ଆଜିର ଖାସ ଖବର
Mon. Sep 14th, 2026

ନିର୍ବାଚ଼ନୀ ବର୍ଷରେ ବିଜ୍ଞାପନ ବ୍ୟୟ ବୃଦ୍ଧି ଆକଳନ

By Dainikasha Jul12,2024

ଆନ୍ତର୍ଜାତିକସ୍ତରରେ ଭାରତ ବିଜ୍ଞାପନ ବ୍ୟୟରେ ତୃତୀୟ ବୃହତ ଶକ୍ତି ରୂପେ ପରିଗଣିତ ହେବାରେ ଲାଗିଛି । ବିଜ୍ଞାପନ ବ୍ୟୟରେ ଚ଼ୀନ ପ୍ରଥମ ସ୍ଥାନ ଓ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ସ୍ଥାନ ଅଧିକାର କରୁଥିବା ସ୍ଥଳେ ଭାରତ ପରକୁ ଜାପାନ, ବ୍ରିଟେନ, ଫିଲିପାଇନ୍ସ, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରାଜିଲ ଓ ଋଷର ସ୍ଥାନ । ଅବଶ୍ୟ ଭାରତର ବିଜ୍ଞାପନ ବ୍ୟୟ ପରିମାଣ ଚ଼ୀନ ବା ଆମେରିକାର ବିଜ୍ଞାପନ ବ୍ୟୟର ପ୍ରାୟ ଏକ ଚ଼ତୁର୍ଥାଂଶ ।

ରାଷ୍ଟ୍ରୀୟସ୍ତରରେ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ସମଗ୍ର ବାର୍ଷିକ ବିଜ୍ଞାପନ ବ୍ୟୟକୁ ଏଡ଼ଭାଟାଇଜିଂ ଏକ୍ସପେଣ୍ଡିଚ଼ର ‘ଏଡ଼ଏକ୍ସ’ କୁହାଯାଏ । ଭାରତର ଦୁଇ ପ୍ରମୁଖ ବିଜ୍ଞାପନ ବ୍ୟାବସାୟିକ ସଂଗଠନ ‘ଗୃପ-ଏମ’ ଓ ‘ଜେନିଥ’ ଦେଶର ବାର୍ଷିକ ବିଜ୍ଞାପନ ବ୍ୟୟ ସଂପର୍କରେ ନିଜସ୍ୱ ହିସାବ ଉପସ୍ଥାପନ କରିଥାନ୍ତି । ଗୃପ-ଏମ ପକ୍ଷରୁ ଭାରତରେ ୨୦୧୮ର ବିଜ୍ଞାପନ ବ୍ୟୟ ରାଶି ୬୯,୩୦୦ କୋଟି ହିସାବ କରାଯାଉଥିବା ସ୍ଥଳେ ଜେନିଥ ପକ୍ଷରୁ ୬୨,୬୦୦ କୋଟି ହିସାବ କରାଯାଉଛି ।

ଗୃପ-ଏମର ହିସାବରେ ୨୦୧୮ କ୍ୟାଲେଣ୍ଡର ବର୍ଷରେ ସମ୍ୱାଦପତ୍ରରେ ୨୨,୩୦୦ କୋଟି, ପତ୍ରିକାରେ ୯୦୦ କୋଟି, ଟେଲିଭିଜନରେ ୨୪,୧୦୦ କୋଟି, ରେଡ଼ିଓରେ ୨,୬୦୦ କୋଟି, ସିନେମାରେ ୪୦୦ କୋଟି ବାହ୍ୟ ବିଜ୍ଞାପନରେ ୨,୫୦୦ କୋଟି ଏବଂ ଇଣ୍ଟରନେଟରେ ୯,୭୦୦ କୋଟି ବ୍ୟୟ ଗଣତି କରାଯାଇଛି । ଦେଶରେ ଟେଲିଭିଜନରେ ସର୍ବାଧିକ ଓ ସିନେମାରେ ସର୍ବନିମ୍ନ ବିଜ୍ଞାପନ ବ୍ୟୟ ହୋଇଥାଏ ।

ଗୃପ-ଏମ ଓ ଜେନିଥ ଉଭୟେ ଭାରତରେ ୨୦୧୯ରେ ବିଜ୍ଞାପନ ବ୍ୟୟ ୧୪ ରୁ ୧୫ ପ୍ରତିଶତ ବଢ଼ିବା ଆଶା ପ୍ରକାଶ କରୁଛନ୍ତି । ୨୦୧୮ ଶେଷରେ ଗୃପ-ଏମ ପକ୍ଷରୁ ପ୍ରକାଶିତ ପୁର୍ବାନୁମାନରେ କୁହାଯାଇଛି ଯେ ୨୦୧୯ରେ ଦେଶର ବିଜ୍ଞାପନ ବ୍ୟୟ ପ୍ରାୟ ୮୦ ହଜାର କୋଟିକୁ ବୃଦ୍ଧି ପାଇାବା ସମ୍ଭବପର । ୨୦୧୯ ମାର୍ଚ୍ଚ-ଏପ୍ରିଲ ମାସରେ ପ୍ରସ୍ତାବିତ ସାଧାରଣ ନିର୍ବାଚ଼ନ ଅବସରରେ ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ବିପୁଳ ଅର୍ଥ ବିଜ୍ଞାପନରେ ବ୍ୟୟ କରାଯିବା ଅଟକଳ କରାଯାଉଥିବା ହେତୁ ଅନ୍ୟାନ୍ୟ ବର୍ଷଗୁଡ଼ିକ ତୁଳନାରେ ଅଧିକ ହେବା ସ୍ୱାଭାବିକ । ବିଗତ କିଛି ବର୍ଷ ଧରି ଏଠାରେ ବାର୍ଷିକ ବିଜ୍ଞାପନ ବ୍ୟୟ ୧୨ ରୁ ୧୩ ପ୍ରତିଶତ ବୃଦ୍ଧି ପାଇ ଚ଼ାଲିଥିବା ହିସାବ କରାଯାଇଥାଏ ।

ଗତ ୨୦୧୪ ସାଧାରଣ ନିର୍ବାଚ଼ନରେ ୧ ହଜାର ୫ ଶହ କୋଟି ଟଙ୍କା ବିଜ୍ଞାପନ ବାବଦରେ ବ୍ୟୟ ହୋଇଥିବା ସ୍ଥଳେ ଏହା ଦୁଇଗୁଣକୁ ବୃଦ୍ଧିପାଇ ୨୦୧୯ ସାଧାରଣ ନିର୍ବାଚ଼ନରେ ୩ ହଜାର କୋଟିରେ ପହଞ୍ଚିବ। ନିର୍ବାଚ଼ନ ଅବସରରେ ବିଭିନ୍ନ ପାରମ୍ପରିକ ମୁଦ୍ରଣ, ଟେଲିଭିଜନ ଓ ଆଉଟଡ଼ୋର ମଞ୍ଚ ବ୍ୟବହାର ବଳବତ୍ତର ରହିବା ସହ ଇଣ୍ଟରନେଟ ସୋସିଆଲ ମିଡ଼ିଆ ମଞ୍ଚରେ ଅଧିକ ବିଜ୍ଞାପନ ବ୍ୟୟ ଆଶା କରାଯାଉଛି । ଏହା ସମଗ୍ର ନିର୍ବାଚ଼ନୀ ବିଜ୍ଞାପନ ବ୍ୟୟର ଏକ ଚ଼ତୁର୍ଥାଂଶ ଅର୍ଥାତ ୮୦୦ କୋଟି ଟଙ୍କା ଦାବୀ କରିବ ବୋଲି କୁହାଯାଉଛି ।ବିଗତ ନିର୍ବାଚ଼ନ ପ୍ରଚ଼ାରଗୁଡ଼ିକ ତୁଳନାରେ ଏହା ଏକ ବ୍ୟତିକ୍ରମ ।

କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ବିଜ୍ଞାପନ ନୀତି ଏକ ପକ୍ଷରେ ବାର୍ଷିକ ବିଜ୍ଞାପନ ବ୍ୟୟରେ ସହାୟକ ହୋଇଚ଼ାଲିଥିବା ସ୍ଥଳେ କେନ୍ଦ୍ର ଅନୁକରଣରେ ରାଜ୍ୟ ସରକାରମାନେ ମଧ୍ୟ କୋହଳ ବିଜ୍ଞାପନ ନୀତି ଗ୍ରହଣ କରୁଥିବା ହେତୁ ବିଜ୍ଞାପନ ଆୟ ଜାତୀୟସ୍ତରରେ ୧୨ ରୁ ୧୩ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିରେ ପର୍ଯ୍ୟବସିତ ହୋଇଛି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଜ୍ଞାପନ ଦାୟିତ୍ୱ ‘ବ୍ୟୁରୋ ଅଫ ଆଉଟରିଚ ଏଣ୍ଡ କମ୍ୟୁନିକେସନ’ ନାମକ ସସ୍ଥା ନିର୍ବାହ କରିଥାଏ । ସୂଚ଼ନା ଅଧିକାର ସୂତ୍ରରେ ବ୍ୟୁରୋ ସୂତ୍ରରୁ ସଂଗୃହୀତ ତଥ୍ୟରୁ ଜଣାଯାଏ ଯେ କେନ୍ଦ୍ରରେ ପଦାସୀନ ୟୁପିଏ ଦୁଇ ପର୍ଯ୍ୟାୟରେ ଦଶ ବର୍ଷ ଶାସନ କାଳରେ ସରକାରୀ ବିଜ୍ଞାପନ ବାବଦରେ ବାର୍ଷିକ ହାରାହାରି ୫୦୪ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ପରବର୍ତ୍ତୀ ଅବସ୍ଥାରେ ଏନଡ଼ିଏ ସରକାର ୨୦୧୪ ମଧ୍ୟଭାଗରୁ ୨୦୧୮ ମଧ୍ୟଭାଗ ମଧ୍ୟରେ ବାର୍ଷିକ ହାରାହାରି ପ୍ରାୟ ୧,୨୦୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅର୍ଥାତ ପାଞ୍ଚ ବର୍ଷ ତଳର ହିସାବକୁ ନେଲେ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ ଦୁଇଗୁଣକୁ ବୃଦ୍ଧି ପାଇଛି ।

ସରକାରୀ ବିଜ୍ଞାପନ ପ୍ରକାଶନଗୁଡ଼ିକର ରାଜସ୍ୱ ଆୟ ବୃଦ୍ଧିରେ ସାମିଲ ହୋଇଥାଏ । ତେବେ ପ୍ରକାଶନର ଉତ୍ପାଦ ପ୍ରଯୋଜନା ଖର୍ଚ୍ଚ ସହ ପ୍ରାୟ ସମତୁଲ ରହିଥାଏ ।ସରକାରୀ ବିଜ୍ଞାପନର ଦର କମ ହେତୁ ଏଭଳି ରାଜସ୍ୱରୁ ପ୍ରକାଶନ ମୁନାଫା ପାଏନା । ପରନ୍ତୁ ଖର୍ଚ୍ଚକାଟ କାରଣରୁ ସାମ୍ୱାଦିକତା ତଥା ସୃଜନକ୍ଷେତ୍ରରେ ଗୁଣବତ୍ତାହାନୀର କାରଣ ପାଲଟିଥାଏ । ତେଣୁ ସରକାରୀ ବିଜ୍ଞାପନ ଦର ପ୍ରକାଶକଙ୍କ ବ୍ୟବସାୟ କିମ୍ୱା ଉତ୍ପାଦ ବିକାଶରେ ସହାୟକ ହୋଇପାରି ନଥାଏ । ଗଣମାଧ୍ୟମରେ ଢୋକେ ପିଇ ଦଣ୍ଡେ ବଞ୍ଚିବା ନୀତିରେ ଉତ୍କର୍ଷତା ଅସଂଭବ । ତେଣୁ ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ଅପରିବର୍ତ୍ତିତ ରହିଲେ ମଧ୍ୟ ଉପକୃତ ପ୍ରକାଶନଗୁଡ଼ିକର ବ୍ୟବସାୟ ବା ସୃଜନ ଉଭୟକ୍ଷେତ୍ରରେ ଅଭିବୃଦ୍ଧି ଆଶା କରାଯାଇ ନପାରେ ।

ଓଡ଼ିଆ ଗଣମାଧ୍ୟମ ନିମନ୍ତେ ୨୦୧୯ କ୍ୟାଲେଣ୍ଡର ବର୍ଷଟି ବିଜ୍ଞାପନ ରାଜସ୍ୱ ଆୟ କ୍ଷେତ୍ରରେ ଶୁଭପ୍ରଦ ହେବା ଆଶା କରାଯାଇପାରେ ।ମୌଳିକ ଭାବେ ଓଡ଼ିଆ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନ ପରିପୁଷ୍ଟ ଓ ରାଜନୀତିକ-ନିବେଶ-ଆଶ୍ରିତ ହୋଇଥିବା ହେତୁ ନିର୍ବାଚ଼ନ ଅବସରରେ ପ୍ରଚ଼ାର ନିମନ୍ତେ ବିଜ୍ଞାପନ ରାଜସ୍ୱରୁ ଆୟ ବୃଦ୍ଧି ଓ ବ୍ୟବସାୟ ପରିଚ଼ାଳନାରେ ରାଜନୀତିକ ପ୍ରୋତ୍ସାହନ ବଳବତ୍ତର ରହିବା ସୁନିଶ୍ଚିତ । ୨୦୧୯ ନିର୍ବାଚ଼ନ ଅବ୍ୟବହିତ ପୂର୍ବରୁ ୨୦୧୭ ଓ ୨୦୧୮ ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତି ଓଡ଼ିଆ ମୁଦ୍ରଣ, ଟେଲିଭିଜନ, ରେଡ଼ିଓ ତଥା ୱେବ ପୋର୍ଟାଲଗୁଡ଼ିକ ନିମନ୍ତେ ଆୟବୃଦ୍ଧିରେ ସହାୟକ ହୋଇଛି ।

ମୁଖ୍ୟତଃ, ଓଡ଼ିଆ ଭାଷାରେ ୱେବପୋର୍ଟାଲ ଉଧେଇ ପାରୁ ନଥିବା ସ୍ଥଳେ ସରକାରୀ ବିଜ୍ଞାପନ ପ୍ରକାଶନ କାରଣରୁ ଏକ ସ୍ୱତନ୍ତ୍ର ମଞ୍ଚ ରୂପେ ଅଣ୍ଟାଭିଡ଼ିବାରେ ସମର୍ଥ ହୋଇଛି । ୨୦୧୯ ନିର୍ବାଚ଼ନୀ ବର୍ଷରେ ଦେଶବ୍ୟାପୀ ଏକ ଚ଼ତୁର୍ଥାଂଶ ବିଜ୍ଞାପନ ରାଜସ୍ୱ ସୋସିଆଲ ମିଡ଼ିଆରେ ବ୍ୟୟ ଅଟକଳ କରାଯାଉଥିବାସ୍ଥଳେ ଓଡ଼ିଆ ୱେବପୋର୍ଟାଲଗୁଡ଼ିକ ଉପକୃତ ହେବା ସ୍ୱାଭାବିକ । ସେହିପରି ରୁଗଣ ପ୍ରାୟ କେତେକ ଟେଲିଭିଜନ ଚ଼୍ୟାନେଲ ଓ ସମ୍ୱାଦପତ୍ରରେ ନିର୍ବାଚ଼ନକୁ ଦୃଷ୍ଟିରେ ରଖି ରାଜନୀତିକ ନିବେଶକମାନଙ୍କ କୃପାଦୃଷ୍ଟି ସେଗୁଡ଼ିକୁ ପୁର୍ନଜୀବନ ଲାଗି ଉଦ୍ୟମରେ ସହାୟକ ହୋଇଛି ।

ତେବେ ପ୍ରଶ୍ନ ଉଠେ ନିର୍ବାଚ଼ନ ପରେ ନିର୍ବାଚ଼ନୀ ବିଜ୍ଞାପନ, ରାଜନୀତିକ ପ୍ରୋତ୍ସାହନ ଓ ସରକାରୀ ବିଜ୍ଞାପନ ପ୍ରଦାନରେ କୋହଳ ନୀତି ଅପସରି ଗଲେ ଗଣମାଧ୍ୟମ ମଞ୍ଚଗୁଡ଼ିକ ପୁଣି ଅଭାବଗ୍ରସ୍ତ ହୋଇ ପଡ଼ିବେନି କି ? ଏହି ପରିସ୍ଥିତିରେ ମୁକାବିଲା କରିବା ନିମନ୍ତେ ନିଜସ୍ତରରେ ରଣନୀତି ରଚ଼ନା କଲେଣି କି ? ସାମୟିକ ସୁବିଧା ସୁଯୋଗର ଉଚ଼ିତ ବ୍ୟବହାର କରାଯାଇପାରିଲେ ତାହା ଭବିଷ୍ୟତ ଅଭିବୃଦ୍ଧିରେ ସହାୟକ ହୋଇଥାଏ ।ଏହି ଅବସରରେ ପ୍ରକାଶନଗୁଡ଼ିକର ଗୁଣାତ୍ମକ ବିକାଶ, ପାଠକ ତଥା ଦର୍ଶକ ସଂଖ୍ୟା ବୃଦ୍ଧି ଏବଂ ଲୋକପ୍ରିୟ ବ୍ରାଣ୍ଡରୂପେ ଗଢ଼ିତୋଳିବା ନିମନ୍ତେ ଉଦ୍ୟମ ବୁଦ୍ଧିମତ୍ତାର ପରିଚ଼ୟ ଦେବ ।

କିନ୍ତୁ ଅପରପକ୍ଷେ ନିର୍ବାଚ଼ନ ଅବସରରେ ଆର୍ଥିକ କାରଣଜନିତ ବାଧ୍ୟବାଧକତାରେ ଯେଉଁ ପ୍ରକାଶନଗୁଡ଼ିକ ରାଜନୀତିକ ପକ୍ଷପାକ୍ଷିକତାରେ ଅଂଶୀଦାର ହେବେ ସେଗୁଡ଼ିକ ନିଶ୍ଚିତଭାବେ ପାଠକ ଓ ଦର୍ଶକଙ୍କ ବିଶ୍ୱାସନୀୟତା ହରାଇବେ । ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ଏହା ସେଗୁଡ଼ିକୁ ପ୍ରତିକୂଳ ପରିବେଶକୁ ଠେଲି ଦେବ ନାହିଁ କି ? ଅତଏବ ପ୍ରତ୍ୟେକ ପ୍ରକାଶନ ଦୀର୍ଘ ମିଆଦୀଭିତ୍ତିରେ ନୀତିନିୟମ ପ୍ରସ୍ତୁତ ନ କରିପାରିଲେ ସାମୟିକ ପ୍ରୋତ୍ସାହନ ଉପଭୋଗରେ ଦୀର୍ଘସ୍ଥାୟୀ କ୍ଷତିକୁ ନିମନ୍ତ୍ରଣ ସାର ହେବ ।

ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ କ୍ରମଶଃ ବିଜ୍ଞାପନ ରାଜସ୍ୱ ଆଶ୍ରିତ ପରିବେଶରୁ ଗ୍ରାହକ ଚ଼ାନ୍ଦା ଓ ବଦାନ୍ୟତା ପରିପୁଷ୍ଠ ବ୍ୟାବସାୟିକ ଶୈଳୀ ଆଡ଼କୁ ଆକର୍ଷିତ ହେଉଥିବା ସ୍ଥଳେ ଓଡ଼ିଶାରେ ବିଜ୍ଞାପନ ଓ ରାଜନୀତିକ ନିବେଶ କେତେଦିନ ବଳବତ୍ତର ରହିବ ତାହା ସମୟ କହିବ । ତେବେ ୨୦୧୯ ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ପାଞ୍ଚ ସାତ ବର୍ଷ ମଧ୍ୟରେ ବୃହତ୍ତ ଅର୍ଥନୀତିକ, ବ୍ୟାବସାୟିକ ଓ ସାମାଜିକ ପରିବର୍ତ୍ତନ ଆକଳନ କରାଯାଉଥିବା ହେତୁ ଓଡ଼ିଆ ଗଣମାଧ୍ୟମରେ ମଧ୍ୟ ନୂତନ ସମୀକରଣ ଆଶା କରାଯାଇପାରେ ।

Related Post