ଆଜିର ଖାସ ଖବର
Fri. Sep 18th, 2026

ପଥପ୍ରାନ୍ତ ନାଟକ ମାଧ୍ୟମରେ ସୌର ଶକ୍ତିର ସଚେତନତା କରୁଛି ଟିପିଏସ୍ଓଡିଏଲ୍

By Admin_Dainkasha Sep18,2026
Tata Power’s Southern Odisha DISCOM Takes Solar Awareness to the Last Mile Through Nukkad Natak
Tata Power’s Southern Odisha DISCOM Takes Solar Awareness to the Last Mile Through Nukkad Natak

ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୬: ପାରମ୍ପରିକ ପ୍ରଚାର ମାଧ୍ୟମଠାରୁ ଆଗକୁ ବଢ଼ି ଛାତ ଉପରେ ସୌର ଶକ୍ତି ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ଆଠଟି ଜିଲ୍ଲାରେ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଉଛି । ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ (ୟୁଏଲ୍‌ଏ) ମଡେଲ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଗ୍ରାମପଞ୍ଚାୟତ, ଗାଁ, ଜନଜାତି ଅଞ୍ଚଳ, ଦୁର୍ଗମ ସ୍ଥାନ ଏବଂ ସହରାଞ୍ଚଳର ଲୋକଙ୍କ ନିକଟରେ ଛାତ ଉପରେ ସୌର ଶକ୍ତି ବ୍ୟବହାରର ଲାଭ, ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସିଧାସଳଖ ସୂଚନା ପହଞ୍ଚାଯାଉଛି।

ଲୋକଙ୍କ ନିକଟରେ ସହଜରେ ସୂଚନା ପହଞ୍ଚାଇବା ପାଇଁ ପଥପ୍ରାନ୍ତ ନାଟକକୁ ଏହି ଅଭିଯାନର ଏକ ପ୍ରମୁଖ ମାଧ୍ୟମ କରାଯାଇଛି। ପ୍ରଶିକ୍ଷିତ କଳାକାରମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଏଥିପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ନାଟକ ପରିବେଷଣ କରୁଛନ୍ତି। ଓଡ଼ିଆ ଭାଷା ସହ ସ୍ଥାନୀୟ ଲୋକମାନେ ସହଜରେ ବୁଝୁଥିବା ଭାଷାରେ ନାଟକ ପରିବେଷଣ କରାଯାଉଛି। ନିତିଦିନିଆ ଚରିତ୍ର, ଦୈନନ୍ଦିନ ଜୀବନର ଘଟଣା, ହାସ୍ୟରସ, ସଙ୍ଗୀତ ଓ ସଂଳାପ ମାଧ୍ୟମରେ ଛାତ ଉପରେ ସୌର ଶକ୍ତି ସ୍ଥାପନର ଲାଭକୁ ସରଳ ଓ ସହଜ ଭାବରେ ବୁଝାଯାଉଛି ।

କୋରାପୁଟର କୁନ୍ଦ୍ରା, ଗଞ୍ଜାମର ପାତ୍ରପୁର ଭଳି ଅଞ୍ଚଳ ସମେତ ଅନେକ ଗ୍ରାମୀଣ ଓ ଦୁର୍ଗମ ସ୍ଥାନରେ ଏହି ଟିମ୍‌ଗୁଡ଼ିକ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ଅର୍ଥାତ୍‌, ଲୋକମାନେ ନିଜେ ସୂଚନା ଖୋଜିବା ପାଇଁ ଅପେକ୍ଷା ନକରି ଟିପିଏସ୍ଓଡିଏଲ୍‌ର ଟିମ୍ ସେମାନଙ୍କ ନିକଟକୁ ଯାଇ ସୂଚନା ଦେଉଛି।

ଏହି ଅଭିଯାନ ଦକ୍ଷିଣ ଓଡ଼ିଶାର ସମସ୍ତ ଆଠଟି ଜିଲ୍ଲା—ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କନ୍ଧମାଳ, ବୌଦ୍ଧ ଓ ଗଞ୍ଜାମରେ ଚାଲୁ ରହିଛି । ଏହି ଅଭିଯାନ ଅଧୀନରେ ମୋଟ ୨୫୦ଟି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଉଛି।

ଗ୍ରାମାଞ୍ଚଳର ଲୋକମାନେ ଦିନର କାମ ସାରିବା ପରେ ଯେତେବେଳେ ସାଧାରଣତଃ ଏକାଠି ହୁଅନ୍ତି, ସେହି ସମୟକୁ ଦୃଷ୍ଟିରେ ରଖି ନାଟକଗୁଡ଼ିକ ମୁଖ୍ୟତଃ ସନ୍ଧ୍ୟା ସମୟ ଓ ଅନ୍ୟାନ୍ୟ ଅବସର ସମୟରେ ଆୟୋଜନ କରାଯାଉଛି । ନାଟକ ଆରମ୍ଭ ପୂର୍ବରୁ ଗାଁ ଲୋକଙ୍କୁ ଏକାଠି କରାଯାଉଛି । ଏହା ଦ୍ୱାରା ଲୋକମାନେ କେବଳ ନାଟକ ଦେଖୁନାହାନ୍ତି, ବରଂ ଏହି ଅଭିଯାନର ଟିମ୍ ସହ ସିଧାସଳଖ କଥା ହୋଇ ନିଜର ପ୍ରଶ୍ନର ଉତ୍ତର ମଧ୍ୟ ପାଇପାରୁଛନ୍ତି । ନାଟକ ସହିତ ସୂଚନା, ଶିକ୍ଷା ଓ ଯୋଗାଯୋଗ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଉଛି । ଏହା ଦ୍ୱାରା ଆଗ୍ରହୀ ଉପଭୋକ୍ତାମାନେ ସମସ୍ତ ସୂଚନା ପାଇବା ସହିତ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଜାଣିପାରୁଛନ୍ତି ।

ଜନସୁରକ୍ଷା, ପଶୁ ସୁରକ୍ଷା, ବେଆଇନ ଭାବେ ବିଦ୍ୟୁତ ତାର ଯୋଡ଼ି ବିଦ୍ୟୁତ ବ୍ୟବହାର ରୋକିବା, ବିଦ୍ୟୁତ ସୁରକ୍ଷା, ଶକ୍ତି ସଂରକ୍ଷଣ ଏବଂ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲ୍ ପୂର୍ବରୁ ମଧ୍ୟ ପଥପ୍ରାନ୍ତ ନାଟକର ବ୍ୟାପକ ବ୍ୟବହାର କରିଆସିଛି। ୨୦୨୪ରେ କୋରାପୁଟ ଓ ଗଞ୍ଜାମର ବିଭିନ୍ନ ଗାଁରେ ଟିପିଏସ୍ଓଡିଏଲ୍‌ର ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇ ହଜାର ହଜାର ଲୋକଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଯାଇଥିଲା ।

ପଥପ୍ରାନ୍ତ ନାଟକ ଲୋକଙ୍କ ପାଇଁ ଏକ ସିଧାସଳଖ ଓ ଜୀବନ୍ତ ଅନୁଭୂତି ସୃଷ୍ଟି କରେ । ଦର୍ଶକମାନେ ଚରିତ୍ରମାନଙ୍କ ସହ ଯୋଡ଼ି ହୋଇ ପାରନ୍ତି, ସେମାନଙ୍କ କଥା ଶୁଣିପାରନ୍ତି ଏବଂ ନିଜ ଦୈନନ୍ଦିନ ଜୀବନରେ ତାହା ବୁଝିପାରନ୍ତି। ଏଥିସହିତ ସେମାନେ ତୁରନ୍ତ ନିଜର ସନ୍ଦେହ ମଧ୍ୟ ଦୂର କରିପାରନ୍ତି। ବିଶେଷକରି ଗ୍ରାମୀଣ ଓ ଜନଜାତି ଅଞ୍ଚଳରେ ଭାଷା, ସାକ୍ଷରତା, ଡିଜିଟାଲ୍ ସୁବିଧା ଏବଂ ଭୌଗୋଳିକ ଦୂରତା ଯୋଗୁଁ ପାରମ୍ପରିକ ଯୋଗାଯୋଗ ମାଧ୍ୟମ ସବୁବେଳେ ସମାନ ଭାବେ ପ୍ରଭାବୀ ହୋଇନପାରେ। ଏଭଳି ସ୍ଥିତିରେ ପଥପ୍ରାନ୍ତ ନାଟକ ଲୋକଙ୍କ ପାଖରେ ସହଜ ଭାବରେ ସୂଚନା ପହଞ୍ଚାଇବାର ଏକ ପ୍ରଭାବଶାଳୀ ମାଧ୍ୟମ ହୋଇପାରେ।

ଟିପିଏସ୍ଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ପଥପ୍ରାନ୍ତ ନାଟକ କେବଳ ଏକ ସଚେତନତା କାର୍ଯ୍ୟକ୍ରମ ନୁହେଁ; ଏହା ସମୁଦାୟ ସହ ସିଧାସଳଖ କଥାବାର୍ତ୍ତାର ଏକ ମାଧ୍ୟମ । ପ୍ରଶିକ୍ଷିତ କଳାକାରମାନେ ଯେତେବେଳେ ଲୋକମାନେ ବୁଝୁଥିବା ଭାଷାରେ, ସେମାନଙ୍କ ଦୈନନ୍ଦିନ ଜୀବନର ପରିଚିତ ଘଟଣାକୁ ନେଇ କଥା କୁହନ୍ତି, ସେତେବେଳେ ଏକ ଜଟିଳ ବିଷୟ ମଧ୍ୟ ସରଳ ଓ ସହଜରେ ବୁଝିହୁଏ । ଆମେ ପୂର୍ବରୁ କରିଥିବା ଜନସୁରକ୍ଷା ଓ ପଶୁ ସୁରକ୍ଷା ଅଭିଯାନରେ ଏହି ମାଧ୍ୟମର ପ୍ରଭାବ ଦେଖିଛୁ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଓ ୟୁଏଲ୍‌ଏ ମଡେଲ୍ ଉପରେ ହେଉଥିବା ଏହି ନାଟକ ମାଧ୍ୟମରେ ଆମର ଉଦ୍ଦେଶ୍ୟ ହେଉଛି ସୌର ଶକ୍ତି ସମ୍ପର୍କରେ ସଚେତନତାକୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଜନଜାତି ଓ ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ଯେପରି ସ୍ୱଚ୍ଛ ଶକ୍ତି ବ୍ୟବହାରର ଏହି ପରିବର୍ତ୍ତନରୁ ବାଦ୍ ପଡ଼ିବେ ନାହିଁ, ତାହା ସୁନିଶ୍ଚିତ କରିବା।”

ଟିପିଏସ୍ଓଡିଏଲ୍‌ର ଏହି ଗ୍ରାମୀଣସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସହିତ ଛାତ ଉପରେ ସୌର ଶକ୍ତି ବ୍ୟବହାର ବଢ଼ାଇବା ପାଇଁ କମ୍ପାନୀର ବ୍ୟାପକ ପ୍ରୟାସ ମଧ୍ୟ ଜାରି ରହିଛି । ଛାତ ଉପରେ ସୌର ଶକ୍ତି ବ୍ୟବହାରକୁ ବଢ଼ାଇବା ପାଇଁ ଟିପିଏସ୍ଓଡିଏଲ୍‌ର ବ୍ୟାପକ ସଚେତନତା ଓ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇସି) କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଏହି ଅଭିଯାନ ଚାଲିଛି । ଏହା ମଧ୍ୟରେ ଘରକୁ ଘର ବୁଲି ସଚେତନତା, ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ପ୍ରଚାର, ସୋଲାର ରଥ, ସଚେତନତା ଷ୍ଟଲ୍, ବିକାଶ ମେଳା, ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଏବଂ ଉପଭୋକ୍ତାଙ୍କୁ ସହାୟତା ଭଳି କାର୍ଯ୍ୟକ୍ରମ ରହିଛି ।

ଲଗାତାର ଚାଲିଥିବା ଏହି ସଚେତନତା ଅଭିଯାନର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ବିଶେଷ ଭାବେ ଦେଖିବାକୁ ମିଳୁଛି। ଛାତ ଉପରେ ସୌର ଶକ୍ତି ବ୍ୟବହାର କ୍ଷେତ୍ରରେ ଗଞ୍ଜାମ ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି।

ପଥପ୍ରାନ୍ତ ନାଟକ ମାଧ୍ୟମରେ ଟିପିଏସ୍ଓଡିଏଲ୍‌ର ଲକ୍ଷ୍ୟ ହେଉଛି ସଚେତନତାକୁ ଆଲୋଚନାରେ, ଆଲୋଚନାକୁ ସଠିକ୍ ସୂଚନା ଆଧାରିତ ନିଷ୍ପତ୍ତିରେ ଏବଂ ସେହି ନିଷ୍ପତ୍ତିକୁ ଛାତ ଉପରେ ସୌର ଶକ୍ତିର ବ୍ୟବହାରରେ ପରିଣତ କରିବା । ଏହା ମାଧ୍ୟମରେ ସ୍ୱଚ୍ଛ ଶକ୍ତିର ବାର୍ତ୍ତା କେବଳ ପ୍ରଚାର ମାଧ୍ୟମରେ ସୀମିତ ନରହି, ସିଧାସଳଖ ଲୋକଙ୍କ ନିକଟରେ ଏବଂ ସେମାନଙ୍କ ଅଞ୍ଚଳରେ ପହଞ୍ଚିପାରିବ ।

Related Post