ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ)ର ବିର୍ଲା ସ୍କୁଲ୍ ଅଫ୍ ଲ’ ପକ୍ଷରୁ “ମାନବ ଅଧିକାର ଓ ଅଭିବ୍ୟକ୍ତି ସ୍ୱାଧୀନତାରେ ସମ୍ପ୍ରତିକ ଆହ୍ୱାନ, ସମସ୍ୟା ଓ ସୁଯୋଗ” ବିଷୟରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି।
ଉଦ୍ଘାଟନୀ ସମାରୋହରେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ତଥା ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ମାନବାଧିକାର କମିଶନର ପୂର୍ବତନ ସଦସ୍ୟ ଅସୀମ ଅମିତାଭ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ନ୍ୟାସନାଲ ଲ’ ୟୁନିଭରସିଟି ଓଡ଼ିଶାର ରେଜିଷ୍ଟ୍ରାର ପ୍ରଫେସର ଡ଼. ରଙ୍ଗିନ ପଲ୍ଲବ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଅଭିଭାଷଣ ରଖିଥିଲେ।
ଏହି ସମ୍ମିଳନୀ ଆଧୁନିକ ପରିପ୍ରେକ୍ଷୀରେ ମାନବ ଅଧିକାର ସମସ୍ୟାବଳୀ ଏବଂ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଗଭୀର ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରିଛି।
ମୁଖ୍ୟ ଅତିଥି ଜଷ୍ଟିସ ଷଡ଼ଙ୍ଗୀ କହିଥିଲେ, “ଆମେ ନିଜ ଅଧିକାର ବିଷୟରେ କହିବା ବେଳେ ଅନ୍ୟମାନଙ୍କ ଅଧିକାର ଯେପରି କ୍ଷୂର୍ଣ୍ଣ ନ ହୁଏ ଏହା ମଧ୍ୟ ଧ୍ୟାନ ଦେବା ଉଚିତ।”
ପ୍ରଫେସର ତ୍ରିପାଠୀ କହିଥିଲେ, “ବାକ୍ ସ୍ୱାଧୀନତା ହେଉଛି ଏକ କାର୍ଯ୍ୟକ୍ଷମ ଗଣତନ୍ତ୍ରର ମୂଳଦୁଆ। ଏହା ସୁସ୍ଥ ସମାଲୋଚନାକୁ ଉତ୍ସାହିତ କରେ ଏବଂ ପ୍ରଗତିକୁ ତ୍ୱରାନ୍ୱିତ କରେ।”
ଶ୍ରୀ ଅସୀମ ଅମିତାଭ ଦାସ କହିଥିଲେ, “ସୋସିଆଲ ମିଡିଆ, କୃତ୍ରିମ ବୁଦ୍ଧିମତା ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟା ଭଳି ନୂତନ ଆହ୍ୱାନଗୁଡ଼ିକ ମାନବାଧିକାରର ଆଉ ଏକ ନୂତନ ପରିଧି ପ୍ରତି ପରିଚୟ କରାଇଥାଏ।”
ବିଜିୟୁର କୁଳପତି ପ୍ରଫେସର କୁଲଭୂଷଣ ବଲୁନି କହିଥିଲେ, “ଶହେ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ନ୍ୟାୟପାଳିକା ହେଉଛି ଆଶାର ଏକ ସ୍ତମ୍ଭ, ଯାହା ଉପରେ ଅଧିକାରର ସୁରକ୍ଷା ଏବଂ ଏକ ନ୍ୟାୟପୂର୍ଣ୍ଣ ତଥା ସମାନତା ଭିତ୍ତିକ ସମାଜ ଗଠନର ଦାୟିତ୍ୱ ନ୍ୟସ୍ତ ଅଛି।”
ସମ୍ମିଳନୀରେ ବିର୍ଲା ସ୍କୁଲ୍ ଅଫ୍ ଲ’ର ଡିନ୍ ପ୍ରଫେସର ଡ଼. ଏସ୍.କେ. ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ବିଜିୟୁର ରେଜିଷ୍ଟ୍ରାର ପ୍ରଫେସର ଡ଼. ବି.କେ. ଦାସ ଆରମ୍ଭିକ ଭାଷଣ ଦେଇ ସମ୍ମିଳନୀର ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

