ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଓ ଆଡଫ୍ୟାକ୍ଟର୍ସ ପିଆର ମିଳିତ ସହଯୋଗରେ “ରିଇମାଜିନିଙ୍ଗ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟ ଇନ୍ ଏ ଡାଟା-ଡ୍ରିଭେନ୍, ପ୍ଲାଟଫର୍ମ ଇକୋନୋମି’ ଶୀର୍ଷକକୁ ନେଇ ମାର୍ଚ୍ଚ ୧୯ ଏବଂ ୨୦, ୨୦୨୬ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ସମ୍ମିଳନୀରେ ଆଡଫ୍ୟାକ୍ଟର୍ସ ପିଆରର ନିର୍ଦ୍ଦେଶକ ଡ଼. ସମୀର କପୁର ମୁଖ୍ୟ ଅତିଥି ଏବଂ ଆଇଆଇଏମ କୋଝିକୋଡ୍ର ହ୍ୟୁମାନିଟିଜ୍ ଏଣ୍ଡ୍ ଲିବରାଲ୍ ଆର୍ଟସ ବିଭାଗର ସହଯୋଗୀ ପ୍ରଫେସର ଡ଼. ଅନୁପମ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବାଲୁନୀ କାର୍ଯ୍ୟକ୍ରମରେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ।
ଆବାହକ ତଥା ସହକାରୀ ପ୍ରଫେସର ସୁରେଶ କୁମାର ଗୋଲ୍ଲେ ଉଦ୍ଘାଟନୀ ସମାରୋହରେ ସ୍ୱାଗତ ଭାଷଣ ଦେଇଥିଲେ। ଡିନ୍ ଡ଼. ଶିବ ଶଙ୍କର ଦାସ, ତଥ୍ୟ ଅଧାରିତ ଯୋଗାଯୋଗର ବଢୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।
ନିଜର ଅଭିଭାଷଣରେ ଡ଼. ଅନୁପମ ଦାସ, ବ୍ୟକ୍ତିଗତ ଏବଂ ପୂର୍ବାନୁମାନ ଭିତ୍ତିକ ଯୋଗାଯୋଗକୁ ସକ୍ଷମ କରିବାରେ ତଥ୍ୟର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ସୂଚନାର ବହୁଳତା ନିଷ୍ପତ୍ତି ଗ୍ରହଣ କରିବାରେ କିପରି ଦ୍ବନ୍ଦ ସୃଷ୍ଟି କରିଥାଏ, ସେଥିପ୍ରତି ସତର୍କ କରାଇଥିଲେ। ଡ଼. ସମୀର କପୁର କୃତ୍ରିମ ବୁଦ୍ଧିମତା ଦ୍ବାରା ପରିଚାଳିତ ସଂଳାପ-ଭିତ୍ତିକ ଯୋଗାଯୋଗର ଅଭ୍ୟୁଦୟ ଉପରେ ଗୁରୁତ୍ୱାରୋପ କରି ସୂଚାଇଥିଲେ ଯେ, ବର୍ତ୍ତମାନ ଦ୍ରୁତ ପରିବେଷଣ ଅପେକ୍ଷା ସଠିକତା ଏବଂ ବିଶ୍ୱାସନୀୟତା ଅଧିକ ଜରୁରୀ। ପ୍ରଫେସର ବାଲୁନି ସୋସିଆଲ ମିଡିଆ ଯୁଗରେ ଜ୍ଞାନ ସମ୍ବଳିତ ଯୋଗାଯୋଗର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ସମ୍ମିଳନୀର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ‘ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟ’ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସମାରୋହ ଶେଷରେ ଡ଼. ଜ୍ଞାନରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

