ଆଜିର ଖାସ ଖବର
Thu. Apr 16th, 2026

କଳିଙ୍ଗ ଷ୍ଟାଡିୟମ୍‌ରେ ଦ୍ୱିତୀୟ ଜେଆରଡି ଟାଟା ହକି ଟୁର୍ଣ୍ଣାମେଣ୍ଟ ୨୦୨୫ ଆରମ୍ଭ

By Admin_Dainkasha Jul25,2025

ଭୁବନେଶ୍ୱର, ୨୪/୦୭/୨୦୨୫: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ଠାରେ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଜେଆରଡି ଟାଟା ହକି ଟୁର୍ଣ୍ଣାମେଣ୍ଟ ୨୦୨୫।
ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର (ଓଏନଟିପିଏଚସି) ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ହକି ଇଣ୍ଡିଆ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଭାରତୀୟ ଉଦ୍ଯୋଗ ଜଗତର ଜଣେ ବିଶିଷ୍ଟ ଉଦ୍ଯୋଗୀ ତଥା ଟାଟା ଷ୍ଟିଲ୍‌ର ପୂର୍ବତନ ଅଧ୍ୟକ୍ଷ ଭାରତରତ୍ନ ଜେଆରଡି ଟାଟାଙ୍କ ୧୨୧ତମ ଜୟନ୍ତୀ ଉପଲକ୍ଷେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜିତ ହୋଇଛି। ଏଥିରେ ଦେଶର ବିଭିନ୍ନ ହାଇ ପରଫରମାନ୍ସ ସେଣ୍ଟର ଏବଂ ଏକାଡେମୀରୁ ୧୨ଟି ପୁରୁଷ ଟିମ୍ ଏବଂ ୪ଟି ମହିଳା ଟିମ୍ ଅଂଶଗ୍ରହଣ କରିଛନ୍ତି।
ଉଦଘାଟନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ହକି ଆସୋସିଏସନର ସାଧାରଣ ସମ୍ପାଦକ ସନାତନ ସାହୁଙ୍କ ସମେତ ବରିଷ୍ଠ ପ୍ରଶିକ୍ଷକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୂର୍ବତନ ଆନ୍ତର୍ଜାତିକ ଖେଳାଳିମାନେ ଉପସ୍ଥିତ ଥିଲେ।
ମହିଳା ଟିମ୍ ମଧ୍ୟରେ ଓଏନଟିଏଚ-ଏଚପିସି, ଷ୍ଟେଟ୍ ସିକ୍ରେଟାରିଏଟ୍‌, ସ୍ପୋର୍ଟ୍ସସ୍ ହଷ୍ଟେଲ୍ ପାନପୋଷ୍ ଏବଂ ସିଆରପିଏଫ୍ ଜଳନ୍ଧର ରହିଛି। ପୁରୁଷ ଟିମକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍-ଏ ରେ ସିଆରପିଏଫ୍ ଜଳନ୍ଧର, ସ୍ପୋର୍ଟ୍ସ ହଷ୍ଟେଲ୍ ପାନପୋଷ୍‌, ଓଡ଼ିଶା ଜୁନିୟର୍ ଏବଂ ଆଇଓବି ଚେନ୍ନାଇ ଟିମ୍ ରହିଥିବା ପୁଲ୍-ବିରେ ଭାରତୀୟ ନୌସେନା, ଓଏନଟିଏଚ-ଏଚପିସି, ଇଣ୍ଡିଆନ୍ ବ୍ୟାଙ୍କ୍ ଏବଂ ଭୁବନେଶ୍ୱର ଏକ୍ସଆଇ ରହିଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟ ରେ ଏକ ରୋମାଂଚକ ଲିଗ୍‌-କମ୍‌-ନକଆଉଟ୍ ଫର୍ମାଟ୍ ରହିଛି। ଲିଗ୍ ମ୍ୟାଚ୍‌ଗୁଡିକ ଜୁଲାଇ ୨୪ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ସେମିଫାଇନାଲ୍ ଜୁଲାଇ ୨୮ରେ ଏବଂ ଜୁଲାଇ ୨୯ ତାରିଖରେ ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହେବ।
ଏହି ଉତ୍ସବପୂର୍ଣ୍ଣ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଛି ଏବଂ ସମସ୍ତ ହକି ପ୍ରେମୀଙ୍କୁ ରୋମାଞ୍ଚକ ମ୍ୟାଚ୍‌ଗୁଡିକୁ ଦେଖିବା ପାଇଁ ଆମନ୍ତ୍ରଣ କରାଯାଉଛି। ଗ୍ରାଣ୍ଡ ଫାଇନାଲ୍ ମ୍ଯାଚ ଅନଲାଇନ୍‌ରେ ଷ୍ଟ୍ରିମ୍ କରାଯିବ। ଯେଉଁଥିରେ ଲାଇଭ୍ ଅପଡେଟ୍‌, ଫିକ୍ସଚର୍ ଏବଂ ଓଏନଟିଏଚଏଚପିସିର ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ ରେ ମ୍ୟାଚ୍ ହାଇଲାଇଟ୍ ଉପଲବ୍ଧ ହେବ।

Related Post