ଆଜିର ଖାସ ଖବର
Mon. Jul 27th, 2026

ଗଣମାଧ୍ୟମର ଏକକ ମଞ୍ଚ

By Dainikasha Jul11,2024

ସ୍ମାର୍ଟଫୋନ କ୍ରମଶଃ ଗଣମାଧ୍ୟମର ଏକକ ମଞ୍ଚରୂପେ ଆଦୃତ ହେବାରେ ଲାଗିଛି । ଟେଲିଭିଜନ ଓ ଭିଡ଼ିଓ ସାଙ୍ଗକୁ ମୁଦ୍ରିତ ସମ୍ୱାଦପତ୍ର, ପତ୍ରପତ୍ରିକାର ଡ଼ିଜିଟାଲ ସଂସ୍କରଣ ତଥା ଇଣ୍ଟରନେଟଭିତ୍ତିକ ୱେବ ପ୍ରକାଶନ ଓ ସୋସିଆଲ ମିଡିଆ ସ୍ମାର୍ଟଫୋନ ପରଦାରେ ଉପଲବ୍ଧ । ଫଳତଃ ଏହାର ପ୍ରସାର ଓଲୋକପ୍ରିୟତା ବୃଦ୍ଧି ପାଇବା ସ୍ୱାଭାବିକ ।

ଅନଲାଇନ ଡ଼ାଟା ପୋର୍ଟାଲ ‘ଷ୍ଟାଟିଷ୍ଟା’ର ଆକଳନ ଅନୁଯାୟୀ ୨୦୧୬ ସୁଦ୍ଧା ଆମ ଦେଶରେ ୨୮ କୋଟିରୁ ଉର୍ଦ୍ଧ୍ୱ ସ୍ମାର୍ଟଫୋନ ବ୍ୟବହୃତ ହେଉଥିଲା । ୨୦୨୨ ବେଳକୁ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟିରେ ପହଞ୍ଚିବା ଆଶା କରାଯାଉଛି । ଅର୍ଥାତ ସ୍ମାର୍ଟଫୋନ କ୍ରମଶଃ ଦେଶର ପ୍ରାୟ ଅର୍ଦ୍ଧେକ କର୍ମଠ ନାଗରିକଙ୍କ ଯୋଗାଯୋଗର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହେବାରେ ଲାଗିଛି ।

‘ସାଇବର ମିଡ଼ିଆ ରିସର୍ଚ୍ଚ’ ନାମକ ଇଣ୍ଟରନେଟ ଗତିପ୍ରକୃତି ଅନୁଧ୍ୟାନକାରୀ ଗବେଷଣା ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସର୍ବଭାରତୀୟସ୍ତରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ସ୍ମାର୍ଟଫୋନର ବ୍ୟବହାର ଅନ୍ୟ ପ୍ରାନ୍ତ ତୁଳନାରେ କମ । ଜାତୀୟସ୍ତରରେ ମୋବାଇଲଫୋନ ବ୍ୟବହାର କରୁଥିବା ଜନସଂଖ୍ୟାଙ୍କ ମଧ୍ୟରେ ୪୨ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଦେଶର ସର୍ବାଧିକ ସ୍ମାର୍ଟଫୋନ ବ୍ୟବହାରକାରୀ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ (୬୨%), ଗୁଜରାଟ (୫୬%), ଦିଲ୍ଲୀ, ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶ (ପ୍ରତ୍ୟେକ ୫୨%) ହିସାବ କରାଯାଇଥିବାସ୍ଥଳେ ସର୍ବନିମ୍ନ ସ୍ମାର୍ଟଫୋନ ବ୍ୟବହାରକାରୀ ରାଜ୍ୟଭାବେ ବିହାର (୨୭%), ଆସାମ (୩୦%), ପଶ୍ଚିମ ବଙ୍ଗ (୩୩%), ମଧ୍ୟପ୍ରଦେଶ (୩୩%) ଓ ଓଡ଼ିଶା (୩୪%)ଚ଼ିହ୍ନଟ କରାଯାଇଛି ।

ସାକ୍ଷରତା ପ୍ରସାର ସହ ସ୍ମାର୍ଟଫୋନ ବ୍ୟବହାରର ସମୀକରଣ ବା ‘କୋ-ରିଲେସନ’ ଦେଖିବାକୁ ମିଳୁଛି । କେରଳରେ ସର୍ବାଧିକ ସ୍ମାର୍ଟଫୋନ ଉପଭୋକ୍ତା ଥିବାବେଳେ ସେଠାକାର ସାକ୍ଷରତାହାର ୯୪% ଏବଂ ବିହାରରେ ସର୍ବନିମ୍ନ ସ୍ମାର୍ଟଫୋନ ଉପଭୋକ୍ତା ଥିବାବେଳେ ସେଠାକାର ସାକ୍ଷରତାହାର ୬୧%। ଆମ ଓଡ଼ିଶାରେ ସାକ୍ଷରତାହାର ୭୨% ଥିବାବେଳେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୩୪% ହିସାବ କରାଯାଇଛି ।

କୁହାଯାଉଛି ଯେ ସ୍ମାର୍ଟଫୋନ କମ ବ୍ୟବହାର କରୁଥିବା ରାଜ୍ୟଗୁଡ଼ିକରେ ସ୍ଥାନୀୟ ଜନସାଧାରଣଙ୍କ କ୍ରୟ ଶକ୍ତି କମ ଓ ଦେଶାନ୍ତର ଶ୍ରମିକଙ୍କ ସଂଖ୍ୟା ଅଧିକ । ୨୦୧୭ରେ ରିଲାଏନ୍ସ  ଜିଓର ବଜାର ପ୍ରବେଶ ଫଳରେ ସାକ୍ଷରତା ଓ ଅର୍ଥନୀତି ଦୃଷ୍ଟିରୁ ପଛୁଆ ରାଜ୍ୟଗୁଡ଼ିକରେ ସ୍ମାର୍ଟଫୋନ ବ୍ୟବହାର ଲୋକପ୍ରିୟ ହୋଇପାରିଛି । ଗବେଷଣାଲବ୍ଧ ଜ୍ଞାନ ଅନୁଯାୟୀ ୨୦୧୮ ଶେଷ ସୁଦ୍ଧା ପ୍ରଚଳିତ ଧାରାରେ ପରିବର୍ତ୍ତନ ଅର୍ଥାତ ପଛୁଆ ରାଜ୍ୟଗୁଡ଼ିକରେ ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ବୃଦ୍ଧି ଆଶା କରାଯାଉଛି ।

ଇଣ୍ଟରନେଟ ସଂଯୋଗ ପରିବ୍ୟାପ୍ତି  ତଥା ସ୍ମାର୍ଟଫୋନ ବ୍ୟବହାର ଭାରତରେ ସୋସିଆଲ ମିଡ଼ିଆରେ ଉପସ୍ଥିତି ସଂଖ୍ୟା ବଢ଼ାଇବାରେ ଲାଗିଛି । ୨୦୧୬ ସୁଦ୍ଧା ପ୍ରାୟ ୧୭ କୋଟି ଭାରତୀୟ ସୋସିଆଲ ମିଡ଼ିଆ ସଦସ୍ୟଭୁକ୍ତ ଥିବାବେଳେ ୨୦୧୯ ବେଳକୁ ସେମାନଙ୍କ ସଂଖ୍ୟା ୨୬ କୋଟିକୁ ବୃଦ୍ଧି ପାଇବା ହିସାବ କରାଯାଉଛି । ସମଗ୍ର ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ ନାଗରିକ ସୋସିଆଲ ମିଡ଼ିଆଜନିତ ଯୋଗାଯୋଗ ବ୍ୟବସ୍ଥାରେ ଅଭ୍ୟସ୍ତ ହେବା ତଥା ଦୀର୍ଘ ସମୟ ବିନିଯୋଗ କରିବା କାରଣରୁ ସେଭଳି ମଞ୍ଚରେ ପ୍ରବାହିତ ମୁଖ୍ୟଧାରାଗୁଡ଼ିକରେ ପ୍ରଭାବିତ ହେବା ସ୍ୱାଭାବିକ । ଅର୍ଥାତ ସୋସିଆଲ ମିଡ଼ିଆ ଆମ ସାମାଜିକ ଜୀବନରେ କ୍ରମଶଃ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛି ବୋଲି କହିବାକୁ ହେବ ।

ନିକଟରେ ସ୍ମାର୍ଟଫୋନ ନିର୍ମାତା ମୋଟୋରୋଲାଙ୍କ ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ହାରର୍ଭାଡ଼ ମେଡ଼ିକାଲ ସ୍କୁଲର ମନୋବିଜ୍ଞାନୀଙ୍କ ତତ୍ତ୍ୱାବଧାନରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ନେଇ ଆୟୋଜିତ ଗବେଷଣାରୁ ଚମକପ୍ରଦ ତଥ୍ୟମାନ ଜାଣିବାକୁ ମିଳିଛି । ୧୬ ରୁ ୬୫ ବର୍ଷ ବୟସ୍କ ୪,୪୧୮ ଜଣ ଉପଭୋକ୍ତା ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିଲେ । ଭାରତରେ ୬୫ ପ୍ରତିଶତ ସ୍ମାର୍ଟଫୋନକୁ ସର୍ବଶ୍ରେଷ୍ଠ ବନ୍ଧୁଭାବେ ଗ୍ରହଣ କରୁଥିବାବେଳେ ୪୭ ପ୍ରତିଶତ ପରିବାରର ସଦସ୍ୟ କିମ୍ୱା ବନ୍ଧୁଙ୍କ ତୁଳନାରେ ସ୍ମାର୍ଟଫୋନରେ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । ଅପରପକ୍ଷେ ୪୮ ପ୍ରତିଶତ ଫୋନ ପରଦାରେ ଅତ୍ୟଧିକ ସମୟ ବିନିଯୋଗ କରୁଥିବା ସଂପର୍କରେ ମଧ୍ୟ ନିଜେ ସଚ଼େତନ । ଏଭଳି ତଥ୍ୟରୁ ସ୍ମାର୍ଟଫୋନ ତାହାର ବ୍ୟବହାରକାରୀଙ୍କୁ କିପରି କବଳିତ କରି ରଖିଛି ବେଶ ଅନୁମାନ କରାଯାଇପାରେ ।

ଗଣମାଧ୍ୟମ ଏକରୁ ଅନେକ ନୀତିରେ ପରିଚ଼ାଳିତ ହେଉଥିବାସ୍ଥଳେ ସୋସିଆଲ ମିଡ଼ିଆରେ ଉପଭୋକ୍ତାମାନେ ପରସ୍ପର ମଧ୍ୟରେ ସଂବାଦ, ଅଭିମତ ଓ ତଥ୍ୟ ବିନିମୟର ସୁଯୋଗ ଉପଭୋଗ କରିଥାନ୍ତି।ଏହିଭଳି ପରିବେଶ ଗଣତନ୍ତ୍ରର ବିକାଶ ନିମନ୍ତେ ଉର୍ବର କ୍ଷେତ୍ର ପ୍ରସ୍ତୁତ କରିବା ସଂଭବପର । ତେବେ ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ କେନିଆର ନିର୍ବାଚ଼ନରେ ପ୍ରାପ୍ତ ସୁବିଧାସୁଯୋଗର ଦୁରୋପଯୋଗ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନକାରତ୍ମକ ଭୂମିକା ଗ୍ରହଣ କରିଥିବା ଅଭିଜ୍ଞତା ମଧ୍ୟ ମିଳିଛି । ଆତଙ୍କବାଦ ଓ ଉଗ୍ର ଜାତିଆଣଭାବ ଉଦ୍ରେକରେ ସୋସିଆଲ ମିଡ଼ିଆର ବ୍ୟବହାର ଆନ୍ତର୍ଜାତିକସ୍ତରରେ ଉଦ୍ବେଗର କାରଣ ପାଲଟିଛି ।

ସୋସିଆଲ ମିଡ଼ିଆରେ ଉପଭୋକ୍ତାଙ୍କ ବ୍ୟବହାରିକ ପଦଚ଼ିହ୍ନ ବା ‘ଡ଼ିଜିଟାଲ ଫୁଟପ୍ରିଣ୍ଟ’ ଲିପିବଦ୍ଧ ହୋଇ ରହୁଥିବାସ୍ଥଳେ ସେଭଳି ତଥ୍ୟାବଳୀ ବା ଡ଼ାଟା ଉପଯୋଗରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ୱ ବା ‘ସାଇକୋଗ୍ରାଫି’ ପ୍ରସ୍ତୁତ କରି ବ୍ୟବସାୟଠାରୁ ରାଜନୀତି ଯାଏଁ ବିଭିନ୍ନକ୍ଷେତ୍ରରେ ବ୍ୟବହାରର ବୈଧତାକୁ ନେଇ ପ୍ରଶ୍ନ ଉଠୁଛି । ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ଫେସବୁକରେ ଉପସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ସାତ କୋଟି ନାଗରିକଙ୍କ ଲିପିବଦ୍ଧ ତଥ୍ୟକୁ ଆଧାରକରି ବ୍ରିଟେନର କେମ୍ୱ୍ରିଜ ଏନାଲିଟିକାପକ୍ଷରୁ ଗତ ନିର୍ବାଚ଼ନରେ ପ୍ରଚ଼ାର ରଣନୀତି ନିର୍ଦ୍ଧାରଣ ସ୍ୱଚ୍ଛ ଗଣତାନ୍ତ୍ରିକ ପ୍ରକ୍ରିୟାରେ କେତେଦୂର ଗ୍ରହଣୀୟ ସେ ସଂପର୍କରେ ବିଚ଼ାର ବିମର୍ଷ ଚାଲିଛି ।

ପ୍ରଯୁକ୍ତି ବିଜ୍ଞାନରେ ନୂତନ ଉଦ୍ଭାବନମାନ ନୂତନ ସମ୍ଭାବନାରେ ପର୍ଯ୍ୟବସିତ ହୋଇଥାଏ । ଏଥିରୁ ସୃଷ୍ଟ ସମସ୍ୟାଗୁଡ଼ିକୁ ମୁକାବିଲା କରିବାଲାଗି ଅନୁଶାସନର ଆବଶ୍ୟକତା ପଡିଥାଏ ।୨୦୧୮ ଏପ୍ରିଲ ୨ ତାରିଖରେ ‘ବିଜିନେସ ଷ୍ଟାଣ୍ଡାର୍ଡ଼’ ସଂବାଦପତ୍ରରେ ପ୍ରକାଶିତ ଭାରତୀୟ ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ସାକ୍ଷାତକାରରେ ଇଣ୍ଟରନେଟରେ ବ୍ୟକ୍ତିଗତ, ପାରିବାରିକ, ଆୟ, ସଞ୍ଚୟ, ଚ଼ିକିତ୍ସା ଭଳି ତଥ୍ୟର ଗୋପନୀୟତାକୁ ମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସମ୍ୱିଧାନ, ଫୌଜଦାରୀ ଆଇନ ଓ ଇନଫରମେସନ ଟେକନୋଲଜି ଆକ୍ଟ ସହ ଟେଲିକମ ରେଗୁଲେଟରି ଅଥାରିଟି ଅଫ ଇଣ୍ଡିଆ ମାଧ୍ୟମରେ ଅଧିକାଂଶ ଡ଼ିଜିଟାଲ ସମସ୍ୟାର ସମାଧାନ ସଂଭବପର ।ବି.ଏନ. ଶ୍ରୀକୃଷ୍ଣ କମିଟି ପକ୍ଷରୁ ସୂଚ଼ନା ପ୍ରଯୁକ୍ତି ବିଜ୍ଞାନକ୍ଷେତ୍ରରେ ଅତ୍ୟାଧୁନିକ ଉପଯୋଗଗୁଡ଼ିକ ସଂପର୍କରେ ରିପୋର୍ଟ ଅନୁଯାୟୀ ନୂତନ ଆଇନ ପ୍ରଣୟନ ନିମନ୍ତେ ସରକାରୀ ପଦକ୍ଷେପ ଗ୍ରହଣ କରାଯିବ ।

ଆମ ଦେଶରେ ସ୍ମାର୍ଟଫୋନର ବ୍ୟବହାର ବଢ଼ି ଚ଼ାଲିଥିବା, ଉପଭୋକ୍ତାମାନେ ଦୈନିକ ତିନିରୁ ଚ଼ାରିଘଣ୍ଟା ସେଥିରେ ବିତାଉଥିବା ତଥା ସାମାଜିକ, ଅର୍ଥନୀତିକ, ସାଂସ୍କୃତିକ ତଥା ରାଜନୀତିକ କ୍ଷେତ୍ରରେ ପ୍ରଭାବ ପ୍ରମାଣିତ ହୋଇସାରିଥିଲେ ହେଁ ଏଭଳି ମଞ୍ଚର ଉଚ଼ିତ ଉପଯୋଗ ସଂପର୍କରେ ଜନସାଧାରଣରେ ସଚ଼େତନତା ପ୍ରସାର ଉଦ୍ୟମର ଅଭାବ ଅନୁଭୂତ ହୁଏ । ସରକାରୀ ନୀତି ନିୟମ ପ୍ରଣୟନ ତୁଳନାରେ ତାହାର ଉପଯୋଗ ଓ ନାଗରିକ ସଚ଼େତନତା ଦୁରୋପଯୋଗ ରୋକିବାରେ ସମର୍ଥ ହେଉଥିବା ସଂପର୍କରେ ଅଧ୍ୟୟନଗତ ଜ୍ଞାନକୁ କାର୍ଯ୍ୟରେ ପରିଣତ କରାଯାଉନଥିବା ଦୁର୍ଭାଗ୍ୟର ବିଷୟ । ଅନ୍ତତଃପକ୍ଷେ ସ୍ମାର୍ଟଫୋନ ନିର୍ମାତା ଓ ଇଣ୍ଟରନେଟ ସେବା ବିତରକ କମ୍ପାନୀମାନେ ଯଦି ବାଧ୍ୟତାମୂଳକଭାବେ କରପୋରେଟ ସୋସିଆଲ ରେସପନ୍ସବିଲିଟି ଧାରାରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାର ସଂପର୍କରେ ସଚ଼େତନତା ପ୍ରସାର ଉଦ୍ୟମ ଆରମ୍ଭ କରନ୍ତେ ତେବେ ସୁଫଳ ମିଳନ୍ତା । ସାଧାରଣ ଜନତାଙ୍କ ହାତପାଆନ୍ତାରେ ଏକ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ ପହୁଞ୍ଚାଇଦେବା ଏବଂ ତାହାର ବ୍ୟବହାର ସଂପର୍କରେ କୌଣସି ତଥ୍ୟ ଅବଗତ ନ କରାଇବା ପରିବେଶ ତ୍ରୁଟିପୂର୍ଣ୍ଣ ମନେହୁଏ । 

Related Post