ମହାମାରୀ ପ୍ରଭାବରେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆକଳନ କରାଯାଉଥିବା ସ୍ଥଳେ ଭାରତରେ ଲକଡ଼ାଉନ ପରବର୍ତ୍ତୀ ଛଅମାସରେ ସେପ୍ଟେମ୍ୱର ସୁଦ୍ଧା ବ୍ୟାବସାୟିକ ପରିବେଶ ସେଦିଗରେ ସହମତି ପ୍ରକାଶର ଉଦାହରଣ ଦେଖିବାକୁ ମିଳିଥିଲା । ଭାରତରେ ୨୦୨୦ ସୁଦ୍ଧା ମୁଦ୍ରଣ, ଟେଲିଭିଜନ ଓ ଇଣ୍ଟରନେଟଭିତ୍ତିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ବିଜ୍ଞାପନଆଶ୍ରିତ ମଡ଼େଲରେ ବିକଶିତ ହୋଇଥିବା ହେତୁ ପାଠକ, ଦର୍ଶକଙ୍କ ସଂଖ୍ୟା ଏବଂ ତତ୍ ଜନିତ ବିଜ୍ଞାପନ ଆୟ ଗୁରୁତ୍ୱ ବହନ କରିଥାଏ । ଏହି ପରିବେଶରେ ଯେଉଁ ମଞ୍ଚରେ ଯେଉଁ ଉତ୍ପାଦଗୁଡ଼ିକର ଉପଭୋକ୍ତାଙ୍କ ସଂଖ୍ୟା ଯେତେ ଅଧିକ ତଦ୍ ଅନୁଯାୟୀ ବିଜ୍ଞାପନ ଆୟ ବୃଦ୍ଧିପ୍ରାପ୍ତ ହୋଇ ବ୍ୟାବସାୟିକ ସ୍ଥିତିକୁ ସୁଦୃଢ଼ କରେ । ମୋଟ ଉପରେ ବିଜ୍ଞାପନ ଆୟରୁ ହିଁ ଗଣମାଧ୍ୟମ ବ୍ୟବସାୟରେ ଲାଭ ହିସାବ କରାଯାଇଥାଏ ।
ଦେଶରେ ବିଗତ ଚାରି ଦଶନ୍ଧି ଧରି ଟେଲିଭିଜନ ପ୍ରସାରଲାଭ କରିବା ପରଠାରୁ କ୍ରମଶଃ କ୍ରିକେଟର ସିଧାପ୍ରସାରଣ ଦର୍ଶକ ଋଚି ତାଲିକାରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୦୮ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ ‘ଆଇପିଏଲ’ ସମସ୍ତ ଗଣମାଧ୍ୟମ ମଞ୍ଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ମହାମାରୀଜନିତ କଟକଣା ଯୋଗୁଁ ଆଇପିଏଲ ୨୦୨୦ ଆୟୋଜନ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଶେଷରେ ୟୁନାଇଟେଡ଼ ଆରବ ଏମରେଟିସର ଦୁବାଇ, ସାରଜହା ଓ ଆବୁଧାବୀରେ ବିନା ଦର୍ଶକରେ ୧୯ ସେପ୍ଟେମ୍ୱରରୁ ୧୦ ନଭେମ୍ୱର ମଧ୍ୟରେ ୧୩ ତମ ସଂସ୍କରଣ ଆଇପିଏଲ ଖେଳାଯିବା ସ୍ଥିରୀକୃତ ହୋଇଥିଲା ।
ଦେଶ ବାହାରେ ପ୍ରତିଯୋଗିତା ଆୟୋଜନ, ଦର୍ଶକବିହୀନ ଖେଳ ଓ ମହାମାରୀଜନିତ ମନ୍ଦାବସ୍ଥା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ଲୋକପ୍ରିୟତାକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଥିଲା । ତେବେ ପ୍ରତିଯୋଗିତାର ପ୍ରଥମ ସପ୍ତାହରେ ଟେଲିଭିଜନ ଓ ଓଭର-ଦି-ଟପ ଡ଼ିଜିଟାଲ ମଞ୍ଚରେ ପରିସଂଖ୍ୟାନ ଦର୍ଶକ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲାନାହିଁ ।
‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ର ତଥ୍ୟ ଅନୁଯାୟୀ ଆଇପିଏଲ ୨୦୨୦ର ପ୍ରଥମ ସପ୍ତାହର ଖେଳ ଆଠ କୋଟି ୬୦ ଲକ୍ଷ ପରିବାରରେ ୨୬ କୋଟି ୯୦ ଲକ୍ଷ ଦର୍ଶକ ଉପଭୋଗ କରିଥିଲେ । ଆପିଏଲ ୨୦୧୯ରେ ୨୬ କୋଟି ୮୦ ଲକ୍ଷ ଦର୍ଶକ ଗଣନା କରାଯାଇଥିବା ସ୍ଥଳେ ୨୦୨୦ରେ ଦର୍ଶକଙ୍କ ସଂଖ୍ୟା ୧୧ ଲକ୍ଷ ବୃଦ୍ଧି ପାଇଥିଲା । ଦର୍ଶକମାନଙ୍କ ଖେଳ ଦେଖାର ସମୟସୀମା ମଧ୍ୟ ପୂର୍ବବର୍ଷ ତୁଳନାରେ ୧୫ ପ୍ରତିଶତ ବଢ଼ିଥିଲା ।
ଆଇପିଏଲ ୨୦୨୦ର ଶୀର୍ଷକ ପ୍ରାୟୋଜକ ‘ଟାଇଟଲ ସ୍ପୋନସର’ ରୂପେ ଡ଼ିଜିଟାଲ କ୍ରୀଡ଼ା ମଞ୍ଚ ‘ଡ୍ରିମ ୧୧’ ସମୁଦାୟ ୨୨୨ କୋଟି ଟଙ୍କା ବିନିମୟରେ ସତ୍ତ୍ୱ ହାସଲ କରିଥିଲା । ‘ଡ୍ରିମ ୧୧’ ଏକ ଫାଣ୍ଟାସି ଗେମ ଆପ୍ଲିକେସନ । ଏହି ଡିଜିଟାଲ କ୍ରୀଡ଼ା ମଞ୍ଚରେ ଉପଭୋକ୍ତାମାନେ ନିଜ ମନମୁତାବକ ଭର୍ଚୁଆଲ କ୍ରୀଡ଼ାବିତ ମନୋନୟନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଏବଂ ସେମାନଙ୍କ ପ୍ରାୟୋଜିତ ଟିମର ପ୍ରଦର୍ଶନ ଅନୁଯାୟୀ ପୁରସ୍କାର ଲାଭ କରିପାରିବା ବ୍ୟବସ୍ଥା ରହିଥାଏ । ଭାରତରେ ୨୦୦୮ରୁ ବିକଶିତ ଫଣ୍ଟାସି ଗେମିଂ ଆପ୍ଲିକେସନ ବିପୁଳ ଅର୍ଥ ବିନିମୟରେ ଆଇପିଏଲର ପ୍ରାୟୋଜକ ସାଜିବା ଦେଶର ପରିବର୍ତ୍ତିତ ଡିଜିଟାଲ ପରିବେଶର ପ୍ରମାଣ ଦେଇଥାଏ ।
ଆଇପିଏଲ ୨୦୨୦ ପ୍ରତିଯୋଗିତାର ସିଧା ପ୍ରସାରଣ ସତ୍ତ୍ୱ ଡିସନି+ହଟଷ୍ଟାର ଅଧିଗ୍ରହଣ କରିଥିଲା । ପୂର୍ବବର୍ଷ ମଧ୍ୟ ସଂପୃକ୍ତ ପକ୍ଷ ପ୍ରସାରଣ ସତ୍ତ୍ୱ ପରିଚାଳନାରେ ଡ଼ିଜିଟାଲ ମଞ୍ଚରୁ ବିଜ୍ଞାପନ ବାବଦରେ ୨୫୦ କୋଟି ଟଙ୍କା ଆୟ କରିଥିବା ସ୍ଥଳେ ୨୦୨୦ରେ ୩୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଥିଲା । ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ବିଜ୍ଞାପନ ସ୍ପଟଗୁଡ଼ିକ ୧୩ ଗୋଟି ପ୍ରାୟୋଜକଙ୍କ ମଧ୍ୟରେ ବିକ୍ରୀ ହୋଇଯାଇଥିବା କୁହାଯାଇଥିଲା ।
ବିଜ୍ଞାପନଦାତାଙ୍କ ମଧ୍ୟରେ ଫ୍ଳିପକାର୍ଟ, ସ୍ପିଗି, ଏମଏକ୍ସ ପ୍ଲେୟାର, ଆକୋ, ଏସ୨୩, ଖାତାବୁକ, ଗ୍ରେଟ ଲେରନିଂ, କ୍ୟାଲେଣ୍ଡର, କିଙ୍ଗଫିସର, ମାରୁତି ସୁଜୁକି ଓ ଏସୋସିଏସନ ଅଫ ମିଉଚ୍ୟୁଲ ଫଣ୍ଡସ ଇନ ଇଣ୍ଡିଆ ଅନ୍ତର୍ଗତ । ଅନ୍ୟ ବିଜ୍ଞାପକଙ୍କ ମଧ୍ୟରେ ପ୍ରକ୍ଟର ଏଣ୍ଡ ଗେମ୍ୱଲ, କେଲାଗସ, ହିମାଳୟ, ଏପଲ, ଇଣ୍ଟେଲ, ଜେଏସଡ଼ବ୍ଲ୍ୟୁ, ଭିସା, ମାଷ୍ଟରକାର୍ଡ ଓ କାରଦେଖୋ ପ୍ରମୁଖ ପ୍ରଧାନ ।
ଦେଶର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଟେଲିଭିଜନ ଓ ଓଟିଟି ମଞ୍ଚରେ ସିଧାପ୍ରସାରଣ ସର୍ବାଧିକ ସଂଖ୍ୟକ ଦର୍ଶକଙ୍କ ନିକଟରେ ପହଞ୍ଚୁଥିବା ହେତୁ ନିଜ ଉତ୍ପାଦ ସଂପର୍କରେ ବିଜ୍ଞାପନ ପ୍ରଦର୍ଶନ ନିମନ୍ତେ ଆଗ ଧାଡ଼ିର ବିଜ୍ଞାପକମାନେ ତତ୍ପରତା ପ୍ରକାଶ କରିବା ସ୍ୱାଭାବିକ । ତେବେ ଆଇପିଏଲ ୨୦୨୦ କ୍ରୀଡ଼ାତ୍ସୋବର ପ୍ରାୟୋଜକ ଏବଂ ସିଧାପ୍ରସାରଣ ସତ୍ତ୍ୱ ହାସଲ କରିଥିବା ଡିସନି + ହଟଷ୍ଟାରର ବିଜ୍ଞାପକଙ୍କ ମଧ୍ୟରେ ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ପାରମ୍ପରିକଭାବେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ‘ଏଫଏମସିଜି’, ଅଟୋମୋବାଇଲ, ଶିକ୍ଷା, ଖୁଚୁରା ବ୍ୟବସାୟ ‘ରିଟେଲ’, ନିର୍ମାଣ ଉଦ୍ୟୋଗ ଏବଂ ପୋଷାକପତ୍ର, ଗହଣା, ଫାଶନ ଇତ୍ୟାଦି କ୍ରମାନ୍ୱୟରେ ବିଜ୍ଞାପନ ବ୍ୟୟରେ ଆଗୁଆରହିଆସିଥିବା ସ୍ଥଳେ ଆଇପିଏଲ ୨୦୨୦ ସୂଚ଼ୀରେ ଏଗୁଡ଼ିକର ଅନୁପସ୍ଥିତି ସ୍ପଷ୍ଟ ବାରିହୋଇଥିଲା ।
ସ୍ଥୁଳ ବିଶ୍ଳେଷଣରେ ପ୍ରଥମତଃ, ମହାମାରୀଜନିତ ମାନ୍ଦାବସ୍ଥା ଏବଂ ଏହାର ଦୀର୍ଘସ୍ଥାୟୀ ପ୍ରଭାବକୁ ଲକ୍ଷ୍ୟରଖି ପାରମ୍ପରିକ ବିଜ୍ଞାପକଙ୍କ ତାଲିକାରେ ପ୍ରଥମସ୍ଥାନ ଅଧିକାର କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଚ଼ତୁର୍ଥ ସ୍ଥାନର ଖୁଚୁରା ବ୍ୟବସାୟ ଏବଂ ଷଷ୍ଠସ୍ଥାନର ପୋଷାକ, ଗହଣା, ଫେସନ ବିଜ୍ଞାପନ ବ୍ୟୟ ସଂକୁଚ଼ିତ କରିବା ହୁଏତ ଆରମ୍ଭ କରିସାରିଲେଣି । ପଞ୍ଚମ ସ୍ଥାନରେ ଥିବା ନିର୍ମାଣ ଉଦ୍ୟୋଗରେ ନିବେଶ ସ୍ଥାଣୁ ପଡ଼ିଆସିବା ହେତୁ ବିଜ୍ଞାପନ ବ୍ୟୟ ବନ୍ଦ ହୋଇପଡ଼ିଛି ।
ଦ୍ୱିତୀୟତଃ, ବିଜ୍ଞାପନ ପ୍ରଦର୍ଶନରେ ତୃତୀୟ ସ୍ଥାନ ଅଧିକାର କରୁଥିବା ଶିକ୍ଷାର ପାରମ୍ପରିକ ଶୈଳୀ କ୍ରମଶଃ ଡ଼ିଜିଟାଲ ଶୈଳୀରେ ରୂପାନ୍ତରିତ ହେଉଥିବା ହେତୁ ତତ୍ ସଂପର୍କୀତ ବିଜ୍ଞାପନ ପ୍ରଦର୍ଶନ ଗଣମାଧ୍ୟମର ଡିଜିଟାଲ ମଞ୍ଚ ମୁହାଁ ହୋଇଛି । ମହାମାରୀରେ ଇ-କମର୍ସ ବ୍ୟାପକ ଗ୍ରାମାଞ୍ଚଳ ଉପଭୋକ୍ତା ସୃଷ୍ଟି ହୋଇଥିବା କାରଣରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଖୁଚୁରା ବ୍ୟବସାୟ ଏବଂ ପୋଷାକ, ଗହଣା, ଫ୍ୟାସନ ବିଜ୍ଞାପନ ମଧ୍ୟ ଡିଜିଟାଲ ମଞ୍ଚକୁ ଉପଯୁକ୍ତ ମାଧ୍ୟମ ବିଚାର ଆରମ୍ଭ କରିସାରିଲେଣି ବୋଲି କୁହାଯାଇପାରେ ।
ତୃତୀୟତଃ, ଡ଼ିଜିଟାଲ କ୍ରୀଡ଼ା, ଡ଼ିଜିଟାଲ ଶିକ୍ଷା, ଇ-କମର୍ସ ଭଳି ବିଜ୍ଞାପକମାନେ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରୁ ନିଜ ନିଜ ଉପଭୋକ୍ତା ଖୋଜିବାହାର କରିବା ସଂଭବପର ଥିବା ହେତୁ ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ବିଜ୍ଞାପନ ପ୍ରଦର୍ଶନରୁ କ୍ରମଶଃ ଓହରି ଯିବା ଆକଳନ କରାଯାଇପାରେ । ସାମୟିକଭାବେ ନିଜର ବ୍ରାଣ୍ଡ ପ୍ରତିଷ୍ଠା ନିମନ୍ତେ ପାରମ୍ପରିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରଦର୍ଶନ ସୀମିତ ରହିପାରେ ।
ମୋଟଉପରେ ଆଇପିଏଲ ୨୦୨୦ରେ ବିଜ୍ଞାପନ ବ୍ୟୟ ଭାରତରେ ସମ୍ଭାବ୍ୟ ବିଜ୍ଞାପନ ପରିବେଶର ପ୍ରାକ-ସୂଚ଼ନା ପ୍ରଦାନ କରିଥାଏ ବୋଲି ଗଣମାଧ୍ୟମ ବିଶ୍ଳେଷକ ବିଚ଼ାର କରିଥିଲେ । ‘ଇଣ୍ଡିଆ ରେଟିଂ ଏଣ୍ଡ ରିସର୍ଚ୍ଚ’ ପକ୍ଷରୁ ‘ଫଡ଼େରେସନ ଅଫ ଚେମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀ’ର ୨୦୨୦ ବିବରଣୀରେ ମୁଦ୍ରଣ ଗଣମାଧ୍ୟମ ମଞ୍ଚଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଚ଼ତୁର୍ଥାଂଶ ଆୟ ହରାଇବା ପୂର୍ବାନୁମାନ କରାଯାଇଥିଲା । ପ୍ରଥମ ତ୍ରୟମାସିକ ହିସାବ ମାର୍ଚ୍ଚ ଠାରୁ ଜୁନ ୨୦୨୦ ମଧ୍ୟରେ ଲକଡ଼ାଉନ ପ୍ରଭାବରେ ପୂର୍ବବର୍ଷ ତୁଳନାରେ ଆୟ ଦୁଇ ତୃତୀୟାଂଶ କମି ଯାଇଥିଲା । ବୃହତ ପ୍ରକାଶନ ସଂସ୍ଥାଗୁଡ଼ିକର ୭୬ ପ୍ରତିଶତ ବିଜ୍ଞାପନ ଓ ୩୨ ପ୍ରତିଶତ ପ୍ରସାର ଆୟରେ କ୍ଷତି ସାମଗ୍ରୀକଭାବେ ବାର୍ଷିକ ଲାଭକୁ ପ୍ରଭାବିତ କରିବା ଆଶଙ୍କା କରାଯାଇଥିଲା । ଅବଶ୍ୟ ଭାରତୀୟ ଭାଷାଗୁଡ଼ିକ ତୁଳନାରେ ଇଂଲିଶ ଭାଷାରେ ଏହି ମାନ୍ଦାବସ୍ଥାର ପ୍ରାଦୁର୍ଭାବ ମାତ୍ରାଧିକ । ବିଶାରଦମାନଙ୍କ ମତରେ ୨୦୨୧-୨୨ ଆର୍ଥିକ ବର୍ଷରେ ମୁଦ୍ରଣ ଗଣମାଧ୍ୟମର ଆୟରେ ସାମାନ୍ୟ ସୁଧାର ଆଶା କରାଯାଇଥିଲା ।
ସମସାମୟିକ ବ୍ୟାବସାୟିକ ପରିଧିରେ ଡ଼ିଜିଟାଲ ମଞ୍ଚଗୁଡ଼ିକର ଗୁରୁତ୍ୱ ବୃଦ୍ଧି, ଏପରିକି ସ୍ଥଳବିଶେଷରେ ଶୀର୍ଷସ୍ଥାନ ଅଧିକାର ସଂପର୍କୀତ ତଥ୍ୟାବଳୀ ପଚାଶ ବର୍ଷୋତ୍ତର ପିଢ଼ିଙ୍କ ପକ୍ଷେ ଅବିଶ୍ୱାସନୀୟ ମନେ ହୋଇପାରେ । ବିଡ଼ମ୍ୱନାର ବିଷୟ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ଗୁଡ଼ିକର ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରୁ ଅଧିକାଂଶ ସେହି ବୟସସୀମାରେ ଉପନୀତ ! ଏକ ଫଣ୍ଟାସି ଗେମିଂ ଆପ୍ଲିକେସନ ପ୍ରମୁଖ ବିଜ୍ଞାପକଙ୍କ ମଧ୍ୟରେ ସର୍ବାଗ୍ରେ ସ୍ଥାନିତ ହେବା ଉଦାହରଣ ଉଭୟ ଗଣମାଧ୍ୟମ ମଞ୍ଚଗୁଡ଼ିକର ଆଙ୍ଗିକ ଓ ଆତ୍ମୀକ ନୀତିନିର୍ଦ୍ଧାରଣରେ ସୁଦୂରପ୍ରସାରୀ ପରିବର୍ତ୍ତନ ଆବଶ୍ୟକତାର ଆଭାସ ପ୍ରଦାନ କରିଥାଏ । ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରୁ ଅନେକ ବିଜ୍ଞାପନ ପ୍ରଦର୍ଶନ ନିମନ୍ତେ ନିକଟ ଭବିଷ୍ୟତରେ ଅନୁପଯୁକ୍ତ ବିବେଚ଼ିତ ହେବା ସମ୍ଭାବନାକୁ ଏଡାଇ ଦେଇ ହେଉ ନାହିଁ ।
