ଆଜିର ଖାସ ଖବର
Sat. May 30th, 2026

ଏ-ଆଇ ପ୍ରଭାବିତ ବିଜ୍ଞାପନ

By Dainikasha Jul12,2024

କରୋନା-ଭୂତାଣୁଜନିତ ମହାମାରୀ ଶେଷ ଅବସ୍ଥାରେ ବାଣିଜ୍ୟ-ବ୍ୟବସାୟ ସ୍ୱାଭାବିକ ଅବସ୍ଥାକୁ ଫେରିବା ଅବସରରେ ଗଣମାଧ୍ୟମରେ ବିଜ୍ଞାପନ ଆୟ ବୃଦ୍ଧି ପାଇବା ଆଶା କରାଯାଉଥିଲା । ପାରମ୍ପରିକ ମଞ୍ଚ, ମୁଖ୍ୟତଃ ଟେଲିଭିଜନ ଓ ମୁଦ୍ରିତ ସମ୍ୱାଦପତ୍ର ମହାମାରୀ-ପୂର୍ବ ଅର୍ଥନୀତିକୁ ଫେରିବାକୁ ନେଇ ନିଶ୍ଚିନ୍ତ ରହିଥିଲେ । ତେବେ ମହାମାରୀ-ପୂର୍ବ ଓ ମହାମାରୀ କାଳରେ ବିଜ୍ଞାପନ ପ୍ରଯୋଜନା ଓ ପ୍ରସାରଣ କ୍ଷେତ୍ରରେ ସଂଘଟିତ ବୈଷୟିକ ପରିବର୍ତ୍ତନ ବିଜ୍ଞାପନ ବ୍ୟୟକୁ ଡ଼ିଜିଟାଲ ମଞ୍ଚ ମୁହାଁ ଗଢ଼ି ତୋଳୁଥିବା ଉଦାହରଣ ୨୦୨୨ ପ୍ରଥମାର୍ଦ୍ଧରେ ଦେଖିବାକୁ ମିଳିଛି ।

ଭାରତରେ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ଜୀ ଏଣ୍ଟରଟେନମେଣ୍ଟ ପ୍ରମୁଖ ସ୍ଥାନ ଅଧିକାରୀ । ଅଗଷ୍ଟ ୨୦୨୨ ଦ୍ୱିତୀୟ ସପ୍ତାହରେ ଜୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ପ୍ରକାଶିତ ଲାଭକ୍ଷତି ହିସାବରେ କୁହାଯାଇଛି ଯେ ଏପ୍ରିଲ-ମେ-ଜୁନ ୨୦୨୧ ତୁଳନାରେ ଏପ୍ରିଲ-ମେ-ଜୁନ ୨୦୨୨ରେ ଲାଭାଂଶ ପ୍ରାୟ ୫୦ ପ୍ରତିଶତ କମିଥିଲା । ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ୨୦୨୧ରେ ଲାଭାଂଶ ୨୦୮ କୋଟି ହିସାବ କରାଯାଇଥିବା ସ୍ଥଳେ ୨୦୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧୦୬ କୋଟିକୁ ଖସିଛି । ଅନ୍ୟାନ୍ୟ କାରଣ ମଧ୍ୟରେ ବିଜ୍ଞାପକମାନଙ୍କ ପକ୍ଷରୁ ବିଜ୍ଞାପନ ବ୍ୟୟ ହ୍ରାସ ଅନ୍ୟତମ ବୋଲି କୁହାଯାଇଛି ।

ଜୀ ଏଣ୍ଟରଟେନମେଣ୍ଟର ଅଭିଜ୍ଞତା ସାମଗ୍ରୀକଭାବେ ସମସ୍ତ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ନିମନ୍ତେ ପ୍ରଯୁଜ୍ୟ ନହେଲେ ସୁଦ୍ଧା ବଜାରରେ ବିଜ୍ଞାପନ ଆୟ କମିବା କାରଣଗୁଡ଼ିକ ଅନୁଶୀଳନ କରିବା ସମୟ ପହଞ୍ଚିଛି । ସେଥି ମଧ୍ୟରେ ବିଜ୍ଞାପନ ପ୍ରଯୋଜନା ଓ ପ୍ରସାରଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ପ୍ରୟୋଗକୁ ଅନ୍ୟତମ କାରଣଭାବେ ଚ଼ିହ୍ନଟ କରାଯାଇପାରେ । ଆନ୍ତର୍ଜାତିକସ୍ତରରେ ବିଜ୍ଞାପନ ପ୍ରସାରଣ ନିମନ୍ତେ ବ୍ୟାପକ ଏ-ଆଇ କଳା-କୌଶଳ ବ୍ୟବହାର ଆରମ୍ଭ ହୋଇସାରିଥିବା ବେଳେ ଭାରତ ମଧ୍ୟ ପଛୁଆ ନଥିବା ଦୃଷ୍ଟାନ୍ତମାନ ପରିଲକ୍ଷିତ ।

ଏକକ ଉପଭୋକ୍ତା-କେନ୍ଦ୍ରୀକ ବିଜ୍ଞାପନ ପ୍ରଯୋଜନା ଓ ପ୍ରସାରଣ ଏ-ଆଇ ପ୍ରଭାବିତ ବିଜ୍ଞାପନର ପ୍ରମୁଖ ବିଶେଷତ୍ତ୍ୱ । ଉଦାହରଣରେ ଜୁଲାଇ ୨୦୨୨ ପ୍ରଥମ ସପ୍ତାହରେ ହୋଟେଲ-ରେଷ୍ଟୁରାଣ୍ଟ ଖାଦ୍ୟ ବିତରଣ ସଂସ୍ଥା ‘ଜମାଟୋ’ ପକ୍ଷରୁ ଏକ ଗଭୀର ଆଞ୍ଚଳିକ ‘ହାଇପର-ଲୋକାଲ’ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ବ୍ରାଣ୍ଡ ଆମ୍ୱାସଡ଼ର ହିତ୍ରୀକ ରୋଶନ ପ୍ରତ୍ୟେକ ସହରର ବିଭିନ୍ନ ଖାଦ୍ୟ ବିପ୍ପଣୀ ଓ ସେଠାରେ ଉପଲବ୍ଧ ବ୍ୟଞ୍ଜନର ନାମ ନେଇ ପ୍ରମୋଶନ କରିଥିଲେ । ଏଥିଲାଗି ଡିପ୍-ଫେକ ଟେକନୋଲଜି ବ୍ୟବହୃତ ହୋଇଥିଲା । ଜଣେ ଲୋକପ୍ରିୟ ବଲିଉଡ଼ ଅଭିନେତାଙ୍କ ମୁଖରୁ ନିଜ ସହରର କୌଣସି ହୋଟେଲ ରେଷ୍ଟୁରାଣ୍ଟର ନାମ ଶୁଣିବା ଶ୍ରୋତା ଓ ଦର୍ଶକମାନଙ୍କ ମଧ୍ୟରେ ଉତ୍ସୁକତା ଭରିଦେବା ସ୍ୱାଭାବିକ । ଏହି ପରିବେଶର ମୁକାବିଲା କରିବାରେ ଟେଲିଭିଜନ ଓ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରକାଶିତ ବିଜ୍ଞାପନ ଯେ ଅବଶ୍ୟ ହାର ମାନିବ ଏଥିରେ ସନ୍ଦେହ ନଥାଏ । ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଙ୍କ ମୋବାଇଲ ବା କମ୍ପ୍ୟୁଟରର ଭୌଗଳିକସ୍ଥିତି ‘ଜିପିଏସ’ ଆଧାରରେ ଏହି ବିଜ୍ଞାପନ ପ୍ରସାରିତ ହୋଇଥିଲା ।

ସେହିପରି ୨୦୨୧ ଦିପାବଳୀ ଅବସରରେ ‘ନଟଜଷ୍ଟକ୍ୟାଡ଼ବରିଏଡ଼-ଡ଼ଟ-କମ’ ନାମକ ସଂସ୍ଥା ପକ୍ଷରୁ ଦେଶର ବିଭିନ୍ନ ସହରର ତେଜରାତି, ରିଟେଲ ଦୋକାନର ପ୍ରମୋଶନ ନିମନ୍ତେ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଶାହରୁଖ ଖାନ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଦୋକାନର ନାମ ନେଇ ଉତ୍ସବାନୁଷ୍ଠାନ ଅବସରରେ ସେଠାରୁ କିଣାକିଣି କରିବା ନିମନ୍ତେ ନିବେଦନ କରିଥିଲେ । ଏହି ବିଜ୍ଞାପନ ଅଭିଯାନରେ ପ୍ରାୟ ଲକ୍ଷେ ଚାଳିଶି ହଜାର ଛୋଟବଡ଼ ଦୋକାନ ନିଜ ପାଇଁ ଲୋକପ୍ରିୟ ବଲିଉଡ଼ ଅଭିନେତାଙ୍କ ଅନୁମୋଦିତ ବିଜ୍ଞାପନ ପ୍ରସ୍ତୁତ କରି ଡ଼ିଜିଟାଲ ମଞ୍ଚରେ ବିଜ୍ଞପିତ କରିଥିଲେ । ଏ-ଆର ଟେକନୋଲଜି ଉପଯୋଗରେ ଏହି ବିପୁଳ ସଂଖ୍ୟକ ଏକକ ବିଜ୍ଞାପନ ପ୍ରସ୍ତୁତି ନିମନ୍ତେ ମାତ୍ର ଦଶ ଦିନ ସମୟ ଲାଗିଥିଲା ।

ମୃଦୁପାନୀୟ କମ୍ପାନୀ ପେପସି ପକ୍ଷରୁ ବ୍ରାଣ୍ଡ-ଆମ୍ୱାସଡ଼ର ସଲମାନ ଖାନଙ୍କ ଅପେକ୍ଷାକୃତ ଯୁବାବସ୍ଥାର ଏକ ଭିଡ଼ିଓ ଡ଼ିପ-ଫେକ ଟେଲନୋଲଜି ସହାୟତା ପ୍ରସ୍ତୁତ କରାଯାଇଥିଲା । ଗ୍ରୀଷ୍ମଋତୁ ଆରମ୍ଭରେ ମାର୍ଚ୍ଚ ୨୦୨୨ରେ ଏହାର ବହୁଳ ପ୍ରଦର୍ଶନ ଡ଼ିଜିଟାଲ ମଞ୍ଚରେ କୌତୁହଳ ଉଦ୍ଦୀପକ ସାବ୍ୟସ୍ତ ହୋଇଥିଲା । ସେହିପରି ଏକ ଜୀବନବୀମା କମ୍ପାନୀ ପକ୍ଷରୁ ୧୧ ବର୍ଷ ବୟସ୍କ ସଚୀନ ତେନ୍ଦୁଲକରଙ୍କ ଚ଼େହରା ପ୍ରସ୍ତୁତ କରାଯାଇ ଜୀବନରେ ଭୟଶୂନ୍ୟ ହେବା ଉଚ଼ିତ ବୋଲି ବକ୍ତବ୍ୟ ପ୍ରଚାରିତ ହୋଇଥିଲା । ବ୍ରାଣ୍ଡ ଅନୁମୋଦନ କରୁଥିବା ଖ୍ୟାତନାମା ବ୍ୟକ୍ତିତ୍ୱ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସର୍ଜନଶୀଳ ଢଙ୍ଗରେ ସଂପର୍କ ଯୋଡ଼ିବା ଉଦ୍ୟମ ଏ-ଆଇ ଉପଯୋଗରେ ଡିଜିଟାଲ ମଞ୍ଚର ସୁବିଧା ସୁଯୋଗ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ଗୁଡ଼ିକରେ ଅଭାବ ଥିବା ହେତୁ ବିଜ୍ଞାପନ ବ୍ୟୟ କ୍ରମଶଃ ଡ଼ିଜିଟାଲ ମଞ୍ଚ ମୁହାଁ ହେଉଥିବା ବିଚାର କରାଯାଏ ।

ବିଜ୍ଞାପନ ପ୍ରସାରଣରେ କାହାକୁ, କେଉଁ ଆଙ୍ଗିକରେ, କ’ଣ କୁହାଯାଉଛି, କେଉଁମାତ୍ରାରେ ଉପଭୋକ୍ତାଙ୍କଠାରେ ବାର୍ତ୍ତା ପହଞ୍ଚିପାରୁଛି ଏବଂ ଆଚ଼ରଣକୁ ପ୍ରଭାବିତ କରୁଛି ତାହା ଗୁରୁତ୍ୱ ବହନ କରିଥାଏ । ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ବିଜ୍ଞାପନ ପ୍ରଥମତଃ, ଟେଲିଭିଜନ ବା ମୁଦ୍ରିତ ସମ୍ୱାଦପତ୍ରରେ ସର୍ବସାଧାରଣଙ୍କ ଗୋଚ଼ରାର୍ଥେ ପ୍ରକାଶିତ ହୋଇଥାଏ । ସମ୍ୱାଦପତ୍ରରେ ପ୍ରଥମ ବା ଶେଷପୃଷ୍ଠାରେ ବିଜ୍ଞାପନ ପ୍ରକାଶନ ଅଧିକ ସଂଖ୍ୟକଙ୍କ ଦୃଷ୍ଟି ଆକର୍ଷଣ କରିବା ବା କ୍ରୀଡ଼ା, ମନୋରଞ୍ଜନ ଭଳି ପୃଷ୍ଠାରେ ବିଜ୍ଞାପନ ସ୍ଥାନିତ ଦ୍ୱାରା ଅଧିକ ସଂଖ୍ୟକ ଯୁବ ସମ୍ପ୍ରଦାୟର ପାଠକଙ୍କ ନିକଟରେ ପହଞ୍ଚି ପାରିବା କିମ୍ୱା ବାଣିଜ୍ୟ-ବ୍ୟବସାୟ ସମ୍ୱାଦପତ୍ରରେ ପ୍ରକାଶନ ଦ୍ୱାରା ସଂପୃକ୍ତ ଶ୍ରେଣୀର ପାଠକଙ୍କ ନିକଟତର ହେବାଭଳି ସୁବିଧା ସୁଯୋଗ ଉପଲବ୍ଧ । କିନ୍ତୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପାଠକ, ଶ୍ରୋତା ବା ଦର୍ଶକଙ୍କ ନିକଟରେ ପହଞ୍ଚି ପାରିହୁଏନା । ଦ୍ୱିତୀୟତଃ, ବିଜ୍ଞାପନର ବିଷୟବସ୍ତୁ ଉପଭୋକ୍ତା ଦ୍ୱାରା କେଉଁ ମାତ୍ରାରେ ଗ୍ରହଣୀୟ ହେଉଛି କିମ୍ୱା ତୃତୀୟତଃ, କେତେମାତ୍ରାରେ ଆଚ଼ରଣକୁ ପ୍ରଭାବିତ କରୁଛି ତାହାର ଯୁକ୍ତିଯୁକ୍ତ ତଥ୍ୟ ସଂଗ୍ରହ ସମ୍ଭବ ହୋଇପାରିନଥାଏ ।

ଅପରପକ୍ଷେ ବିଜ୍ଞାପନ ପ୍ରସ୍ତୁତି, ଲକ୍ଷ୍ୟବଦ୍ଧ ଦର୍ଶକ ନିର୍ଦ୍ଧାରଣ ‘ଟାର୍ଗେଟେଡ଼ ଅଡ଼ିଏନ୍ସ’ ଓ ଗଣମାଧ୍ୟମ ମଞ୍ଚ ଚୟନ କ୍ଷେତ୍ରରେ ଏ-ଆଇ ଉପଯୋଗ କରାଯାଇ ନିର୍ଦ୍ଧିଷ୍ଟ ସଂଖ୍ୟକ ଉପଭୋକ୍ତାଙ୍କ ଠାରେ ପହଞ୍ଚିବା ସାଧନ ଆୟତ୍ତ ହୋଇପାରୁଛି । ଫଳରେ ଅଧିକ ସଂଖ୍ୟକ ବିଜ୍ଞାପନ କ୍ରମଶଃ ଏହି ଧରଣର ପ୍ରଯୋଜନା ପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି । ଏତଦ୍ୱାରା ବିଜ୍ଞାପନ କ୍ଷେତ୍ରରେ ଅର୍ଥନିବେଶ ଆୟରେ ରୂପାନ୍ତରିତ ହୋଇପାରୁଛି । ଆନ୍ତର୍ଜାତିକସ୍ତରରେ ୨୦୨୨ ମଧ୍ୟଭାଗ ସୁଦ୍ଧା ପ୍ରାୟ ୧୫ ପ୍ରତିଶତ ଏ-ଆଇ ଆଶ୍ରିତ ବିଜ୍ଞାପନ ପ୍ରକାଶନ ହୋଇଥିବା ଖ୍ୟାତନାମା ‘ଫୋର୍ବସ’ ମଞ୍ଚରେ ପ୍ରକାଶିତ ରଚନାରେ ଉଲ୍ଲେଖ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ ବଜାରରେ ବିଜ୍ଞାପନ ବ୍ୟୟ କମି ଆସୁଥିବା ସତ୍ତ୍ୱେ ଏହି ଆଧୁନିକ ଧାରାର ଆଦର ବଢୁଥିବା ଦର୍ଶାଯାଇଥିଲା ।

ଏ-ଆଇ ଉପଯୋଗରେ ଉପଭୋକ୍ତାଙ୍କ ଗ୍ରହଣୀୟ ସୃଜନ, ବ୍ୟକ୍ତିକେନ୍ଦ୍ରୀକ ବିଜ୍ଞାପନ ପ୍ରସ୍ତୁତି ଓ ଦର୍ଶକ ନିର୍ଦ୍ଧାରଣ ବିଜ୍ଞାପନ ପ୍ରସାରଣର ଗୁଣବତ୍ତା ବୃଦ୍ଧି କରିଥାଏ । ଉପଭୋକ୍ତାଙ୍କ ରୁଚି, ଆବଶ୍ୟକତା ଓ ପ୍ରଚଳିତ ଧାରା ‘ଟ୍ରେଣ୍ଡ’ ଅନୁଶୀଳନରେ ଏ-ଆଇ ସହଯୋଗ କରିଥାଏ । ଫଳରେ ଉଚ୍ଚମାନର ବିଜ୍ଞାପନ ସୃଜନ ଓ ବିତରଣର ସମ୍ଭବ ହୋଇପାରେ । ଏ-ଆଇ ପ୍ରତ୍ୟେକ ଖୁଚୁରା ଦୋକାନ, ଏପରିକି ପ୍ରତ୍ୟେକ ଉପଭୋକ୍ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରି ବିଜ୍ଞାପନ ପ୍ରସ୍ତୁତି ଓ ପ୍ରସାରଣରେ ସହାୟକ ହୋଇପାରେ । ସେହିପରି ଉପଭୋକ୍ତାଙ୍କ ଆଚ଼ରଣ ଅନୁଯାୟୀ ବ୍ୟକ୍ତିକେନ୍ଦ୍ରୀକ ଭିନ୍ନ ଭିନ୍ନ ବିଜ୍ଞାପନ ପ୍ରକାଶନ କରିପାରେ । ଏ-ଆଇ ପରିଚାଳିତ ବିଜ୍ଞାପନ ଧାରା ଅପେକ୍ଷାକୃତ ସରଳ, ତୃଟିଶୂନ୍ୟ ଓ ବିଶ୍ୱାସଯୋଗ୍ୟ ହୋଇଥିବା ହେତୁ କ୍ରମଶଃ ବିଜ୍ଞାପକମାନଙ୍କ ଆଦର ଲାଭ କରୁଥିବା ପରିଲକ୍ଷିତ । ଏ-ଆଇ ପ୍ରଭାବିତ ବିଜ୍ଞାପନ ଗଣମାଧ୍ୟମରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ନିଶ୍ଚିତ । 

Related Post