
ଭୁବନେଶ୍ୱର ତା ): ୧୯ l ୧୨ l (ଆନିସ): ଓଡ଼ିଶା ପରିବେଶ କଂଗ୍ରେସ ର ୧୫ ତମ ଅଧିବେଶନ ଆସନ୍ତା କାଲି ଠାରୁ ଆରମ୍ଭ ହେବ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ର ବିଷୟବସ୍ତୁ ରହିଛି ପରିବେଶ ଓ ଉପକୂଳ l ଜଳ ପୁରୁଷ ଭାବରେ ପରିଚିତ ତଥା ମେଗସାସେ ପୁରସ୍କାର ପ୍ରାପ୍ତ ଡ ରାଜେନ୍ଦ୍ର ସିଂହ ଏହାକୁ ଉଦ୍ଘାଟନ କରିବେ l ଦିକ୍ଷାନ୍ତ ଭାଷଣ ଦେବେ ଗୋଆ ସ୍ଥିତ ଜାତୀୟ ସାମୁଦ୍ରିକ ପ୍ରତିଷ୍ଠାନ ର ପୁରୁଖା ବୈଜ୍ଞାନିକ ଡଃ ପି ଚନ୍ଦ୍ରମୋହନ l ଉଦ୍ଘାଟନୀ ଉତ୍ସବରେ ସଭାପତିତ୍ବ କରିବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଓଡ଼ିଶା ସରକାର ଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା l ଓଡ଼ିଶା ପରିବେଶ କଂଗ୍ରେସ ର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଓ ଲେଖକ ଡ ଅରବିନ୍ଦ ବେହେରା, ପୂର୍ବତନ କୁଳପତି ଡ ବିନାୟକ ରଥ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରଫେସର ସୁରେନ୍ଦ୍ର ନାରାୟଣ ପଶୁପାଳକ, ଏ ଆଇ ଏମ ଏସ ର ପୂର୍ବତନ ନିର୍ଦ୍ଦେଶକ ଡ ଅଶୋକ ମହାପାତ୍ର, ବିଶିଷ୍ଟ ଲେଖକ ଦାସ ବେନହୁର, ସବୁଜ ନୋବେଲ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା, ବିଶିଷ୍ଟ ପରିବେଶ ବିଜ୍ଞାନୀ ସୌମ୍ୟା ଦତ୍ତା, ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗଦାନନ୍ଦ ଙ୍କ ସମେତ ଦେଶ ଓ ବିଦେଶର ୧୫୦ ରୁ ଉର୍ଦ୍ଧ ଗବେଷକ, ପରିବେଶବିତ୍, ବୈଜ୍ଞାନିକମାନେ ଏଥିରେ ଯୋଗ ଦେବେ l
୪୮୦ କିମି ଦୀର୍ଘ ବେଳାଭୂମି ପାଇଁ ଓଡ଼ିଶା ବିଭବଶାଳୀ l ଆମ ରାଜ୍ୟର ଅର୍ଥନୀତି ଓ ପର୍ଯ୍ୟଟନ ତଥା ସାମାଜିକ ଓ ସାଂସ୍କୃତିକ ଜୀବନ ଏହି ଉପକୂଳ ସହିତ ଘନିଷ୍ଟ ଭାବରେ ଜଡ଼ିତ l ମାତ୍ର ଜଳବାୟୁ ପରିବର୍ତ୍ତନ ଆମର ଏହି ବିଭବ ପ୍ରତି ଆଜି ଆହ୍ବାନ ସୃଷ୍ଟି କରିଛି l ଉପକୂଳରେ ଚାଲୁଥିବା ବିକାଶ ପ୍ରକ୍ରିୟା ମଧ୍ୟ ଉପକୂଳର ପରିବେଶ, ଜୀବନ ଜୀବିକା ତଥା ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରୁଛି l ଏହି ସବୁ ଆହ୍ବାନ ଗୁଡ଼ିକୁ କେମିତି ମୁକାବିଲା କରିହେବ ସେ ବିଷୟରେ ତିନି ଦିନ ଧରି ଆଲୋଚନା ହେବ ଏହି ଅଧିବେସନରେ l
ଏହା ସହିତ ପିଲାଙ୍କ ପରିବେଶ କଂଗ୍ରେସ ଆୟୋଜିତ ହେବ ଯେଉଁଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲ୍ ମାନଙ୍କରୁ ୩୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେବେ l ସେମାନଙ୍କ ଭିତରେ ପରିବେଶ କୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ଡ଼ିସେମ୍ବର ୨୧ ତାରିଖରେ l ଏହା ସହିତ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ ଙ୍କ ନେତୃତ୍ୱ ରେ ପରିବେଶ ଓ ବେଳାଭୂମି ଉପରେ ଏକ ଚିତ୍ରଶିଳ୍ପୀ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ l
ପ୍ରକାଶ ଥାଉ କି ଗତ ୧୪ ବର୍ଷଧରି ଏହି ଓଡ଼ିଶା ପରିବେଶ କଂଗ୍ରେସ ପ୍ରତିବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହୋଇ ଆସୁଛି ବିଭିନ୍ନ ବିଶୟବସ୍ତୁ କୁ ନେଇ l ଚଳିତ ବର୍ଷ ୧୫ ତମ ଅଧିବେଶନ ଅନୁଷ୍ଠିତ ହେବ l ଏହାକୁ ସଫଳ କରିବା ପାଇଁ ଓଡ଼ିଶା ପରିବେଶ କଂଗ୍ରେସ ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ, ଆବାହକ ଡ ତମୋଘନl ଆଚାର୍ଯ୍ୟ, ସଂଯୋଜକ ଡ ସୁଧୀର ରାଉତ, ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରମୁଖ ଅନୁରୋଧ ଜଣାଇଛନ୍ତି l

