ଗଣମାଧ୍ୟମ ପରିଧିରେ ଟେଲିଭିଜନର ମୁଖ୍ୟ ପ୍ରତିଦ୍ୱନ୍ଦୀଭାବେ ଓଭର-ଦି-ଟପ ଓଟିଟି ମଞ୍ଚ ମୁଣ୍ଡ ଟେକୁଥିବା ସାଧାରଣରେ ବିଶ୍ୱାସ କରାଯାଏ । ବିଶେଷତଃ, ମହାମାରୀଜନିତ ଜନପଦ ବନ୍ଦ ‘ଲକଡ଼ାଉନ’ ଅବସରରେ ଓଟିଟି ମଞ୍ଚଗୁଡ଼ିକରେ ଦର୍ଶକ ସଂଖ୍ୟା ବୃଦ୍ଧି କାରଣରୁ ଓଟିଟି ମଞ୍ଚ ଆୟ ମଧ୍ୟ ବୃଦ୍ଧି ପାଇଥିବା ଅନୁମାନ ଯୁକ୍ତିଯୁକ୍ତ । ତେବେ ୨୦୨୦ ଜାନୁୟାରୀରୁ ଜୁନ ଛଅମାସର ବ୍ୟାବସାୟିକ ବିଶ୍ଳେଷଣରେ ସାଧାରଣରେ ଆକଳନ କରାଯାଉଥିବା ହିସାବରେ ଅନେକ କ୍ଷେତ୍ରରେ ବିପରୀତ ଚ଼ିତ୍ର ଦେଖିବାକୁ ମିଳେ ।
ପ୍ରଥମତଃ, ଭାରତରେ ଟେଲିଭିଜନ ୨୦୨୦ ମଧ୍ୟଭାଗ ସୁଦ୍ଧା ସର୍ବାଧିକ ପ୍ରଭାବଶାଳୀ ମଞ୍ଚର ମାନ୍ୟତା ଦାବୀ କରେ । ପ୍ରାୟ ୧୯ କୋଟି ୭୦ ଲକ୍ଷ ପରିବାରରେ ଟେଲିଭିଜନ ସେଟ ଉପଲବ୍ଧ ଥିବା ସ୍ଥଳେ ଦର୍ଶକ ସଂଖ୍ୟା ୮୩ କୋଟି ୬୦ ଲକ୍ଷ ଯାଏଁ ବ୍ୟାପ୍ତ । ଟେଲିଭିଜନ ପ୍ରସାରଣ ବାର୍ଷିକ ୭୯ ହଜାର କୋଟି ଟଙ୍କା ବ୍ୟବସାୟ କରିଥାଏ ।
‘ଡ଼ିସନି ଷ୍ଟାର’, ‘ଜୀ’, ‘ଭାୟାକମ ୧୮’, ‘ସନ’ ଓ ‘ସୋନି’ ଦେଶର ପାଞ୍ଚଗୋଟି ମୁଖ୍ୟ ଟେଲିଭିଜନ ମଞ୍ଚ । ଏହି ମଞ୍ଚ ଗୁଡ଼ିକରେ ମୋଟ ଦର୍ଶକଙ୍କ ମଧ୍ୟରୁ ପ୍ରାୟ ୬୩ ପ୍ରତିଶତ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି ଏବଂ ବ୍ୟାବସାୟିକ ରାଜସ୍ୱର ଅର୍ଦ୍ଧାଧିକ ସେମାନଙ୍କ ଭାଗକୁ ଯାଇଥାଏ । ‘ଡ଼ିସନି ଷ୍ଟାର’ର ବାର୍ଷିକ ରାଜସ୍ୱ ପ୍ରାୟ ୧୮ ହଜାର କୋଟି ଟଙ୍କା ହିସାବ କରାଯାଏ । ଅପରପକ୍ଷେ ଭାରତରେ ଓଟିଟି ମଞ୍ଚଗୁଡ଼ିକର ବ୍ୟବସାୟ ମାତ୍ର ଆଠ ହଜାର କୋଟି ଟଙ୍କାରେ ସୀମିତ । ‘ୟୁଟ୍ୟୁବ’ର ରାଜସ୍ୱ ତିନି ହଜାର କୋଟି ହିସାବ କରାଯାଉଥିବା ସ୍ଥଳେ ‘ଆମେଜନ ପ୍ରାଇମ ଭିଡ଼ିଓ’ ୧,୫୦୦ କୋଟି, ‘ଡ଼ିସନି ହଟଷ୍ଟାର’ ୧,୧୧୩ କୋଟି ଓ ‘ନେଟଫ୍ଲିକ୍ସ’ ୭୫୦ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥାନ୍ତି । ଅତଏବ ଓଟିଟି ମଞ୍ଚଗୁଡ଼ିକର ଆୟଠାରୁ ଟେଲିଭିଜନର ଆୟ ପ୍ରାୟ ଦଶ ଗୁଣ ଅଧିକା ଏବଂ ଅପେକ୍ଷାକୃତ ଲାଭଜନକ ପ୍ରମାଣିତ ।
ଦ୍ୱିତୀୟତଃ, ଲକଡାଉନ ସମୟସୀମାରେ ଓଟିଟି ମଞ୍ଚଗୁଡ଼ିକର ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି ନାହିଁ । ଦର୍ଶକ ସଂଖ୍ୟା ହିସାବରେ ୨୦୧୯ ଡ଼ିସେମ୍ୱର ସୁଦ୍ଧା ଓଟିଟି ମଞ୍ଚରେ ୩୯ କୋଟି ୫୦ ଲକ୍ଷ ଦର୍ଶକ ଉପସ୍ଥିତ ଥିବା ସ୍ଥଳେ ୨୦୨୦ ଜୁନରେ ମଧ୍ୟ ଦର୍ଶକ ସଂଖ୍ୟା ସେତିକିରେ ଅଟକିଛି । ଅବଶ୍ୟ ଲକଡ଼ାଉନ ଅବଧିରେ ପ୍ରାୟ ଦୁଇ କୋଟି ୧୦ ଲକ୍ଷ ଅଧିକ ଦର୍ଶକ ଓଟିଟି ମଞ୍ଚ ଗୁଡ଼ିକର ଗ୍ରାହକଶ୍ରେଣୀଭୁକ୍ତ ହୋଇଛନ୍ତି । ଲକଡ଼ାଉନ ପୂର୍ବରୁ ଓଟିଟି ଗ୍ରାହକ ସଂଖ୍ୟା ଏକ କୋଟି ଥିବା ସ୍ଥଳେ ୨୦୨୦ ଜୁନ ଶେଷରେ ତିନି କୋଟି ୧୦ ଲକ୍ଷରେ ପହଞ୍ଚିଛି ।
‘ମିଡ଼ିଆ ପାର୍ଟନର୍ସ ଏସିଆ’ର ହିସାବ ଅନୁଯାୟୀ ଭାରତରେ ଓଟିଟି ମଞ୍ଚ ରାଜସ୍ୱ ଅଭିବୃଦ୍ଧି ହାର ଅତୀତରେ ୩୦ ରୁ ୪୦ ପ୍ରତିଶତ ରହି ଆସିଥିବା ସ୍ଥଳେ ୨୦୨୦ରେ ୯ ପ୍ରତିଶତରେ ସୀମିତ ରହିବ । ମହାମାରୀରେ ବ୍ୟାବସାୟିକ ମାନ୍ଦାବସ୍ଥା କାରଣରୁ ସାମଗ୍ରୀକଭାବେ ଗଣମାଧ୍ୟମରେ ବିଜ୍ଞାପନ ବ୍ୟୟ ପ୍ରଭାବିତ ହୋଇଥିବା ସ୍ଥଳେ ଓଟିଟି ମଞ୍ଚଗୁଡ଼ିକ ମଧ୍ୟ ପ୍ରଭୂତ ପରିମାଣରେ ବିଜ୍ଞାପନ ପ୍ରଦର୍ଶନ ହରାଇବାକୁ ବାଧ୍ୟ ହୋଇଛି ଏବଂ ସେହି କାରଣରୁ ରାଜସ୍ୱହାନୀ ଘଟିବା ସ୍ୱାଭାବିକ ।
ଓଟିଟି ମଞ୍ଚରେ ‘ୟୁଟ୍ୟୁବ’ ସର୍ବପ୍ରଥମେ ୨୦୦୮ରେ ଭାରତରେ ପ୍ରସାରଣ ଆରମ୍ଭ କରିଥିଲା । ୨୦୨୦ ଜୁନ ମାସ ସୁଦ୍ଧା ‘ୟୁଟ୍ୟୁବ’ ସର୍ବାଧିକ ୩୮ କୋଟି ୮୦ ଲକ୍ଷ ଦର୍ଶକ ଅକ୍ତିଆର କରିଥିବା ସ୍ଥଳେ ତାପରକୁ ‘ଟାଇମ୍ସ ଅଫ ଇଣ୍ଡିଆ’ ସମ୍ୱାଦପତ୍ର ପ୍ରକାଶକ ‘ଟାଇମ୍ସ ଗୃପ’ର ‘ଏମଏକ୍ସ ପ୍ଲେୟାର’ ୧୪ କୋଟି ୮୦ ଲକ୍ଷ ଏବଂ ‘ଡ଼ିସନି + ହଟଷ୍ଟାର’ ୭ କୋଟି ୪୦ ଲକ୍ଷ ମାସିକ ଦର୍ଶକ ହିସାବ କରାଯାଏ ।
ଭାରତରେ ସମୁଦାୟ ଓଟିଟି ମଞ୍ଚ ଦର୍ଶକ ସଂଖ୍ୟାର ୯୮ ପ୍ରତିଶତ ‘ୟୁଟ୍ୟୁବ’ ଉପଭୋକ୍ତା । ଓଟିଟି ମଞ୍ଚ ଲୋକପ୍ରିୟତା ତାଲିକାରେ ‘ୟୁଟ୍ୟୁବ’, ‘ଏମଏକ୍ସ ପ୍ଲେୟାର’ ଓ ‘ଡ଼ିସନି + ହଟଷ୍ଟାର’ ପରକୁ ‘ଆମେଜନ ପ୍ରାଇମ ଭିଡ଼ିଓ’, ‘ଜୀ ୫’, ‘ନେଟଫ୍ଲିକ୍ସ’, ‘ସୋନି ଲିଭ’, ‘ଭୂତ’ ଓ ‘ଆଲଟି ବାଲାଜୀ’ର ସ୍ଥାନ । ୨୦୨୦ ଜୁନ ସୁଦ୍ଧା ଦେଶରେ ପ୍ରାୟ ୬୦ ଗୋଟି ଓଟିଟି ମଞ୍ଚ କାର୍ଯ୍ୟକ୍ଷମ । ୨୦୧୫ ବେଳକୁ ଉପଲବ୍ଧ ମାତ୍ର ୧୫ ଗୋଟି ଓଟିଟି ମଞ୍ଚର ଚାରିଗୁଣ ବୃଦ୍ଧି ତଥା ଆଞ୍ଚଳିକ ଭାଷାଗୁଡ଼ିକରେ ପ୍ରବେଶ ଭବିଷ୍ୟତ ଅଗ୍ରଗତିର ସୂଚ଼ନା ଦେଉଥିଲେହେଁ ମହାମାରୀ-ପର ପରିବେଶରେ ବିଜ୍ଞାପନ ଆୟ ହାନୀ କାରଣରୁ କେତେକ ଓଟିଟି ମଞ୍ଚ ପରସ୍ପର ମଧ୍ୟରେ ମିଶ୍ରଣ ‘କନସଲିଡ଼େଟ’ ହେବା ଆଶଙ୍କା ଦେଖାଦେଇଥାଏ ।
ତୃତୀୟତଃ, ଟେଲିଭିଜନ ତୁଳନାରେ ଗୁଣାତ୍ମକ କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ଓଟିଟି ମଞ୍ଚ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦୃଷ୍ଟିକୁ ଆସିଥାଏ । ମୌଳିକ କାର୍ଯ୍ୟକ୍ରମ ‘ଓରିଜିନାଲସ’ ପ୍ରସ୍ତୁତି ବାବଦରେ ଓଟିଟି ମଞ୍ଚଗୁଡ଼ିକ ପକ୍ଷରୁ ୨୦୧୭ରେ ୧,୬୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସ୍ଥଳେ ‘ମିଡ଼ିଆ ପାର୍ଟନର୍ସ ଏସିଆ’ର ହିସାବରେ ୨୦୧୯ରେ ଦୁଇ ଗୁଣ ପ୍ରାୟ ୪,୩୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଟେଲିଭିଜନ ଦର୍ଶକମାନଙ୍କୁ ଓଟିଟି ମଞ୍ଚ ମୁହାଁ କରିବାରେ ଏଭଳି ବିପୁଳ ନିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଶ୍ୱାସ କରାଯାଏ ।
ଭାରତରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ପ୍ରାୟ ଏକ ରକମ କାର୍ଯ୍ୟକ୍ରମ ପ୍ରଯୋଜନାରେ ସଂପୃକ୍ତ ରହୁଥିବା, ବିବିଧତା ପ୍ରତି ଅଣଦେଖା କରୁଥିବା ତଥା ସ୍ୱତନ୍ତ୍ର ଶ୍ରେଣୀର ଦର୍ଶକଙ୍କ ରୁଚ଼ି ଉପଯୋଗୀ ହୋଇପାରୁନଥିବା ସ୍ଥଳେ ଓଟିଟି ମଞ୍ଚଗୁଡ଼ିକ ମୌଳିକତା ଓ ସ୍ୱତନ୍ତ୍ରତା ପ୍ରତି ଗୁରୁତ୍ୱ ଆରୋପ କରି ଦର୍ଶକୀୟ ସ୍ୱୀକୃତି ହାସଲ ନିମନ୍ତେ ଉଦ୍ୟମ କରୁଥିବା ଲକ୍ଷ୍ୟ କରାଯାଏ ।
ଚତୁର୍ଥତଃ, ଇଣ୍ଟରନେଟ ସଂଯୁକ୍ତି ଓ ସ୍ମାର୍ଟଫୋନ ସହ ସ୍ମାର୍ଟ ଟେଲିଭିଜନ ବ୍ୟବହାର ବୃଦ୍ଧି ଓଟିଟି ମଞ୍ଚ ପ୍ରସାର ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରୁଛି । ଭାରତରେ ୨୦୨୦ ଜୁନ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୬୬ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ସ୍ମାର୍ଟ ଟେଲିଭିଜନ ଉପଭୋକ୍ତାଙ୍କ ସଂଖ୍ୟା ଦୁଇ କୋଟିରେ ପହଞ୍ଚିଛି । ଲକଡ଼ାଉନ ଅବଧିରେ ଅଧିକାଂଶ ଟେଲିଭିଜନ ଚ୍ୟାନେଲରେ ନୂଆ କାର୍ଯ୍ୟକ୍ରମ ପ୍ରଦର୍ଶିତ ନ ହୋଇପାରୁଥିବା ଅବସରରେ ସ୍ମାର୍ଟ ଟେଲିଭିଜନ ଉପଭୋକ୍ତାମାନେ ଓଟିଟି ମଞ୍ଚର କାର୍ଯ୍ୟକ୍ରମ ଟେଲିଭିଜନ ପରଦାରେ ଦେଖିବା ଆରମ୍ଭ କରିଥିଲେ । କ୍ରମଶଃ ତାହା ଅଭ୍ୟାସରେ ପରିଣତ ହେଉଥିବା ବନିତା କୋହଲି ଖଣ୍ଡେକରଙ୍କ ଭଳି ବିଶ୍ଳେଷକମାନେ ମତ ପ୍ରକାଶ କରିଥାନ୍ତି ।
ପଞ୍ଚମତଃ, ଭାରତୀୟ ଗଣମାଧ୍ୟମରେ ମୁଦ୍ରଣ, ଟେଲିଭିଜନ, ରେଡ଼ିଓ ଓ ୱେବପୋର୍ଟାଲ ସହ ଓଟିଟି ମଞ୍ଚ ମଧ୍ୟ ବିଜ୍ଞାପନ ଆଶ୍ରିତ ମଡ଼େଲରେ ବିକଶିତ ହୋଇଥିବା ହେତୁ ମହାମାରୀ ଅବସରରେ ବ୍ୟବସାୟଜନିତ ମାନ୍ଦାବସ୍ଥାରେ ବିଜ୍ଞାପନ ବ୍ୟୟ କମି ଆସିଥିବା ସ୍ଥଳେ ଓଟିଟି ମଞ୍ଚର ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହୋଇଛି । ଓଟିଟି ମଞ୍ଚ ନିମନ୍ତେ ଗ୍ରାହକଚାନ୍ଦା-ଆଶ୍ରିତ ମଡ଼େଲର ଭରପୁର ସୁଯୋଗ ରହିଥିଲେ ହେଁ ପ୍ରାଥମିକ ଅବସ୍ଥାରେ ଅଧିକ ଦର୍ଶକ ସୃଷ୍ଟି ନିମନ୍ତେ ବିଜ୍ଞାପନ-ଆଶ୍ରିତ ହୋଇପଡ଼ିବା ପରବର୍ତ୍ତୀ ପର୍ଯ୍ୟାୟରେ ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିଛି । ବ୍ୟାବସାୟିକ ମାନ୍ଦାବସ୍ଥା ଓ ତତ୍ ଜନିତ ବିଜ୍ଞାପନ ବ୍ୟୟ ହ୍ରାସ ଦୀର୍ଘଦିନ ଧରି ବଳବତ୍ତର ରହିବା ଆକଳନ କରାଯାଉଥିବା ସ୍ଥଳେ ଓଟିଟି ମଞ୍ଚକୁ ଗ୍ରାହକ ସଂଖ୍ୟା ବୃଦ୍ଧିର ପରିମାଣକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପଡ଼ିବ ।
ଟେଲିଭିଜନ ଓ ଓଟିଟି ଦୁଇ ପୃଥକ ମଞ୍ଚ ବିବେଚ଼ିତ ହେଉଥିଲେ ହେଁ ଭାରତରେ ପରସ୍ପର ଉପରେ ଅଧିକ ନିର୍ଭରଶୀଳଥିବା ପ୍ରମାଣିତ । ଏକ ପକ୍ଷରେ ଏଠାରେ ବହୁ ସଂଖ୍ୟକ ଓଟିଟି ମଞ୍ଚ ମୁଖ୍ୟତଃ ଟେଲିଭିଜନ ସଂସ୍ଥାଗୁଡ଼ିକ ଦ୍ୱାରା ବିକଶିତ ଏବଂ ଅପରପକ୍ଷରେ ଓଟିଟି ମଞ୍ଚରେ ବ୍ୟାପକ ପରିମାଣରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥାଏ । ସ୍ମାର୍ଟଫୋନ, କମ୍ପ୍ୟୁଟର ଓ ଟେଲିଭିଜନ ପରଦାରେ ‘ଭିଡ଼ିଓ-ଅନ-ଡ଼ିମାଣ୍ଡ’ ଅର୍ଥାତ ପୂର୍ବ ପ୍ରସାରିତ କାର୍ଯ୍ୟକ୍ରମ ପୁନଃପ୍ରଦର୍ଶନ ନିମନ୍ତେ ଦର୍ଶକମାନଙ୍କ ଦ୍ୱାରା ଓଟିଟି ମଞ୍ଚଗୁଡ଼ିକ ବ୍ୟାପକ ମାତ୍ରାରେ ବ୍ୟବହୃତ ହେଉଥିବା ହେତୁ ନିକଟ ଭବିଷ୍ୟତରେ ଓଟିଟି ଓ ଟେଲିଭିଜନ ମଧ୍ୟରେ ନୂତନ ସମୀକରଣ ଆଶା କରାଯାଇପାରେ ।
