ଆଜିର ଖାସ ଖବର
Fri. Jun 19th, 2026

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ପ୍ରୟାସ: ଗାଁରୁ ବାହାରି ଜାତୀୟ ସ୍ତରରେ ଚମକୁଛନ୍ତି ଢେଙ୍କାନାଳ ଓ ଅନୁଗୋଳର ଯୁବ ଭଲିବଲ୍ ପ୍ରତିଭା

By Admin_Dainkasha Jun16,2026

ଢେଙ୍କାନାଳ: ପ୍ରତିଭା ଗାଁର ହେଉ କି ସହରର, ଯଦି ତାକୁ ସଠିକ୍ ପ୍ରୋତ୍ସାହନ ଓ ସୁଯୋଗ ମିଳେ, ତେବେ ଗାଁ ଗହଳିର ମାଟି ପଡ଼ିଆରୁ ବାହାରିଥିବା ପିଲାମାନେ ମଧ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଦେଶ ଓ ରାଜ୍ୟର ନାଁ ରଖିପାରିବେ। ଏଭଳି ଏକ ବଡ଼ ଏବଂ ସଫଳ ସ୍ୱପ୍ନର ସୁନ୍ଦର କାହାଣୀ ଏବେ ଓଡ଼ିଶାର ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲାର ଗ୍ରାମାଞ୍ଚଳରେ ଗଢ଼ାହେଉଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସଫ), ମେରାମଣ୍ଡଳୀ ପକ୍ଷରୁ ସ୍ଥାନୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇଁ ଆରମ୍ଭ ହୋଇଥିବା ଏକ ନିଆରା ପ୍ରୟାସ ଏବେ ଅଞ୍ଚଳରେ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ମାତ୍ର କିଛି ଜଣ ପିଲାଙ୍କu ନେଇ ଆରମ୍ଭ ହୋଇଥିବା ଭଲିବଲ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସଫଳତାର ଶୀର୍ଷ ଛୁଇଁବାରେ ଲାଗିଛି।

୩ ବର୍ଷରେ ୧୧ରୁ ୬୬୮ରେ ପହଞ୍ଚିଲେ ଖେଳାଳି

ସୂଚନା ଅନୁଯାୟୀ, ମାତ୍ର ୩ ବର୍ଷ ପୂର୍ବେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମେରାମଣ୍ଡଳୀ ଆନୁକୂଲ୍ୟରେ ମାତ୍ର ୧୧ ଜଣ ଗ୍ରାମୀଣ ପିଲାଙ୍କୁ ନେଇ ଏହି ଭଲିବଲ୍ ଖେଳ ଏବଂ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରାଯାଇଥିଲା। ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଥିବା ଉତ୍ସାହ ଏବଂ ଟିଏସଫର ଉତ୍କୃଷ୍ଟ ପ୍ରଶିକ୍ଷଣ ବ୍ୟବସ୍ଥା ଯୋଗୁଁ ଏହି କାର୍ଯ୍ୟକ୍ରମଟି ଖୁବ୍‌ କମ୍ ସମୟ ମଧ୍ୟରେ ଲୋକପ୍ରିୟ ହୋଇପାରିଛି। ବିଗତ ୩ ବର୍ଷ ମଧ୍ୟରେ ଏଠାକାର ଖେଳାଳିଙ୍କ ସଂଖ୍ୟା ଅଭୂତପୂର୍ବ ଭାବେ ବୃଦ୍ଧି ପାଇ ୧୧ ରୁ ଯାଇ ଏବେ ୬୬୮ ରେ ପହଞ୍ଚିଛି। ଗାଁର କୁନି କୁନି ପିଲାମାନେ ଏବେ ମାଟି ପଡ଼ିଆ ଛାଡ଼ି ବୃତ୍ତିଗତ ଭଲିବଲ୍ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।

୩୫ ପ୍ରତିଭାବାନ ପିଲା ଖେଳିଲେ ଜାତୀୟ ସ୍ତର

ଏହି ଗ୍ରାସରୁଟ୍‌ ବା ତୃଣମୂଳ ସ୍ତରରୁ ବାହାରିଥିବା ଖେଳାଳୀମାନଙ୍କ ମଧ୍ୟରୁ ଅନେକ ଏବେ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ଵ କରି ସାରିଛନ୍ତି। ପ୍ରଶିକ୍ଷଣ ନେଉଥିବା ପିଲାଙ୍କ ମଧ୍ୟରୁ ୩୫ ଜଣ ପ୍ରତିଭାବାନ ଯୁବ ଖେଳାଳି ଆଜି ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ନିଜର ଚମତ୍କାର ପ୍ରଦର୍ଶନ ଦେଖାଇ ସାରିଛନ୍ତି। ସବୁଠାରୁ ଗୌରବର ବିଷୟ ହେଉଛି, ଏହି ୩୫ ଜଣଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ବାଳିକା। ଗ୍ରାମାଞ୍ଚଳର କନ୍ୟାମାନେ ଘରର ଚାରି କାନ୍ଥ ଏବଂ ପାରମ୍ପରିକ ରୀତିନୀତିରୁ ବାହାରି ଆଜି କ୍ରୀଡ଼ା ମଇଦାନରେ ନିଜର ଯାଦୁ ଦେଖାଉଛନ୍ତି ଏବଂ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ଜିଲ୍ଲା ସ୍ତରରୁ ନିଜର ଯାତ୍ରା ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଏହି ଖେଳାଳୀମାନେ ନିଜର ଏକ ସ୍ବତନ୍ତ୍ର ସଫଳ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

ଉଦ୍ଦେଶ୍ୟ: ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ପଦକ ଜିତିବା

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଲକ୍ଷ୍ୟ କେବଳ କିଛି ଖେଳାଳି ସୃଷ୍ଟି କରିବା କିମ୍ବା ପ୍ରଶିକ୍ଷଣ ଦେବା ମଧ୍ୟରେ ସୀମିତ ନୁହେଁ। ବରଂ ଗ୍ରାମାଞ୍ଚଳର ଲୁକ୍କାୟିତ ଓ ହେୟଜ୍ଞାନ କରାଯାଉଥିବା କୁନି କୁନି ପ୍ରତିଭାମାନଙ୍କu ଠିକ୍ ସମୟରେ ଚିହ୍ନଟ କରି ସେମାନଙ୍କୁ ଆଧୁନିକ ଓ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ସେମାନଙ୍କୁ ଭବିଷ୍ୟତର ଷ୍ଟାର୍ ଭାବେ ଗଢ଼ିତୋଳି ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିଅନସିପ୍ ଭଳି ବଡ଼ ମଞ୍ଚରେ ପହଞ୍ଚାଇବା ଏବଂ ଦେଶ ପାଇଁ ପଦକ ଜିତିବାର ସ୍ୱପ୍ନକୁ ସାକାର କରିବା ଦିଗରେ ଫାଉଣ୍ଡେସନ ନିରନ୍ତର କାର୍ଯ୍ୟ କରୁଛି। ଟିଏସଫର ଏହି ଅନନ୍ୟ ପ୍ରୟାସକୁ ଉଭୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କ୍ରୀଡ଼ାପ୍ରେମୀ ଏବଂ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।

Related Post