ଆଜିର ଖାସ ଖବର
Fri. Jun 12th, 2026

ବିଜିୟୁ ପକ୍ଷରୁ ଉଚ୍ଚଶିକ୍ଷାର ଗୁଣବତ୍ତା ଉପରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ଇଣ୍ଟରନାଲ୍ କ୍ୱାଲିଟି ଆସୁରାନ୍ସ ସେଲ୍ (ଆଇକ୍ୟୁଏସି) ଆନୁକୂଲ୍ୟରେ “ଉଚ୍ଚଶିକ୍ଷାରେ ଗୁଣବତ୍ତାର ପୁନର୍ବିନ୍ୟାସ: ନବୋନ୍ମେଷ, ମାନ୍ୟତା ଏବଂ ବିଶ୍ୱସ୍ତରୀୟ ପ୍ରତିସ୍ପର୍ଦ୍ଧା’ ଶୀର୍ଷକ ଏକ ଜାତୀୟ ସେମିନାର ଆୟୋଜିତ ହୋଇଯାଇଛି, ଯେଉଁଥିରେ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏକ ପରିବର୍ତ୍ତନଶୀଳ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଶିକ୍ଷାବିତ୍ ଓ ଜାତୀୟସ୍ତରର ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ।

ଉଦ୍‌‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା  ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଆଇଏଏସ୍‌, କହିଥିଲେ ଯେ ସ୍ୱାଧୀନତା ପରଠାରୁ ଭାରତ ନିଜକୁ ସ୍ଥିର ଭାବେ ଗଢ଼ି ତୋଳିଛି, କିନ୍ତୁ ବର୍ତ୍ତମାନ ଆମକୁ ଆଗାମୀ ୫୦ ରୁ ୧୦୦ ବର୍ଷ ପାଇଁ ଶିକ୍ଷାର ଉନ୍ନତି ଦିଗରେ ଏକ ଦୂରଦୃଷ୍ଟିସମ୍ପନ୍ନ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ହେବ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଏକକାଳୀନ ଦ୍ୱିତୀୟ ଡିଗ୍ରୀ କାର୍ଯ୍ୟକ୍ରମ ଏବଂ ଛଅ ମାସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍‌‌କୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ  କାର୍ଯ୍ୟକାରୀ କରାଯିବା ନେଇ ଆହ୍ୱାନ କରିଥିଲେ। ଯାହା ଶିକ୍ଷାର୍ଥୀମାନଙ୍କୁ ଶିଳ୍ପ-ଉପଯୋଗୀ କରିବା ପାଇଁ ଏକ ଶ୍ରେଷ୍ଠ ପଦକ୍ଷେପ ହେବ ବୋଲି ଅଭିହିତ କରିଥିଲେ ।

ସେହିପରି ବିଜିୟୁର କୁଳପତି ପ୍ରଫେସର କୁଳଭୂଷଣ ବଲୁନି ନିଜ ବକ୍ତବ୍ୟରେ କହିଥିଲେ ଯେ, ଭାରତୀୟ ଅନୁଷ୍ଠାନଗୁଡ଼ିକୁ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁସରଣ କରିବାକୁ ହେବ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଓ ପ୍ରୟାସର ଆବଶ୍ୟକତା ରହିଛି।

ବିଜିୟୁ ରେଜିଷ୍ଟ୍ରାର ଡ. ବି.କେ. ଦାସ ଶିକ୍ଷାର ଗୁଣବତ୍ତା ଅନୁଷ୍ଠାନର ଶ୍ରେଷ୍ଠତାକୁ ପ୍ରତିଫଳିତ କରେ ବୋଲି କହିବା ସହ ନବୋନ୍ମେଷ ଓ ସାମାଜିକ ପ୍ରତିବଦ୍ଧତା ଉପରେ ବିଶ୍ୱବିଦ୍ୟାଳୟର ପ୍ରୟାସ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସେମିନାର ଆବାହକ ତଥା ଆଇକ୍ୟୁଏସି ନିର୍ଦ୍ଦେଶକ ଡ. ମଣିଦତ୍ତ ରାୟ କାର୍ଯ୍ୟକ୍ରମର ଅତିଥିଙ୍କୁ ସ୍ବଗତ ସମ୍ଭାଷଣ ପ୍ରଦାନ କରିବା ସହ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।

Related Post