
ଭୁବନେଶ୍ୱର, ୨୨/୦୨: ଉପନ୍ୟାସ “ଯାଆଁଳା ତୋଟା”ରେ ଭରି ରହିଛି ସମର୍ପଣଭାବ । ରାଧାବଲ୍ଲଭପୁର ଗାଁରେ ଏହି ତୋଟା ନିର୍ମାଣ ପୂର୍ବରୁ ଏବଂ ପୋଖରୀ ଖୋଳା କାର୍ଯ୍ୟକ୍ରମ ଆଗରୁ ବଡ ଠାକୁରଙ୍କ ନିକଟରେ ସମର୍ପଣ କରାଯାଇଥିଲା । ଉପନ୍ୟାସର ମୁଖ୍ୟ ଚରିତ୍ରରେ ଥିବା ରଶ୍ମୀରେଖା ଏବଂ ଦିପ୍ତିରେଖା ପିଲାଦିନୁ କିପରି ଓଡ଼ିଆ ଅସ୍ମିତାର ସଂସ୍କାର ପାଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ତାହାର ଚିତ୍ର ଏହି ପୁସ୍ତିକାରେ ଦେଖିବାକୁ ମିଳିଛି । ମା’ ଦମୟନ୍ତୀ ଦେବୀଙ୍କ ପାଣି ପାଇଁ ସଂଘର୍ଷମୟ ଜୀବନ ଏବଂ ପରିବାର ପରିଚାଳନାରୁ ରଶ୍ମି ଏବଂ ଦୀପା କିପରି ମା ପ୍ରତି ନିଜର ସମବେଦନା ପ୍ରକାଶ କରିଛନ୍ତି ତାହା ଉପନ୍ୟାସରେ ଅବତାରଣା କରାଯାଇଛି । ଉପନ୍ୟାସର ଚରିତ୍ର ଚିତ୍ରଣ ଅନୁଯାୟୀ, ସମାଜର ଶେଷ ଧାଡ଼ିରେ ଥିବା ଗ୍ରାମର ଅସୀତପର ବୃଦ୍ଧ ବନେଇ ମଉସାଙ୍କ ହାତରେ ପୋଖରୀ ଖୋଳାର ଉଦ୍ଘାଟନ ପୂଜ୍ୟପୂଜାର ନମୁନା ବୋଲି ଉଚ୍ଚଶିକ୍ଷା, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଏବଂ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।ସାରଳା ଭାଷା ସାହିତ୍ୟ ଏବଂ ପୁରାତତ୍ୱ ଗବେଷଣା ନ୍ୟାସ ଅନୁଷ୍ଠାନ ଆନୁକୁଲ୍ୟରେ ଆୟୋଜିତ ଔପନ୍ୟାସିକ କାଳନ୍ଦୀ ସାମଲଙ୍କ “ଯାଆଁଳା ତୋଟା”ରେ ଓଡ଼ିଆ ଅସ୍ମିତାର ଚିତ୍ର ଓ ଚରିତ୍ର ବିଷୟ ଉପରେ ଏକ ଦିବସୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି ଯେ, “ଯାଆଁଳା ତୋଟା” ହେଉଛି ଓଡ଼ିଆ ଅସ୍ମିତାର ବାର୍ତାବହ । ମକର ସମଗ୍ର ଭାରତବର୍ଷର ପର୍ବ ହୋଇଥିଲେ ମଧ୍ୟ ଓଡିଶାରେ ମକର ମେଳା ଗ୍ରାମ୍ୟ ଅର୍ଥନୀତି ସହ ଜଡିତ । ଯାଆଁଳା ତୋଟା ଉପନ୍ୟାସରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି । ମକର ମେଳାରେ ଗ୍ରାମ ଉତ୍ସବମୁଖର ହୋଇଉଠେ । ସହରର ଉତ୍ପାଦିତ ସାମଗ୍ରୀ ଓ ଗ୍ରାମର ଉତ୍ପାଦିତ ସାମଗୀ ମକଳ ମେଳାରେ ଅଦଳବଦଳ ହୋଇ ବେପାର ବାଣିଜ୍ୟ ହୁଏ । ଏହା ହେଉଛି ଉପନ୍ୟାସ ଅନୁଯାୟୀ ରାଧବଲ୍ଲଭପୁରସ୍ଥିତ ଯାଆଁଳା ତୋଟାର ପରମ୍ପରା । ଅନେକ ପିଢ଼ୀ ପରେ ସେହି ଗ୍ରାମରେ ଜନ୍ମିତ ପ୍ରବାସୀ ଗବେଷକ ସୁଧାଂଶୁ କର ତାଙ୍କ ପୁଅ ପୁଷ୍ପକଙ୍କ ସହ ମିଶି ଯାଆଁଳା ତୋଟାରେ ଆନ୍ତର୍ଜାତୀୟ ବାଣିଜ୍ୟମେଳା ଆୟୋଜନ କରି ଯାଆଁଳା ତୋଟାର ପରମ୍ପରାକୁ ବ୍ୟାପକ କରିଥିଲେ । ଏହାର ସଂଯୋଗ କଟକର ବାଲିଯାତ୍ରାରେ ଦେଖିବାକୁ ମିଳେ । ଉପନ୍ୟାସ ଅନୁସାରେ ରାଧାବଲ୍ଲଭପୁରର ବ୍ୟବସାୟୀମାନେ ଯେପରି ଦେଶବିଦେଶକୁ ଯାଇ ବେପାର ବାଣିଜ୍ୟ କରନ୍ତି, ଠିକ ସେହିପରି ଓଡିଶାର ନୌବାଣିଜ୍ୟ ପରମ୍ପରାରେ ସାଧବ ପୁଅମାନେ ଦେଶବିଦେଶକୁ ଯାଇ ବେପାରବାଣିଜ୍ୟ କରୁଥିଲେ । ଏହା ହେଉଛି ଓଡ଼ିଆ ଅସ୍ମିତା ବୋଲି ମନ୍ତ୍ରୀ ଶ୍ରୀ ସୂରଜ ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ଉଦ୍ଘାଟକ ଭାବେ ଭାଷାବିତ ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା କହିଛନ୍ତି ଯେ, ଯାଆଁଳା ତୋଟା ଉପନ୍ୟାସଟି ନାରୀ ସଶକ୍ତିକରଣର ମଡେଲ୍ ଏବଂ ଆତ୍ମନିର୍ଭର ପାଇଁ ଏକ ଦସ୍ତାବିଜ୍ । ଏହି ଉପନ୍ୟାସରେ ବର୍ଣ୍ଣତ ମା’ ପାଇଁ ଗଛଟିଏ, ଗାଁ ପାଇଁ ପାଣି ଆଣିବାର ଦୁଇଟି ଝିଅଙ୍କ ସଫଳ କାହାଣୀ ରହିଛି । ଯାହା ଓଡିଆ ଭାଷାରେ ଅଦ୍ୟବଧି ଲେଖାଯାଇଥିବା ଉପନ୍ୟାସ ଓ ଗଳ୍ପରେ ପଢିବାକୁ ମିଳେନାହିଁ । ବିଗତ ଶତାଦ୍ଦୀରେ ମାର୍କ୍ସବାଦୀ ସାହିତ୍ୟ କଂଟ୍ରାଡିକ୍ସନ ବା ଦ୍ୱନ୍ଦବାଦର ସାହିତ୍ୟ ଅପସରି ଯାଇ ପୂର୍ବଦୋୟରେ ନୂତନ ସୂର୍ଯ୍ୟ ଉଇଁଛି କାଳନ୍ଦୀ ସାମଲଙ୍କ ଯାଆଁଳା ତୋଟାରେ । କାଳରାତ୍ରୀସମ ମାର୍କ୍ସବାଦୀ ସାହିତ୍ୟ ମୁଣ୍ଡନତ କରି ଏକାତ୍ମମାନବବାଦର ଗଣ୍ଡି ମଧ୍ୟରେ ଶ୍ରୀ କାଳନ୍ଦୀଙ୍କ ଏହି ଉପନ୍ୟାସ ଓଡ଼ିଆ ଅସ୍ମିତାର ଦସ୍ତାବିଜ ଭାବେ ଜନ୍ମ ନେଇଛି । ପୂର୍ବ ଶତାଦ୍ଦୀର ମାର୍କ୍ସ ଚେତନାର ଗଳ୍ପ ଉପନ୍ୟାସ ଗୁଡ଼ିକରେ ଉଲ୍ଲେଖିତ ନୈରାଶ୍ୟବାଦ କିପରି ଲୋପପାଇ କୁଟୁମ୍ବମାନଙ୍କ ହସରେ ଗୁଞ୍ଜରିତ ହୋଇଉଠିଛି, ତାହା ଯାଆଁଳା ତେଟାରେ ଉଲ୍ଲେଖିତ କରାଯାଇଛି । ଧରମ ଝିଅ କରି ଅମ୍ବିକାନଗରୀର ଜମିଦାର ଯେପରି ସ୍ତ୍ରୀଙ୍କ ସହ ମିଶି କନ୍ୟାଦାନ କରିଛନ୍ତି, ତାହା ଓଡ଼ିଆ ଅସ୍ମିତାର ମହାନ ଭାବଧାରକୁ ଦର୍ଶାଏ । କୁଟୁମ୍ବଙ୍କ ଭୂମିକାକୁ ଗୌଣ ନ କରି ଯାଅଁଳା ଭଉଣୀ ରଶ୍ମୀ ଓ ଦୀପାଙ୍କ ବାହାଘର ଜମିଦାର କରିଛନ୍ତି । ଯେଉଁ ଜମିଦାରଙ୍କୁ ବିଗତ ଶତାଦ୍ଦୀରେ ମାର୍କ୍ସବାଦୀ ଉପନ୍ୟାସଗୁଡ଼ିକରେ ଖଳନାୟକର ଆଖ୍ୟା ଦିଆଯାଇଛି ସେମାନେ ଶାସକ ଭାବେ ଶୋଷଣକାରୀ ନୁହନ୍ତି ବରଂ ସମାଜ ପାଇଁ ଉତରଦାୟୀ ବୋଲି ଯାଆଁଳାତୋଟାରେ ଚିତ୍ରଣ କରାଯାଇଛି । ଓଡିଶାରେ ଜାତିଜାତି ଉଚ୍ଚନିଚ୍ଚ ଭେଦଭାବ ନ ଥିଲାବେଳେ ମାର୍କ୍ସବାଦୀ ସାହିତ୍ୟରେ କିନ୍ତୁ ଅନେକ ଜାତିବାଦକୁ ନେଇ ଉତେଜନାକାରୀ କାଳ୍ପନିକ କାହାଣୀ ରଚନା କରାଯାଉଛି । କିନ୍ତୁ ବାସ୍ତବିକ ଭାବେ ଆମ ଓଡ଼ିଶାରେ ପରମ୍ପରା ଅନୁଯାୟୀ ବ୍ରାହ୍ମଣଘରର ବୋହୂକୁ ଶୁଦ୍ରମାନେ ମଧ୍ୟ ଧରମ ଝିଅ କରିଛନ୍ତି । ଶୁଦ୍ର ବୟସ୍କଙ୍କୁ ବ୍ରାହ୍ମଣ ଘରର ପୁଅ ଧରମ ମା’ବାପା କରି ସୂର୍ଯ୍ୟବନ୍ଧୁ ଭାବେ ଗୁଆ ଦିଆନିଆ ଭାରବେଭାରର ସମ୍ପର୍କ କେଉଁଁ ଆବାହମାନ କାଳରୁ ରହିଆସିଛି । ଓଡ଼ିଆ ଅସ୍ପିତାର ଏପରି ଚିତ୍ର ଓ ଚରିତ୍ର ଏହି ଉପନ୍ୟାସରେ ଦେଖିବାକୁ ମିଳିଛି । ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରଫେସର ବସନ୍ତ ପଣ୍ଡା କହିଛନ୍ତି ଯେ, ଯାଆଁଳା ତୋଟାରେ ଓଡିଆ ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ଲେଖକୀୟ ନିଷ୍ଠା ଦେଖିବାକୁ ମିଳିଛି । ଆୟୋଜକ ଭାବେ ଏହି କାର୍ଯ୍ୟକମକୁ ସାରଳା ଭାଷା ସାହିତ୍ୟ ଏବଂ ପୁରାତତ୍ୱ ଗବେଷଣାନ୍ୟାସର ପରିଚାଳନା ଟ୍ରଷ୍ଟି ଅଜିତ୍ ଦାଶ ପରିଚାଳନା କରିଥିଲେ । ଡ. ମିହିର କୁମାର ସାହୁ ଓ ଡ. ସଂଘମିତ୍ରା ମହାପାତ୍ର ଯାଆଁଳା ତୋଟାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଯାଜପୁର ଲୋକସଭା ସାଂସଦ ତଥା ଗବେଷକ ଡ. ରବି ନାରାୟଣ ବେହେରା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ଗୋଟିଏ ଛୋଟ ଗାଁ ବିକାଶର ଶୀର୍ଷରେ ପହଂଚିଛି ଯାଆଁଳା ତୋଟା ଉପନ୍ୟାସରେ । ଏଥିରେ ଜନସହଭାଗିତାରେ ବିକଶିତ ଗ୍ରାମର ପ୍ରତିଫଳନ ଦେଖିବାକୁ ମିଳିଛି । ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ତଥା ରାଜନେତା ସମୀର ମହାନ୍ତି ଉପସ୍ଥିତ ରହି କହିଛନ୍ତି ଯେ, କାଳନ୍ଦୀ ସାମଲଙ୍କ ଯାଆଁଳା ତୋଟା ହେଉଛି ଓଡିଆ ଅସ୍ମିତାର ଏକ ବ୍ରାଣ୍ଡ । ଏହା ହେଉଛି ବିକଶିତ ଓଡିଶାର ପ୍ରତିଛବି । ସୁନାମଧନ୍ୟ ଗୀତିକାର ଡ. ପଂଚାନନ ନାୟକ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଶାନ୍ତିନିକେତନ ବିଶ୍ୱଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଭାଷା ଭବନ ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ପ୍ରଧାନ ଯାଆଁଳା ତୋଟାର ଲେଖକୀୟ ଶୈଳୀକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ୨୦ଜଣ ଗବେଷକ, ଗବେଷିକା, ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକା ଯୋଗଦେଇ ଦୁଇଟି ବୈଷୟିକ ଅଧିବେଶନରେ ନିଜର ସର୍ନ୍ଦଭ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସଜ୍ଜନ ଶର୍ମା, ସୁରଥ ବିଶ୍ୱାଳ, ସୁଜିତ୍ ଦାସ, ଠାକୁର ରଞ୍ଜିତ୍ ଦାସ, ହିତେଶ୍ ମହାପାତ୍ର ଯୋଗଦେଇ ଗବେଷକ ଗବେଷିକ,ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକାମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ସ୍ମାରକୀ ପ୍ରଦାନ କରିଥିଲେ । ଏହି ଅବସରରେ ଗୀତିକାର ଡ. ପଂଚାନନ ନାୟକ ଏବଂ ପ୍ରାକ୍ତନ ଅଧ୍ୟକ୍ଷ ନାଲକୋ ଡ. ତପନ କୁମାର ଚାନ୍ଦଙ୍କୁ “ଓଡିଆ ଅସ୍ମିତା ସମ୍ମାନ”ରେ ସମ୍ମାନିତ କରାଯାଇଛି ।
