ଆଜିର ଖାସ ଖବର
Sun. Sep 13th, 2026

୫ଜି ଟେଲିଯୋଗାଯୋଗ ସେବା

By Dainikasha Jul11,2024

ପଞ୍ଚମ ପୀଢ଼ି ଟେଲିଯୋଗାଯୋଗ ସେବା ବା ‘୫ଜି ଟେଲିକମ୍ୟୁନିକେସନ ସର୍ଭିସେସ’ ଭାରତରେ ୨୦୨୦ ସୁଦ୍ଧା ଆରମ୍ଭ ହେବା ଆଶା କରାଯାଉଛି । ଆମ ଦେଶରେ ଅତ୍ୟାଧୁନିକ ୫ଜି ଟେଲିଯୋଗାଯୋଗ ପ୍ରଚଳନ ନିମନ୍ତେ ସମ୍ଭାବ୍ୟ ନୀତିନିର୍ଦ୍ଧାରଣ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭ ସେପ୍ଟେମ୍ବର ମାସରେ ଏକ ଷ୍ଟିଅରିଂ କମିଟି ଗଠିତ ହୋଇଥିଲା ଏବଂ କମିଟି ନିଜ ରିପୋର୍ଟ ୨୦୧୮ ଅଗଷ୍ଟ ମାସରେ ଉପସ୍ଥାପନ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ପ୍ରଫେସର ଏ.ଜେ. ପାଉଲରାଜ କମିଟିର ଅଧ୍ୟକ୍ଷତା କରିଥିଲେ ।

ପାଉଲରାଜ କମିଟି ଭାରତରେ ୫ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ଫଳରେ ସାମଗ୍ରୀକ ପ୍ରଗତି ସହ ସମାଜର ଅବହେଳିତ ବର୍ଗଙ୍କ ସ୍ୱାର୍ଥ ସଂରକ୍ଷଣରେ ସହାୟକ ହୋଇପାରିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହି କାରଣରୁ ୫ଜି ନେଟୱାର୍କକୁ ଜାତୀୟସ୍ତରରେ ମୌଳିକ ଭିତ୍ତିଭୂମି ‘ଏସେନସିଆଲ ଇନଫ୍ରାଷ୍ଟକଚ଼ର’ର ମାନ୍ୟତା ପ୍ରଦାନ ଓ ଟେଲିସେବା ପ୍ରଦାନକାରୀଙ୍କୁ ଭିତ୍ତିଭୂମି ଗଢ଼ିବା ସକାଶେ ନିବେଶ ସଂଗ୍ରହରେ ରିହାତି ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନଭଳି ବିକଶିତ ରାଷ୍ଟ୍ର ତୁଳନାରେ ଭାରତରେ ବିତରିତ ସ୍ପେକ୍ଟ୍ରମ ଲାଇସେନ୍ସ ପରିମାଣ କମ ତଥା ଦର ଅଧିକ ଥିବା ହେତୁ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ପେକ୍ଟ୍ରମ ଆବଣ୍ଟନ ଅବସରରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଏହି ଦୁଇ କାରଣରୁ ଟେଲିଯୋଗାଯୋଗ ସେବା ଖର୍ଚ୍ଚବହୁଳ ହୋଇପଡୁଥିବା ତଥା ଆବଣ୍ଟନ ନିମନ୍ତେ ଚ଼ିହ୍ନଟ ହୋଇଥିବା ସ୍ପେକ୍ଟ୍ରମ ବିକ୍ରୀ ନ ହୋଇପାରୁଥିବା ଟେଲିଯୋଗାଯୋଗ ବିକାଶରେ ବାଧକ ସାଜୁଛି ବୋଲି ଚ଼େତାଇ ଦିଆଯାଇଛି ।

ଭାରତୀୟ ଗଣମାଧ୍ୟମ ପରିବେଶରେ ପାଉଲରାଜ କମିଟିର ୫ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ନିମନ୍ତେ ପ୍ରସ୍ତାବିତ ସକାରତ୍ମକ ନୀତିନିର୍ଦ୍ଧାରଣ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଆମ ଦେଶରେ ଅତୀତରେ ସରକାରୀସ୍ତରରେ ସ୍ପେକ୍ଟ୍ରମ ଆବଣ୍ଟନଜନିତ ତୃଟିବିଚ୍ୟୁତି ହେତୁ ଟେଲିଯୋଗାଯୋଗ ବିକାଶରେ ବାଧା ପହଞ୍ଚିଥିଲା । ଯଦି ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ଓ ଉପଯୋଗରେ ସୁଚ଼ାରୁରୂପେ ସମ୍ପନ୍ନ ହୁଏ ତେବେ ଦେଶବାସୀ ବିକଶିତ ରାଷ୍ଟ୍ରଗୁଡ଼ିକ ସହ ସମତାଳରେ ଅତ୍ୟାଧୁନିକ ଟେଲିଯୋଗାଯୋଗ ସେବା ବ୍ୟବହାର କରିବା ସମ୍ଭବପର । ଉପଭୋକ୍ତାଙ୍କ ବହୁଳ ଉପସ୍ଥିତି ଗଣମାଧ୍ୟମର ଗୁଣାତ୍ମକ ବିକାଶରେ ସହାୟକ ହେବ ।

ସରଳରେ ବୁଝାଇବାକୁ ଗଲେ ୫ଜି ସ୍ପେକ୍ଟ୍ରମ ଉପଯୋଗରେ ଇଣ୍ଟରନେଟଭିତ୍ତିକ କାର୍ଯ୍ୟାବଳୀ ୪ଜି ସ୍ପେକ୍ଟ୍ରମଠାରୁ ୧୦୦ଗୁଣ ଅଧିକ ବେଗରେ କାର୍ଯ୍ୟଦକ୍ଷତା ହାସଲ କରିବ । ଅନଲାଇନରେ ସ୍ଥିରତା ଓ ବେଗ ଅତ୍ୟାଧୁନିକ ଉଦ୍ଭାବନମାନ ବ୍ୟବହାରଲାଗି ଦ୍ୱାର ଉନ୍ମୁକ୍ତ ହେବ । ରୋବୋଟିକ ସର୍ଜରୀ ବା ଅଟୋନୋମାସ କାରଚ଼ାଳନା ଭଳି ବୈଷୟିକ କଳାକୌଶଳ ୫ଜି ଟେଲିଯୋଗାଯୋଗ ଆବଶ୍ୟକ କରିଥାଏ । ତେବେ ଏଭଳି ସୁବିଧା ସୁଯୋଗ ସମାଜର ଉଚ୍ଚବର୍ଗଙ୍କ ଲାଗି ଅଭିପ୍ରେତ ବୋଲି ଭାବିବା ଭୁଲ, ସମାଜର ଅବହେଳିତ ବର୍ଗଙ୍କ ବହୁ ସମସ୍ୟା ସମାଧାନ ସଂଭବପର ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ଭାରତ ପରିକଳ୍ପନାକୁ ଗୁରୁତ୍ୱ ଦିଆଯାଉଛି । ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି, ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ୨୦୧୮ ସେପ୍ଟେମ୍ୱର ମାସରେ ଆର୍ଜେଣ୍ଟିନାରେ ଆହୂତ ଡ଼ିଜିଟାଲ ଅର୍ଥନୀତି ସଂପର୍କୀତ ଜି-୨୦ ବୈଠକରେ ଯୋଗ ଦେଇ ଫେରିବାପରେ ଅନୁଭୂତି ବର୍ଣ୍ଣନା କରି ଟେଲିଯୋଗାଯୋଗ ବିକାଶ କ୍ଷେତ୍ରରେ ଭାରତର ପଦକ୍ଷେପକୁ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ମିଳୁଥିବା ଉଲ୍ଲେଖ କରିଥିଲେ । ମନ୍ତ୍ରୀଙ୍କ ହିସାବରେ ୨୦୧୮ ମଧ୍ୟଭାଗ ସୁଦ୍ଧା ଦେଶର ୧୩୦ କୋଟି ନାଗରିକଙ୍କ ପାଇଁ ୧୨୧ କୋଟି ମୋବାଇଲ ଫୋନ ଓ ୫୦ କୋଟି ଇଣ୍ଟରନେଟ ସଂଯୁକ୍ତି ଉପଲବ୍ଧ । ସାଧାରଣ ନାଗରିକଙ୍କୁ ବୈଷୟିକ ପ୍ରଗତି ସହ ଯୋଡ଼ିବା ନିମନ୍ତେ ସରକାର ବଦ୍ଧପରିକର ।

ସରକାରଙ୍କ ସମ୍ଭାବ୍ୟ ନୀତିନିର୍ଦ୍ଧାରଣକୁ ଭିତ୍ତିକରି ଘରୋଇ ଉଦ୍ୟୋଗରେ ଟେଲିଯୋଗାଯୋଗ ବିକାଶ ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯାଉଛି । ୨୦୧୮ ଅକ୍ଟୋବରରେ ଆହୂତ ମୋବାଇଲ କଂଗ୍ରେସରେ ପ୍ରସ୍ତାବିତ ‘ଜିଓ-ଗିଗା-ଫାଇବର’ ଯୋଜନା ସଂପର୍କରେ ସୂଚ଼ନା ଦେଇ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଆମ୍ୱାନୀ କହିଥିଲେ ଯେ ୨୦୨୦ ସୁଦ୍ଧା ଦେଶର ପ୍ରତ୍ୟେକ ମୋବାଇଲ ଉପଭୋକ୍ତା ୪ଜି ଫୋନ ବ୍ୟବହାର କରିବା ବେଳେ ୫ଜି ପାଇଁ ପ୍ରସ୍ତୁତ ରହିବେ । ମୋବାଇଲ ବ୍ରଡ଼ବ୍ୟାଣ୍ଡ ବ୍ୟବହାର କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ଭାରତର ସ୍ଥାନ ୧୫୫ରୁ ମାତ୍ର ଦୁଇବର୍ଷ ମଧ୍ୟରେ ପ୍ରଥମ ସ୍ଥାନକୁ ଉନ୍ନୀତ ହେବା ଅଭିଜ୍ଞତା ଭବିଷ୍ୟତରେ ଟେଲିଯୋଗାଯୋଗର ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିବିମ୍ୱିତ ହେବ ।

ରିଲାଏନ୍ସ ଜିଓର ପ୍ରମୁଖ କର୍ମକର୍ତ୍ତା ମେଥ୍ୟୁ ଓମେନ କହୁଛନ୍ତି ଯେ ଭାରତରେ ୫ଜି ଟେଲିଯୋଗାଯୋଗ ବ୍ୟବସ୍ଥାର ସଫଳତା ଉପଭୋକ୍ତାଙ୍କ ପାଇଁ ସୁଲଭ ମୂଲ୍ୟରେ ୫ଜି ଉପଯୋଗୀ ସ୍ମାର୍ଟଫୋନ ପ୍ରଚ଼ଳନ ଉପରେ ନିର୍ଭରଶୀଳ । ଜିଓ ପକ୍ଷରୁ ୪ଜି ଟେଲିଯୋଗାଯୋଗ ଆରମ୍ଭ ଅବସରରେ ୩,୦୦୦ ରୁ ୪,୦୦୦ ଟଙ୍କାରେ ସ୍ମାର୍ଟଫୋନ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ଏହିଭଳି ସୁଯୋଗ ହେତୁ ଅଧିକ ସଂଖ୍ୟାରେ ଉପଭୋକ୍ତା ନୂତନ ବୈଷୟିକ କୌଶଳପ୍ରତି ଆକର୍ଷିତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୪ଜି ଫିଚ଼ର ଫୋନ ୧୫୦୦ ଟଙ୍କା ଅମାନତରେ ଗ୍ରାହକ ସଂଗ୍ରହ କରିବା ସଙ୍ଗେ କିଛି ବର୍ଷପରେ ପୁରୁଣା ଫୋନ ବଦଳରେ ଅମାନତ ଟଙ୍କା ଫେରାଇଦେବା ଯୋଜନା ଆର୍ଥିକଦିଗରୁ ଅନଗ୍ରସର ଉପଭୋକ୍ତାଙ୍କୁ ୪ଜି ଟେଲିଯୋଗାଯୋଗରେ ସାମିଲ କରାଇପାରିଥିଲା ।

ସ୍ମାର୍ଟଫୋନ ନିର୍ମାଣକ୍ଷେତ୍ରରେ ନିର୍ଦ୍ଧାରିତ ଦରରୁ ଅର୍ଦ୍ଧେକ ଚିପସେଟ ସଂଗ୍ରହ ବାବଦରେ ଖର୍ଚ୍ଚ କରାଯାଇଥାଏ । କ୍ୱାଲକମ ବା ମେଡିଟେକ ଭଳି ବୈଦେଶିକ ନିର୍ମାତାଙ୍କଠାରୁ ଚିପସେଟ ଆମଦାନୀ କରାଯାଉଥିବାସ୍ଥଳେ ସ୍ମାର୍ଟଫୋନ ନିର୍ମାଣରେ ଖର୍ଚ୍ଚ ବାହ୍ୟ ସୂତ୍ରଦ୍ୱାରା ପ୍ରଭାବିତ ହୋଇଥାଏ । ଏଭଳି ପରିବେଶରେ କମ ଦରରେ ୫ଜି ସ୍ମାର୍ଟଫୋନ ବିକ୍ରୀ ବ୍ୟବସାୟିକ ଭିତ୍ତିଭୂମି ଉପରେ ନିର୍ଭରଶୀଳ ରହିବ ।

ଆନ୍ତର୍ଜାତିକସ୍ତରରେ କେତେକ ବିକଶିତ ରାଷ୍ଟ୍ର ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ସାରି ବ୍ୟାବସାୟିକ ବ୍ୟବହାର ନିମନ୍ତେ ପ୍ରସ୍ତୁତ ହେଲେଣି । ଭାରତରେ ସ୍ପେକ୍ଟ୍ରମ ଆବଣ୍ଟନ ତଦାରଖ କରୁଥିବା ଟେଲିକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆ (ଟ୍ରାଇ) ପକ୍ଷରୁ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ସଂପର୍କୀତ ପ୍ରସ୍ତାବ ସରକାରଙ୍କଠାରେ ଉପସ୍ଥାପିତ କରିସାରିଥିଲେ ହେଁ ଚୁଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି । ବ୍ୟାବସାୟିକ ବ୍ୟବହାର ପୂର୍ବରୁ କେତେକ ଟେଲିଯୋଗାଯୋଗ କମ୍ପାନୀ ପକ୍ଷରୁ ୫ଜି ସେବା ପରୀକ୍ଷାମୂଳକ ଭାବେ ବ୍ୟବହାର ନିମନ୍ତେ ପଦକ୍ଷେପ ନେଉଛନ୍ତି । ରିଲାଏନ୍ସ ଜିଓ ସମସୁଙ୍ଗ ସହଯୋଗରେ ୨୦୧୯ ପ୍ରାରମ୍ଭରେ ଏଭଳି ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିବବୋଲି ଜଣାଯାଏ ।

ଭାରତର ଭୌଗଳିକ ବିସ୍ତୃତି ଓ ସାମାଜିକ, ସାଂସ୍କୃତିକ, ଅର୍ଥନୀତିକ ବିବିଧତା ସତ୍ତ୍ୱେ ଟେଲିଯୋଗାଯୋଗ କ୍ଷେତ୍ରରେ ପ୍ରସ୍ତାବିତ ଫାଇବର-ଟୁ-ଦି-ହୋମ ଓ ୫ଜି ବୈଷୟିକ କୌଶଳର ବ୍ୟବହାର ୨୦୨୨ ସୁଦ୍ଧା ଗଣଯୋଗାଯୋଗ ମଞ୍ଚଗୁଡ଼ିକର ରୂପରେଖରେ ଦୃତ ପରିବର୍ତ୍ତନ ଆଶା କରାଯାଇପାରେ । ଗଣମାଧ୍ୟମ କର୍ମୀମାନଙ୍କ ପାଇଁ ପରିବର୍ତ୍ତନ ସହ ସମତାଳରେ ସୃଜନଶୀଳତାର ପୁର୍ନମୂଲ୍ୟାୟନ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଆଧୁନିକ ବୈଷୟିକ କଳାକୌଶଳ ଆୟତ୍ତ ବିନା ବୃତ୍ତିଗତ ଜୀବନରେ ସଫଳତା ସଂଭବପର ନ ହୋଇପାରେ । ଏଥିଲାଗି ପୂର୍ବପ୍ରସ୍ତୁତି ଅପରିହାର୍ଯ୍ୟ ।

Related Post