ଆଜିର ଖାସ ଖବର
Wed. Apr 15th, 2026

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ଉତ୍କଳ ଦିବସ ଓ ୧୦ମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଉତ୍କଳ ଦିବସ ସହିତ ୧୦ମ ସ୍ଥାପନା ଦିବସ ଉତ୍ସାହ ଓ ଗରିମାର ସହ ପାଳନ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକମଣ୍ଡଳୀ, କର୍ମଚାରୀ ଓ ବିଶିଷ୍ଟ ଅତିଥିମାନଙ୍କର ସକ୍ରିୟ ଉପସ୍ଥିତି ଦେଖାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ପୂର୍ବତନ ସଚିବ, ଆଇଏଏସ (ଅବସରପ୍ରାପ୍ତ) ଡ଼. ପି. କେ. ମିଶ୍ର ଯୋଗଦେଇଥିଲେ। ଅତିଥି ସମ୍ମାନିତ ଭାବେ ଜେଏସଟି ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଉପଦେଷ୍ଟା ଓ ମାନବ ସମ୍ବଳ ମୁଖ୍ୟ ଅନିଲ କୁମାର ସିହ୍ନା ଏବଂ ଏଡ୍‌ଷ୍ଟାର୍ଟସର ଫାଉଣ୍ଡର-ସିଇଓ ଓ ମଣିପାଲ ଏଡ୍ୟୁକେସନ୍ ଆଣ୍ଡ ମେଡିକାଲ୍ ଗ୍ରୁପ୍ ଇଣ୍ଡିଆର ଉପଦେଷ୍ଟା ଅର୍ଜୁନ ମୋହନ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଭାବେ ଅଭିଭାଷଣ ଦେଇ ଡ଼. ପି. କେ. ମିଶ୍ର କହିଥିଲେ, “ଯଦି ଆମେ ନୂତନ ପିଢିକୁ ସଠିକ ଦିଗଦର୍ଶନ ଦେଇପାରିବା, ତେବେ ଦେଶ ସଠିକ ମାର୍ଗରେ ଅଗ୍ରସର ହେବ।”

ଏହି ସନ୍ଦର୍ଭରେ ଅର୍ଜୁନ ମୋହନ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (AI) ର ବୃଦ୍ଧିଶୀଳ ପ୍ରଭାବ ଉପରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିମୂଖୀ କୌଶଳ ଅର୍ଜନରେ ଗୁରୁତ୍ୱ ଦେବାକୁ ପ୍ରେରିତ କରିଥିଲେ। ଅନିଲ କୁମାର ସିହ୍ନା ବିଜିୟୁର ଅତ୍ୟାଲ୍ପ ସମୟରେ ପୂର୍ବ ଭାରତରେ ଗଢ଼ିଉଠିଥିବା ସ୍ୱତନ୍ତ୍ର ପରିଚୟକୁ ପ୍ରଶଂସା କରି ଏହା ଭବିଷ୍ୟତରେ ବିଶ୍ୱ ମଞ୍ଚରେ ନିଶ୍ଚିତ ଭାବେ ସ୍ଥାନ ପାଇବ ବୋଲି ଆଶା ବ୍ୟକ୍ତ କରିଥିଲେ।

ସଭାକୁ ସମ୍ବୋଧନ କରି ବିଜିୟୁର କୁଳପତି ପ୍ରଫେସର କୁଲଭୂଷଣ ବଲୁନୀ ବିଶ୍ୱବିଦ୍ୟାଳୟର ଦଶବର୍ଷୀୟ ସଫଳ ଯାତ୍ରା ଉପରେ ଆଲୋକପାତ କରି କହିଥିଲେ ଯେ, ପ୍ରଯୁକ୍ତିନିର୍ଭର ଶିକ୍ଷା, ନବୀନତା ଓ ଗୁଣାତ୍ମକ ଶିକ୍ଷା ଦ୍ୱାରା ବିଜିୟୁ ଆଗାମୀଦିନରେ ନୂତନ ମାଇଲସ୍ଟୋନ୍ ସୃଷ୍ଟି କରିବ।

କାର୍ଯ୍ୟକ୍ରମର ଆରମ୍ଭରେ ବିଜିୟୁର ରେଜିଷ୍ଟ୍ରାର ଡ଼. ବି. କେ. ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଗତ ଦଶକର ଯାତ୍ରା ଓ ଶିକ୍ଷା କ୍ଷେତ୍ରର ପରିବର୍ତ୍ତନଶୀଳ ପରିଦୃଶ୍ୟ ଉପରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ୧୦ ବର୍ଷର ସେବା ପୂରଣ କରିଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇ ସଂସ୍ଥାର ଉନ୍ନତିରେ ସେମାନଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା। ଶେଷରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ଗାୟନ ସହିତ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା।

Related Post