ଆଜିର ଖାସ ଖବର
Sun. Sep 13th, 2026

ସରକାରୀ ବିଜ୍ଞାପନର ବିକଳ୍ପ

By Dainikasha Jul12,2024

କୌଣସି ଭୌଗଳିକ ପରିବେଶରେ ସମ୍ୱାଦ ମଞ୍ଚରେ ଅବ୍ୟବସ୍ଥା ସ୍ଥାନୀୟ ଜନଜୀବନକୁ ପ୍ରଭାବିତ କରିଥାଏ । ସମାଜ ସାମୂହିକ ପ୍ରୟାସର ସମାହାର । ବ୍ୟକ୍ତିଗତ ଜୀବନର ଗୁଣବତ୍ତା ପାରିବାରିକ ଜୀବନ ଉପରେ ନିର୍ଭରଶୀଳ ଏବଂ ଉଭୟ ବ୍ୟକ୍ତିଗତ ଓ ପାରିବାରିକ ଜୀବନ ପାରିପାର୍ଶ୍ୱିକ ପରିବେଶକୁ ନେଇ ଗଢି ଉଠିଥାଏ । ଉଦାହରଣରେ ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ପରିଚ୍ଛନ୍ନତା ପରେ ବାସଗୃହରକୁ ଘେରି ରହିଥିବା ରାସ୍ତାଘାଟ, ବଜାରହାଟର ପରିଚ୍ଛନ୍ନତା ସ୍ୱାସ୍ଥ୍ୟରକ୍ଷାର ମାନାଙ୍କ ନିର୍ଦ୍ଧାରଣ କରେ । ଉଭୟ ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ମୂଳ ସୂତ୍ର ପ୍ରଦୂଷଣ । ସେହିପରି ପରିବାରର ଚ଼ତୁର୍ଦ୍ଦିଗରେ ଘଟୁଥିବା ଘଟଣାବଳୀ ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ନୀତି ନିର୍ଦ୍ଧାରଣରେ ସହାୟକ । ତେଣୁ ସାମାଜିକ ଘଟଣାବଳୀ ଜାଣିବା ଆବଶ୍ୟକ ପଡିଥାଏ । ଆଧୁନିକ ଜୀବନଧାରା ସୁଦୂର ପରିସୀମା ଯାଏଁ ପରିବ୍ୟାପ୍ତ ହେଉଥିବା ହେତୁ ସ୍ଥାନୀୟ ସହ ରାଜ୍ୟ, ରାଷ୍ଟ୍ର ଓ ଆନ୍ତର୍ଜାତିକସ୍ତରରେ ଘଟଣାପ୍ରବାହର ଖବରଅନ୍ତର ଅତ୍ୟାବଶ୍ୟକ ପ୍ରମାଣିତ ।

ମାର୍କିନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ୨୦୧୬ରେ ସେଠାକାର ଜନଜୀବନରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ପ୍ରଭାବ ସଂପର୍କରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ତଥ୍ୟ ଅନୁଶୀଳନରୁ ଜଣାଯାଇଥିଲା ଯେ ସ୍ଥାନୀୟ ସମ୍ୱାଦ ଆହରଣ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୫୯ ପ୍ରତିଶତ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ । ଅପରପକ୍ଷେ ସ୍ଥାନୀୟ ସମ୍ୱାଦରୁ ଦୂରେଇ ରହୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ମାତ୍ର ୨୭ ପ୍ରତିଶତ ସାମାଜିକ କାର୍ଯ୍ୟକ୍ରମରେ ଆଗ୍ରହ ପ୍ରକାଶ କରୁଥିଲେ । ସ୍ଥାନୀୟ ସମ୍ୱାଦ ଅବଗତ ନହେଲେ ବ୍ୟକ୍ତି ସାମାଜିକସ୍ତରରେ ସାମର୍ଥ୍ୟହୀନ ଓ ଏକାକୀ ଅନୁଭବ କରିଥାଏ । ଏହି ଗବେଷଣାର ଉପଲବ୍ଧି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଊଣା ଅଧିକେ ପ୍ରଯୁଜ୍ୟ ।

କରୋନା-ଭୂତାଣୁ-ଜନିତ ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶା ଭଳି ବିକାଶଶୀଳ ଅର୍ଥନୀତିରେ ଗଣମାଧ୍ୟମର ଭୂମିକା ଅସ୍ପଷ୍ଟ । ଏକପକ୍ଷରେ ମହାମାରୀ ପୂର୍ବବାସ୍ଥାରେ ଡିଜିଟାଲ ମଞ୍ଚର ଭିତ୍ତିଭୂମି ପ୍ରସ୍ତୁତି ସରିଥିଲା ଏବଂ ମହାମାରୀ କାଳରେ ଉପଭୋକ୍ତାଗଣ ଅଭ୍ୟସ୍ତ ହୋଇସାରିଥିଲେ । ମହାମାରୀ-ପର ଅବସ୍ଥାରେ ୨୦୨୩ ସୁଦ୍ଧା ରାଜ୍ୟ ଗଣମାଧ୍ୟମ ଉପତ୍ୟକାରେ ଡିଜିଟାଲ ରୂପାନ୍ତରିକରଣକୁ ଅପେକ୍ଷା କରାଯାଉଛି । ଅପରପକ୍ଷେ ବିଂଶଶତାଦ୍ଦୀର ଅଷ୍ଠମ ଦଶକରୁ ଅଗ୍ରଗଣ୍ୟ ସମ୍ୱାଦପତ୍ରଗୁଡ଼ିକର ବ୍ୟବସାୟ ବିଜ୍ଞାପନ-ଆଶ୍ରିତ ଅର୍ଥନୀତିରେ ସମୃଦ୍ଧ ହୋଇ ଚାଲିଥିବା ଧାରା ମହାମାରୀରେ ଭୁଷୁଡ଼ି ପଡ଼ିଲା । ମହାମାରୀ-ପର ଅବସ୍ଥାରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ ସଂକୁଚିତ ଏବଂ ଡିଜିଟାଲ ମୁହାଁ ହୋଇଥିବା ଅବସରରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ ଅପସାରଣ ପ୍ରକ୍ରିୟା ବଳବତ୍ତର ରହିଲା ।

ମହାମାରୀ ଓ ମହାମାରୀ-ପର ଅବସ୍ଥାରେ ଅଗ୍ରଣୀ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଅର୍ଥନୀତିକୁ ଓଡ଼ିଶା ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ସୁହାଇଥିଲା । ସୂଚ଼ନା ଅଧିକାର କର୍ମୀଙ୍କ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଅନୁଯାୟୀ ୨୦୨୦ରୁ ୨୦୨୩, ଅର୍ଥାତ ମହାମାରୀ ଓ ମହାମାରୀ-ପର ଅବସ୍ଥାରେ ଛଅଗୋଟି ଅଗ୍ରଣୀ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରକୁ ସର୍ବାଧିକରୁ ସର୍ବନିମ୍ନ କ୍ରମାନ୍ୱୟରେ ୩୫ କୋଟି, ୨୭ କୋଟି, ୨୫ କୋଟି, ୧୩ କୋଟି, ଛଅ କୋଟି ୫୦ ଲକ୍ଷ ଓ ତିନି କୋଟିର ବିଜ୍ଞାପନ ପ୍ରଦାନ କରାଯାଇଥିଲା । ଏହି ତଥ୍ୟ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗଠାରୁ ସୂଚ଼ନା ଅଧିକାର ଆଇନ ବଳରେ ସଂଗ୍ରହ ହୋଇଥିବା ସୂଚ଼ାଇ ଥିଲେ ।

ସ୍ୱାଧୀନୋତ୍ତର ଅବସ୍ଥାରୁ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ର ମହଲରେ ସରକାରୀ ବିଜ୍ଞାପନ ମୂଳ ଆୟ ସୂତ୍ରରୂପେ ଗ୍ରହଣ କରାଯାଇଆସିଛି । ଏତଦ୍ୱାରା ଦୁଇଗୋଟି ମୁଖ୍ୟ ସମସ୍ୟା ଉପୁଜେ । ପ୍ରଥମତଃ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତି ଶାସକ ରାଜନୀତିକ ଦଳ ପକ୍ଷରୁ ନିର୍ଦ୍ଧାରଣ କରାଯାଏ । ଏହି ନୀତିରେ ସ୍ଥାୟୀତ୍ୱ ନ ରହୁଥିବା ହେତୁ ସମ୍ୱାଦପତ୍ରର ଅର୍ଥନୀତି ସଦାସର୍ବଦା ଦୋଳାୟମାନ ଅବସ୍ଥାରେ କଳାତିପାତ କରେ । ଦ୍ୱିତୀୟତଃ, ସରକାରୀ ବିଜ୍ଞାପନରେ ଅନୁଗୃହୀତ ହେବା ଲାଗି ସମ୍ୱାଦପତ୍ରଗୁଡ଼ିକ ସ୍ଥଳବିଶେଷରେ ପକ୍ଷପାତିତା କାରଣରୁ ଗୁଣାତ୍ମକ ସାମ୍ୱାଦିକତା ଓ ପାଠକୀୟ ଆଦୃତିରୁ ଦୂରେଇ ଯାଆନ୍ତି । ଉଭୟ ଦିଗରୁ ସମ୍ୱାଦପତ୍ର ଶିଳ୍ପ ଦୀର୍ଘକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ହୋଇଥାଏ ।

ସମ୍ୱାଦ ପ୍ରସାରଣ ସହ ବିଜ୍ଞାପନ ବାର୍ତ୍ତା ବିତରଣ ମୌଳିକଭାବେ ଏକ ଅସାଧୁ ମେଣ୍ଟ । ଏତଦ୍ୱାରା ଦ୍ରବ୍ୟ-ମୂଲ୍ୟରେ ଅମେଳ ସାମ୍ୱାଦିକତାର ସ୍ୱାର୍ଥ ପରିପନ୍ଥୀ । ବଜାର ଦରରେ ୨୦୨୩ ସୁଦ୍ଧା ୧୨ ପୃଷ୍ଠାର ଏକ ବ୍ରଡ଼ସିଟ ସମ୍ୱାଦପତ୍ର ମୁଦ୍ରଣ ଖର୍ଚ୍ଚ ୧୫ ଟଙ୍କାରୁ ଉର୍ଦ୍ଧ୍ୱ ପଡୁଥିବା ସ୍ଥଳେ ପ୍ରାୟ ୩୦ ପ୍ରତିଶତ ବିତରଣ କମିଶନ ସହ ଅର୍ଦ୍ଧେକ ମୂଲ୍ୟରେ ଖୁଚୁରା ବିକ୍ରୀ ପରିପ୍ରେକ୍ଷୀରେ ପ୍ରକାଶକଙ୍କୁ ବିଜ୍ଞାପନ ଦ୍ୱାରା ଅନ୍ୟ ଅର୍ଦ୍ଧେକ ଖର୍ଚ୍ଚ ଭରଣା କରିବାକୁ ବାଧ୍ୟ କରିଥାଏ । ଓଡ଼ିଆ ସମେତ ବହୁ ସଂଖ୍ୟକ ଆଞ୍ଚଳିକ ସମ୍ୱାଦପତ୍ର ସରକାରୀ ବିଜ୍ଞାପନ ଆୟ ଯୋଗେ ଉତ୍ପାଦନ ଓ ବିକ୍ରୀମୂଲ୍ୟରେ ସମତୁଲ ରକ୍ଷା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସରକାରୀ ବିଜ୍ଞାପନ ନୀତି ଓ ନିର୍ଦ୍ଦିଷ୍ଟ ସମ୍ୱାଦପତ୍ର ପ୍ରତି କୃପାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ।

ସମ୍ୱାଦପତ୍ରର ସଫଳତା ଗୁଣାତ୍ମକ ସାମ୍ୱାଦିକତା ଉପରେ ନିର୍ଭରଶୀଳ । କିନ୍ତୁ ଅଧିକ ପାଠକଙ୍କ ନିକଟରେ ପହଞ୍ଚିବାକୁ ତଥା ଉଭୟ ସରକାରୀ ଓ ବେସରକାରୀ ସୂତ୍ରରୁ ବିଜ୍ଞାପନ ଲାଭ ଉଦ୍ଦେଶ୍ୟରେ ନିମ୍ନମାନର ସାମ୍ୱାଦିକତା ସହ ସାଲିସ କରି ପ୍ରସାର ସଂଖ୍ୟା ବୃଦ୍ଧିରେ ସମ୍ୱାଦପତ୍ରଗୁଡ଼ିକ ବିଗତ ଅର୍ଦ୍ଧ ଶତାଦ୍ଦୀ ଧରି ନିୟୋଜିତ । ଏହି ଅର୍ଥନୀତି ଯେ ଚିରନ୍ତନ ତାହା ଭାବିବା ଭୂଲ । କଥା ହେଲା, ପ୍ରଚଳିତ ଧାରାରେ ପରିବର୍ତ୍ତନକୁ ଅଗ୍ରାଧୀକାର ଦିଆଯାଏନା । ସାମାନ୍ୟ ସଂଖ୍ୟକ ସମ୍ୱାଦପତ୍ର ଏ ଦିଗରେ ଅବଶ୍ୟ ଉଦ୍ୟମ କରିଛନ୍ତି, କିନ୍ତୁ ବିଭିନ୍ନ କାରଣରୁ ସଫଳକାମୀ ହୋଇପାରିନାହାନ୍ତି । ଅନ୍ତତଃପକ୍ଷେ ନୂତନଭାବେ ପ୍ରକାଶିତ ସମ୍ୱାଦପତ୍ରଗୁଡିକ ବିକଳ୍ପ ପ୍ରକାଶନ ନୀତିରେ ବିଶ୍ୱାସ କରିବା କଥା । କିନ୍ତୁ ଚିରାଚ଼ରିତ ଢାଞ୍ଚାରେ ସଫଳତା ଆଶା କରି ସରକାରୀ ବିଜ୍ଞାପନ ଲାଗି ଦୀର୍ଘ ପ୍ରତୀକ୍ଷାରେ ଅଟକି ରହୁଥିବା କ୍ଷୋଭର ବିଷୟ ।

ମହାମାରୀ-ପର ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିରେ ବିଜ୍ଞାପନ ପ୍ରକାଶନରୁ ବାଦ ପଡୁଥିବା କେତେଗୋଟି ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରର ଦୁର୍ଦ୍ଦଶା ୨୦୨୩ ସେପ୍ଟେମ୍ୱରରେ ପ୍ରକାଶନ ପ୍ରାଙ୍ଗଣ ଡ଼େଇଁ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସମ୍ୱାଦ ଉପଭୋକ୍ତା କ୍ରମଶଃ ଡିଜିଟାଲ ମଞ୍ଚମୁହାଁ ହେଉଥିବା ହେତୁ କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତିରେ ସଂଶୋଧନ କରାଯାଇଥିବା କୁହାଯାଏ । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକରେ ବ୍ୟୟ କେନ୍ଦ୍ର ସରକାର ୨୦୧୮ରେ ୧୪ ପ୍ରତିଶତ, ୨୦୧୯ରେ ୩୫ ପ୍ରତିଶତ, ୨୦୨୦ରେ ୪୦ ପ୍ରତିଶତ ଏବଂ ୨୦୨୧ରେ ୨୩ ପ୍ରତିଶତ କାଟଛାଟ କରିଥିଲେ । କେନ୍ଦ୍ର ସରକାରଙ୍କ ବିଜ୍ଞାପନ ନୀତି ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ପ୍ରତିଫଳିତ ହୋଇଥିଲା ।

ମହାମାରୀ କାଳରେ ଅର୍ଦ୍ଧାଧିକ ଗ୍ରାହକ ହରାଇଥିବା ସମ୍ୱାଦପତ୍ରଗୁଡ଼ିକ ମହାମାରୀ-ପର ଅବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତିରେ ଭାରାକ୍ରାନ୍ତ । ବିକଶିତ ରାଷ୍ଟ୍ରଗୁଡ଼ିକରେ ମହାମାରୀରେ କ୍ଷତିଗ୍ରସ୍ତ ସମ୍ୱାଦ ମଞ୍ଚଗୁଡିକୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକର ଟିକସ ବୋଝ ହାଲୁକା କରିବା ତଥା ନିଯୁକ୍ତ ସାମ୍ୱାଦିକମାନଙ୍କ ଦରମା ଦେବା ଭଳି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମ ଦେଶରେ ସରକାରଙ୍କ ବାର୍ତ୍ତା ଜନସାଧାରଣରେ ପହୁଞ୍ଚାଇବା ଲାଗି ବିଜ୍ଞାପନ ବିତରଣ ପରୋକ୍ଷରେ ସମ୍ୱାଦପତ୍ର ଭାବମୂର୍ତ୍ତୀ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ଅନୁମାନ କରାଯାଏ । କ୍ରମବର୍ଦ୍ଧିଷ୍ଣୁ ସମ୍ୱାଦପତ୍ର ବିମୁଖ ପରିବେଶ ସୃଷ୍ଟି ଏହାର ଏକ ଉଦାହରଣ ।

ମୁଦ୍ରିତ ସମ୍ୱାଦପତ୍ର ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଗୁଣବତ୍ତା ବିକାଶ ଦ୍ୱାରା ହିଁ ଦୀର୍ଘକାଳୀନ ଭିତ୍ତିରେ ସାମ୍ୱାଦିକତାର ଅଭିବୃଦ୍ଧି ସଂଭବ । ପ୍ରଥମତଃ, ସାମ୍ୱାଦିକତାର ବିକାଶକଳ୍ପେ ପ୍ରେସ ଇସ୍ତାହାରଭିତ୍ତିକ ସମ୍ୱାଦ ପ୍ରକାଶନ ବଦଳରେ ମୌଳିକ ସୃଜନକୁ ଅଗ୍ରାଧିକାର ଦିଆଯିବା ଉଚ଼ିତ । ଦ୍ୱିତୀୟତଃ, ସର୍ଜନଶୀଳତା ଅଭାବରେ ସାମ୍ୱାଦିକତାକୁ ଏକ ବୃତ୍ତି କିମ୍ୱା ଆକର୍ଷଣ ‘ପ୍ରଫେସନ ଅର ଗ୍ଳାମର’ ହିସାବରେ ଗ୍ରହଣ କରାଯାଇପାରେନା । ସାମ୍ୱାଦିକତା ସର୍ଜନଶୀଳ ପ୍ରତିଭା ଖୋଜେ । ତୃତୀୟତଃ, ଓଡ଼ିଆ ଗଣମାଧ୍ୟମରେ ବିଚ୍ଛୁରିତ ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣ ‘କନସୋଲିଡ଼େସନ’ ଅନିର୍ବାଯ୍ୟ ।

ଏହି ନୀତିଗୁଡ଼ିକ କାର୍ଯ୍ୟକାରୀ ହୋଇପାରିଲେ ସମ୍ୱାଦକୁ ବିକ୍ରୀଯୋଗ୍ୟ ‘ମନିଟାଇଜେସନ’ କରାଯାଇ ସରକାରୀ ଓ ବେସରକାରୀ ବିଜ୍ଞାପନର ଚକ୍ରବ୍ୟୂହରୁ ବର୍ତ୍ତିବା ସମ୍ଭବପର । ସକ୍ରିୟ ଗଣତନ୍ତ୍ର ପ୍ରତିଷ୍ଠା ତଥା ଜନହିତରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନିଜ ଭୂମିକା ନିର୍ବାହ ନିମନ୍ତେ ସୃଜନ ଆଶ୍ରିତ ମୂଲ୍ୟବୋଧ ସୁରକ୍ଷା ସହାୟକ ହେବା ବିଶ୍ୱାସ କରାଯାଇପାରେ । ସମ୍ଭାବ୍ୟ ଡିଜିଟାଲ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର କେବଳ ବଞ୍ଚି ରହିବା କାହିଁକି, ପ୍ରଭାବଶାଳୀ ହେବାରେ ଗୁଣାତ୍ମକ ସାମ୍ୱାଦିକତା ପରିପ୍ରକାଶ ହିଁ ଏକମାତ୍ର ବିକଳ୍ପ ।

Related Post