ଆଜିର ଖାସ ଖବର
Fri. Sep 11th, 2026

ପୁରୁଷ ଜୁନିୟର ଏସିଆ କପ୍ ୨୦୨୬: ଭାରତୀୟ ଦଳରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିର ୬ ଜଣ କ୍ୟାଡେଟ୍‌

By Admin_Dainkasha Aug10,2026

​ଭୁବନେଶ୍ୱର, ୮ ଅଗଷ୍ଟ ୨୦୨୬:
ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନଟିଏଚଏଚପିସି) ପାଇଁ ଆଉ ଏକ ଉପଲବ୍ଧି। ଚୀନ୍‌ର ମୋକିଠାରେ ୩୦ ଅଗଷ୍ଟରୁ ୨୦୦୬ ରୁ ୧୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ପୁରୁଷ ଜୁନିୟର ଏସିଆ କପ୍ ୨୦୨୬’ ପାଇଁ ଭାରତୀୟ ଜୁନିୟର ହକି ଦଳରେ ଓଏନଟିଏଚଏଚପିସିର ୬ ଜଣ କ୍ୟାଡେଟ୍‌ ମନୋନୀତ ହୋଇଛନ୍ତି।
​ସବୁଠାରୁ ଗୌରବର ବିଷୟ ହେଉଛି, ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିର କ୍ୟାଡେଟ୍ ଅନ୍‌ମୋଲ୍ ଏକ୍କାଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କ ସହ ସେଣ୍ଟରର ଅନ୍ୟ ୫ ଜଣ ଖେଳାଳି ବିବେକ ଲକ୍ରା, ରୋହିତ କୁଲ୍ଲୁ, ଅଦ୍ରୋହିତ ଏକ୍କା, ସଞ୍ଜିତ ତିର୍କୀ, ଏବଂ ଆର୍ଯ୍ୟନ ଖେସ୍ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
ଗୋଟିଏ ହାଇ ପରଫରମାନ୍ସ ସେଣ୍ଟରରୁ ୬ ଜଣ ଖେଳାଳି ଜାତୀୟ ଦଳରେ ଚୟନ ହେବା ଏହି ଅନୁଷ୍ଠାନର ଉଚ୍ଚମାନର କ୍ରୀଡ଼ା ଭିତ୍ତିଭୂମି ଓ ତାଲିମ ବ୍ୟବସ୍ଥାର ସଫଳତାକୁ ଦର୍ଶାଉଛି।
​ଏହି ସଫଳତା ସମ୍ପର୍କରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟରର ପ୍ରୋଜେକ୍ଟ ଡାଇରେକ୍ଟର ଶ୍ରୀ ଗୁରମୀତ ସିଂହ ରାଓ କହିଛନ୍ତି,
​”ପୁରୁଷ ଜୁନିୟର ଏସିଆ କପ୍ ପାଇଁ ଭାରତୀୟ ଦଳରେ ଆମ ସେଣ୍ଟରର ୬ ଜଣ କ୍ୟାଡେଟ୍‌ ଚୟନ ହେବା ଅତ୍ୟନ୍ତ ଗୌରବର ବିଷୟ। ସମସ୍ତ ଖେଳାଳିଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ l ବିଶେଷ କରି ଅନ୍‌ମୋଲ୍ ଏକ୍କା ଅଧିନାୟକ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ। ଏହି ସଫଳତା ଆମର ଆଥଲେଟ୍, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ସେଣ୍ଟର ସହ ଜଡ଼ିତ ସମସ୍ତଙ୍କ ବ୍ୟକ୍ତିବିଶେଷଙ୍କ କଠିନ ପରିଶ୍ରମର ଫଳ। ଆମର ଦୃଢ଼ ବିଶ୍ୱାସ, ଚୀନ୍‌ରେ ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବ।”
​ପୁରୁଷ ଜୁନିୟର ଏସିଆ କପ୍ ଏସିଆର ଅନ୍ୟତମ ପ୍ରମୁଖ ଜୁନିୟର ହକି ପ୍ରତିଯୋଗିତା, ଯାହା ଆଗାମୀ ଦିନରେ ନୂଆ ପ୍ରତିଭାମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ମଞ୍ଚ ପ୍ରଦାନ କରିଥାଏ।
​ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ଯୌଥ ଉଦ୍ୟମରେ ଗଠିତ ‘ଓଏନଟିଏଚଏଚପିସି’ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରିବା ସହ ବିଶ୍ୱସ୍ତରୀୟ ତାଲିମ ମାଧ୍ୟମରେ ସେମାନଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରୁଛି।

Related Post