ଆଜିର ଖାସ ଖବର
Fri. Sep 11th, 2026

ଭାରତୀୟ ଜୁନିୟର ମହିଳା ହକି ଟିମ୍‌ରେ ଓଏନ୍‌ଟିଏଚ୍‌ଏଚ୍‌ପିସିର କ୍ୟାଡେଟ୍‌‌ ଏଞ୍ଜିଲ୍ ହର୍ଷାରାଣୀ ମିଞ୍ଜ

By Admin_Dainkasha Aug20,2026

ଭୁବନେଶ୍ୱର, ୧୯/୮/୨୦୨୬: ଚୀନର ମୋକିଠାରେ ଆସନ୍ତା ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏଏଚ୍‌ଏଫ୍ (ଏସୀୟ ହକି ଫେଡେରେସନ) ମହିଳା ଜୁନିୟର ଏସିଆ କପ୍‌-୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ୨୦ ଜଣିଆ ଦଳରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନ୍‌ଟିଏଚ୍‌ଏଚ୍‌ପିସି)ର କ୍ୟାଡେଟ ଗୋଲକିପର ଏଞ୍ଜିଲ୍ ହର୍ଷାରାଣୀ ମିଞ୍ଜ ସ୍ଥାନ ପାଇଛନ୍ତି।

ଭାରତୀୟ ଦଳରେ ହର୍ଷାରାଣୀ ମନୋନୀତ ହେବା, ଓଏନ୍‌ଟିଏଚ୍‌ଏଚ୍‌ପିସି ପାଇଁ ଆଉ ଏକ ବଡ଼ ସଫଳତା। ଏଚ୍‌ପିସିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଖେଳରେ ନିରନ୍ତର ସୁଧାର ଆଣିଥିବା ଏହି ଯୁବ ଗୋଲକିପର ନିଜର ଉନ୍ନତ ପ୍ରଦର୍ଶନ ଯୋଗୁ ଭାରତୀୟ ଦଳରେ ସାମିଲ ହୋଇପାରିଛନ୍ତି।

ଏଏଚ୍‌ଏଫ୍‌ର ମହିଳା ଜୁନିୟର ଏସିଆ କପ୍ ହେଉଛି ଜୁନିୟର ହକି କ୍ଷେତ୍ରରେ ଏସିଆର ଶୀର୍ଷ ଦଳଗୁଡ଼ିକୁ ଏକାଠି କରୁଥିବା ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ। ଏହି ଚାମ୍ପିୟନସିପ୍ ଯୁବ ଭାରତୀୟ ଦଳକୁ ଆନ୍ତର୍ଜାତୀୟସ୍ତରର ଅଭିଜ୍ଞତା ହାସଲ କରିବା ସହ ଜୁନିୟର ହକିର ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ।

ଏ ନେଇ ଓଏନ୍‌ଟିଏଚ୍‌ଏଚ୍‌ପିସିର ପ୍ରକଳ୍ପ ନିର୍ଦ୍ଦେଶକ ଗୁରମିତ୍ ସିଂହ ରାଓ କହିଛନ୍ତି, ” ହର୍ଷାରାଣୀ ଭାରତୀୟ ଦଳରେ ସ୍ଥାନ ପାଇବା ଓଏନ୍‌ଟିଏଚ୍‌ପିସି ପାଇଁ ଏକ ଗର୍ବର ବିଷୟ। କଠିନ ପରିଶ୍ରମ, ଅନୁଶାସନ ଓ ଦୃଢ଼ ସଂକଳ୍ପ ଯୋଗୁ ଆଜି ତାଙ୍କର ଏହି ସ୍ୱପ୍ନ ସତ ହୋଇଛି। ଆମେ ହର୍ଷାରାଣୀ ଏବଂ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭକାମନା ଜଣାଉଛୁ ଏବଂ ସେମାନଙ୍କର ସଫଳତା କାମନା କରୁଛୁ।’

ଓଡ଼ିଶା ସରକାରଙ୍କ ସହଭାଗିତା ଓ ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ପରିଚାଳିତ “ହକି ଏସ୍ ଫାଉଣ୍ଡେସନ୍‌’ (ଏଚ୍‌ଏଏଫ୍‌)ର ଏକ ଅଂଶ ଭାବରେ, ଓଏନ୍‌ଟିଏଚ୍‌ଏଚ୍‌ପିସି ଜାମସେଦପୁରସ୍ଥିତ ନାଭାଲ ଟାଟା ହକି ଏକାଡେମୀ ସହ ମିଶି ଉଦୀୟମାନ ହକି ପ୍ରତିଭାମାନଙ୍କୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି। ବିଶେଷଜ୍ଞଙ୍କ ଦ୍ୱାରା କୋଚିଂ, ଟାକଟିକାଲ ଡେଭଲପମେଣ୍ଟ, ଭିଡିଓ ଆନାଲିସିସ୍ ଏବଂ ଖେଳାଳିଙ୍କ ସମଗ୍ର ବିକାଶ ମାଧ୍ୟମରେ, ଫାଉଣ୍ଡେସନ୍ ଯୁବ ଖେଳାଳିମାନଙ୍କୁ ପ୍ରସ୍ତୁତ କରିବା ସହ କ୍ରମାଗତ ଭାବେ ଭାରତୀୟ ଦଳରେ ପ୍ରତିଭାବାନ ଖେଳାଳି ସାମିଲ କରିବାରେ ସଫଳ ହୋଇଛି।

ଓଏନ୍‌ଟିଏଚ୍‌ଏଚ୍‌ପିସି, ଏଞ୍ଜିଲ୍ ହର୍ଷାରାଣୀ ମିଞ୍ଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଚୀନର ମୋକିଠାରେ ହେବାକୁ ଥିବା ଏଏଚ୍‌ଏଫ୍ ମହିଳା ଜୁନିୟର ଏସିଆ କପ୍ ୨୦୨୬ ରେ ଭାରତୀୟ ଜୁନିୟର ମହିଳା ହକି ଦଳର ସଫଳତା କାମନା କରୁଛି।

Related Post