ଆନ୍ତର୍ଜାତିକସ୍ତରରେ ଡ଼ିଜିଟାଲ ସମ୍ୱାଦ କ୍ଷେତ୍ରରେ ଅଗ୍ରଣୀ ଯୁକ୍ତରାଷ୍ଟ୍ର ଆମେରିକାର ‘ବଜଫିଡ଼ ନିଉଜ’ କ୍ରମଶଃ ଅପସାରଣ କରାଯାଉଥିବା ୨୦୨୩ ଏପ୍ରିଲ ଦ୍ୱିତୀୟାର୍ଦ୍ଧରେ ଘୋଷିତ ହୋଇଥିଲା । ‘ବଜଫିଡ଼’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୋନା ପାରେଟି ବ୍ୟାବସାୟିକ ମାନ୍ଦାବସ୍ଥା କାରଣରୁ ଟେକ ସଂସ୍ଥାରେ କର୍ମଚାରୀ ଛଟେଇ ଅପରିହାର୍ଯ୍ୟ ହୋଇପଡ଼ିଥିବା ସ୍ଥଳେ ସମ୍ୱାଦ ମଞ୍ଚଟିକୁ ବନ୍ଦ କରିବା ବ୍ୟତୀତ ଅନ୍ୟପନ୍ଥା ନଥିବା ସୂଚାଇଥିଲେ ।
ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଶେଷଭାଗରେ ପାଶ୍ଚାତ୍ୟ ଭୂଖଣ୍ଡରେ ସାମାଜିକ ଗଣମାଧ୍ୟମର ଲୋକପ୍ରିୟତାକୁ ଲକ୍ଷ୍ୟ ରଖି ଦ୍ୱିତୀୟ ଦଶକ ପ୍ରାରମ୍ଭରେ ‘ବଜଫିଡ଼ ନିଉଜ’ ଏକ ସାମାଜିକ ଗଣମାଧ୍ୟମ-ଆଶ୍ରିତ ସମ୍ୱାଦ ମଞ୍ଚ ରୂପେ ବିକଶିତ ହୋଇଥିଲା । କିନ୍ତୁ ଦ୍ୱିତୀୟ ଦଶକ ଶେଷ ବେଳକୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଲୋକପ୍ରିୟତା ହରାଇ ବସୁଥିବା ଅବସରରେ ‘ବଜଫିଡ଼ ନିଉଜ’ ମଧ୍ୟ ସମଦଶାର ସମ୍ମୁଖୀନ ହେବାରେ ଲାଗିଲା । ଶେଷରେ ଡ଼ିଜିଟାଲ ସମ୍ୱାଦ ମଞ୍ଚଟିକୁ ବନ୍ଦ କରିଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା ।
ପ୍ରଥମତଃ, ‘ବଜଫିଡ଼ ନିଉଜ’ ଏକ ଡ଼ିଜିଟାଲ ସମ୍ୱାଦମଞ୍ଚ, ଦ୍ୱିତୀୟତଃ ଆନ୍ତର୍ଜାତିକସ୍ତରରେ ପରିବ୍ୟାପ୍ତ, ତୃତୀୟତଃ ସାମାଜିକ ଗଣମାଧ୍ୟମକୁ ଆଶ୍ରାକରି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ବ୍ୟାବସାୟିକ ମଡ଼େଲ, ଚ଼ତୁର୍ଥତଃ ଅନୁସନ୍ଧାନମୂଳକ ସାମ୍ୱାଦିକତାକୁ ଗୁରୁତ୍ୱ ‘ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମ’ ଏବଂ ପଞ୍ଚମତଃ ପ୍ରସିଦ୍ଧି ଲାଭ କରିଥିବା ସାମ୍ୱାଦିକଙ୍କୁ ନିଯୁକ୍ତି ଭଳି ନୀତି ‘ବଜଫିଡ଼ ନିଉଜ’ ଅବଲମ୍ୱନ କରିଥିବା ସ୍ଥଳେ ସମ୍ୱାଦ ମଞ୍ଚ ରୂପେ ତିଷ୍ଠି ରହିବାରେ ବିଫଳତା ସମକାଳୀନ ସାମ୍ୱାଦିକତାର ଗତିପ୍ରକୃତି ସଂପର୍କରେ ପ୍ରଶ୍ନବାଚ଼ୀ ସୃଷ୍ଟି କରିଥାଏ ।
ପାଶ୍ଚାତ୍ୟ ଭୂଖଣ୍ଡରେ ସାମାଜିକ ଗଣମାଧ୍ୟମ ଯେଉଁ ବେଗରେ ପରିବ୍ୟାପ୍ତ ହୋଇଥିଲା, ସେହି ଧାରାକୁ ଗଣମାଧ୍ୟମର ଭବିଷ୍ୟତ ରୂପେ ଅନେକ ଧରିନେଇଥିଲେ । ଅବଶ୍ୟ ଚର୍ଚ୍ଚିତ ଦଶ ବର୍ଷ ମଧ୍ୟରେ ସାମାଜିକ ଗଣମାଧ୍ୟମ ବଜାର ସଉଦା, ମନୋରଞ୍ଜନ ଠାରୁ ସାମାଜିକ ଆନ୍ଦୋଳନ ବା ନିର୍ବାଚନ ପ୍ରତ୍ୟେକ କ୍ଷେତ୍ରରେ ଯେଉଁଭଳି ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥିଲା ଏବଂ ଯେତେ ସଂଖ୍ୟକ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିପାରୁଥିଲା, ସେଥିରେ ଏହି ଭଳି ଆକଳନରେ ସନ୍ଦେହର ଅବକାଶ ନଥିଲା ।
ହୁଏତ ଦୁଇ ଶହ ବର୍ଷ ପୂର୍ବେ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ପ୍ରବର୍ତ୍ତିତ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲ ଉଭୟ ସାମାଜିକ ଗଣମାଧ୍ୟମ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ ଅନୁସରଣ କରିଥିବା ହେତୁ ବିଜ୍ଞାପନ ଅଭାବରେ ଉଭୟ କ୍ଷତିଗ୍ରସ୍ତ ହେଲେ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଓ ତୃତୀୟ ଦଶକ ସନ୍ଧିକାଳରେ ମହାମାରୀ ପ୍ରଭାବରେ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା । ବିଭିନ୍ନ ସୂଚ଼କାଙ୍କ ଆଧାରରେ ବିଜ୍ଞାପନ ବ୍ୟୟ ବୃଦ୍ଧି ଆକଳନ କରାଯାଉଥିଲେହେଁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚରୁ ଉପଭୋକ୍ତା ଅପସାରଣ ସହ ବିଜ୍ଞାପନ ଆୟ ମଧ୍ୟ ନୂତନ ଗଣମାଧ୍ୟମ ମଞ୍ଚ ମୁହାଁ ହେଉଥିବା ସୁସ୍ପଷ୍ଟ । ଏହି ପରିବେଶରେ କେତେକ ଗଣମାଧ୍ୟମ ମଞ୍ଚ ନିଶ୍ଚିନ୍ନ ହୋଇଯିବା ଯୁକ୍ତିଯୁକ୍ତ । ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଠିକ ଏହି କାରଣରୁ ପଶ୍ଚିମ ଭୂଖଣ୍ଡରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅକାଳ ମୃତ୍ୟୁର ଶୀକାର ହୋଇଥିବା ସ୍ଥଳେ ସେହି ଧାରା ଡ଼ିଜିଟାଲ ମଞ୍ଚକୁ ମଧ୍ୟ ସଂକ୍ରମିତ ହୋଇଛି ।
‘ବଜଫିଡ଼ ନିଉଜ’ ୨୦୧୧ ଡ଼ିସେମ୍ୱର ମାସରେ ଆରମ୍ଭ ହୋଇଥିଲା । ଅନ୍ୟତମ ଡ଼ିଜିଟାଲ ମଞ୍ଚ ‘ପଲିଟିକୋ’ରେ ଅବସ୍ଥାପିତ ଖ୍ୟାତନାମା ସାମ୍ୱାଦିକ ବେନ ସ୍ମିଥଙ୍କୁ ‘ବଜଫିଡ଼ ନିଉଜ’ର ମୁଖ୍ୟ ସଂପାଦକଭାବେ ନିଯୁକ୍ତ କରାଯାଇଥିଲା । ଏହି ମଞ୍ଚରେ ୨୦୧୬ ସୁଦ୍ଧା ୨୦ ଜଣ ଚର୍ଚ୍ଚିତ ଅନୁସନ୍ଧାନଧର୍ମୀ ସାମ୍ୱାଦିକ ସହ ମୋଟ ୧୦୦ ଜଣ ସାମ୍ୱାଦିକ ନିଯୁକ୍ତ ଥିଲେ । ଆନ୍ତର୍ଜାତିକ ସମ୍ୱାଦ ପରିବେଷଣରେ ଉତ୍କର୍ଷ ଲାଗି ୨୦୨୧ରେ ପୁଲିଜର ପୁରସ୍କାର ପାଇଥିଲା । ଏହି ମଞ୍ଚରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୮ ସୁଦ୍ଧା ପ୍ରତି ମାସରେ ପାଞ୍ଚ କୋଟି ଯାଏଁ ଦର୍ଶକ ‘ୟୁନିକ ମନ୍ଥଲି ରିଡ଼ର୍ସ’ ପହଞ୍ଚୁଥିଲେ । ତେବେ ସମ୍ପାଦକୀୟ ଓ ବ୍ୟାବସାୟିକ ବିଫଳତା କାରଣରୁ ୨୦୧୯ରେ ୧୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ମୁଖ୍ୟ ସଂପାଦକ ବେନ ସ୍ମିଥ ୨୦୨୦ରେ ‘ବଜଫିଡ଼ ନିଉଜ’ରୁ ଇସ୍ତଫା ଦେଇ ‘ଦି ନ୍ୟୂୟର୍କ ଟାଇମ୍ସ’ରେ ଗଣମାଧ୍ୟମ ସମୀକ୍ଷକ ଭାବେ ଯୋଗ ଦେଇଥିଲେ ।
ଏହି ଘଟଣାକ୍ରମରୁ ବେଶ ଅନୁମାନ କରାଯାଇପାରେ ଯେ ମହାମାରୀ-ପୂର୍ବାବସ୍ଥାରୁ ‘ବଜଫିଡ଼ ନିଉଜ’ ବିଫଳତାର ସ୍ୱାଦ ଅନୁଭବ କରିସାରିଥିଲା । ଉଭୟ ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲ ଆଶାନୁରୂପକ ସଫଳତା ହାସଲ କରିପାରିନଥିଲା । ଆନ୍ତର୍ଜାତିକସ୍ତରରେ ଏକ ସମ୍ୱାଦ ମଞ୍ଚ ଗଢ଼ି ତୋଳିବା ନିମନ୍ତେ ସୃଜନ, ସମୟ ଓ ନିବେଶ ହୁଏତ ପର୍ଯ୍ୟାପ୍ତ ହୋଇପାରିଲା ନାହିଁ । ଅନୁସନ୍ଧାନମୂଳକ ସାମ୍ୱାଦିକତା କ୍ଷଣିକ ଚାଞ୍ଚଲ୍ୟ ଖେଳାଇ ଦେଇପାରେ, କିନ୍ତୁ ତାହା ସାମ୍ୱାଦିକତାର ମୌଳିକ ଉପାଦାନ ଭାବେ ବିଚାର କରାଯାଇପାରେନା । ସାମ୍ୱାଦିକତାରେ ଦୃଷ୍ଟିଆକର୍ଷଣକାରୀ ଘଟଣାର ବିବରଣୀ ବର୍ଣ୍ଣନା ସୃଜନ-ଆଶ୍ରିତ । ସୃଜନରେ ପରାକାଷ୍ଠା ହିଁ ସାମ୍ୱାଦିକତାର ଦୀର୍ଘସ୍ଥାୟୀ ପ୍ରଭାବର କାରଣ । ସେହିପରି ବୈଷୟିକ କୌଶଳକୁ ଭିତ୍ତିକରି ସାମ୍ୱାଦିକତା ତିଷ୍ଠି ପାରିବ ନାହିଁ । କାରଣ ବୈଷୟିକ ଉଦ୍ଭାବନର ଅନ୍ତ ନାହିଁ । ଉପଭୋକ୍ତାବର୍ଗ ଉତ୍କଣ୍ଠା ଓ ପ୍ରବାହ ‘ଟ୍ରେଣ୍ଡ’ର ଜାଲରେ ଗୋଟିଏ ମଞ୍ଚରେ ପହଞ୍ଚିବା ପରେ ଅନ୍ୟ ମଞ୍ଚକୁ ଲମ୍ପ ପ୍ରଦାନ ସ୍ୱତଃସିଦ୍ଧ । ମୁଦ୍ରିତ ‘ନିଉଜ ବୁକ’ରୁ ‘ସର୍ଟ ଭିଡ଼ିଓ’ ଏକ ଦୀର୍ଘ ଯାତ୍ରା । କିନ୍ତୁ ଏଥିରେ ବିରାମ ନାହିଁ ।
‘ବଜଫିଡ଼ ନିଉଜ’ ୱେବସାଇଟରେ ସମ୍ୱାଦ ମଞ୍ଚଟିର ନୀତି ନିର୍ଦ୍ଧାରଣ ‘ମିସନ’ରେ ଲେଖା ଯାଇଥିଲା ପ୍ରଥମତଃ ସମ୍ୱାଦମଞ୍ଚରେ ଉପଭୋକ୍ତାଙ୍କ ଋଚି ଅନୁଯାୟୀ ସମ୍ୱାଦ ପରିବେଷିତ ହେବ । ଦ୍ୱିତୀୟତଃ, ବୃହତ ଅନୁଷ୍ଠାନଗୁଡ଼ିକ ଆନୁକୂଲ୍ୟରେ ସଂଘଟିତ ଅନୁଚ଼ିତ ଘଟଣାବଳୀ ଲୋକଲୋଚନକୁ ଅଣାଯିବ । ତୃତୀୟତଃ, ଜନଜୀବନରେ ଅନ୍ୟାୟର ପର୍ଦ୍ଦାଫାସ କରାଯିବ । ଏହି ନୀତି ମୁଖ୍ୟତଃ ଲକ୍ଷ୍ୟବଦ୍ଧ ସାମ୍ୱାଦିକତା ‘ଏଜେଣ୍ଡା ସେଟିଂ ଏଡ଼ିଟୋରିଆଲ ପଲିସି’କୁ ବୁଝାଇଥାଏ । ଅର୍ଥାତ, ସଂପାଦକ ଯେଉଁ ଘଟଣାବଳୀ ପ୍ରଚାରଯୋଗ୍ୟ ବିବେଚନା କରିବେ, ତାହା ପ୍ରକାଶିତ ହେବ । ସାମ୍ୱାଦିକତାରେ ଏହି ସଂକୁଚ଼ିତ ଦୃଷ୍ଟିକୋଣ ବିଫଳ ହେବା ଅର୍ଥ ଏହା ଉନ୍ନତ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ ନୁହ ବୋଲି କୁହାଯାଇପାରେ ।
‘ବଜଫିଡ଼ ନିଉଜ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୋନା ପାରେଟି ୨୦୦୫ରେ ‘ଦି ହଫିଙ୍ଗଟନ ପୋଷ୍ଟ’ର ସହ-ପ୍ରତିଷ୍ଠାତା ଥିଲେ । ଡ଼ିଜିଟାଲ ସମ୍ୱାଦ ମଞ୍ଚଭାବେ ଖୁବ କମ ସମୟ ମଧ୍ୟରେ ପୋଷ୍ଟ ଲୋକପ୍ରିୟତା ହାସଲ କରିଥିଲା । ତେବେ ୨୦୧୧ରେ ସମ୍ୱାଦ ମଞ୍ଚଟିର ମାଲିକାନା ପରିବର୍ତ୍ତିତ ହେବାପରେ ଜୋନା ଇସ୍ତଫା ଦେଇ ସେ ୨୦୦୬ରୁ ଆରମ୍ଭ କରିଥିବା ଟେକ ମଞ୍ଚ ‘ବଜଫିଡ଼’ରେ ମନୋନିବେଶ କରିଥିଲେ । ‘ଦି ହଫିଙ୍ଗଟନ ପୋଷ୍ଟ’ର ଅନ୍ୟତମ ପ୍ରତିଷ୍ଠାତା ଆରୀନା ହଫିଙ୍ଗଟନ ୨୦୧୬ରେ ପୋଷ୍ଟରୁ ଇସ୍ତଫା ଦେଇ ‘ଥ୍ରାଇଭ ଗ୍ଳୋବାଲ’ ନାମକ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ପରାମର୍ଶ ସମ୍ୱଳିତ ଡ଼ିଜିଟାଲ ମଞ୍ଚ ଆରମ୍ଭ କରିଥିଲେ । ‘ବଜଫିଡ଼ ନିଉଜ’ରେ ୨୦୧୧ରୁ ୨୦୨୦ ଯାଏଁ ମୁଖ୍ୟ ସମ୍ପାଦକ ପଦବୀରେ ଅବସ୍ଥାପିତ ବେନ ସ୍ମିଥ ୨୦୨୨ରେ ‘ସିମାଫୋର’ ନାମରେ ଏକ ଆନ୍ତର୍ଜାତିକ ଡ଼ିଜିଟାଲ ମଞ୍ଚର ପ୍ରାୟୋଜକ ।
‘ବଜଫିଡ଼ ନିଉଜ’ ସହ ସଂପୃକ୍ତ ସମ୍ୱାଦିକଙ୍କ ଆଚ଼ରଣରୁ ଏହା ସ୍ପଷ୍ଟ ବାରି ହୁଏ ଯେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିତ୍ତଶୀଳ ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ସମ୍ୱାଦ ମଞ୍ଚ ଷ୍ଟାର୍ଟଅପଗୁଡ଼ିକରେ ଦ୍ୱିତୀୟ ଦଶକରେ ବିପୁଳ ନିବେଶର ସୁବିଧା ମିଳିଥିବା ହେତୁ ଚର୍ଚ୍ଚିତ ସାମ୍ୱାଦିକମାନେ ନିଜସ୍ୱ ସମ୍ୱାଦ ମଞ୍ଚ ପ୍ରଯୋଜନା ହାତଛଡ଼ା କରିନଥିଲେ । ତେବେ ୨୦୧୯ରେ ‘ବଜଫିଡ଼ ନିଉଜ’ରୁ କର୍ମଚାରୀ ଛଟେଇ ଅବସରରେ ଜୋନା ପାରେଟିଙ୍କ ଅଧିକ ପୁଞ୍ଜି ନିବେଶ ବଦଳରେ ଖର୍ଚ୍ଚକାଟକୁ ଗୁରୁତ୍ୱ ଦେଇଥିବା ସ୍ୱୀକାରୋକ୍ତି ମହାମାରୀ-ପୂର୍ବାବସ୍ଥାରୁ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ନିବେଶ ଅଭାବର ସୂଚ଼ନା ଦେଇଥାଏ । ‘ବଜଫିଡ଼ ନିଉଜ’ର ଅନ୍ତ ବୃହତ ସମ୍ୱାଦ ମଞ୍ଚଗୁଡ଼ିକର ଭବିଷ୍ୟତ ପ୍ରତି ସନ୍ଦେହ ସୃଷ୍ଟି କରେ । ପାରମ୍ପରିକ ବ୍ୟାବସାୟିକ ମଡ଼େଲର ବିଫଳତା ସମ୍ୱାଦ ମଞ୍ଚ ପରିଚାଳନାରେ ନୂତନ ଅଧ୍ୟାୟର ଅନ୍ୱେଷଣର ସୂଚ଼ନା ଦିଏ ।
