ଦୈନିକ ‘ସମ୍ୱାଦ’ ୨୩ ଅଗଷ୍ଟ ୨୦୨୦ ସଂସ୍କରଣର ‘ସାହିତ୍ୟ’ ପୃଷ୍ଠାରେ ପ୍ରକାଶିତ ‘ଜୀବନର ଜଳଛବି’ ସ୍ତମ୍ଭରେ ‘ନାରୀର ମୂଲ୍ୟ’ ରଚନାରେ ଦୁଇଗୋଟି ଚାଞ୍ଚଲ୍ୟକାରୀ ସମ୍ୱାଦ ଅନୁଶୀଳନ କରାଯାଇଛି ।
ପ୍ରଥମଟି ଓଡ଼ିଶାର ମାଲକାନଗିରି ମାଥିଲି ଅଞ୍ଚଳରେ ‘କୋଭିଡ଼-୧୯’ ମହାମାରୀ ସଂକ୍ରମଣ କାଳରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଶବ କିପରି ତୁରନ୍ତ ସତ୍କାର ଉଦ୍ଦେଶ୍ୟରେ ତାଙ୍କରି ପତ୍ନୀ ଚ଼ିତାଗ୍ନି ଦେଇଥିଲେ । ଦ୍ୱିତୀୟଟି ତାମିଲନାଡୁ ପେରାମ୍ୱାଲୁରଠାରେ ସ୍ନାନସାରି ଫେରୁଥିବା ତିନିଜଣ ମଧ୍ୟବୟସ୍କା ମହିଳା ରାସ୍ତାକଡ଼ର ଜନଶୂନ୍ୟ ବନ୍ଧରେ ସନ୍ତରଣ ବେଳେ ଚାରିଜଣ ଯୁବକ ବୁଢ଼ି ଯାଉଥିବା ଦେଖି ଅନ୍ୟ ଉପାୟ ନପାଇ ନିଜ ପିନ୍ଧା ଲୁଗା ଗଣ୍ଠିକରି ଅସହାୟ ଯୁବକଙ୍କ ଆଡ଼କୁ ଫିଙ୍ଗି ଉଲଗ୍ନ ଅବସ୍ଥାରେ କିପରି ଦୁଇ ଜଣଙ୍କୁ ବଞ୍ଚାଇ ପାରିଥିଲେ । ଦୁଇଗୋଟି ସମ୍ୱାଦ ଉପସ୍ଥାପନର ଉଦ୍ଦେଶ୍ୟ ସାମାଜିକ ବ୍ୟବସ୍ଥାରେ ନାରୀମାନଙ୍କ ମହନୀୟ ଅବଦାନ ବର୍ଣ୍ଣନାରେ ପର୍ଯ୍ୟବସିତ ।
‘ସମ୍ୱାଦ’ର ଫିଚର ସମ୍ପାଦକ କାର୍ଯ୍ୟନିର୍ବାହ କରୁଥିବା ଗୌରହରି ଦାସଙ୍କ ‘ଜୀବନର ଜଳଛବି’ ମୂଳ ସମ୍ୱାଦପତ୍ରର ରବିବାର ସଂସ୍କରଣରେ ସ୍ଥାନିତ ‘ସାହିତ୍ୟ’ ପୃଷ୍ଠାରେ ପ୍ରକାଶିତ ହୋଇଥିବା ହେତୁ ତାହାକୁ ସାହିତ୍ୟ ସ୍ତମ୍ଭ ପରିସରଭୁକ୍ତ କରାଯାଇପାରେ । ଲେଖକ ‘ସମ୍ୱାଦ’ର ପ୍ରକାଶନ ଆରମ୍ଭ ସମୟରୁ କାର୍ଯ୍ୟରତ ଏବଂ ସାହିତ୍ୟ ପୃଷ୍ଠା ପ୍ରଯୋଜନାରେ ସଂପୃକ୍ତ ରହିଆସିଥିବା କାରଣରୁ ସ୍ତମ୍ଭଟି ବହୁ ପୁରାତନ । ଓଡ଼ିଆ ପତ୍ରପତ୍ରିକାରେ ସାହିତ୍ୟ ସ୍ତମ୍ଭ ପ୍ରକାଶନ ପ୍ରାୟ ବିରଳ ଥିବା ସ୍ଥଳେ ଏତେ ଦୀର୍ଘକାଳ ପ୍ରକାଶିତ ଅନ୍ୟ କୌଣସି ଉଦାହରଣ ଦୃଷ୍ଟିକୁ ଆସେ ନାହିଁ ।
ସମ୍ୱାଦ ସ୍ତମ୍ଭଗୁଡିକରେ ସମକାଳରେ ସଂଘଟିତ ସମ୍ୱାଦର ବିବରଣୀକୁ ଭିତ୍ତିକରି ରଚନାକୁ ମୌଳିକ ଶୈଳୀ ରୂପେ ଗ୍ରହଣ କରାଯାଇଥାଏ । ଆଲୋଚ୍ୟ ବିଷୟବସ୍ତୁର ଅବତରଣା ନିମନ୍ତେ ବାସ୍ତବ ଘଟଣାକ୍ରମ ଉପକ୍ରମଣିକାଭାବେ କାର୍ଯ୍ୟ ତୁଲାଏ । ବିଶ୍ଳେଷଣ, ଉଦାହରଣ ପ୍ରଦାନ ଓ ମୂଲ୍ୟାୟନ ଉପସ୍ଥାପନ ସ୍ତମ୍ଭ ରଚନା ନିମନ୍ତେ ଉପାଦାନ ଯୋଗାଇଥାଏ ।
ଅପରପକ୍ଷେ ସାହିତ୍ୟ ସ୍ତମ୍ଭ ରଚନାରେ ସମ୍ୱାଦର ଭୂମିକା ଗୌଣ କିମ୍ୱା ଅନାବଶ୍ୟକ । ସମ୍ୱାଦ ସ୍ତମ୍ଭଗୁଡ଼ିକ ସାଂପ୍ରତିକ ଘଟଣା ପ୍ରବାହ ଅନୁଶୀଳନ ଆଶ୍ରିତ ଥିବା ସ୍ଥଳେ ସାହିତ୍ୟ ସ୍ତମ୍ଭରେ ସେହି ବାଧ୍ୟବାଧକତା ନଥାଏ । ଅବଶ୍ୟ ସମକାଳୀନ ଜନଜୀବନର ପ୍ରତିଛବି ଗଢ଼ି ତୋଳିବା ନିମନ୍ତେ ସାହିତ୍ୟକମାନେ ପ୍ରକାଶିତ ସମ୍ୱାଦରୁ ଉପାଦାନ ସଂଗ୍ରହ କରିଥାନ୍ତି ।
ସମ୍ୱାଦ ଆଧାରରେ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନାର ଦୀର୍ଘ ପରମ୍ପରା ରହିଆସିଛି । ନାଟକ ଓ କବିତା ମଧ୍ୟ ପ୍ରକାଶିତ ସମ୍ୱାଦ ଦ୍ୱାରା ପ୍ରଭାବିତ ହେବା ଦେଖିବାକୁ ମିଳେ । କିନ୍ତୁ ସମ୍ୱାଦ ଓ ସାହିତ୍ୟ ଦୁଇ ଭିନ୍ନ ଦିଗରେ ସୃଜନ ସଂପୃକ୍ତିକୁ ବୁଝାଇଥାଏ । ସାହିତ୍ୟ ଯେ ସମ୍ୱାଦ ପ୍ରଧାନ ନୁହଁ ଏହା ଏକ ଉଲ୍ଲେଖଯୋଗ୍ୟ ତତ୍ତ୍ୱ । ତେଣୁ ସାହିତ୍ୟ ସ୍ତମ୍ଭରେ ସମ୍ୱାଦ ବର୍ଣ୍ଣନା ଅଭ୍ୟାସଗତ ପନ୍ଥାର ବ୍ୟତିକ୍ରମ ।
‘ନାରୀର ମୂଲ୍ୟ’ ରଚନାଟି ଓଡ଼ିଶାର ଗ୍ରାମ୍ୟ ପରିବେଶରେ ଦୁଇଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆଳାପ ଆଲୋଚନା ଆଧାରିତ । ଦୁଇଗୋଟି ସମ୍ୱାଦର ବିବରଣୀ ଉପସ୍ଥାପନ ଭିନ୍ନ ରଚନାଟିରେ କୌଣସି କାଳ୍ପନିକ ପ୍ରସଙ୍ଗ ଯୋଡ଼ା ଯାଇନାହିଁ । କେବଳ ପରିବେଶ ବର୍ଣ୍ଣନାରେ ସୀମିତ । ତେବେ ଅନ୍ୟତ୍ର ସମସାମୟିକ ସମ୍ୱାଦକୁ ଭିତ୍ତିକରି କାଳ୍ପନିକ ବିବରଣୀ ଆକାରରେ ସାହିତ୍ୟ ସୃଜନ ନିମନ୍ତେ ଉଦ୍ୟମର ଉଦାହରଣ ମଧ୍ୟ ଦୃଷ୍ଟିକୁ ଆସିଥାଏ । ମାର୍ଚ୍ଚ ୨୦୨୦ରୁ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୂୟର୍କ ନଗରୀରୁ ‘ଦି କ୍ରୋନିକାଲ୍ସ ଅଫ ନାଓ’ ନାମକ ଏକ ଅନଲାଇନ ସାହିତ୍ୟ ପତ୍ରିକା ଆତ୍ମପ୍ରକାଶ କରିଥିଲା । ଏଥିରେ ସମସାମୟିକ ସମ୍ୱାଦକୁ ଭିତ୍ତିକରି କାଳ୍ପନିକ ସାହିତ୍ୟ ସୃଜନକୁ ଉତ୍ସାହିତ କରାଯାଇଥିଲା ।
ଖ୍ୟାତନାମା ମାର୍କିନ ପ୍ରକାଶନ ‘ଏସକ୍ୱାଏର’ ସମ୍ପାଦନାରେ ଦୀର୍ଘକାଳ ଅତିବାହିତ କରିଥିବା ଟାଇଲର କାବୋଟ ‘ଦି କ୍ରୋନିକାଲ୍ସ ଅଫ ନାଓ’ର ପ୍ରତିଷ୍ଠାତା ପ୍ରକାଶକ ଓ ସମ୍ପାଦକ । ‘ଏସକ୍ୱାଏର’ ଏକ ଦ୍ୱିମାସିକ ପତ୍ରିକା । ଯୁକ୍ତରାଷ୍ଟ୍ର ଆମେରିକାରେ ଅର୍ଥନୀତିକ ସଂକଟ ‘ଗ୍ରେଟ ଡ଼ିପ୍ରେସନ’ କାଳରେ ୧୯୩୩ରୁ କ୍ରମାଗତ ପ୍ରକାଶିତ ଏହି ପତ୍ରିକା ସମକାଳରେ କୋଡ଼ିଏ ଗୋଟି ଆନ୍ତର୍ଜାତିକ ସଂସ୍କରଣରେ ଉଭୟ ମୁଦ୍ରିତ ଓ ଅନଲାଇନରେ ଉପଲବ୍ଧ । ଏଥିରେ ପୁରୁଷ ପ୍ରଧାନ ଜୀବନଯାତ୍ରା, ଫେସନ ଓ ସାମାଜିକ ପ୍ରବାହ ‘ଟ୍ରେଣ୍ଡ’କୁ ଗୁରୁତ୍ୱ ଦିଆଯାଉଥିବା ସ୍ଥଳେ ଉଚ୍ଚକୋଟୀର ସାହିତ୍ୟିକମାନଙ୍କ ରଚନା ମଧ୍ୟ ସନ୍ନିବଶିତ ହୋଇଥାଏ । କାବୋଟ ‘ଏସକ୍ୱାଏର’ରେ ବରିଷ୍ଠ ଫିଚର ଓ ସାହିତ୍ୟ ସମ୍ପାଦକଭାବେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ନିଯୁକ୍ତ ଥିଲେ ।
‘ଦି କ୍ରୋନିକାଲ୍ସ ଅଫ ନାଓ’ ଅନଲାଇନରେ ପ୍ରାଥମିକ ଅବସ୍ଥାରେ ସପ୍ତାହରେ ଗୋଟିଏ ନୂତନ ରଚନା ପ୍ରକାଶ ପାଇଥାଏ । ନିର୍ଦ୍ଦିଷ୍ଟ ସଂଖ୍ୟକ ଅଭିଜ୍ଞ ଲେଖକଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ସମସାମୟିକ ଏକ ଘଟଣାକୁ ଆଧାର କରି କ୍ଷୁଦ୍ରଗଳ୍ପଟିଏ ଲେଖିଥାନ୍ତି । ରଚନା ପାର୍ଶ୍ୱ ‘ସାଇଡ଼ ବାର’ରେ ବାସ୍ତବିକ ଘଟଣାକ୍ରମର ବିଶଦ ବିବରଣୀ ସ୍ଥାନିତ ହୋଇଥାଏ । ଅର୍ଥାତ, ପାଠକ କାଳ୍ପନିକ କ୍ଷୁଦ୍ରଗଳ୍ପ ପାଠ କରିବା ଅବସରରେ ପ୍ରକୃତ ତଥ୍ୟ କ’ଣ ତାହା ମଧ୍ୟ ଜାଣିବା ପ୍ରାବଧାନ ରଖାଯାଇଥାଏ ।
‘ଦି କ୍ରୋନିକାଲ୍ସ ଅଫ ନାଓ’ରେ ପ୍ରତ୍ୟେକ ରଚନା ଆରମ୍ଭରେ ସମ୍ୱାଦ ଉତ୍ସର ଶିରେନାମା ସୂଚ଼ିତ କରାଯିବା ସହ ଶେଷରେ ଉକ୍ତ ବିଷୟରେ ଅଧିକା ଜାଣିବା ସକାଶେ ଅନଲାଇନରେ ଅଧିକା କ’ଣ ସବୁ ରଚନା, ପଡ଼କାଷ୍ଟ ବା ଭିଡ଼ିଓ ଉପଲବ୍ଧ ସେଗୁଡ଼ିକର ଏକ ତାଲିକା ଲିଙ୍କ ଆକାରରେ ଦିଆଯାଇଥାଏ । ପାଠକ ଅନାୟସରେ ସେଗୁଡ଼ିକୁ କ୍ଳିକ କରି ଫଳପ୍ରଦ ଅନୁସନ୍ଧାନ କରିପାରେ । ସ୍ଥଳବିଶେଷରେ ପ୍ରସ୍ତୁତ କ୍ଷୁଦ୍ରଗଳ୍ପଗୁଡ଼ିକରେ ଚରିତ୍ର ଓ ପରିବେଶ ବାସ୍ତବତା ଅନୁସରଣ କରୁଥିବା ସ୍ଥଳେ ସେହି ସବୁ ଦିଗରେ କାଳ୍ପନିକତା ଲାଗି ସୁଯୋଗ ଉନ୍ମୁକ୍ତ ରହିଥାଏ । ଅର୍ଥାତ, କେତେକ କ୍ଷୁଦ୍ରଗଳ୍ପ ପ୍ରକୃତ ଘଟଣାକୁ ମାପିଚୁପି ଅନୁସରଣ କରୁଥିବା ସ୍ଥଳେ ଅନ୍ୟ କେତେକ କଳ୍ପନା ପ୍ରବଣତା ଆଡ଼କୁ ମୁହାଁଇଥାଏ ।
ଏଭଳି ଏକ ଅଣପାରମ୍ପରିକ ଉଦ୍ୟମର ଉଦ୍ଦେଶ୍ୟ ସଂପର୍କରେ କାବୋଟ କହନ୍ତି ଯେ ସମସାମୟିକ ଘଟଣାବଳୀ ସଂପର୍କରେ ସମ୍ୱାଦ ବିବରଣୀରୁ ଅବଗତ ହେବା ସମ୍ଭବ ଥିବା ସ୍ଥଳେ ସମ୍ୱାଦକୁ ଉତ୍ସକରି ସାହିତ୍ୟ ସୃଜନରେ ବାସ୍ତବିକ ଘଟଣାର ବହୁବିଧ ଦିଗ ଉନ୍ମୋଚନ ଓ ମୂଲ୍ୟାୟନ ସଂଭବ । ଗୋଟିଏ ଘଟଣା ଉନ୍ନତ ପରିବେଶରେ କିମ୍ୱା ଅନୁନ୍ନତ ପରିବେଶରେ କ’ଣ ହୋଇପାରନ୍ତା ତଥା ଅତୀତରେ କେଉଁ ରୂପ ଧାରଣ କରିଥାନ୍ତା କିମ୍ୱା ଭବିଷ୍ୟତରେ କେଉଁ ରୂପ ଧାରଣ କରିପାରିବ ଇତ୍ୟାଦି ଦିଗରୁ ତର୍ଜମା ନିମନ୍ତେ ଦ୍ୱାର ଉନ୍ମୁକ୍ତ ହେଲେ ପାଠକ ସମସାମୟିକ ଘଟଣାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବା ନିମନ୍ତେ ସୁଯୋଗ ଉପଲବ୍ଧ ହୋଇପାରିବ ।
ସମ୍ୱାଦ ବିବରଣୀକୁ କ୍ଷୁଦ୍ରଗଳ୍ପ ରୂପେ କାଳ୍ପନିକ ସାହିତ୍ୟ ସୃଷ୍ଟି ଅସତ୍ୟ ସମ୍ୱାଦ ‘ଫେକ ନ୍ୟୂଜ’ ପ୍ରଯୋଜନାରେ ସହାୟକ ହେବା ସଂଭବ ବୋଲି ସମାଲୋଚନାର ସମ୍ମୁଖୀନ ହେବା ଅବସରରେ ରଚନାଗୁଡ଼ିକ ସଂପୂର୍ଣ୍ଣ କାଳ୍ପନିକ ‘ଫିକ୍ସନାଲ’ ବୋଲି ପ୍ରକାଶନରେ ସୂଚ଼ିତ କରିବା ଭିନ୍ନ ଅନ୍ୟ ଉପାୟ ନଥାଏ । ତେବେ ସମ୍ୱାଦ ଉତ୍ସରୁ ସାହିତ୍ୟ ସୃଷ୍ଟି କଳାକୌଶଳ ଉପଯୋଗରେ ରାଜନୀତିକ, ବ୍ୟାବସାୟିକ ଓ ଅନ୍ୟାନ୍ୟ ଲାଭଦାୟକ ସାମାଜିକ ପର୍ଯ୍ୟାୟରେ ବିଶୃଙ୍ଖଳା ସୃଷ୍ଟି ଯେ ସଂଭବପର ସେଥିରେ ଦ୍ୱିମତ ନାହିଁ । ବିଶେଷକରି ଅନଲାଇନ ପରିବେଶରେ କେତେକ କ୍ଷେତ୍ରରେ ଅସତ୍ୟ, ଅତିରଞ୍ଜିତ ଓ ଅଣସ୍ୱୀକୃତ ସୂଚନାର ହାର ଶତକଡ଼ା ୯୧ ପ୍ରତିଶତ ଯାଏଁ ଗଣିତ ହେଉଥିବା ଗବେଷଣାରୁ ଜଣାଯାଉଥିବା ସ୍ଥଳେ ସାହିତ୍ୟର ଦୁରୋପଯୋଗ ଆଶଙ୍କାକୁ ଟାଳି ଦେଇ ହେବ ନାହିଁ ।
