ଆନ୍ତର୍ଜାତିକସ୍ତରରେ ସ୍ମାର୍ଟଫୋନରେ ମୋବାଇଲ ଆପ୍ଲିକେସନ ବା ‘ଆପ’ ବ୍ୟବହାରକ୍ଷେତ୍ରରେ ଭାରତ ପଞ୍ଚମ ସ୍ଥାନ ଅଧିକାର କରିଛି । ମୋବାଇଲ ଆପ୍ଲିକେସନ ଅନୁଶୀଳନ ସଂସ୍ଥା ଯୁକ୍ତରାଷ୍ଟ୍ର ଆମେରିକାର ‘ଆପ ଆନି’ ପକ୍ଷରୁ ୨୦୧୭ ମେ’ ମାସରେ ଆୟୋଜିତ ଅନୁଧ୍ୟାନରେ ଏଣ୍ଡ୍ରୋଏଡ଼ ସ୍ମାର୍ଟଫୋନରେ ଭାରତୀୟ ଉପଭୋକ୍ତାମାନେ ଦୈନିକ ହାରାହାରି ପ୍ରାୟ ୪ ଘଣ୍ଟା ‘ଆପ’ ବ୍ୟବହାର କରୁଥିବା ଜଣାଯାଇଥିଲା । ଅନ୍ୟ ଅଗ୍ରଣୀ ରାଷ୍ଟ୍ରଙ୍କ ମଧ୍ୟରେ ଦକ୍ଷିଣ କୋରିଆ, ମେକ୍ସିକୋ, ବ୍ରାଜିଲ ଓ ଜାପାନର ଉପଭୋକ୍ତାମାନେ ଦୈନିକ ହାରାହାରି ୫ ଘଣ୍ଟା ଯାଏଁ ‘ଆପ’ ବ୍ୟବହାର କରିଥାନ୍ତି । ଅବଶ୍ୟ ଏହି ସମସ୍ତ ରାଷ୍ଟ୍ରରେ ସର୍ବାଧିକ ସମୟ ମୋବାଇଲ ଫୋନରେ ‘ଆପ’ ବ୍ୟବହାରରେ ବିତାଉଥିବା ଶୀର୍ଷ ୨୦ ପ୍ରତିଶତ ଉପଭୋକ୍ତାଙ୍କ ଅନଲାଇନ ଗତିବିଧିକୁ ବିଚ଼ାରକୁ ନେଇ ଏହି ଗଣତି କରାଯାଇଥିଲା ।
ସ୍ମାର୍ଟଫୋନ ବ୍ୟବହାର ସମୟସୀମାକୁ ନେଇ ଉପଭୋକ୍ତାମାନଙ୍କୁ ବର୍ଗୀକରଣ କରାଯାଇଥାଏ । କେତେକ ସ୍ମାର୍ଟଫୋନ ବ୍ୟବହାରରେ ଦୀର୍ଘ ସମୟ ବିନିଯୋଗ କରୁଥିବା ସ୍ଥଳେ ଅନ୍ୟ କେତେକ ଅପେକ୍ଷାକୃତ କମ ସମୟ ବିନିଯୋଗ କରିଥାନ୍ତି । ଭାରତରେ ଏଣ୍ଡ୍ରୋଏଡ଼ ସ୍ମାର୍ଟଫୋନ ଉପଭୋକ୍ତାମାନେ ସାମଗ୍ରୀକଭାବେ ହାରାହାରି ଦୈନିକ ୨ ଘଣ୍ଟା ୩୦ ମିନଟ ‘ଆପ’ ବ୍ୟବହାର କରୁଥିବା ସ୍ଥଳେ ସର୍ବନିମ୍ନସ୍ତରର ଉପଭୋକ୍ତାମାନେ ଅତିକମରେ ଦୈନିକ ଏକ ଘଣ୍ଟା ୫୦ ମିନଟ ଯାଏଁ ‘ଆପ’ ବ୍ୟବହାର କରିଥାନ୍ତି ।
ଏହି ଗବେଷଣା ପାଇଁ ଆଣ୍ଡ୍ରୋଏଡ଼ ସ୍ମାର୍ଟଫୋନ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୦ ଗୋଟି ରାଷ୍ଟ୍ରରେ ସର୍ଭେ କରାଯାଇଥିଲା । ସ୍ମାର୍ଟଫୋନରେ ‘ଆପ’ ବ୍ୟବହାର କ୍ରମଶଃ ଅଧିକରୁ ଅଧିକ ସମୟ ଦାବୀ କରୁଥିବାସ୍ଥଳେ ମୁଖ୍ୟତଃ ସପିଙ୍ଗ, ଟ୍ରାଭେଲ ଓ ଗେମ ‘ଆପ’ଗୁଡ଼ିକ ବହୁଳମାତ୍ରାରେ ବ୍ୟବହୃତ ହେଉଥିବା ଜଣାଯାଇଥିଲା । ଭାରତରେ ଜଣେ ଉପଭୋକ୍ତା ମାସିକ ୯୦ ମିନଟ ସପିଙ୍ଗ, ୩୦ ମିନଟ ଫାଇନାନ୍ସ ଓ ଘଣ୍ଟାଏ ଗେମିଂ ‘ଆପ’ରେ ସମୟ ବିନିଯୋଗ କରୁଥିବା ହିସାବ କରାଯାଇଛି ।
ଭାରତୀୟ ‘ଆପ’ ବଜାରରେ କ୍ରମଶଃ ଚ଼ୀନ ନିର୍ମିତ ‘ଆପ’ଗୁଡ଼ିକର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଜେଣ୍ଡର, ସେୟର-ଇଟ, ୟୁସି-ବ୍ରାଉଜର, ୟୁସି-ନିଉଜ ଓ କ୍ଳିନମାଷ୍ଟର ଭଳି ‘ଆପ’ଗୁଡ଼ିକ କମ ଦାମର ଚ଼ୀନ ନିର୍ମିତ ସ୍ମାର୍ଟଫୋନଗୁଡ଼ିକରେ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ଦେଖିବାକୁ ମିଳୁଛି । ୟୁସି-ବ୍ରାଉଜର ଆଲିବାବା ଗୃପ, ସେୟର-ଇଟ ଲେନୋଭୋ ଗୃପ ଓ କ୍ଳିନମାଷ୍ଟର ଚିତାହା ମୋବାଇଲ ଗୃପ ଦ୍ୱାରା ପ୍ରଯୋଜିତ ।
କୁହାଯାଏ ଯେ ଚ଼ୀନରେ ମୋବାଇଲଲ ଇଣ୍ଟରନେଟ ବେଗ, ଉପଭୋକ୍ତାଙ୍କ ସଂଖ୍ୟା ଓ ‘ଆପ’ ବ୍ୟବହାର କ୍ଷେତ୍ରରେ ଭାରତଠାରୁ ପାଞ୍ଚବର୍ଷ ଆଗୁଆ ରହିଛି । ଏହି କାରଣରୁ ‘ଆପ’ ନିର୍ମାଣ ଓ ବ୍ୟବହାର ବୈଷୟିକ କୌଶଳ ଉପଯୋଗରେ ସେମାନେ ପାରଦର୍ଶିତା ଲାଭ କରିପାରିଛନ୍ତି । ଭାରତର ଛୋଟ ସହର ଓ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ ବ୍ୟବହାର କ୍ରମଶଃ ଲୋକପ୍ରିୟ ହୋଇଚ଼ାଲିଥିବା ଅବସରରେ ଚ଼ୀନ ନିର୍ମିତ ‘ଆପ’ଗୁଡ଼ିକ ଅପେକ୍ଷାକୃତ କମ ଶିକ୍ଷିତଙ୍କ ରୁଚ଼ିକୁ ସୁହାଉଥିବା ଲକ୍ଷ୍ୟ କରାଯାଉଛି ।
ଗଣମାଧ୍ୟମ ସମୀକ୍ଷକଙ୍କ ମତରେ ଭାରତୀୟ ବଜାରରେ ‘ଆପ’ଗୁଡ଼ିକ ମୁଖ୍ୟତଃ ବିନାମୂଲ୍ୟରେ ବିତରିତ ହେଉଥିବା ତଥା ରାଜସ୍ୱ ନିମନ୍ତେ ବିଜ୍ଞାପନ ଉପରେ ନିର୍ଭରଶୀଳ ରହୁଥିବା ପରିପ୍ରେକ୍ଷୀରେ ନୂଆ ‘ଆପ’ ପ୍ରଚଳନ ତୁରନ୍ତ ବ୍ୟାବସାୟିକ ସଫଳତା ଆଣିବା ସଂଭବପର ନୁହଁ । ଆନ୍ତର୍ଜାତିକ ବଜାର ସମତାଳରେ ଗୁଗୁଲ ହିଁ ଭାରତୀୟ ଅନଲାଇନ ବିଜ୍ଞାପନ ରାଜସ୍ୱର ସିଂହଭାଗ ଦାବୀ କରିଥାଏ । ତା’ ପରକୁ ବହୁ ପଛରେ ଫେସବୁକର ସ୍ଥାନ । ତେଣୁ ଅନ୍ୟାନ୍ୟ ‘ଆପ’ଗୁଡ଼ିକ ଅନଲାଇନ ବିଜ୍ଞାପନ ପରିଧିରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । କୌଣସି ‘ଆପ’ ଅତିକମରେ ମାସିକ ପାଞ୍ଚ କୋଟି ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହୃତ ନ ହୋଇ ପାରିଲେ ପର୍ଯ୍ୟାପ୍ତ ଅନଲାଇନ ବିଜ୍ଞାପନ ପାଇବା ନିମନ୍ତେ ଯୋଗ୍ୟ ବିବେଚ଼ିତ ହୋଇପାରି ନଥାଏ । ତେବେ ଭବିଷ୍ୟତରେ ଅଭିବୃଦ୍ଧିକୁ ଲକ୍ଷ୍ୟରେ ରଖି ଚ଼ୀନ ବ୍ୟବସାୟୀମାନେ ଭାରତୀୟ ‘ଆପ’ ବଜାରକୁ ସମୃଦ୍ଧ କରିବାରେ ଲାଗିପଡ଼ିଛନ୍ତି ।
ଭାରତୀୟ ଆଞ୍ଚଳିକ ଭାଷାଭିତ୍ତିକ ‘ଆପ’ ବ୍ୟବହାରରେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ହେଁ ‘ଆପ’ ବିକ୍ରିରେ ଆଶା ନଥିବା, ବିଜ୍ଞାପନ ରାଜସ୍ୱ ନିମନ୍ତେ ବିସ୍ତୃତ ଉପଭୋକ୍ତା ମଣ୍ଡଳୀ ଗଠନ ତଥା ବ୍ୟାବସାୟିକ ସଫଳତା ଲାଗି ଦୀର୍ଘ ଅବଧି ଅପେକ୍ଷା ଏଦିଗରେ ବିନିଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରୁ ନାହିଁ । ‘ଆପ’ ବଜାରରେ ଓଡ଼ିଆ ଭାଷାରେ ସୁଯୋଗ ସୁବିଧା ଏହି ସବୁ କାରଣରୁ ସୀମିତ ଥିବା ଅନୁଭବ କରାଯାଇପାରେ । ରାଜ୍ୟର ସ୍ମାର୍ଟଫୋନ ଉପଭୋକ୍ତା ସଂଖ୍ୟା କୋଟିଏ ଛୁଇଁଥିଲେ ହେଁ ସରକାରୀ ଓ ବ୍ୟାବସାୟିକ ‘ଆପ’ ବ୍ୟବହାର ବ୍ୟତୀତ ଓଡ଼ିଆ ଭାଷାରେ ଅନ୍ତତଃ ବର୍ତ୍ତମାନ ନିମନ୍ତେ ଅନ୍ୟାନ୍ୟ ବର୍ଗର ‘ଆପ’ ସଂପ୍ରସାରଣ ସଂଭବପର ହୋଇପାରୁ ନାହିଁ ।
ଗଣମାଧ୍ୟମର ବିଭିନ୍ନ ବିଭବ, ଯଥା : ପୁସ୍ତକ, ନିଉଜ ସାଇଟ୍, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ଇତ୍ୟାଦି କ୍ଷେତ୍ରରେ ମୋବାଇଲ ‘ଆପ’ ବ୍ୟବହାର ଏକ ନୂତନ ସମୀକରଣ ସୃଷ୍ଟି କରିବ । ମୋବାଇଲ ଫୋନ ପର୍ଦ୍ଦା ସାମଗ୍ରୀକଭାବେ ସମସ୍ତ ଗଣମାଧ୍ୟମ ବ୍ୟବହାରର କେନ୍ଦ୍ରସ୍ଥଳ ପାଲଟୁଥିବା ଅବସରରେ ଭବିଷ୍ୟତରେ ଏହାର ବ୍ୟାପକ ପ୍ରସାର ଆଶା କରାଯାଇପାରେ । ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ‘ଆପ’ ଉପଭୋକ୍ତା ବୃଦ୍ଧିରେ ସହାୟକ ହେବା ସଙ୍ଗେ ‘ଆପ’ଭିତ୍ତିକ ରାଜସ୍ୱ ବୃଦ୍ଧିରେ ପର୍ଯ୍ୟବେସିତ ହେବା ସ୍ୱାଭାବିକ ।
ଆନ୍ତର୍ଜାତିକସ୍ତରରେ ୨୦୧୬ ମସିହାରେ ପ୍ରାୟ ନଅ ହଜାର କୋଟି ‘ଆପ’ ସ୍ମାର୍ଟଫୋନରେ ଡ଼ାଉନଲୋଡ଼ ହୋଇଥିବା ହିସାବ କରାଯାଇଥିଲା । ୨୦୧୫ ମସିହା ତୁଳନାରେ ଏହା ୧୫ ପ୍ରତିଶତ ଅଧିକା । ଚ଼ୀନ ଓ ଯୁକ୍ତରାଷ୍ଟ୍ର ଆମେରିକା ‘ଆପ’ ବ୍ୟବହାରରେ ଆଗୁଆ ରହିଥିବା ସ୍ଥଳେ ୨୦୨୧ ମସିହା ସୁଦ୍ଧା ଇଣ୍ଡୋନଏସିଆ, ବ୍ରାଜିଲ ଓ ଭାରତ ଅନ୍ୟତମ ବହୁଳ ‘ଆପ’ ବ୍ୟବହାରକାରୀ ରାଷ୍ଟ୍ରରୂପେ ପ୍ରତିଷ୍ଠିତ ହେବେ । ଭାରତରେ ଆଗାମୀ ଚ଼ାରିବର୍ଷ ମଧ୍ୟରେ ବାର୍ଷିକ ‘ଆପ’ ଡ଼ାଉନଲୋଡ଼ ସଂଖ୍ୟା ଦୁଇ ହଜାର ତିନିଶହ କୋଟିକୁ ଟପିବ ବୋଲି ‘ଆପ ଆନି’ ପକ୍ଷରୁ ପୁର୍ବାନୁମାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମେସେଜିଂ ଓ ଗେମିଂ ‘ଆପ’ର ପ୍ରାଧାନ୍ୟ ଅନୁଭୂତ ହେଉଥିବା ସ୍ଥଳେ କ୍ରମଶଃ ବିଭିନ୍ନ କ୍ଷେତ୍ରରେ ‘ଆପ’ର ବ୍ୟବହାର ସଂପ୍ରସାରିତ ହେବା ଅବଶ୍ୟମ୍ଭାବୀ ।
