍ରଦେଶରେ ଏପ୍ରିଲ ମାସରେ ଓଡ଼ିଆ ଭାଷା, ସମାଜ ଓ ସଂସ୍କୃତି ସଂପର୍କରେ ଚ଼ିନ୍ତନ ନିମନ୍ତେ ପ୍ରଶସ୍ତ ଅବକାଶ ସୃଷ୍ଟି ହୋଇଥାଏ । ଉତ୍କଳ ଦିବସ ଓ ବିଷୁବ ସଂକ୍ରାନ୍ତି ଯଥାକ୍ରମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ଓ ଓଡ଼ିଆ ନୂତନ ବର୍ଷ ଆରମ୍ଭ ତିଥିରେ ଉତ୍ସବାନୁଷ୍ଠାନମାନ ଆୟୋଜିତହୋଇଥାଏ । ଏହି ଅବସରରେ ଓଡ଼ିଆ ଜାତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଆଲୋଚ଼ନା ସ୍ୱାଭାବିକ ।

ଗ୍ରାମୀଣ ଓଡ଼ିଶାରେ ଦୋଳପୂର୍ଣ୍ଣିମାରେ ନୂତନ ପାଞ୍ଜି ପଢ଼ାଯାଏ ଏବଂ ବିଷୁବ ସଂକ୍ରାନ୍ତିରେ ଠାକୁରଙ୍କଠାରେ ପଣାଭୋଗ ସହ ନବବର୍ଷକୁ ସ୍ୱାଗତ କରାଯାଏ । ଓଡ଼ିଆ ସାମାଜିକ ଜୀବନରେ ବର୍ଷସାରା ପର୍ବପର୍ବାଣୀ ତାଲିକାରେ ଏଭଳି ଉତ୍ସବର ଗୁରୁତ୍ୱ ସୀମିତ ।ଜାକଜମକରେ ଜନ୍ନତିଥି, ନବବର୍ଷ ପାଳନ ସହରୀ ସଭ୍ୟତାର ଅଂଶବିଶେଷ । ଅତଏବ ଏହି ଦୁଇ ଉତ୍ସବ ପାଳନ ନିକଟ ଅତୀତର ପରମ୍ପରା ।

ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ନିଜ ତତ୍ତ୍ୱାବଧାନରେ ପ୍ରକାଶିତ ଦୈନିକ ସମ୍ୱାଦପତ୍ର ‘ପ୍ରଜାତନ୍ତ୍ର’ ଓ ‘ଇଷ୍ଟର୍ଣ୍ଣ ଟାଇମସ’, ସାହିତ୍ୟ ପତ୍ରିକା ‘ଝଙ୍କାର’ ତଥା ଶିଶୁକିଶୋର ପତ୍ରିକା ‘ମୀନା ବଜାର’ ପ୍ରକାଶକ ପ୍ରଜାତନ୍ତ୍ର ପ୍ରଚ଼ାର ସମିତି ଆନୁକୂଲ୍ୟରେ କଟକରେ ପ୍ରକାଶନୀ ସଂସ୍ଥା ପରିସରରେ ବିଷୁବ ମିଳନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହା ପ୍ରଜାତନ୍ତ୍ରର ପୁନଃ-ପ୍ରକାଶନ ସ୍ୱାଧୀନୋତ୍ତର ସମୟର ଘଟଣା ।

ପ୍ରଜାତନ୍ତ୍ରର ରବିବାସରୀୟ ସଂସ୍କରଣରେ ସାହିତ୍ୟପୃଷ୍ଠା ସାଙ୍ଗକୁ ସପ୍ତାହବ୍ୟାପୀ ଅନ୍ୟ ଦିବସର ସଂସ୍କରଣଗୁଡ଼ିକରେ ବିଭିନ୍ନ ବିଷୟରେ ପୃଷ୍ଠାମାନ ସଂଯୋଜିତ ହେଉଥିଲା । ଝଙ୍କାର ଓ ମୀନାବଜାର ମାସିକ ପତ୍ରିକା ।ଏହି ସବୁ ପ୍ରକାଶନ ସହ ରାଜ୍ୟର ସୃଜନ ସଂପ୍ରଦାୟର ଏକ ବୃହତ ଅଂଶ ନିଜ ନିଜ ରଚ଼ନା ପ୍ରକାଶନ ମଧ୍ୟରେ ସଂପୃକ୍ତ ରହୁଥିଲେ।

ପ୍ରଜାତନ୍ତ୍ର ପ୍ରଚ଼ାର ସମିତିର ଏକାଧିକ ଦିନବ୍ୟାପୀ ବିଷୁବ ମିଳନ ଉତ୍ସବକୁ ରାଜ୍ୟର ପ୍ରମୁଖ ଲେଖକମାନେ ନିମନ୍ତ୍ରିତ ହେଉଥିଲେ । ସାହିତ୍ୟ ଆଲୋଚ଼ନା ସହ କବିତା ପାଠୋତ୍ସବ ତଥା ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ପ୍ରମୁଖ ଅଂଶବିଶେଷ ରୂପେ ସ୍ଥାନ ପାଉଥିଲା । ମୁଖ୍ୟତଃ କଟକ ଓ ଆଖପାଖ ଉପକୂଳ ଅଞ୍ଚଳର ସାହିତ୍ୟିକମାନେ ଏଥିରେ ଯୋଗଦେଉଥିଲେ ଏବଂ କ୍ରମଶଃ ଏକ ବାର୍ଷିକ ସାହିତ୍ୟିକ ମେଳନ ରୂପେ ଗଢ଼ି ଉଠିଥିଲା ।

ପ୍ରଜାତନ୍ତ୍ରର ଉଦ୍ୟମ ଆରମ୍ଭ ପୂର୍ବରୁ କୋଲକତାରେ ବିଷୁବଉତ୍ସବ ଧୂମଧାମରେ ପାଳିତ ହେଉଥିଲା । ସର୍ବଜନୀନ ଦୁର୍ଗାପୂଜା ଭଳି ବିଷୁବ ସଂକ୍ରାନ୍ତି ପାଳନରେ ଆମେ ବଙ୍ଗ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ । କଟକ ପରକୁ ରାଜ୍ୟର ଅନ୍ୟାନ୍ୟ ସହରରେ ବିଷୁବ ଉତ୍ସବ ପାଳନ ଆରମ୍ଭ ହୋଇଥିଲା ଏବଂ ଏହି ଅବସରରେ ଓଡ଼ିଆ ସମାଜ, ସାହିତ୍ୟ ଓ ସଂସ୍କୃତି ସଂପର୍କୀତ କାର୍ଯ୍ୟକ୍ରମମାନ ଆୟୋଜନର ସୁଯୋଗ ସୃଷ୍ଟି ହୋଇଥିଲା ।

୧୯୩୬ ମସିହାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତହୋଇଥିଲେ ହେଁ ଗତ ଶତାଦ୍ଦୀର ସପ୍ତମ ଦଶକ ଯାଏଁ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ଦିବସ ବିଧିବଦ୍ଧଭାବେ ପାଳିତ ହେଉନଥିଲା । ବେସରକାରୀସ୍ତରରେ କାଁ ଭାଁ ଉତ୍ସବାନୁଷ୍ଠାନ ପାଳନ ଆରମ୍ଭ କରାଯିବାପରେ ସରକାରୀଭାବେ ପାଳନ ନିମନ୍ତେ ଗୁରୁତ୍ୱ ଦିଆଯାଇ ସରକାରୀ ଛୁଟି ଦିବସ ରୂପେ ଘୋଷିତ ହେଲା । ଚଳିତ ଶତାଦ୍ଦୀ ଆରମ୍ଭରୁ ଓଡ଼ିଆ ଟେଲିଭିଜନ ପ୍ରସାରଣ ଓ ଦ୍ୱିତୀୟ ଦଶକରେ ସୋସିଆଲ ମିଡ଼ିଆର ଲୋକପ୍ରିୟତା ପରେ ଉତ୍କଳ ଦିବସ ପାଳନ ଏକ ଜାତୀୟ ଉତ୍ସବରୂପେ ମୁଣ୍ଡ ଟେକିଛି ।

ବିବର୍ତ୍ତନଧାରାରେ ମାନବ ସଭ୍ୟତାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଭାଷାର ଅସ୍ତିତ୍ୱ ଓ ପ୍ରସାର ଆହ୍ୱାନର ସମ୍ମୁଖୀନ ହୋଇ ଆସିଛି । ପ୍ରଯୁକ୍ତି ବିଜ୍ଞାନ ପ୍ରଗତି କାରଣରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ କେତେକ ଭାଷାର ପ୍ରସାର ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବାବେଳେ ଅନ୍ୟ କେତେକ ଭାଷାକୁ ଅବକ୍ଷୟର ଗହ୍ୱର ମଧ୍ୟକୁ ଠେଲି ଦେଉଛି ।

ଗଣମାଧ୍ୟମ ଇତିହାସରେ ଲିପି ଉଦ୍ଭାବନପରକୁ ମୁଦ୍ରଣ କଳାକୌଶଳ ପ୍ରସାର ଅନ୍ୟତମ ବିଶିଷ୍ଟ ସୋପାନ । ଊନବିଂଶ ଶତାଦ୍ଦୀର ସପ୍ତମ ଦଶକ ଶେଷାର୍ଦ୍ଧରେ ବ୍ରିଟିଶ ଶାସିତ ଭୌଗଳିକ ଓଡ଼ିଶାରେ ନବ ପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ନିଷ୍ପତ୍ତି ଅବସରରେ ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ ଅଭାବରୁ ଓଡ଼ିଆ ଭାଷା ବଦଳରେ ସେତେବେଳକାର ପ୍ରଶାସନିକ କେନ୍ଦ୍ର ବଙ୍ଗ ପ୍ରଦେଶର ବଙ୍ଗଳାଭାଷାରେ ଶିକ୍ଷାଦାନ କରିବା ନିମନ୍ତେ ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା। ସେତେବେଳକୁ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧ ଥିଲେ ହେଁ ଓଡ଼ିଶାରେ ମୁଦ୍ରଣ ଯନ୍ତ୍ର ଅଭାବ କାରଣରୁ ମୁଦ୍ରିତ ପୁସ୍ତକର ଅଭାବ ଓଡ଼ିଆ ଭାଷାକୁ ଏଭଳି ଏକ ଅପମାନଜନକ ସ୍ଥିତିରେ ପହୁଞ୍ଚାଇ ଦେଇଥିଲା । ଓଡ଼ିଆ ସାହିତ୍ୟର ଇତିହାସରେ ଏହାକୁ ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ’ ନାମିତ କରାଯାଇଥାଏ । ଇତିହାସ ପୃଷ୍ଠାରେ ତାହାର ବିବରଣୀ ପ୍ରତ୍ୟେକ ଓଡ଼ିଆପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ଅନୁଭୂତି ।

ଔପନିବେଶିକ ବ୍ରିଟିଶ ପ୍ରଶାସନ ସାଧ୍ୟମତେ ପକ୍ଷପାତିତାରେ ବିଶ୍ୱାସ ନକରୁଥିବା ତଥା ଭାଷାର ସ୍ୱାତନ୍ତ୍ର୍ୟକୁ ସମ୍ମାନ ଦେଉଥିବା କାରଣରୁ ଭୌଗଳିକ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ନିଷ୍ପତ୍ତି ବଳବତ୍ତର ରହିଲା । ସରକାରୀ ପଦକ୍ଷେପ ପ୍ରତି ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ କଟକ, ଗଞ୍ଜାମ, ବାଲେଶ୍ୱର ଓ ସମ୍ୱଲପୁର ପ୍ରତ୍ୟେକ ଅଞ୍ଚଳରୁ ଓଡ଼ିଆ ପାଠ୍ୟ ବା ଟେକ୍ସଟ ରଚ଼ନା ନିମନ୍ତେ ଉତ୍ସାହୀମାନେ ଲାଗି ପଡ଼ିଲେ । ଫଳରେ ବିଦ୍ୟାଳୟସ୍ତରରେ ଓଡ଼ିଆଭାଷାରେ ଶିକ୍ଷାଦାନ ସମ୍ଭବପର ହୋଇପାରିଲା ।

ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକର ଇତିହାସ ନୈରାଶ୍ୟଜନକ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ବିଦ୍ୟାଳୟ ନିମନ୍ତେ ପାଠ୍ୟପୁସ୍ତକ ପ୍ରକାଶନରେ ଆରମ୍ଭ ହୋଇଥିବା ଉଦ୍ୟମ ଆଜି ଯାଏଁ ସେଠି ହିଁ ଅଟକି ରହିଛି । ଦୀର୍ଘ ୧୫୦ ବର୍ଷ ମଧ୍ୟରେ ମୋଡ଼ ପରିବର୍ତ୍ତନ ପାଇଁ ଅନେକ ଉଦ୍ୟମ ହୋଇଛି ସତ, ତେବେ କୌଣସିଟିର ଉଲ୍ଲେଖନୀୟ ସଫଳତା ମିଳିପାରିନାହିଁ । ସମକାଳରେ ସାହିତ୍ୟ ଓ ସଂସ୍କୃତି ପ୍ରସାର କ୍ଷେତ୍ରରେ ଅଗ୍ରଣୀ ମାଳାୟଳମ, ତାମିଲ ଓ ତେଲୁଗୁ ଭାଷାରେ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନ ତଥା ସାକ୍ଷରତା ପ୍ରସାରର ଉଦାହରଣ ଓଡ଼ିଆ ଭାଷାରେ ପ୍ରତିବିମ୍ୱିତ ହୋଇପାରି ନାହିଁ ।

ଓଡ଼ିଶାରେ ଆଧୁନିକ ସଂସ୍କୃତିକ ବିକାଶ ନିମନ୍ତେ ବହୁ ଅନ୍ତରାୟ ରହିଛି । ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଏଠାକାର ୮୬ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରବର୍ଗଙ୍କ ମଧ୍ୟରୁ ୫୨ ପ୍ରତିଶତ ଭୂମିହୀନ ଦିନ ମଜୁରିଆ ଓ ୩ ପ୍ରତିଶତରୁ କମ ସ୍ନାତକ ଉପାଧିଧାରୀ ଶିକ୍ଷିତକୁ ନେଇ ଉନ୍ନତ ପ୍ରକାଶନ ଶିଳ୍ପ ନିଶ୍ଚିତ ଭାବେ ବ୍ୟବସାୟିକ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ । ତେବେ ଊନବିଂଶ ଶତାଦ୍ଦୀର ସପ୍ତମ ଦଶକ ବେଳକୁ ଓଡ଼ିଶାର ଅବସ୍ଥା କ’ଣ ଥିଲା ଏବଂ ସେତେବେଳକାର ନେତୃସ୍ଥାନୀୟ ଓଡ଼ିଆମାନେ କିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ ତାହା ଅନୁଶୀଳନ କଲେ ସୃଜନଶୀଳଙ୍କ ନିମନ୍ତେ ଦିଗଦର୍ଶନ ସମ୍ଭବପର ବୋଲି ଆଶା କରାଯାଇପାରେ ।

ମୁଦ୍ରଣ କାରିଗରୀ କୌଶଳ ପରକୁ ଚଳଚ଼ିତ୍ର, ରେଡ଼ିଓ ଓ ଟେଲିଭିଜନ ଦ୍ୱାରା ଭାଷା ଓ ସାହିତ୍ୟ ସ୍ଥାୟିତ୍ୱ ଓ ପ୍ରସାର ଯେତିକି ପ୍ରଭାବିତ ହୋଇ ନଥିଲା ବିଗତ ଦୁଇ ଦଶନ୍ଧି ଧରି ଇଣ୍ଟରନେଟର ପ୍ରସାର ସମସ୍ତ ଉପଲବ୍ଧ ଗଣମାଧ୍ୟମର ଏକକ ମଞ୍ଚ ଗଢ଼ିତୋଳି ଏକ ନୂତନ ସମୀକରଣ ସୃଷ୍ଟି କରିଛି । ସଂପ୍ରସାରଣରେ ପଛୁଆ ପଡ଼ିରହିଥିବା ଓଡ଼ିଆ ଭଳି ଭାଷା, ସାହିତ୍ୟ କ୍ଷେତ୍ରରେ ବିଗତ ବିଫଳତାକୁ ଏଡ଼ାଇ ବିସ୍ତୃତ ଲେଖକ ଓ ପାଠକଗୋଷ୍ଠୀ ଗଠନ କରିବାରେ ଏହି ବୈଷୟିକ କାରିଗରୀ କୌଶଳ ଏକ ‘ଲିପ ଫ୍ରଗ’ ପରିବେଶ ସୃଷ୍ଟିକରିବାରେ ସମର୍ଥ ।

ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ତଥା ତାହାଠାରୁ ଢ଼େର କମ ଭାଷାଭାଷୀ ସମୃଦ୍ଧ ଭାଷାଗୁଡ଼ିକର ବ୍ୟବହାର ନିମନ୍ତେ ସ୍ୱତଃପ୍ରବୃତଭାବେ ବିଭିନ୍ନ ବିଭବ ଆତ୍ମପ୍ରକାଶ କରୁଥିବା ଆନନ୍ଦର ବିଷୟ । ଗୁଗୁଲ, ମାଇକ୍ରୋସଫଟ, ଫେସବୁକ ଓ ୟୁଟ୍ୟୁବ ଭଳି ବୃହତ ପ୍ରତିଷ୍ଠାନମାନ ବ୍ୟବସାୟିକ ଲାଭ ବିଚ଼ାରକୁ ନେଇ ନିଜ ଉତ୍ପାଦଗୁଡ଼ିକୁ ଭାରତୀୟଭାଷା ଉପଯୋଗ କରିବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଚ଼ାଲିଛନ୍ତି ।

ଇଣ୍ଟରନେଟ ଏଣ୍ଡ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆ ଓ ଗବେଷଣା ସଂସ୍ଥା କାନ୍ତାର ଆନୁକୂଲ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮ ଆରମ୍ଭ ସୁଦ୍ଧା ୪୮ କୋଟି ୧୦ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଇଛି । ନିକଟ ଭବିଷ୍ୟତରେ ଭାରତୀୟ ଭାଷାଗୁଡ଼ିକରେ ୨୦ କୋଟି ୫୦ ଲକ୍ଷ ନୂତନ ଇଣ୍ଟରନେଟ ଉପଭୋକ୍ତା ସଂଯୁକ୍ତ ହେବେ।୨୦୧୭ରେ ଇଣ୍ଟରନେଟ ମଞ୍ଚରେ ପହଞ୍ଚୁଥିବା ପ୍ରତି ଦଶ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୯ ଜଣ ଭାରତୀୟ ଭାଷା ବ୍ୟବହାରକାରୀ ଅନ୍ତର୍ଭୁକ୍ତ ଥିଲେ । ଏଭଳି ତଥ୍ୟାବଳୀ ଓଡ଼ିଆ ଭାଷାରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦୃତଗତିରେ ବଢୁଥିବା ତଥା ଏଭଳି ଧାରା ବଳବତ୍ତର ରହିବା ହୃଦବୋଧ ହୋଇଥାଏ ।

ତେବେ ବିପୁଳ ସଂଖ୍ୟକ ଭାରତୀୟ ଭାଷାରେ ଉପଭୋକ୍ତାଙ୍କ ନିମନ୍ତେ ଇଣ୍ଟରନେଟ ମଞ୍ଚରେ ଉପଲବ୍ଧ ତଥ୍ୟ ବା ଟେକ୍ସଟ ମଧ୍ୟରୁ ମାତ୍ର ଏକ ପ୍ରତିଶତ ଗଣିତ କରାଯାଉଥିବା ସ୍ଥିତାବସ୍ଥା ବୈଷୟିକ ସମୃଦ୍ଧ ପରିବେଶର ବିରୋଧଭାସ କରିଥାଏ । ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଉପଲବ୍ଧ ପାଠ୍ୟ ପରିମାଣ ବିସ୍ମୟକରଭାବେ ସୀମିତ ।

ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ଭାଷାସାହିତ୍ୟର ଦୁର୍ବଳ ସ୍ଥିତିର ଦୁଇଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ଏକପକ୍ଷରେ ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ଏଯାଏଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ସୃଷ୍ଟି ହୋଇପାରି ନାହିଁ ଏବଂ ଅପରପକ୍ଷରେ ସ୍ଥାନୀୟ ସାହିତ୍ୟିକଗୋଷ୍ଠୀ ମାନସିକସ୍ତରରେ ମୁଦ୍ରଣଯୁଗରୁ ଉନ୍ନୀତ ହୋଇପାରି ନଥିବା ଲକ୍ଷ୍ୟ କରାଯାଇପାରେ । ସ୍ୱାଭାବିକ ଧାରାରେ ଏହି ଦୁଇ ସମସ୍ୟାର କାଳକ୍ରମେ ସମାଧାନ ସଂଭବ ସତ, ତେବେ ଏତାଦୃଶ୍ୟ ଅବହେଳା ଆମକୁ ପ୍ରତିବେଶୀ ଭାଷାସାହିତ୍ୟସହ ଦୌଡ଼ରେ ପଛୁଆ କରିପକାଉଥିବା ଚ଼ିନ୍ତାର ବିଷୟ ।

ଇଣ୍ଟରନେଟରେ ଓଡ଼ିଆ ପାଠ୍ୟ ସୃଷ୍ଟି ନିମନ୍ତେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ପର୍ଯ୍ୟାପ୍ତ ପରିମାଣରେ ଇ-ବୁକ ପ୍ରକାଶନ ନିମନ୍ତେ ଯତ୍ନବାନ ହେବାକୁ ପଡ଼ିବ । ଇ-ବୁକ ପ୍ରଯୋଜନା ଓ ପ୍ରସାରଣ ମୁଦ୍ରିତ ପୁସ୍ତକ ତୁଳନାରେ ସହଜ ଓ କମ ବ୍ୟୟ ସାପେକ୍ଷ । ଏହି ଧାରାକୁ ଲୋକପ୍ରିୟ କରିବା ନିମନ୍ତେ ବ୍ୟବସାୟିକ ସଂସ୍ଥା ବଦଳରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଉଦ୍ୟମ ଅପେକ୍ଷାକୃତ ସୁଫଳ ହେବ ବୋଲି ବିଚ଼ାର କରାଯାଏ। କାରଣ ଭରଚୁଆଲ ପ୍ରକାଶନ ଓ ବିତରଣ ଧାରାରେ ହଠାତ ମୁନାଫା ପାଇବା ସଂଭବପର ନୁହ ।

ଇ-ବୁକ ପ୍ରସ୍ତୁତି ନିମନ୍ତେ ସୃଜନ ମହଲରେ ସ୍ୱତନ୍ତ୍ର ପ୍ରସ୍ତୁତି ଜରୁରୀ। ମୁଦ୍ରଣଯୋଗ୍ୟ ପୁସ୍ତକର ଡ଼ିଜିଟାଲ ରୂପଭାବେ ଇ-ବୁକକୁ ଗ୍ରହଣ କରାଯାଇପାରେନା । ବିଷୟ ଚୟନଠାରୁ ଆରମ୍ଭ କରି ପଦ ବିନ୍ୟାସ, ଉପସ୍ଥାପନ ଶୈଳୀ ତଥା କଳେବର ନିର୍ଦ୍ଧାରଣ ବିଭିନ୍ନ କ୍ଷେତ୍ରରେ ମୌଳିକ ନୀତିନିୟମ ଉପଯୋଗ ଆବଶ୍ୟକ ।ସର୍ବୋପରି ଏଭଳି ଉତ୍ପାଦ ମୋବାଇଲ ଫୋନ ପର୍ଦ୍ଦା ଅନୁକୁଳ ହେବାପ୍ରତି ଦୃଷ୍ଟି ଦେବା ବାଞ୍ଚନୀୟ ।

ମୁଦ୍ରଣରୁ ଇ-ବୁକ ପ୍ରକାଶନ ପରିବର୍ତ୍ତନ ସନ୍ଧିକାଳରେ ଡ଼ିଜିଟାଲ ପ୍ରିଣ୍ଟ-ଟୁ-ଅର୍ଡ଼ର ମୁଦ୍ରଣ କୌଶଳ ଉପଯୋଗୀ ମନେ କରାଯାଇପାରେ । ପ୍ରିଣ୍ଟ-ଟୁ-ଅର୍ଡ଼ର ଧାରାରେ ପାଣ୍ଡୁଲିପି ପଚ୍ଛଦପଟ୍ଟ ସହ ଇ-ବୁକ ଆକାରରେ ପ୍ରସ୍ତୁତ କରାଯାଏ । ପାଠକମାନଙ୍କ ବରାଦ ମତେ ଏକକିତା ଡ଼ିଜିଟାଲ ପ୍ରିଣ୍ଟ ପୁସ୍ତକ ତତ୍କ୍ଷଣାତ ମୁଦ୍ରଣକରି ଯୋଗାଇ ଦିଆଯାଇଥାଏ । ବ୍ୟବସାୟିକ ହିସାବରେ ଦୁଇଶହ ପୃଷ୍ଠାର ପ୍ରିଣ୍ଟ-ଟୁ-ଅର୍ଡ଼ର ଡ଼ିଜିଟାଲ ପ୍ରିଣ୍ଟ ପୁସ୍ତକର ଦାମ ଅଢ଼େଇ ଶହ ଟଙ୍କା ହିସାବ କରାଯାଇଥିବାସ୍ଥଳେ ଅଣ-ବ୍ୟବସାୟିକ ଉପକ୍ରମରେ କେବଳ କାଗଜ ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ପୁସ୍ତକ କିତା ପିଚ୍ଛା ଏକଶହ ଟଙ୍କା ନିର୍ଦ୍ଧାରଣ କରିବା ସଂଭବପର । କିନ୍ତୁ ଡ଼ିଜିଟାଲ ମୁଦ୍ରଣ ଯନ୍ତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ଦାନ ସୂତ୍ରରେ ମୂଳଧନ ଓ ଆଂଶିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା କରାଯିବା ଆବଶ୍ୟକ ।

ସରକାରୀସ୍ତରରେ ଏତାଦୃଶ ଯୋଜନାମାନ କାର୍ଯ୍ୟକାରୀ କରାଯିବା ଉଚ଼ିତ, କିନ୍ତୁ ଅତୀତରେ ସମଧର୍ମୀ ପ୍ରକଳ୍ପମାନ ରୂପାୟନରେ ଅନୁପଯୁକ୍ତ କର୍ମକର୍ତ୍ତା ଚ଼ୟନ, ନିଷ୍ପତିଗ୍ରହଣରେ ଅମଲାତାନ୍ତ୍ରିକ ମନୋଭାବ ପୋଷଣ ତଥା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଇତ୍ୟାଦି ଅଭିଜ୍ଞତା ଅନୁପଯୁକ୍ତ ମନେହୁଏ । ଓଡ଼ିଆ ସମ୍ୱାଦପତ୍ର ପ୍ରକାଶନୀ ସଂସ୍ଥାଗୁଡ଼ିକ ରାଜନୀତିକ ଲକ୍ଷ୍ୟରେ ପର୍ଯ୍ୟବସିତ ହେଉଥିବା ହେତୁ ଏକାଗ୍ରଚିତ୍ତରେ ଓଡ଼ିଆ ଭାଷାସାହିତ୍ୟ ପ୍ରସାର ଉଦ୍ୟମପ୍ରତି ପଛଘୁଞ୍ଚା ଦେବା ସ୍ୱାଭାବିକ । ସ୍ୱାଧୀନ ଉଦ୍ୟମ ନିମନ୍ତେ ନିବେଶ ଅଭାବ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏସବୁ ସମସ୍ୟାର ସମାଧାନ ପାଇଁ ସମବେତ ଦାନ ସଂଗ୍ରହ ବା ‘କ୍ରାଉଡ଼ ସୋର୍ସିଂ’ଧାରା ବ୍ୟବହୃତ ହେଉଥିବା ସ୍ଥଳେ ଓଡ଼ିଶା କ୍ଷେତ୍ରରେ ତାହା ଫଳବତୀ ହେବା ଆଶା କରାଯାଇନପାରେ ।

ସଂଖ୍ୟାଲଘୁ ଉଚ୍ଚଶିକ୍ଷିତ ଓଡ଼ିଆ ଭାଷାଭାଷୀ ପାଠ୍ୟ ଅନ୍ୱେଷଣରେ ଇଂଲିଶ ଭାଷାମୁଖୀ ହେବାରେ ଏକ ବିଶିଷ୍ଟ କାରଣ ଓଡ଼ିଆ ଭାଷାରେ ପର୍ଯ୍ୟାପ୍ତ ପରିମାଣରେ ପାଠ୍ୟ ଅଭାବ । ରାଜ୍ୟରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଇଣ୍ଟରନେଟ ମଞ୍ଚ ବିକଶିତ ହେବା ଅବସରରେ ଏହି ଧାରାରେ ଅଧିକରୁ ଅଧିକ ଶିକ୍ଷିତ ଓଡ଼ିଆ ପ୍ରଭାବିତ ହେବାରୁ ରୋକିବାକୁ ହେଲେ ଭରଚୁଆଲସ୍ତରରେ ଓଡିଆ ଭାଷାରେ ଅଧିକ ପାଠ୍ୟ ପ୍ରଯୋଜନା ବାଞ୍ଚନୀୟ ।

ନବ ସାକ୍ଷରମାନେ ଓଡ଼ିଆ ଭାଷାରେ ଖୋଜୁଥିବା ସୂଚ଼ନା ଓ ସାହିତ୍ୟ ପାଇପାରିଲେ ଦୁର୍ବଳ ଭାଷାଜ୍ଞାନ କାରଣରୁ ଇଂଲିଶ ଅଭିମୁଖୀ ହେବେ ନାହିଁ । ଭୂଗୋଳ, ଇତିହାସଠାରୁ ଆରମ୍ଭ କରି ଯାନ୍ତ୍ରିକ ବିଜ୍ଞାନ, ଭେଷଜ ଶାସ୍ତ୍ର ସବୁକ୍ଷେତ୍ରରେ ଓଡ଼ିଆ ଭାଷାରେ ଯତ୍ ସାମାନ୍ୟ ରଚ଼ନା ପ୍ରସ୍ତୁତ ହୋଇ ଇଣ୍ଟରନେଟରେ ସ୍ଥାନିତ ହୋଇପାରିଲେ ଦୀର୍ଘଦିନ ଧରି ବ୍ୟବହାର୍ଯ୍ୟ ନହୋଇ ପଡ଼ିରହିଥିବା ଓଡ଼ିଆ ଭାଷା ପୁର୍ନଜୀବନ ଲାଭ କରିପାରିବ । ଅତଏବ ଇଣ୍ଟରନେଟର ପ୍ରସାର ଓଡ଼ିଆ ଭାଷାର ସମୃଦ୍ଧଲାଗି ଏକ ସୁଯୋଗ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏ ସୁଯୋଗର ଉଚ଼ିତ ଉପଯୋଗ ଆବଶ୍ୟକ ।

ସୃଜନ ଏକ ବ୍ୟକ୍ତିକେନ୍ଦ୍ରୀକ ପ୍ରକ୍ରିୟା । ନ’ଅଙ୍କ ଦୁର୍ଭିକ୍ଷ ପର ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବ ସମୟସୀମାରେ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ନିମନ୍ତେ ଯେଉଁ ସୃଜନ ଆନ୍ଦୋଳନ ସୂତ୍ରପାତ ହୋଇଥିଲା ସେଥିରେ ହାତଗଣତି ବ୍ୟକ୍ତିବିଶେଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସେମାନଙ୍କ ସଂଗ୍ରାମର ଫଳ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଫଳରେ ଅଶୀ ବର୍ଷପରେ ସାଢ଼େ ଚ଼ାରିକୋଟି ଓଡ଼ିଶାବାସୀ ରାଜନୀତିକ ସ୍ୱତନ୍ତ୍ର୍ୟ କାରଣରୁ ବହୁବିଧ ସୁବିଧାସୁଯୋଗ ହାସଲ କରିପାରୁଛନ୍ତି ।

ଇଣ୍ଟରନେଟ ମଞ୍ଚ ବିକାଶ କାଳରେ ସଂପ୍ରତି ଯେଉଁ ପୁର୍ନଜାଗରଣର ଆବଶ୍ୟକତା ଅନୁଭୂତ ହେଉଛି ତାହା ସରକାର, କୌଣସି ସଂଗଠନ କିମ୍ୱା ନିବେଶକ ପୂରଣ କରିପାରିବେ ନାହିଁ । କେତେକ ସର୍ଜନଶୀଳ ବ୍ୟକ୍ତିଙ୍କ ନିରଳସ ସାଧନାଫଳରେ ହିଁ ଭରଚୁଆଲ ଓଡ଼ିଆ ପାଠ୍ୟ ବିକଶିତ ହୋଇପାରିବ । ଅବଶ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରୀ ତଥା ବେସରକାରୀ ସାଂଗଠନିକସ୍ତରରେ ଉଦ୍ୟମ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ।

ଓଡ଼ିଶା ସରକାରଙ୍କ ଦ୍ୱାରା ସୃଷ୍ଟ କାର୍ଯ୍ୟକ୍ଷମ ହେବା ଅପେକ୍ଷାରତ ଓଡ଼ିଶା ଭର୍ଚୁଆଲ ଏକାଡ଼େମୀ ଅନ୍ତତଃପକ୍ଷେ ସବୁ ଧରଣର ଓଡ଼ିଆ ଇ-ବୁକ ୱେବସାଇଟରେ ସ୍ଥାନିତ କରିବା ତଥା ତ୍ରୈୟମାସିକଭିତ୍ତିରେ ବିଭିନ୍ନ ବିଭାଗରେ ପ୍ରକାଶିତ ଇ-ବୁକଗୁଡ଼ିକ ବିଚ଼ାରକୁ ନେଇ ପୁରସ୍କାର ବିତରଣ ବ୍ୟବସ୍ଥା କରିପାରିବ । କେତେକ ନିର୍ଦ୍ଧିଷ୍ଟ ବିଭାଗରେ ଇ-ବୁକ ରଚ଼ନା ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କଲେ ଅଧିକ ସଂଖ୍ୟକ ପାଠ୍ୟ ପ୍ରସ୍ତୁତିର ଭିତ୍ତିଭୂମି ଗଢ଼ି ଉଠିବ । ସୃଜନ ପରିବେଶକୁ ଚଳଚଞ୍ଚଳ କରିବା ନିମନ୍ତେ ଏଭଳି କିଛି ପଦକ୍ଷେପ ଗ୍ରହଣ କରାଯିବା ଯୁକ୍ତିଯୁକ୍ତ ।

ପ୍ରତ୍ୟେକ ସମସ୍ୟାର ସମାଧାନ ବ୍ୟାପକ ବିଚ଼ାରବିମର୍ଷ ଆବଶ୍ୟକ କରିଥାଏ । ଓଡ଼ିଆ ଭାଷାସାହିତ୍ୟ ପ୍ରସାରରେ ରୁଚ଼ି ରଖୁଥିବା ନେତୃସ୍ଥାନୀୟ ଗୋଷ୍ଠୀ ଏଥିପ୍ରତି ଯତ୍ନବାନ ହେବା ସମୟର ଆହ୍ୱାନ ।

Related Post