ଆଜିର ଖାସ ଖବର
Thu. Apr 16th, 2026

ଶାନ୍ତାରାମ

By Dainikasha Jul12,2024

ଅଷ୍ଟ୍ରେଲୀୟ ଲେଖକ ଗ୍ରେଗୋରି ଡ଼େଭିଡ଼ ରବର୍ଟଙ୍କ ୨୦୦୩ରେ ପ୍ରକାଶିତ ବହୁଳ ଚର୍ଚ୍ଚିତ ଉପନ୍ୟାସ ‘ଶାନ୍ତାରାମ’ ଆନ୍ତର୍ଜାତିକ ଷ୍ଟ୍ରୀମିଂ ମଞ୍ଚ ‘ଆପଲ ଟିଭିପ୍ଳସ’ରେ ବାର ଅଧ୍ୟାୟ ବିଶିଷ୍ଟ ୱେବ ସିରିଜ ରୂପରେ ୧୪ ଅକ୍ଟୋବର ୨୦୨୨ରୁ ଆରମ୍ଭ ହୋଇ ୧୬ ଡ଼ିସେମ୍ୱର ୨୦୨୨ରେ ପ୍ରଥମ ସିଜନ ଶେଷ ହେବା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଅଷ୍ଟ୍ରେଲିଆର ଏକ ଜେଲ ପଳାତକ ବ୍ୟାଙ୍କ ଲୁଟେରା କିଛି କାଳ ମୁମ୍ୱାଇରେ ଆତ୍ମଗୋପନର ବିବରଣୀ ‘ଶାନ୍ତାରାମ’ର କାହାଣୀ । ପଳାତକ ଲେଖକ ନିଜେ ଗ୍ରେଗୋରି ଡ଼େଭିଡ଼ । ସେ କହନ୍ତି ଯେ ‘ଶାନ୍ତାରାମ’ ଆତ୍ମଜୀବନୀ ନୁହଁ । ତାଙ୍କ ଅପରାଧିକ ଜୀବନର କେତେକ ସତ୍ୟ ଘଟଣା କଳ୍ପନାର ଖିଅରେ ଯୋଡ଼ି ହୋଇ ଉପନ୍ୟାସରେ ପରିଣତ ହୋଇଛି ।

ଗ୍ରେଗୋରି ଡ଼େଭିଡ଼ ବ୍ୟାଙ୍କ ଲୁଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରର ପେନଟ୍ରିଜ ଜେଲରେ ୧୯୭୮ରୁ ୧୯ ବର୍ଷ ସଜା କାଟୁଥିବା ଅବସରରେ ୧୯୮୦ରେ ଖସିଆସି ବିଭିନ୍ନ ରାଷ୍ଟ୍ରରେ ଆତ୍ମଗୋପନ କରିବାପରେ ୧୯୯୦ରେ ଜର୍ମାନର ଫ୍ରାଙ୍କଫର୍ଟରେ ଗିରଫ ହୋଇଥିଲେ । ଅପରାଧ ବିଚାର ନିମନ୍ତେ ଆଷ୍ଟ୍ରେଲିଆକୁ ପ୍ରତ୍ୟାର୍ପଣପରେ ସେ ଛଅ ବର୍ଷ ଜେଲଦଣ୍ଡ ଭୋଗ କରିଥିଲେ । ସେଥି ମଧ୍ୟରୁ ଦୁଇ ବର୍ଷ ତାଙ୍କୁ ଏକାନ୍ତବାସରେ ବନ୍ଦୀ ରୂପେ ରଖା ଯାଇଥିଲା । ଏହି ସମୟସୀମାରେ ନିଜ ଅପରାଧିକ ଜୀବନକୁ ପାଥେୟ କରି ‘ଶାନ୍ତାରାମ’ ଉପନ୍ୟାସ ରଚନା କରିଥିଲେ । ଗ୍ରେଗୋରି ଡ଼େଭିଡ଼ କହନ୍ତି ଯେ ଉପନ୍ୟାସର ପାଣ୍ଡୁଲିପିକୁ ଜେଲ କର୍ତ୍ତୃପକ୍ଷ ଦୁଇଥର ନଷ୍ଟ କରିଦେଇଥିଲେ ।

‘ଶାନ୍ତାରାମ’ ଉପନ୍ୟାସ ୨୦୨୨ ସୁଦ୍ଧା ୬୦ ଲକ୍ଷ କପି ବିକ୍ରୀ ହୋଇଥିବା ହିସାବ କରାଯାଏ । ଉପନ୍ୟାସଟି ୨୦୦୩ରେ ପ୍ରକାଶିତ ହେବାପରେ ୨୦୦୪ରୁ ଚଳଚ଼ିତ୍ର ରୂପାୟନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ଲେଖକଙ୍କଠାରୁ କପିରାଇଟ ହଲିଉଡ଼ର ପ୍ରଖ୍ୟାତ ‘ୱେର୍ନର ବ୍ରଦର୍ସ’ କିଣି ନେଇଥିଲେ । ତେବେ ବିଭିନ୍ନ କାରଣରୁ ଚଳଚ଼ିତ୍ର ନିର୍ମାଣ ସଂଭବ ହୋଇପାରି ନଥିଲା । ଚୁକ୍ତି ଅନୁଯାୟୀ ୨୦୧୫ରେ ସମୟସୀମା ପାର ହେବା ପରେ ୨୦୧୮ରେ ‘ଆନୋନିମେସ କଣ୍ଟେଣ୍ଟ’ ପୁଣି ସତ୍ତ୍ୱ କିଣିଥିଲା । ହଲିଉଡ଼ର ‘ପାରାମାଉଣ୍ଟ ଟେଲିଭିଜନ ଷ୍ଟୁଡ଼ିଓସ’ ‘ଆନୋନିମେସ କଣ୍ଟେଣ୍ଟ’ ସହଯୋଗରେ ‘ଏପଲ ଟିଭିପ୍ଳସ’ ନିମନ୍ତେ ‘ଶାନ୍ତାରାମ’ ୱେବ ସିରିଜ ନିର୍ମାଣ କରିଛନ୍ତି ।

ଆନ୍ତର୍ଜାତିକସ୍ତରରେ ଏପଲ ଟିଭି ଅନ୍ୟତମ ବୃହତ୍ତମ ଷ୍ଟ୍ରିମିଂ ମଞ୍ଚ । ୨୦୧୯ରୁ ଆରମ୍ଭ ହୋଇଥିବା ଏହି ଓଭର-ଦି-ଟପ ପ୍ରସାରକ ୨୦୨୨ ସୁଦ୍ଧା ଶହେରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ଶହେ କୋଟି ମୋବାଇଲ ଫୋନ, ଟେବଲେଟ, କମ୍ପ୍ୟୁଟର ଓ ସ୍ମାର୍ଟ ଟେଲିଭିଜନ ପରଦାରେ ଉପଲବ୍ଧ । ଏପଲ ଟିଭି ପ୍ରତିଷ୍ଠା କାଳରୁ ଏକ ସମ୍ଭ୍ରାନ୍ତ କଳାତ୍ମକ ଓଟିଟି ମଞ୍ଚର ମାନ୍ୟତା ପାଇ ଆସିଛି । ଏଲପ ଟିଭି ପ୍ଳସ ପ୍ରଯୋଜିତ ‘କୋଡ଼ା’ ଶ୍ରେଷ୍ଠ ଚଳଚ଼ିତ୍ର ରୂପେ ୨୦୨୧-୨୨ ଓସ୍କାର ପୁରସ୍କାର ପାଇଥିଲା । ‘ଶାନ୍ତାରାମ’ରେ ବ୍ରିଟିଶ ଅଭିନେତା ଚାର୍ଲସ ହୁନାନ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସ୍ଥଳେ ତିନିଜଣ ନିର୍ଦ୍ଦେଶକଙ୍କ ମଧ୍ୟରେ ଭାରତ ଜନ୍ମିତ ବ୍ରିଟିଶ ଚଳଚ଼ିତ୍ର ଓ ଟେଲିଭିଜନ ନିର୍ଦ୍ଦେଶକ ଭାରତ ନାଲୁରି ଅନ୍ୟତମ ।

‘ଶାନ୍ତାରାମ’ର କାହାଣୀ ବିଂଶ ଶତାଦ୍ଦୀ ଅଶୀ ଦଶକର ମୁମ୍ୱାଇ ନଗରୀ ଆଧାରିତ । ଆଷ୍ଟ୍ରେଲୀୟ ଜେଲ ପଳାତକ ଲିଣ୍ଡସେ ଫୋର୍ଡ ଛଦ୍ମ ନାମରେ ଜାଲ ପାସପୋର୍ଟ ଧରି ନିଉଜଲ୍ୟାଣ୍ଡରୁ ଜର୍ମାନ ଯିବା ରାସ୍ତାରେ ମୁମ୍ୱାଇରେ ପହଞ୍ଚେ । ଅବଶ୍ୟ ମୁମ୍ୱାଇରେ ରହିବା ଉଦ୍ଦେଶ୍ୟ ନଥିଲେହେଁ ଅବସ୍ଥାଚ଼କ୍ରରେ ଦଶ ବର୍ଷ ଯାଏଁ ରହିଯାଏ । ମୁମ୍ୱାଇରେ ଲିଣ୍ଡସେର ପ୍ରଥମ ସାକ୍ଷାତ ପ୍ରଭାକର ସହ ହୁଏ । ଲିଣ୍ଡସେ ପ୍ରଭାକରକୁ ଗାଇଡ଼ ଭାବେ ଗ୍ରହଣ କରେ ଏବଂ ଦିହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୁଏ । ଲିଣ୍ଡସେକୁ ପ୍ରଭାକର ଲିନ ନାମିତ କରେ । ଦୁଇ ବନ୍ଧୁ ପ୍ରଭାକର ଗ୍ରାମକୁ ଯାଆନ୍ତି । ପ୍ରଭାକର ମା’ ଲିନର ଶାନ୍ତ ଓ ପ୍ରସନ୍ନ ସ୍ୱଭାବ ଦେଖି ‘ଶାନ୍ତାରାମ’ ନାମରେ ଡ଼ାକନ୍ତି । ଦିହେଁ ମୁମ୍ୱାଇ ଫେରିବା ରାସ୍ତାରେ ସେମାନଙ୍କ ଜିନିଷପତ୍ର ଚୋରି ହୋଇଯାଏ । ଅଗତ୍ୟା ଦୁଇ ବନ୍ଧୁ ମୁମ୍ୱାଇ କୋଲାବାସ୍ଥିତ ନେଭିନଗର ନିକଟସ୍ଥ ବସ୍ତିରେ ବସବାସ କରନ୍ତି ।

ଲିନ ବସ୍ତିରେ ପହଞ୍ଚୁ ପହଞ୍ଚୁ ଅଗ୍ନିକାଣ୍ଡରେ ଅନେକ ଘର ପୋଡ଼ିଯାଏ ଓ ବହୁ ବସ୍ତିବାସିନ୍ଦା ଆହତ ହୁଅନ୍ତି । ଲିନ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା କାମରେ ଲାଗିପଡ଼େ । ଫଳରେ ସେ ବସ୍ତିରେ ଚ଼ିକିତ୍ସକର ମାନ୍ୟତା ପାଇଯାଏ । ଶାନ୍ତାରାମ ମୁମ୍ୱାଇ ବସ୍ତି ଜୀବନରେ ଅଭ୍ୟସ୍ତ ହୋଇପଡ଼େ । ମରାଠୀ ଶିଖିଯାଏ, ସ୍ଥାନୀୟ ସାମାଜିକ ଜୀବନରେ ବେଶ ଖାପ ଖୁଆଇ ଚାଲେ । ଶାନ୍ତାରାମ ମୁମ୍ୱାଇରେ କିଛିକାଳ ସ୍ଥାୟୀଭାବେ ରହିଯାଇଥିବା ବିଭିନ୍ନ ରାଷ୍ଟ୍ରର ନାଗରିକଙ୍କ ସଂସ୍ପର୍ଶରେ ଆସେ । ସୁଇଡ଼ିଶ-ଆମେରିକାନ କାର୍ଲା ନାମ୍ନୀ ମହିଳାଙ୍କ ସହ ପ୍ରେମ ସଂପର୍କ ଗଠି ଉଠେ । ଅପରାଧରୁ ଲିନ ଗୁଜୁରାଣ ମେଣ୍ଟାଏ । ବଲିଉଡ଼ରେ ଏକ୍ସଟ୍ରା ଭାବେ କିଛି ଦିନ ଅଭିନୟ ଦୁନିଆରେ ମଧ୍ୟ କଟାଏ ।

ମୁମ୍ୱାଇ ଅଣ୍ଡର ୱାର୍ଲଡ଼ରେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ସଂପୃକ୍ତ ଲିନ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ପହଞ୍ଚେ । ସୌଭାଗ୍ୟବଶତଃ ଜଣେ ଆଫଗାନସ୍ତାନ ମାଫିଆଙ୍କ ହସ୍ତକ୍ଷେପରେ ସେ ମୁକ୍ତି ପାଏ । ଏଣିକି ବେନିୟମ ବୈଦେଶିକ ମୁଦ୍ରା କାରବାର ଓ ନକଲି ପାସପୋର୍ଟ ପ୍ରସ୍ତୁତିରେ ସଂପୃକ୍ତ ରହି ଆଫଗାନସ୍ତାନ ଯାଇ ସେଠାକାର ମୁଜାହିଦ୍ଦିନ ଗରିଲା ଯୁଦ୍ଧ ଲାଗି ଅସ୍ତ୍ର ଚାଲାଣ ତଦାରଖ କରେ । ତେବେ ମୁମ୍ୱାଇ ଫେରିବା ପରେ ଆଫଗାନସ୍ତାନ ମାଫିଆ ନେତାଙ୍କ ମୃତ୍ୟୁରେ ସେ ଭାଙ୍ଗିପଡ଼େ । ଅପରାଧିକ କାର୍ଯ୍ୟ ଛାଡ଼ି ସତ୍ୟନିଷ୍ଠ ଜୀବନ ଯାପନ କରିବା ନିମନ୍ତେ ସ୍ଥିର କରେ । ମୁମ୍ୱାଇ ଛାଡ଼ି ଶ୍ରୀଲଙ୍କା ଯିବା ପାଇଁ ପ୍ରସ୍ତୁତିରେ ଲାଗିପଡ଼େ । ସେଠାରେ ଉପନ୍ୟାସଟି ସମାପ୍ତ ହୁଏ ।

ଗ୍ରେଗୋରି ଡ଼େଭିଡ଼ ରବର୍ଟ ବାଲ୍ୟକାଳରେ ‘ଗ୍ରେଗୋରି ଜନ ପିଟର ସ୍ମିଥ’ ନାମିତ ହୋଇଥିଲା । ଜନ୍ମ ୧୯୫୨ ମସିହାରେ । ବିବାହ ବିଚ୍ଛେଦ ହେତୁ ଗ୍ରେଗୋରି ଡ଼େଭିଡ଼ ହେରୋଇନ ନିଶାରେ ଅଭ୍ୟସ୍ତ ହୋଇପଡ଼ିଥିଲେ । ନିଶା କିଣିବା ନିମନ୍ତେ ଅର୍ଥ ଯୋଗାଡ଼ କରିବା ଲାଗି ସେ ଚୋରିରେ ମନୋନିବେଶ କରିଥିଲେ । ଆଷ୍ଟ୍ରେଲିଆ ଜେଲରୁ ପଳାୟନ, ଭାରତରେ ଆତ୍ମଗୋପନ ଓ ଜର୍ମାନରେ ଗିରଫ ହୋଇ ପୁଣି ଆଷ୍ଟ୍ରେଲିଆରେ ବନ୍ଦୀ ଜୀବନରେ ସେ ‘ଶାନ୍ତାରାମ’ ଉପନ୍ୟାସ ରଚ଼ନା କରିଥିଲେ । ଉପନ୍ୟାସଟି ଲୋକାଦୃତ ହେବାପରେ ଜଣେ ଲେଖକଭାବେ ଖ୍ୟାତି ବଢ଼ିଥିଲା । ପରବର୍ତ୍ତୀ ଅବସ୍ଥାରେ ୨୦୧୫ରେ ‘ଦି ମାଉଣ୍ଟେନ ସାଡ଼ୋ’ ଓ ୨୦୨୧ରେ ‘ଦି ସ୍ପିରିଚୁଆଲ ପାଥ’ ନାମରେ ଦୁଇଗୋଟି ପୁସ୍ତକ ପ୍ରକାଶ କରିଛନ୍ତି ।

ଗ୍ରେଗୋରି ଡ଼େଭିଡ଼ ରବର୍ଟ ଜଣେ କୃତୀ ଛାତ୍ର ଭାବେ ଜୀବନ ଆରମ୍ଭ କରିଥିଲେ । ସେ ଆଷ୍ଟ୍ରେଲିଆର ଭିକ୍ଟୋରିଆରେ ଦିନବେଳା କାରଖାନାରେ କାମ କରି ରାତିରେ ପଢୁଥିଲେ । ଜଣେ ଲେଖକ ଓ ଶିକ୍ଷକ ହେବା ନିମନ୍ତେ ଆଗ୍ରହୀ ଥିଲେ । ବିବାହ ପରେ ଏକ କନ୍ୟା ସନ୍ତାନର ପିତା ବନିଥିଲେ । ତେବେ ବିବାହ ବିଚ୍ଛେଦ ଓ ଝିଅର ତତ୍ତ୍ୱାବଧାନ ପୂର୍ବତନ ପତ୍ନୀଙ୍କ ହାତକୁ ଚାଲିଯିବାପରେ ଭାଙ୍ଗି ପଡ଼ିଥିଲେ । ଦୁଃଖ ଲାଘବ ନିମନ୍ତେ ହିରୋଇନ ନିଶାଶକ୍ତ ହୋଇପଡ଼ିବା ପରେ ଜୀବନର ଗତିପଥ ବଦଳି ଯାଇଥିଲା । ତେବେ ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ଅପରାଧିକ ଜୀବନରେ ମଧ୍ୟ ସେ ଲେଖାଲେଖି ଜାରି ରଖିଥିଲେ । ମୁମ୍ୱାଇ ଅବସ୍ଥାନ କାଳରେ ଛଦ୍ମନାମରେ ସ୍ଥାନୀୟ ଇଂଲିଶ ସମ୍ୱାଦପତ୍ରରେ ଲେଖୁଥିଲେ । ବନ୍ଦୀ ଜୀବନରୁ ମୁକ୍ତିପରେ ଉପନ୍ୟାସ, ସମ୍ୱାଦପତ୍ର ସ୍ତମ୍ୱ ଲେଖା ସହ ଆଷ୍ଟ୍ରେଲିଆରେ ଏକ ମଲଟି ମିଡ଼ିଆ କମ୍ପାନୀ ଓ ମୁମ୍ୱାଇରେ ଦାତବ୍ୟ ଚିକିତ୍ସା କାର୍ଯ୍ୟକ୍ରମରେ ସଂପୃକ୍ତ ରହିଛନ୍ତି ।

‘ଦି ସ୍ପିରିଚୁଆଲ ପାଥ’ ପୁସ୍ତକରେ ଗ୍ରେଗୋରି ଡ଼େଭିଡ଼ ରବର୍ଟ କିପରି ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହେଲେ ବର୍ଣ୍ଣନା କରିଛନ୍ତି । କାଳୀ ଉପାସନା ସହ ଗୁରୁ ଶ୍ରୀ ପ୍ରବୀର ପ୍ରିୟରଞ୍ଜନ ଭଟ୍ଟଚାର୍ଯ୍ୟାଙ୍କ ଦୀକ୍ଷାଗ୍ରହଣ ଅନୁଭୂତି ତାଙ୍କରି ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରିଛି । ବିଭିନ୍ନ ସାଂସାରିକ ବନ୍ଧନୀରୁ ମୁକ୍ତ ହୋଇ ୨୦୧୫ରୁ ୨୦୨୧ ଯାଏଁ ନିୟମିତ ଦୈନିକ ଦୁଇ ବେଳା ଛଅ ବର୍ଷ ଶଙ୍ଖ ବାଦନରେ ସେ ନିଜକୁ ପୁନଃଆବିଷ୍କାର ଉଦ୍ୟମରତ ବୋଲି ଲେଖିଛନ୍ତି । ‘ଶାନ୍ତାରାମ’ ଔପନ୍ୟାସିକ ୨୦୨୨ ଶେଷପାଦରେ ଆଧ୍ୟାତ୍ମିକତା, ସାହିତ୍ୟ ଓ ସଙ୍ଗୀତର ଦୁନିଆରେ ଦିନ କଟାଉଥିବା ବେଳେ ସୁଦୂର ଅତୀତ ମୁମ୍ୱାଇ ଅପରାଧିକ ଜୀବନର ନାଟ୍ୟ ରୂପାନ୍ତର ବିଶ୍ୱବ୍ୟାପୀ ପ୍ରାୟ ଶହେ କୋଟି ମୋବାଇଲ ଫୋନ, ସ୍ମାର୍ଟ ଟେଲିଭିଜନ ପରଦାରେ ପ୍ରଦର୍ଶନ ଜୀବନର ସତ ମିଛର ହିସାବ ଗଣିଥାଏ ।

Related Post