ଭୁବନେଶ୍ୱର, ୦୮/୦୭/୨୦୨୫: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ ୨୦୨୫ର ୫ମ ସଂସ୍କରଣକୁ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି। ଏହି ଅବସରରେ ଭାରତୀୟ ଜୁନିୟର ଟିମର ପୂର୍ବତନ ଉପ-ଅଧିନାୟକ ଦୀପସନ ତିର୍କୀ, କ୍ରୀଡା ବିଭାଗ ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ଏବଂ ଓଡ଼ିଶା ନାଭାଲ ଟାଟା ହକିର ପ୍ରୋଜେକ୍ଟ ଡାଇରେକ୍ଟର ଶ୍ରୀ ରାଜୀବ ସେଠଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଓଡ଼ିଶା ନାଭାଲ ଟାଟା ହକି ହାଇ-ପରଫରମାନ୍ସ ସେଂଟର (ଓଏନଟିଏଚଏଚପିସି) ପକ୍ଷରୁ ଏହି ଚାମ୍ପିଅନସିପ ଆୟୋଜନ କରାଯାଇଛି।
ଏହି ବହୁ ପ୍ରତିକ୍ଷୀତ ତୃଣମୂଳ ହକି ଚାମ୍ପିଅନସିପର ଚୂଡ଼ାନ୍ତ ପର୍ଯ୍ୟାୟ ୨୦୨୫ ଜୁଲାଇ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେଥିରେ ସାରା ଓଡ଼ିଶାରୁ ଚୟନ ହୋଇଥିବା ୧୬ଟି ଶ୍ରେଷ୍ଠ ଦଳ (୮ଟି ବାଳକ ଓ ୮ଟି ବାଳିକା ଦଳ) ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ସୁନ୍ଦରଗଡ଼ର ବଣାଇରେ ଅନୁଷ୍ଠିତ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଏହି ଦଳଗୁଡ଼ିକ ବିଜୟୀ ହୋଇଥିଲେ। କ୍ୱାଲିଫାଇଙ୍ଗ ରାଉଣ୍ଡରେ ୩୨ଟି ବାଳକ ଓ ୩୨ଟି ବାଳିକା ଦଳ ସମେତ ମୋଟ ୬୪ଟି ଦଳ ଭାଗ ନେଇଥିଲେ ଯାହା ଏହି ଟୁର୍ଣ୍ଣାମେଂଟକୁ ଦେଶର ସର୍ବବୃହତ ତୃଣମୂଳ ହକି ଟୁର୍ଣ୍ଣାମେଂଟରେ ପରିଣତ କରିଥିଲା।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ‘ଏହି ଚାମ୍ପିଅନସିପ ଏଭଳି ଏକ ଶ୍ରେଷ୍ଠ ସୁଯୋଗ, ଯାହା ସମସ୍ତଙ୍କ ଭାଗ୍ୟରେ ନଥାଏ। ଆପଣମାନଙ୍କ ଅଭିଭାବକ, ଶିକ୍ଷକଙ୍କ ସହଯୋଗରେ ନାଭାଲ ଟାଟା ହକି ଏଚପିସି ଓ ଓଡ଼ିଶା ସରକାର ପ୍ରଦାନ କରୁଥିବା ଏହି ସୁଯୋଗର ସଫଳ ଉପଯୋଗ କରିଛନ୍ତି। ଶୃଙ୍ଖଳା ବଜାୟ ରଖନ୍ତୁ, କ୍ରୀଡ଼ାକୁ ଉପଭୋଗ କରନ୍ତୁ ଏବଂ ଯଦି ସବୁ କିଛି ଆପଣଙ୍କ ଆଶା ଅନୁସାରେ ହେଉନାହିଁ, ତେବେ ଆଗାମୀ ସଂସ୍କରଣରେ ଦୃଢ଼ ଭାବେ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହୁଅନ୍ତୁ।’’
ଟୁର୍ଣ୍ଣାମେଂଟର ଚୂଡ଼ାନ୍ତ ପର୍ଯ୍ୟାୟରେ ରାଉଣ୍ଡ-ରବିନ ଲିଗ ଫର୍ମାଟ ଗ୍ରହଣ କରାଯିବ ଏବଂ ତା’ ପରେ ନକ୍ ଆଉଟ ପର୍ଯ୍ୟାୟ ଖେଳାଯିବ। ୨୦୨୫ ଜୁଲାଇ ୧୨ରେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ଯାଚ ଅନୁଷ୍ଠିତ ହେବ।
୫ମ ସଂସ୍କରଣରେ ପହଂଚିଥିବା ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ ଭାରତର ସର୍ବବୃହତ ତୃଣମୂଳକ ହକି ଲିଗରେ ପରିଣତ ହୋଇଛି।
ଯୁବ ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଏବଂ ହକି ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ଓଡ଼ିଶାର ରହିଥିବା ପ୍ରତିବଦ୍ଧତାର ଦୃଢ଼ ପ୍ରମାଣ ହେଉଛି ଏହି ଟୁର୍ଣ୍ଣାମେଂଟ। ତୃଣମୂଳସ୍ତରରେ ଏକ ପ୍ରତିଯୋଗିତାପୂର୍ଣ୍ଣ ଫର୍ମାଟ ପ୍ରଦାନ କରି ଏହି ଲିଗ ଏକ ବିଶ୍ୱସ୍ତରୀୟ ହକି ହବରେ ପରିଣତ ହେବା ପାଇଁ ରାଜ୍ୟ ସରକାର ରଖିଥିବା ଲକ୍ଷ୍ୟକୁ ଆଗକୁ ବଢ଼ାଉଛି।

