ବିଶ୍ୱବ୍ୟାପୀ ସାମ୍ୱାଦିକତାର ଗୁଣାତ୍ମକ ଅବକ୍ଷୟ ବିଭିନ୍ନସ୍ତରରେ ଉଦବେଗ ସୃଷ୍ଟି କରିଥିବା ସ୍ଥଳେ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧିକୁ ଏହିଭଳି ଦୂରାବସ୍ଥାର ଅନ୍ୟତମ କାରଣ ରୂପେ ଚ଼ିହ୍ନଟ କରାଯାଇଥାଏ । ଭାରତରେ ଗଣମାଧ୍ୟମର ବ୍ୟାପ୍ତି ସହ ସମତାଳଦେଇ ସମ୍ୱାଦମଞ୍ଚଗୁଡ଼ିକର ସଂଖ୍ୟା ବଢ଼ିଚାଲିଛି ଏବଂ ଅଧିକରୁ ଅଧିକ ସାମ୍ୱାଦିକ ସମ୍ୱାଦ ସଂସ୍ଥାଗୁଡ଼ିକରେ ନିଯୁକ୍ତ ହେଉଛନ୍ତି । ତେବେ ବ୍ୟକ୍ତିଗତସ୍ତରରେ ସାମ୍ୱାଦିକମାନଙ୍କ କାର୍ଯ୍ୟଭାର ବଢୁଛି । ପରିସ୍ଥିତି ଏପରିସ୍ତରରେ ପହଞ୍ଚିଲାଣି ଯେ କାର୍ଯ୍ୟଭାରରେ ଅତିଷ୍ଠ ହୋଇ ବହୁ ପ୍ରତିଭାବାନ ସାମ୍ୱାଦିକ ସାମ୍ୱାଦିକତା ବୃତ୍ତିରୁ ଅବ୍ୟାହତି ନେବା ନିମନ୍ତେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ଆନୁସଙ୍ଗିକ ବୃତ୍ତି ଅନ୍ୱେଷଣରେ ଥିବା ଲକ୍ଷ୍ୟ କରାଯାଉଛି ।
ଓଡ଼ିଶାରେ ବିଂଶ ଶତାଦ୍ଦୀର ଅଷ୍ଟମ ଦଶକରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପୂର୍ବରୁ ମୁଦ୍ରିତ ଓ ରେଡ଼ିଓ ସାମ୍ୱାଦିକତାର ପରିସର ସୀମିତ ରହିଥିଲା । ଖୁବ କମ ସଂଖ୍ୟକ ସମ୍ୱାଦପତ୍ର ପ୍ରକାଶ ପାଉଥିଲା ଏବଂ ରେଡ଼ିଓ ଷ୍ଟେସନ କାର୍ଯ୍ୟକ୍ଷମ ଥିଲା । ସେଥିରେ ଅତି ଅଳ୍ପ ସଂଖ୍ୟକ ସାମ୍ୱାଦିକ ନିଯୁକ୍ତି ପାଇଥିଲେ । ସମାଜରେ ସାମ୍ୱାଦିକତା ଏକ ଅଭିଜାତ୍ୟପୂର୍ଣ୍ଣ ବୃତ୍ତି ରୂପେ ପରିଗଣିତ ହେଉଥିଲା । ଜରୁରିକାଳୀନ ପରିସ୍ଥିତି ପୂର୍ବରୁ ବହୁଳ ପ୍ରସାରିତ ତିନିଗୋଟି ଓଡ଼ିଆ ଦୈନିକ ସମ୍ୱାଦପତ୍ରର ସମ୍ପାଦନା ବିଭାଗର ଅଧିକାଂଶ ସାମ୍ୱାଦିକ ସକାଳ ଦଶରେ କାର୍ଯ୍ୟାଳୟ ଯାଇ ଅପରାହ୍ନ ତିନି ସୁଦ୍ଧା ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଫେରି ଆସୁଥିଲେ । ପ୍ରକାଶନ ସ୍ଥଳ କଟକ ଭିନ୍ନ ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳର ସାମ୍ୱାଦିକ ଫୁରୁସତରେ ସମ୍ୱାଦ ଲେଖି ଡ଼ାକଯୋଗେ ପଠାଉଥିଲେ । ଅତି ଗୁରୁତ୍ୱପୂର୍ଣ୍ଣ ସମ୍ୱାଦଗୁଡ଼ିକ ଟେଲିଫୋନରେ ଡାକୁଥିଲେ ବା କାଁ ଭାଁ ଟେଲିଗ୍ରାମ ଯୋଗେ ପ୍ରେରଣ କରୁଥିଲେ ।
ଦେଶରେ ୧୯୭୫ରୁ ୭୭ ଜରୁରିକାଳୀନ ପରିସ୍ଥିତି ଜାରୀ-ପର ଅବସ୍ଥାରେ ରାଷ୍ଟ୍ରୀୟସ୍ତରରେ ସାଂବାଦିକତା କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ସଂଗଠିତ ହୋଇଥିଲା । ସମ୍ୱାଦମଞ୍ଚ ସାଙ୍ଗକୁ ବୃତ୍ତିଧାରୀ ସାମ୍ୱାଦିକଙ୍କ ସଂଖ୍ୟା ବୃଦ୍ଧି ଦେଖିବାକୁ ମିଳିଥିଲା । ଏହି ପରିବର୍ତ୍ତନରେ ପାଞ୍ଚ ବର୍ଷ ପରେ ୮୪ ବେଳକୁ ଓଡ଼ିଆ ସାମ୍ୱାଦିକତା ସାମିଲ ହେଲା । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଦୈନିକ ସଂସ୍କରଣ ଓ ପୃଷ୍ଠା ସଂଖ୍ୟା ବୃଦ୍ଧି, ଆଧୁନିକ ମୁଦ୍ରଣ ବୈଷୟିକ କୌଶଳ ଉପଯୋଗ ତଥା ସାମ୍ୱାଦିକମାନଙ୍କୁ କେତେକାଂଶରେ ଅଣ-ସାମ୍ୱାଦିକତା କାର୍ଯ୍ୟରେ ନିୟୋଜନ ଫଳରେ କ୍ରମଶଃ ସାମ୍ୱାଦିକଙ୍କ ଦୈନନ୍ଦିନ କାର୍ଯ୍ୟଭାର ବଢ଼ିଚାଲିଲା ।
ବିଂଶ ଶତାଦ୍ଦୀର ଶେଷ ଦଶକରେ ଘରୋଇ ଟେଲିଭିଜନ ଚ୍ୟାନେଲ ଆରମ୍ଭ ତଥା ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରେ ଓଡ଼ିଆ ଭାଷାକୁ ସଂପ୍ରସାରିତ ହେବା ଅବସରରେ ଟେଲିଭିଜନ ସାମ୍ୱାଦିକତା ଏକ ନୂତନ ବର୍ଗରୂପେ ମୁଣ୍ଡ ଟେକିଥିଲା । ସମ୍ୱାଦପତ୍ର ତୁଳନାରେ ଟେଲିଭିଜନରେ ସମ୍ୱାଦ ପ୍ରସାରଣର ଗତି ପ୍ରଖର ଥିବା ହେତୁ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସଂପୃକ୍ତ ସାମ୍ୱାଦିକମାନଙ୍କ କାର୍ଯ୍ୟଭାର ସ୍ୱଭାବତଃ ଅଧିକ । କିନ୍ତୁ ପ୍ରତିଯୋଗୀ ଚ୍ୟାନେଲମାନଙ୍କ ସହ ସମ୍ୱାଦ ପ୍ରସାରଣରେ ମୁକାବିଲା କରିବା ନିମନ୍ତେ ଉଦ୍ୟମ କାର୍ଯ୍ୟଭାର ଆହୁରି ବଢ଼ାଇ ଦିଏ । ଡ଼ିଜିଟାଲ ମିଡ଼ିଆର ଅଭ୍ୟୁଥାନପରେ ତଦ୍ ଅନୁରୂପ ସମସ୍ୟା ଦେଖା ଦେଇଛି । ଫଳରେ ଓଡ଼ିଶାରେ ୧୯୮୪ରେ ନୂତନ ସାମ୍ୱାଦିକତା ପ୍ରବର୍ତ୍ତିତ ହେବା ପୂର୍ବରୁ ସାମ୍ୱାଦିକତା ବୃତ୍ତିରେ ଉପଲବ୍ଧ ଶାନ୍ତ ପରିବେଶ କ୍ରମଶଃ ପ୍ରତିଯୋଗିତାକେନ୍ଦ୍ରୀକ ହୋଇ ବ୍ୟସ୍ତବହୁଳ ଦିନଚ଼ର୍ଯ୍ୟାରେ ପର୍ଯ୍ୟବସିତ ।
ବିଶ୍ୱବ୍ୟାପୀ ସାମ୍ୱାଦିକତାରେ ‘କୋଭିଡ଼-୧୯’ ମହାମାରୀଜନିତ ପ୍ରଭାବ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧିଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତି କରିଥିଲା । ବିଭିନ୍ନ କଟକଣା ହେତୁ ଦୀର୍ଘକାଳ ବ୍ୟାପୀ ସମ୍ୱାଦ ସଂଗ୍ରହ ଓ ପ୍ରସାରଣ ପ୍ରତିହତ ହେବା, ଡିଜିଟାଲ ମଞ୍ଚ ପ୍ରସାରରେ ସମ୍ୱାଦମଞ୍ଚଗୁଡ଼ିକର ବିଜ୍ଞାପନ-ଆଶ୍ରିତ ମଡ଼େଲ ଅକାମୀ ହୋଇପଡ଼ିବା ଏବଂ ସର୍ବୋପରି ସମ୍ୱାଦ ଉପଭୋକ୍ତାମାନଙ୍କ ପରିବର୍ତ୍ତିତ ଆଚ଼ରଣ ହେତୁ ସମ୍ୱାଦ ମଞ୍ଚ ବ୍ୟବସାୟ ବିଘଟନର ସମ୍ମୁଖୀନ ହୋଇଥିଲା । ଫଳରେ ସାମ୍ୱାଦିକମାନଙ୍କୁ ଛଟେଇ କରିଦିଆଯିବା ଫଳରେ କାର୍ଯ୍ୟରତ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧି ପାଇବାରେ ଲାଗିଲା । ଆୟହାନୀ, ବ୍ୟାବସାୟିକ ମାନ୍ଦାବସ୍ଥା ଓ ପ୍ରତିଯୋଗୀ ଡ଼ିଜିଟାଲ ମଞ୍ଚର ଆହ୍ୱାନର ସମ୍ମୁଖୀନ ହୋଇଥିବା ବୃତ୍ତିଧାରୀ ସାମ୍ୱାଦିକ କାର୍ଯ୍ୟଭାର ବୃଦ୍ଧିକୁ ନେଇ ଅଭିଯୋଗ କରିବା ସମ୍ଭବ ହୋଇପାରୁନାହିଁ ।
ସାମ୍ୱାଦିକର କାର୍ଯ୍ୟଭାର ବୃଦ୍ଧି ତାହାର ସାମ୍ୱାଦିକତା ସୃଜନରେ ପ୍ରତିଫଳିତ ହେଉଥିବା ସୁସ୍ପଷ୍ଟ । ମହାମାରୀ-ପର ଅବସ୍ଥାରେ ଓଡ଼ିଆ ସାମ୍ୱାଦିକତାରେ ଗୁଣାତ୍ମକ ଅଧଃପତନ ନିମନ୍ତେ ବୃତ୍ତିଧାରୀ ସାମ୍ୱାଦିକଙ୍କ କାର୍ଯ୍ୟଭାରକୁ ଦାୟୀ କରାଯାଇପାରେ । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଚାପଗ୍ରସ୍ତ ସାମ୍ୱାଦିକଙ୍କ ରଚନା ଉଚ୍ଚକୋଟୀ ହେବା ଆଶା କରାଯାଇ ପାରେନା । ମାର୍କିନ ସାଂସ୍କୃତିକ ସମାଜତତ୍ତ୍ୱବିତ ଡେଭିଡ଼ ହେସମଣ୍ଟହାଲ ଓ ସାରା ବେକର ଦର୍ଶାଇଥିଲେ ଯେ ଅବହେଳିତ କାର୍ଯ୍ୟକ୍ଷେତ୍ର ଯଥା ବିରକ୍ତିକର ‘ବୋରିଂ’, ଅନିଶ୍ଚିତ ‘ଇନସିକ୍ୟୁର’, କମ ପାରିତୋଷିକ ‘ପୁରଲି କମ୍ପନସେଟଡ଼’ ପରିବେଶରେ ଉଚ୍ଚମାନର ସୃଜନ ଅଂସଭବ । ତାହାର ବିପରୀତରେ ଆଗ୍ରହ ଉଦ୍ଦୀପକ ‘ଇଣ୍ଡରେଷ୍ଟିଂ’, ନିଶ୍ଚିତ ‘ସିକ୍ୟୁର’, ମୁକ୍ତ ‘ଅଟୋନୋମସ’, ସନ୍ତୋଷଜନକ ପାରିତୋଷିକ ପ୍ରାପ୍ତ ‘ଫେରଲି କମ୍ପନସେଟେଡ଼’ କାର୍ଯ୍ୟକ୍ଷେତ୍ରରେ ଉଚ୍ଚମାନର ସୃଜନ ସଂଭବ ।
ସମକାଳୀନ ସମ୍ୱାଦ ମଞ୍ଚ ସୃଜନ ଅନୁଶୀଳନ କଲେ ଓଡ଼ିଶାରେ କେବଳ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଦୈନିକ ପାଞ୍ଚ ଶହ ପୃଷ୍ଠାରୁ ଉର୍ଦ୍ଧ୍ୱ ବ୍ରଡ଼ସିଟ ସମ୍ୱାଦ ରଚ଼ିତ ଓ ପ୍ରକାଶିତ ହେଉଛି । କିନ୍ତୁ ଏଥି ମଧ୍ୟରୁ କେତେ ସଂଖ୍ୟକ ସମ୍ୱାଦ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା ନିମନ୍ତେ ଅଙ୍ଗୀକାରବଦ୍ଧ ତାହା ହିସାବ କଲେ ହତାଶ ହେବାକୁ ପଡ଼ିଥାଏ । ସାମ୍ୱାଦିକ ଦୈନନ୍ଦିନ କାର୍ଯ୍ୟସୂଚ଼ୀ ମୁତାବକ କାର୍ଯ୍ୟ କରି ଥକି ପଡୁଥିବା ସ୍ଥଳେ ସାମ୍ୱାଦିକତାର ବୃହତ୍ତର ମୂଲ୍ୟବୋଧ ପୂରଣ ନିମନ୍ତେ ସମ୍ୱାଦ ସଂକଳନ, ସମ୍ପାଦନା ଓ ପ୍ରକାଶନରୁ କ୍ଷାନ୍ତ ରହିବାକୁ ବାଧ୍ୟ ହୋଇଥାଏ ।
ଆନ୍ତର୍ଜାତିକ ପରିସଂଖ୍ୟାନ ସଂସ୍ଥା ‘ଷ୍ଟାଟିଷ୍ଟା’ର ତଥ୍ୟ ଅନୁଯାୟୀ ବିଶ୍ୱବ୍ୟାପୀ ୩୨.୫ ପ୍ରତିଶତ ବୃତ୍ତିଧାରୀ ସାମ୍ୱାଦିକ ସପ୍ତାହରେ ଦଶଗୋଟି ଯାଏଁ ସମ୍ୱାଦ ରଚନା କରିଥାନ୍ତି । ସେମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ସାପ୍ତାହିକ ପାଞ୍ଚରୁ ଉର୍ଦ୍ଧ୍ୱ ବିଷୟରେ ସମ୍ୱାଦ ପ୍ରସ୍ତୁତିରେ ସଂପୃକ୍ତ । ଏହି କାର୍ଯ୍ୟଭାର ହେତୁ କୌଣସି ବିଷୟରେ ମୌଳିକ ଗବେଷଣା କରିବା ଅପହଞ୍ଚ ହୋଇପଡ଼େ । ଯୁକ୍ତରାଷ୍ଟ୍ର ଆମେରିକା ରୁଟେଗେର୍ସ ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଅଧ୍ୟାପିକା କାଟଲିନ ପେଟ୍ରେ ‘ଅଲ ଦି ନିଉଜ ଦେଟ ଇଜ ଫିଟ ଟୁ କ୍ଳିକ’ ଶୀର୍ଷକ ପୁସ୍ତକରେ ସାମ୍ୱାଦିକଙ୍କ କାର୍ଯ୍ୟଭାର ବୃଦ୍ଧିଲାଗି ସମ୍ୱାଦଶିଳ୍ପରେ ପ୍ରଚଳିତ ପାରମ୍ପରିକ ମନୋବୃତ୍ତିକୁ ଦାୟୀ କରିଛନ୍ତି । ପ୍ରିନ୍ସଟନ ୟୁନିଭରସିଟି ପ୍ରେସ ପକ୍ଷରୁ ୨୦୨୧ରେ ପ୍ରକାଶିତ ୨୮୦ ପୃଷ୍ଠାର ଏହି ପୁସ୍ତକରେ ପେଟ୍ରେ ‘ଦି ନିଉୟର୍କ ଟାଇମ୍ସ’ ଓ ଅନ୍ୟାନ୍ୟ ଅଗ୍ରଣୀ ସମ୍ୱାଦ ସଂସ୍ଥାରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଆଚ଼ରଣ ସଂପର୍କରେ ସୁବିସ୍ତୃତ ବର୍ଣ୍ଣନା କରିଛନ୍ତି । ଏହି କ୍ଷେତ୍ରରେ ପେଟ୍ରେ ଦଶ ବର୍ଷ ଧରି ଗବେଷଣା ଜାରି ରଖିଥିଲେ ।
ସମ୍ୱାଦମଞ୍ଚଗୁଡ଼ିକର ସଫଳ ପରିଚାଳନା ନିମନ୍ତେ ପାରମ୍ପରିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ସମୟ ଉପନୀତ । ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଗୁଣାତ୍ମକ ସାମ୍ୱାଦିକତା ସମ୍ୱାଦ ମଞ୍ଚଗୁଡ଼ିକର ବ୍ୟବସାୟ, ଏପରିକି ପ୍ରକାଶନ ଜାରି ରଖିବାକୁ ପ୍ରଭାବିତ କରୁଥିବା ଉଦାହରଣରୁ ସାମ୍ୱାଦିକଙ୍କୁ ସୃଜନମୁଖୀ ଗଢ଼ି ତୋଳିବା ନିମନ୍ତେ ଉଦ୍ୟମ ପ୍ରାଥମିକତା ଦାବୀ କରେ । ବୃତ୍ତିଧାରୀ ସାମ୍ୱାଦିକଙ୍କ କାର୍ଯ୍ୟଭାର ହ୍ରାସ, ସେମାନଙ୍କୁ ଲୋକାଭିମୁଖୀ ସାମ୍ୱାଦିକତାରେ ମନୋନିବେଶ କରିବା ନିମନ୍ତେ ପ୍ରୋତ୍ସାହନ ଏବଂ ଆବଶ୍ୟକତା ଅନୁଯାୟୀ ବାହ୍ୟ ମୁକ୍ତ ସାମ୍ୱାଦିକଙ୍କ ସେବା ସଂଗ୍ରହ ସାମ୍ୱାଦିକତାର ମାନବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ । ଏଦିଗରେ ସମ୍ପାଦକୀୟ ନୀତି ପ୍ରଯୋଜନା ଗୁରୁତ୍ୱପୂର୍ଣ୍ଣ ।
