ସାମ୍ୱାଦିକତା, ପ୍ରକାରନ୍ତେ ସମ୍ୱାଦ ଶିଳ୍ପରେ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ପାରମ୍ପରିକ ବିଜ୍ଞାପନ-ଆଶ୍ରିତ ବ୍ୟାବସାୟିକ ମଡ଼େଲ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଫଳରେ ଗ୍ରାହକ ଚାନ୍ଦାକୁ ବିକଳ୍ପ ଆୟ ରୂପେ ଚ଼ିହ୍ନଟ କରାଗଲା । କିନ୍ତୁ ବିଶ୍ୱବ୍ୟାପୀ ବିଭିନ୍ନ ଭୌଗଳିକ ପରିସୀମାରେ ବିଭିନ୍ନ କାରଣରୁ ସମ୍ୱାଦ ମଞ୍ଚ ବିଶ୍ୱସନୀୟତା ହରାଇ ବସିଥିବା ହେତୁ ଜନସାଧାରଣଙ୍କ ମଧ୍ୟରେ ସମ୍ୱାଦ ବିମୁଖ ମନୋଭାବ ବୃଦ୍ଧି ପାଇ ଚାଲିଛି । ଫଳତଃ ଗ୍ରାହକ ଚାନ୍ଦା ଆଶ୍ରିତ ମଡ଼େଲ ସମ୍ୱାଦ ଶିଳ୍ପରେ ଆର୍ଥିକ ସ୍ଥିରତା ଆଣିବାରେ ଅସମର୍ଥ ପ୍ରମାଣିତ ହେଉଥିବା ଦେଖିବାକୁ ମିଳେ ।
‘ନ୍ୟୂ-ନରମାଲ’ରେ ଅନଲାଇନ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପରେ ଦ୍ରବ୍ୟ ଓ ସେବା ବିଜ୍ଞାପନ ସର୍ଚ୍ଚ ଇଞ୍ଜିନ, ଇ-କମର୍ସ ଓ ସୋସିଆଲ ମିଡ଼ିଆକୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମୁଦ୍ରଣ କଳା-କୌଶଳ ଉଦ୍ଭାବନରେ ବହୁଳ ପ୍ରସାରିତ ସମ୍ୱାଦପତ୍ରସହ ଯୋଡ଼ି ହେବା ଦୁଇ ଶହ ବର୍ଷର ପରମ୍ପରାର ଅନ୍ତ ଘଟିଛି କିମ୍ୱା ଅନ୍ତ ଘଟିବାକୁ ଯାଉଛି । ଏହି ପ୍ରବାହ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ନିଉଜ ୱେବସାଇଟ ସମସ୍ତ କ୍ଷେତ୍ରରେ ସମଭାବେ ପ୍ରଯୁଜ୍ୟ । ପରିବର୍ତ୍ତିତ ପରିସ୍ଥିତିରେ ଯାବତୀୟ ଉପଭୋକ୍ତା-କେନ୍ଦ୍ରୀକ ଦ୍ରବ୍ୟ ଓ ସେବା ଭଳି ସମ୍ୱାଦକୁ ମଧ୍ୟ ବିକ୍ରୀଯୋଗ୍ୟ ଗଢ଼ିତୋଳିବା ସମ୍ୱାଦ ଶିଳ୍ପ ନିମନ୍ତେ ମୁଖ୍ୟ ଆହ୍ୱାନ ।
ଏତାଦୃଶ ପରିପ୍ରେକ୍ଷୀରେ ସମ୍ୱାଦ ମଞ୍ଚର ବିଶ୍ୱସନୀୟତା ପ୍ରତିଷ୍ଠା ଓ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ବିମୁଖ ପରିବେଶ ଦୂରୀକରଣ ପ୍ରାଥମିକ ପଦକ୍ଷେପ । ଏହି ଦୁଇଗୋଟି ସମସ୍ୟା ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକୁ ଭାରାକ୍ରାନ୍ତ କରିଥିବା ସ୍ଥଳେ ବିକଶିତ ଓ ବିକାଶଶୀଳ ଉଭୟ ସମାଜରେ ବହୁବିଧ ଉଦ୍ୟମର ଉଦାହରଣ ଦେଖିବାକୁ ମିଳେ । ସାମ୍ୱାଦିକତାରେ ବିଶ୍ୱସନୀୟତା ଅଧ୍ୟୟନ ନିମନ୍ତେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ରଏଟର୍ସ ଇନଷ୍ଟିଟିଉଟ ଅଫ ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ ପକ୍ଷରୁ ସମ୍ୱାଦର ବିଶ୍ୱସନୀୟତା ଯୋଜନା ‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ ନାମକ ଏକ ଗବେଷଣା ପ୍ରକଳ୍ପ ୨୦୨୦ରୁ କାର୍ଯ୍ୟକାରୀ ହେଉଛି ।
‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ ଆନୁକୂଲ୍ୟରେ ଦୁଇଗୋଟି ରିପୋର୍ଟ ପ୍ରକାଶନ ପରେ ସେପ୍ଟେମ୍ୱର ୨୦୨୩ରେ ଚୂଡ଼ାନ୍ତ ତୃତୀୟ ରିପୋର୍ଟ ପ୍ରକାଶ ପାଇଛି । ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାରେ ବିଶ୍ୱସନୀୟତା ପ୍ରତିଷ୍ଠା ନିମନ୍ତେ ସାଧାରଣ ନାଗରିକଙ୍କ ଦୃଷ୍ଟିକୋଣ ପରିମାପ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଭାରତ ଓ ବ୍ରାଜିଲ ଚାରିଗୋଟି ରାଷ୍ଟ୍ରରେ ପ୍ରତ୍ୟେକଟିରୁ ଦୁଇ ହଜାର ପାଖାପାଖି ନାଗରିକଙ୍କଠାରୁ ଅନଲାଇନ ଓ ପ୍ରତ୍ୟକ୍ଷ ସାକ୍ଷାତକାର ମାଧ୍ୟମରେ ତଥ୍ୟ ସଂଗୃହୀତ ହୋଇଥିଲା । ଭାରତରେ ୨୦୨୩ରେ ଆୟୋଜିତ ତୃତୀୟ ସର୍ବେକ୍ଷଣରେ ୨,୫୦୦ ନାଗରିକ ପ୍ରତ୍ୟକ୍ଷ ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ । ହିନ୍ଦି, ଆସାମୀ, ବଙ୍ଗଳା, ଓଡ଼ିଆ, ତେଲୁଗୁ, ତାମିଲ, ମାଳାୟଳମ, କନ୍ନଡ଼, ମରାଠୀ ଓ ଗୁଜରାଟୀ ଦଶଗୋଟି ଭାଷାଭାଷୀ ଅଞ୍ଚଳରେ ମୁହାଁମୁହିଁ ସାକ୍ଷାତକାର ଆୟୋଜନ କରାଯାଇଥିଲା ।
‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ର ତିନିବର୍ଷ ବ୍ୟାପୀ ଧାରାବାହିକ ଗବେଷଣା ଅବସରରେ ବିଚାରବିମର୍ଷ, ସର୍ବେକ୍ଷଣ ଓ ତଥ୍ୟଭିତ୍ତିକ ଆକଳନ ମାଧ୍ୟମରେ ସାମ୍ୱାଦିକତାର ବିଶ୍ୱସନୀୟତା ବିକାଶକଳ୍ପେ ବିଭିନ୍ନ ସମ୍ୱାଦ ମଞ୍ଚ ପକ୍ଷରୁ ପ୍ରାୟୋଜିତ ଚାରିଗୋଟି ପଦକ୍ଷେପ ଚ଼ିହ୍ନଟ ହୋଇଥିଲା । ପ୍ରଥମତଃ, ସମ୍ୱାଦ ଉପଭୋକ୍ତାମାନେ ନକାରାତ୍ମକ ସମ୍ୱାଦ ପ୍ରତି ବିତୃଷ୍ଣା ଭାବ ପ୍ରକାଶ କରୁଥିବା ହେତୁ ସକାରାତ୍ମକ ସମ୍ୱାଦ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ । ତେବେ ଏହା ପ୍ରଶଂସା-ସର୍ବସ୍ୱ ସମ୍ୱାଦ ପରିବେଷଣକୁ ବୁଝାଏ ନାହିଁ । କୌଣସି ସାମାଜିକ ସମସ୍ୟା ବର୍ଣ୍ଣନା କାଳରେ ସେହି ସମସ୍ୟାର କିପରି ସମାଧାନ ସମ୍ଭବପର ସେହି ଦିଗରେ ଆଲୋକପାତକୁ ସକାରାତ୍ମକ କୁହାଯିବ । ଚଳନ୍ତି ସାମ୍ୱାଦିକତାରେ ଏହି ଧାରାକୁ ସମାଧାନ ସାମ୍ୱାଦିକତା ‘ସଲ୍ୟୁସନ ଜର୍ଣ୍ଣାଲିଜମ’ ନାମିତ କରାଯାଉଛି ।
ଦ୍ୱିତୀୟତଃ, ସମ୍ୱାଦ ପରିବେଷଣ କାଳରେ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାପକ ସ୍ୱଚ୍ଛତା ଅବଲମ୍ୱନ କଲେ ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧି ପ୍ରାପ୍ତ ହେବ । ଉଦାହରଣରେ ଏକ ସମ୍ୱାଦ ପ୍ରକାଶନ କାଳରେ ଏହା କେଉଁ ସୂତ୍ରରୁ ସଂଗ୍ରହ କରାଗଲା, ସୂତ୍ରର ବିଶ୍ୱସନୀୟତା ସଂପର୍କରେ ଟୀପ୍ପଣି ଓ ଘଟଣାର ପାରିପାର୍ଶ୍ୱିକ ପରିବେଶ ବର୍ଣ୍ଣନା ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧିରେ ସହାୟକ । ତୃତୀୟତଃ, ସମ୍ୱାଦ ସଂସ୍ଥାରେ ନିୟୋଜିତ ସାମ୍ୱାଦିକ ଓ ସମ୍ୱାଦ ସଂସ୍ଥାର ଗ୍ରହଣୀୟତା ପ୍ରକାଶିତ ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧି କରିଥାଏ । ଉଦାହରଣରେ ସମ୍ୱାଦ ସହ ସାମ୍ୱାଦିକଙ୍କ ନାମ ଉଲ୍ଲେଖ କରାଯିବା ଦ୍ୱାରା ପାଠକ ସାମ୍ୱାଦିକଙ୍କ ଦକ୍ଷତା, ଦୃଷ୍ଟିକୋଣ ଓ ନିର୍ଭରଯୋଗ୍ୟତା ସଂପର୍କରେ ଅବଗତ ହୋଇ ତାଙ୍କରି ଦ୍ୱାରା ପ୍ରସ୍ତୁତ ସମ୍ୱାଦକୁ ବିଶ୍ୱାସ କରିନେଇଥାନ୍ତି ।
ଚ଼ତୁର୍ଥତଃ, ସମ୍ୱାଦ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ସହ ସଂପର୍କ ସ୍ଥାପନ କଲେ ସମ୍ୱାଦ ମଞ୍ଚରେ ପ୍ରକାଶିତ ସମ୍ୱାଦ ଉପଭୋକ୍ତଙ୍କ ବିଶ୍ୱାସଭାଜନ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ରରେ ସଂପାଦକଙ୍କୁ ପତ୍ର, ମୁକ୍ତ ଫର୍ଦ୍ଦଠାରୁ ଆରମ୍ଭ କରି ଅନଲାଇନ ସମ୍ୱାଦ କ୍ଷେତ୍ରରେ ପ୍ରତ୍ୟେକ ପୋଷ୍ଟ ଶେଷରେ ପାଠକୀୟ ଅଭିମତ ‘କମେଣ୍ଟ’ର ବ୍ୟବସ୍ଥା, ଉପଭୋକ୍ତା ସମାବେଶ ଓ ଉପଭୋକ୍ତା ସଂଗଠନ ପରିକଳ୍ପନା ‘ନିଉଜ କନଜ୍ୟୁମର ଏଙ୍ଗେଜମେଣ୍ଟ’ର ଅଂଶବିଶେଷ ଭାବେ ପରିଗଣିତ । ସମସାମୟିକ ସମ୍ୱାଦ ପରିବେଷଣ କ୍ଷେତ୍ରରେ ବିଶ୍ୱସନୀୟତା ବିକାଶ ନିମନ୍ତେ ବିଭିନ୍ନ ସମ୍ୱାଦ ମଞ୍ଚରେ ଅନୁସରଣ କରାଯାଉଥିବା ଏହି ଚାରିଗୋଟି ଦିଗରେ ସାଧାରଣ ଉପଭୋକ୍ତାମାନଙ୍କ ଅଭିମତ ପ୍ରଶ୍ନାବଳୀ ମାଧ୍ୟମରେ ଆଲୋଚ୍ୟ ସର୍ବେକ୍ଷଣରେ ସଂଗ୍ରହ ନିମନ୍ତେ ଉଦ୍ୟମ କରାଯାଇଥିଲା ।
‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ ରିପୋର୍ଟରେ କୁହାଯାଇଛି ଯେ ସାମଗ୍ରିକଭାବେ ବିଶ୍ୱବ୍ୟାପୀ ସମ୍ୱାଦ ଉପଭୋକ୍ତାମାନେ ସଠିକ ‘ଏକ୍ୟୁରେଟ’, ନିରପେକ୍ଷ ‘ଇମ୍ପପାରସିଆଲ’ ଓ ବ୍ୟବସ୍ଥିତ ‘ଫେୟାର’ ସମ୍ୱାଦ ପରିବେଷଣକୁ ଅଗ୍ରାଧିକାର ଦେଇଥାନ୍ତି । ଅବଶ୍ୟ ଏହି ତିନିଗୋଟି ବିଭବ ଭିନ୍ନ ଭିନ୍ନ ଭୌଗଳିକ ପରିବେଶରେ ଭିନ୍ନ ଭିନ୍ନ ମାନାଙ୍କ ଗ୍ରହଣ କରିଥାଏ । ସମ୍ୱାଦ ଉପଭୋକ୍ତାମାନେ ସମ୍ୱାଦ ମଞ୍ଚରେ ପକ୍ଷପାତିତା ଓ ଅସ୍ୱଚ୍ଛ କାରବାର ନାପସନ୍ଦ କରିଥିଲେ । ଜନଜୀବନର ସମସ୍ୟା ସମ୍ୱାଦରେ ପ୍ରତିଫଳିତ ହେବା ଉଚ଼ିତ ବୋଲି ମତ ରଖିଥିଲେ । ତେବେ ବିଭିନ୍ନ ଅଞ୍ଚଳରେ ସମ୍ୱାଦର ବିଶ୍ୱସନୀୟତାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଥିଲା ଏବଂ ବିଶ୍ୱସନୀୟତା ବିକାଶରେ କୌଣସି ନିର୍ଦ୍ଦିଷ୍ଟ ସର୍ବସମତ୍ତ ଦୃଷ୍ଟିକୋଣ ନିର୍ଦ୍ଧାରିତ ହୋଇପାରିନଥିଲା ।
ସାମଗ୍ରିକ ଭାବେ ଜନସାଧାରଣରେ ସାମ୍ୱାଦିକତାର ବିଶ୍ୱସନୀୟତା ହ୍ରାସ ପାଇଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଭାରତ ଓ ବ୍ରାଜିଲରେ ଯେଉଁମାନେ କମମାତ୍ରାରେ ସମ୍ୱାଦ ଆହରଣ କରନ୍ତି ସେମାନଙ୍କ ମଧ୍ୟରେ ବିଶ୍ୱସନୀୟତାର ମାତ୍ରା ମଧ୍ୟ କମ ହିସାବ କରାଯାଇଥିବା ଆଲୋଚ୍ୟ ଅଧ୍ୟୟନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ସାମ୍ୱାଦିକତାରେ ବିଶ୍ୱସନୀୟତା ପୁନଃପ୍ରତିଷ୍ଠା ଦିଗରେ ବିକଶିତ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ସମ୍ୱାଦ ମଞ୍ଚଗୁଡ଼ିକ ପକ୍ଷରୁ ତାତ୍ପର୍ଯ୍ୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ର ଭାରତ ଓ ବ୍ରାଜିଲରେ କମ ପରିମାଣରେ ପରିଦୃଷ୍ଟ । ଗବେଷଣାରୁ ଡିଜିଟାଲ ମଞ୍ଚର ବିସ୍ତୃତି, ରାଜନୀତିକ ପୃଷ୍ଠଭୂମି ଓ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ବିମୁଖ ପରିବେଶକୁ ସାମ୍ୱାଦିକତାରେ ବିଶ୍ୱସନୀୟତା ହାନୀ ନିମନ୍ତେ ଅନ୍ୟତମ ମୁଖ୍ୟ କାରଣ ରୂପେ ଦର୍ଶାଯାଇଛି । ‘ଟ୍ରଷ୍ଟ ଇନ ନିଉଜ ପ୍ରୋଜେକ୍ଟ’ର ଚୂଡ଼ାନ୍ତ ତୃତୀୟ ରିପୋର୍ଟ ସମ୍ୱାଦମଞ୍ଚଗୁଡ଼ିକୁ ବିଶ୍ୱସନୀୟତା ବିକାଶ କ୍ଷେତ୍ରରେ ସହାୟକ ହେବା ଆଶା ପ୍ରକାଶ କରାଯାଇଛି ।
