ଆଜିର ଖାସ ଖବର
Tue. Jul 28th, 2026

ସମ୍ଭାବନାରେ ୫ଜି ଟେଲିଯୋଗାଯୋଗ

By Dainikasha Jul11,2024

ଭାରତୀୟ ଟେଲିଯୋଗାଯୋଗ ପରିଧିରେ ୫ଜି ସ୍ପେକ୍ଟ୍ରମ ପ୍ରଚଳନଲାଗି ପରୀକ୍ଷା ନିରୀକ୍ଷା ଆୟୋଜନ ୨୦୧୯ର ପ୍ରଥମ ଭାଗରେ ବହୁଳ ଚର୍ଚ୍ଚିତ ଉପକ୍ରମ । ବିକଶିତ ରାଷ୍ଟ୍ରଗୁଡ଼ିକରେ ୨ଜି, ୩ଜି ଓ ୪ଜି ପ୍ରଚଳନର ଦୀର୍ଘ କାଳ ଅପେକ୍ଷା ପରେ ଆମ ଦେଶରେ ଅନୁରୂପ ସେବା ମିଳିଥିବା ସ୍ଥଳେ ୫ଜି ସେବା ଆନ୍ତର୍ଜାତିକସ୍ତରରେ ସମତାଳରେ ରୂପାୟିତ କରିବାକୁ ଉଦ୍ୟମ କରାଯାଉଛି । କେନ୍ଦ୍ର ସରକାରଙ୍କ ଟେଲିଯୋଗାଯୋଗ ମନ୍ତ୍ରଣାଳୟପକ୍ଷରୁ ଚ଼ୀନର ପ୍ରମୁଖ ଟେଲିଯୋଗାଯୋଗ ସରଞ୍ଜାମ ନିର୍ମାତା ‘ହୁୱାଇ’କୁ ୫ଜି ସେବା ପରୀକ୍ଷା କରିବା ନିମନ୍ତେ ଅନୁମତି ପ୍ରଦାନ କରିସାରିଛନ୍ତି ଏବଂ ୨୦୧୯ ଜାନୁୟାରୀ, ଫେବୃୟାରୀ କିମ୍ୱା ମାର୍ଚ୍ଚ ମାସରୁ ତାହା ଆରମ୍ଭ ହେବା ନିମନ୍ତେ ସ୍ଥିରୀକୃତ ହୋଇଛି ।

କୁହାଯାଉଛି ଯେ ଦେଶର କେତେଗୋଟି ଅଞ୍ଚଳରେ ହୁୱାଇର ପରୀକ୍ଷାଛଅରୁ ନଅମାସ ଯାଏଁ ଚ଼ାଲିବ । ଅର୍ଥାତ ୨୦୨୧ ବେଳକୁ ୫ଜିର ବ୍ୟାବସାୟିକ ସେବା ବଜାରରେ ଉପଲବ୍ଧ ହେବା ଆଶା କରାଯାଇପାରେ । ଅକ୍ଟୋବର ୨୦୧୮ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ହୁୱାଇ, ରିଲାଏନ୍ସ ଜିଓ ଓ ଭାରତୀ ଏୟରଟେଲ ସହଯୋଗରେ ୫ଜି ନେଟୱାର୍କ କାର୍ଯ୍ୟକାରିତାର ନମୂନା ପ୍ରଦର୍ଶନ କରିଥିଲା । ଏହି ଅବସରରେ ୟୁରୋପୀୟ ଟେଲିଯୋଗାଯୋଗ ସରଞ୍ଜାମ ନିର୍ମାତା ଏରିକସନ ମଧ୍ୟ ନୂଆଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ଟେକନୋଲଜି ଓ ରିଲାଏନ୍ସ ଜିଓର ସହଯୋଗରେ ୫ଜି ନେଟୱାର୍କ ଉପଯୋଗରେ ଚ଼ାଳକବିହୀନ କାର ଓ ବସ ଚ଼ାଳନାର ପ୍ରଦର୍ଶନ ଆୟୋଜନ କରିଥିଲା । ଅତଏବ ମୋଟାମୋଟିଭାବେ ୨୦୧୮ରୁ ଭାରତରେ ୫ଜି ଟେଲିଯୋଗାଯୋଗ ସେବାର ପରୀକ୍ଷାମୂଳକ ପ୍ରଚଳନ ଆରମ୍ଭ ହୋଇସାରିଛି ବୋଲି କରିବାକୁ ହେବ ।

ଭାରତରେ ସରକାରୀସ୍ତରରେ ଟେଲିକମ ସ୍ପେକ୍ଟ୍ରମ ଆବଣ୍ଟନ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ବିଳମ୍ୱ ଘଟୁଥିଲା । କିନ୍ତୁ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ନେଇ ସରକାରଙ୍କ ପକ୍ଷରୁ ବହୁ ଆଗରୁ ତତ୍ପରତା ପ୍ରକାଶପାଇଛି । ଯଥାଶୀଘ୍ର ନିଲାମ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଏ। ତେବେ ପ୍ରାଥମିକସ୍ତରରେ ୫ଜି ଟେଲିଯୋଗାଯୋଗ ସୀମିତ ଅଞ୍ଚଳରେ କାର୍ଯ୍ୟକାରୀ ହେବାପରେ ସମଗ୍ର ଦେଶରେ ବ୍ୟାପ୍ତିଲାଗି ତିନିରୁ ଚ଼ାରି ବର୍ଷ ସମୟ ଲାଗିଯାଇପାରେ । ଦେଶରେ ୪ଜି କାରିଗରୀ କୌଶଳ ସଂପୂର୍ଣ୍ଣରୂପେ ବିକଶିତ ହୋଇପାରି ନାହିଁ ଏବଂ ସମସ୍ତଙ୍କ ହାତରେ ୪ଜି ବ୍ରଡ଼ବ୍ୟାଣ୍ଡ ସେବା ପହୁଞ୍ଚାଇବା ନିମନ୍ତେ ୨୦୨୦ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ରିଲାଏନ୍ସ ଜିଓର ଅଧ୍ୟକ୍ଷ କହୁଛନ୍ତି ।

୫ଜି ଟେଲିଯୋଗାଯୋଗ ସେବା ଉଭୟ ମୋବାଇଲ ଓ ସ୍ଥାୟୀ ବ୍ରଡ଼ବ୍ୟାଣ୍ଡର ଗୁଣବତ୍ତା ବିକାଶରେ ସହାୟକ ହେବ । ଇଣ୍ଟରନେଟ ଡ଼ାଟା ବ୍ୟବହାରରେ ସ୍ଥିରତା ଓ ବେଗ ବୃଦ୍ଧି ଯାବତୀୟ ଅନଲାଇନ କାର୍ଯ୍ୟ ସୁଚ଼ାରୁରୂପେ ଚଳାଇବା ନିମନ୍ତେ ପରିବେଶ ସୃଷ୍ଟି କରିବ । ବ୍ୟାଙ୍କରେ ଦେଣନେଣ ହେଉ କିମ୍ୱା ବିଦ୍ୟାଳୟରେ ଭିଡ଼ିଓ ପାଠ୍ୟକ୍ରମ ପ୍ରଦର୍ଶନରେ ଇଣ୍ଟରନେଟ ସଂଯୋଗଜନିତ କ୍ଳେଶ ଲାଘବ ହୋଇପାରିବ । ଏତଦ୍ବ୍ୟତୀତ ବିଭିନ୍ନ ବୈଜ୍ଞାନିକ ଆବିଷ୍କାର ଯଥା: ଡ୍ରୋନ ଯୋଗେ ପରିବହନ, ଚ଼ାଳକ ବିହୀନ ମଟରଗାଡ଼ି ତଥା ସୁଦୂର ଅବସ୍ଥିତିରେ ଅସ୍ତ୍ରୋପଚ଼ାର ଭଳି ସୁବିଧାସୁଯୋଗ ଉପଲବ୍ଧ ହେବ ।

ଭାରତରେ ୫ଜି ବୈଷୟିକକୌଶଳ ଗ୍ରାମାଞ୍ଚଳ, ବିଶେଷକରି ଦୁର୍ଗମ ଅଞ୍ଚଳରେ ଟେଲିଯୋଗାଯୋଗ ବିକାଶରେ ସହାୟକ ହୋଇପାରିବ ବୋଲି ଆଶା କାରାଯାଉଛି । ଉଦାହରଣରେ ୨ଜି ଓ ୩ଜି ବ୍ୟବହାରଲାଗି ଉଦ୍ଦିଷ୍ଟ ଟାୱାରଯୋଗେ ସୀମିତ ଅଞ୍ଚଳରେ ପ୍ରସାରଣ ସମ୍ଭବପର ଥିବା ସ୍ଥଳେ ୫ଜି ଉପଯୋଗରେ ପ୍ରସାରଣର ପରିଧି ବୃଦ୍ଧିପ୍ରାପ୍ତ ହେବ । ଏହି ପରିପ୍ରେକ୍ଷୀରେ ଓଡ଼ିଶା କଥା ବିଚ଼ାର କରାଯାଇପାରେ । ଆନ୍ତର୍ଜାତିକସ୍ତରରେ ୨୦୧୮ ସୁଦ୍ଧା ୯୬ ପ୍ରତିଶତ ଜନସାଧାରଣ ମୋବାଇଲ ଫୋନ ଯୋଗାଯୋଗ ନେଟୱାର୍କ ପରିଧିରେ ଅନ୍ତର୍ଭୁକ୍ତ ଥିବା ସ୍ଥଳେ ଏକ ଆକଳନ ଅନୁଯାୟୀ ରାଜ୍ୟର ୫୧,୩୫୩ ଗ୍ରାମ ମଧ୍ୟରୁ ୧୧,୦୭୮ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ । ସମଗ୍ର ଦେଶରେ ୩୫ ହଜାର ଗ୍ରାମ ମୋବାଇଲ ସେବା ପାଇପାରୁନଥିବା ସ୍ଥଳେ ସେଥିମଧ୍ୟରେ ୧୧ ହଜାର ଗ୍ରାମ ଓଡ଼ିଶାରେ ଅବସ୍ଥିତ । ଏହି ଅଞ୍ଚଳଗୁଡ଼ିକରେ ବିଭିନ୍ନ କାରଣରୁ ଫାଇବର ଅପ୍ଟିକ କେବଲ ବିଛା ସମ୍ଭବପର ହୋଇପାରୁ ନଥିବା ବେଳେ ୫ଜି ବୈଷୟିକ କୌଶଳ ମୋବାଇଲ ବ୍ରଡ଼ବ୍ୟାଣ୍ଡର ସୁବିଧା ଆଣିଦେଇପାରେ ।

ଗ୍ରାମାଞ୍ଚଳେରେ ଅଭିଜ୍ଞ ଦକ୍ଷ ଡ଼ାକ୍ତରଙ୍କ ଅଭାବ ହେତୁ ଗରିବ ଜନସାଧାରଣ ସହରାଞ୍ଚଳରେ ଉପଲବ୍ଧ ଉନ୍ନତମାନର ଚ଼ିକିତ୍ସା ସୁଯୋଗ ପାଇପାରୁ ନାହାନ୍ତି । ବିଶେଷକରି ଠିକଣା ସମୟରେ ଅସ୍ତ୍ରଚ଼ିକିତ୍ସା କ୍ଷେତ୍ରରେ ଅବହେଳା ଲାଗି ରହିଛି । ୫ଜି ପ୍ରଚଳନ ପରେ ଟେଲିମେଡ଼ିସନ ଓ ରିମୋଟ ରୋବଟିକ ଅସ୍ତ୍ରୋପଚ଼ାର ସମ୍ଭବପର ।ଶଲ୍ୟ ଚ଼ିକିତ୍ସକମାନେ ସହରାଞ୍ଚଳରେ ବଡ଼ ବଡ଼ ଚ଼ିକିତ୍ସାଳୟରୁ ଯନ୍ତ୍ରପାତି ଉପଯୋଗରେ ଗ୍ରାମାଞ୍ଚଳର ଅପରେସନ ଟେବୁଲରେ ରୋବଟ ସହାୟତାରେ ଅସ୍ତ୍ରୋପଚ଼ାର କରିପାରିବେ । ଏଥି ନିମନ୍ତେ ଦୃଢ଼ ଇଣ୍ଟରନେଟ ସଂଯୁକ୍ତି ଆବଶ୍ୟକ ।

ଚ଼ିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଙ୍ଗ ପ୍ରତିରୋପଣ ମଙ୍ଗ ଧରିଲାଣି । ସାମାଜିକ ସଚ଼େତନତା ପ୍ରସାରରେ ଓଡ଼ିଶା ଭଳି ରକ୍ଷଣଶୀଳ ସମାଜରେ ମଧ୍ୟ ଅବିଶ୍ୱାସନୀୟ ସଂଖ୍ୟାରେ ଜନସାଧାରଣ ଅଙ୍ଗଦାନ କରିବା ନିମନ୍ତେ ସ୍ୱୀକାରୋକ୍ତିରେ ସ୍ୱାକ୍ଷର କରୁଛନ୍ତି । କିନ୍ତୁ ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ପରିବହନଜନିତ କାଳକ୍ଷେପଣ ବ୍ୟବସ୍ଥା ହେତୁ ଅଭିଯାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ତେବେ ୫ଜି ଟେଲିଯୋଗାଯୋଗ ସେବା ପ୍ରଚଳନ ଫଳରେ ଡ୍ରୋନଯୋଗେ ଅଙ୍ଗ କିମ୍ୱା ଔଷଧପତ୍ର ପରିବହନ ପରିସ୍ଥିତିକୁ ବଦଳାଇ ଦେଇପାରେ । ଏହି ବ୍ୟବସ୍ଥାଦ୍ୱାରା ଚ଼ିକିତ୍ସାକ୍ଷେତ୍ରରେ ଆଶା ହରାଇବାକୁ ବସିଥିବା ବହୁ ଦୁଃସାଧ୍ୟ ରୋଗୀ ଉପକୃତ ହୋଇପାରିବେ ।

ସେହିପରି ଖଣିଖାଦାନରେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଶ୍ରମିକମାନଙ୍କୁ କାର୍ଯ୍ୟକରିବାକୁ ପଡୁଛି । ନିଯୁକ୍ତି ସୁଯୋଗକୁ ହାତଛଡ଼ା ନକରିବା ନିମନ୍ତେ ଜାଣିଶୁଣି ସେମାନେ ନିଷିଦ୍ଧ ଇଲାକାରେ ପ୍ରବେଶ କରୁଛନ୍ତି । ୫ଜି ଟେଲିଯୋଗାଯୋଗ ବ୍ୟବହାରରେ ସ୍ୱୟଂଚ଼ାଳିତ କେଟରପିଲର ଯୋଗେ ବିପଦପୂର୍ଣ୍ଣ କାର୍ଯ୍ୟ ସମାହିତ କରାଯାଇପାରିବ । ଓଡ଼ିଶାରେ ବହୁ ଶ୍ରମିକ ଖଣି ଅଞ୍ଚଳରେ କାର୍ଯ୍ୟରତଥିବା ପରିପ୍ରେକ୍ଷୀରେ ଏଭଳି ଟେଲିଯୋଗାଯୋଗ ସେବା ସେମାନଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳ ପ୍ରବେଶରୁ ବଞ୍ଚିତ ରଖିପାରିବ । ଅନ୍ୟାନ୍ୟ ଉପଯୋଗ ମଧ୍ୟରେ ୫ଜିର ‘ଲୋ-ମୋବିଲିଟି-ଲାର୍ଜ-କଭରେଜ’ ବୈଶିଷ୍ଟ୍ୟ ଶିକ୍ଷା ଓ ମନୋରଞ୍ଜନ କ୍ଷେତ୍ରରେ ନୂତନ ପରିବେଶ ସୃଷ୍ଟି କରିବା ନିଶ୍ଚିତପ୍ରାୟ । ଅପହଞ୍ଚ ଅଞ୍ଚଳରେ ନିରନ୍ତର ରେଡ଼ିଓ ପ୍ରସାରଣ, ଭିଡ଼ିଓ ଷ୍ଟ୍ରୀମିଂ ଓ ମାତ୍ର କେଇ ମିନଟରେ ପୁରା ଚଳଚ଼ିତ୍ର ଡ଼ାଉନଲୋଡ଼ର ସୁବିଧା ସୁଯୋଗ ଦୃଶ୍ୟଶ୍ରାବ୍ୟ ବ୍ୟବସାୟବୃଦ୍ଧିରେ ସହାୟକ ହେବ ।

ଭାରତରେ ହୁୱାଇକୁ ୫ଜି ଟେଲିଯୋଗାଯୋଗ ସେବା ପରୀକ୍ଷା କରିବା ନିମନ୍ତେ ଅନୁମତି ପ୍ରଦାନକୁ କେତେକସ୍ତରରେ ବିରୋଧ କରାଯାଇଥିଲା ।‘ଟେଲକମ ଇକ୍ୟୁପମେଣ୍ଟ ଏଣ୍ଡ ସର୍ଭିସ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ’ ପକ୍ଷରୁ ଏକ ଚ଼ୀନ କମ୍ପାନୀକୁ ଟେଲିଯୋଗାଯୋଗଭଳିସମ୍ୱେଦନଶୀଳ କ୍ଷେତ୍ରରେ ପ୍ରବେଶ ନିମନ୍ତେ ସୁଯୋଗ ନଦିଆଯିବା ନିମନ୍ତେ ଜାତୀୟ ପ୍ରତିରକ୍ଷା ପରାମର୍ଶଦାତାକୁ ପତ୍ର ଲେଖା ଯାଇଥିଲା । ଅପରପକ୍ଷେ ‘ସେଲ୍ୟୁଲର ଅପରେଟରର୍ସ ଏସୋସିଏସନ ଅଫ ଇଣ୍ଡିଆ’ ଏହା ପ୍ରତିବାଦ କରି ତଥ୍ୟାଶ୍ରିତ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ତେବେ ସରକାରୀସ୍ତରରେ ନୀତି ଅପରିବର୍ତ୍ତିତ ରହିଛି ।

ହୁୱାଇ ବିଶ୍ୱର ସର୍ବବୃହତ୍ତ ଟେଲିକମ ସରଞ୍ଜାମ ନିର୍ମାତାର ମାନ୍ୟତା ପାଇଥାଏ । ଏହା ସମସୁଙ୍ଗ ପରକୁ ଦ୍ୱିତୀୟ ବୃହତ ମୋବାଇଲ ଫୋନ ନିର୍ମାତା । ହୁୱାଇ ୧୭୦ ଗୋଟି ରାଷ୍ଟ୍ରରେ କାର୍ଯ୍ୟରତ ଏବଂ ଲକ୍ଷେ ଅଶୀ ହଜାର କର୍ମଚ଼ାରୀଙ୍କୁ ନିଯୁକ୍ତ କରିଛି । ଏହାର ୨୧ ଗୋଟି ଗବେଷଣା କେନ୍ଦ୍ର ରହିଛି ଏବଂ ନିଜ ଆୟର ୩୦ ରୁ ୪୦ ପ୍ରତିଶତ ଟେଲିଯୋଗାଯୋଗ କ୍ଷେତ୍ରରେ ମୌଳିକ ଗବେଷଣା ନିମନ୍ତେ ଖର୍ଚ୍ଚ କରିଥାଏ । ହୁୱାଇ ଇଣ୍ଡିଆର ମୁଖ୍ୟ କହନ୍ତି ଯେ ସୁରକ୍ଷା ଦିଗରୁ ୪ଜି ତୁଳନାରେ ୫ଜି ବୈଷୟିକ କୌଶଳ ବହୁ ଆଗରେ । ସବୁଠାରୁ ବଡ଼କଥା ହେଲା ଅନ୍ୟାନ୍ୟ ଟେଲିଯୋଗାଯୋଗ ସରଞ୍ଜାମ ନିର୍ମାତାଙ୍କ ତୁଳନାରେ ହୁୱାଇ ନିଜ ଉତ୍ପାଦ ଶସ୍ତାରେ ବିକ୍ରୀକରେ ଏବଂ ଭାରତର ୪ଜି ନେଟୱାର୍କରେ ତାହାର ପ୍ରାୟ ୩୦ ପ୍ରତିଶତ ଯନ୍ତ୍ରପାତି ବ୍ୟବହୃତ ହେଉଛି ।

ଭାରତୀୟ ଟେଲିଯୋଗାଯୋଗ କ୍ଷେତ୍ରରେ ୫ଜି ବୈଷୟିକ କୌଶଳ ଇଣ୍ଟରନେଟର ପରିବ୍ୟାପ୍ତି, ବିଶେଷକରି ଅପହଞ୍ଚ ଅଞ୍ଚଳରେ ଉପସ୍ଥିତି, ଗୁଣାତ୍ମକ ବିକାଶ ଓ ଆଧୁନିକ ଉଦ୍ଭାବନ ଉପଯୋଗରେ ସହାୟକ ହେବ ବୋଲି ଆଶା କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏଟିଏଣ୍ଡଟି, ଭେରିଜୋନ, ଟି-ମୋବାଇଲ ଓ ସ୍ପ୍ରିଣ୍ଟ ଭଳି ଟେଲିଯୋଗାଯୋଗ ସେବା ପ୍ରଦାନକାରୀମାନେ ୫ଜି ସେବା ବ୍ୟବସାୟିକସ୍ତରରେ ଉନ୍ମୁକ୍ତ କରିଥିବା ଅବସରରେ ଭାରତରେ ସେହି କ୍ଷେତ୍ରରେ ଘଟଣାକ୍ରମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । 

Related Post