ଭାରତରେ ଅକ୍ଟୋବର ୨୦୨୨ରେ ୫ଜି ଟେଲିଯୋଗାଯୋଗ ସେବା ଆରମ୍ଭ ନିମନ୍ତେ ସେପ୍ଟେମ୍ୱର ୨୦୨୨ ସୁଦ୍ଧା ଜୋରଦାର ପ୍ରସ୍ତୁତିର ସୂଚ଼ନା ମିଳିଥାଏ । ଏଠାରେ ୨୦୧୪ରେ ୪ଜି ସେବା ଆରମ୍ଭ ହେବାପରେ ଦେଶର ସର୍ବତ୍ର ବ୍ୟବହାରଯୋଗ୍ୟ ଅବସ୍ଥାରେ ପହଞ୍ଚିବାଲାଗି ଚାରିରୁ ପାଞ୍ଚ ବର୍ଷ ଲାଗି ଯାଇଥିଲା । କିନ୍ତୁ ୫ଜି ରୋଲ-ଆଉଟ ସମୟସୀମା ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ସୀମାବଦ୍ଧ ରଖିବା ନିମନ୍ତେ ଦୁଇ ପ୍ରମୁଖ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଓ ଏୟାରଟେଲ ପ୍ରତିଶୃତିବଦ୍ଧ ।
ଭାରତରେ ୫ଜି ସେବା ପ୍ରଦାନ ନିମନ୍ତେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡ଼ାଫୋନ ଆଇଡ଼ିଆ ଓ ଆଦାନୀ ଗୃପ ମୋଟ ଚାରିଗୋଟି କମ୍ପାନୀ କେନ୍ଦ୍ର ସରକାରଙ୍କଠାରୁ ସ୍ପେକ୍ଟ୍ରମ କ୍ରୟ କରିଛନ୍ତି । ତେବେ ଜିଓ ଓ ଏୟାରଟେଲ ଅକ୍ଟୋବର ୨୦୨୨ରେ ସେବା ଆରମ୍ଭ କରିବା ଘୋଷଣା କରି ଆଗୁଆ ଅଛନ୍ତି । ଜିଓ କହିଛି ଯେ ଦିଲ୍ଲୀ, ମୁମ୍ୱାଇ, କୋଲକତା ଓ ଚ଼େନ୍ନାଇ ଚାରିଗୋଟି ମେଟ୍ରୋରୁ ୫ଜି ସେବା ଆରମ୍ଭ ହୋଇ ୧୮ ମାସ ମଧ୍ୟରେ ଏପ୍ରିଲ ୨୦୨୪ ସୁଦ୍ଧା ଦେଶର ୫,୬୦୦ ସହର, ତାଲୁକ ଓ ତହସିଲରେ ପହଞ୍ଚିବ । ସେହିପରି ଏୟାରଟେଲ ମଧ୍ୟ ମାର୍ଚ୍ଚ ୨୦୨୪ ବେଳକୁ ପାଞ୍ଚହଜାର ସହରାଞ୍ଚଳରେ ସେବା ଯୋଗାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରିଛି ।
ଆନ୍ତର୍ଜାତିକସ୍ତରରେ ଭାରତରେ ୫ଜି ରୋଲ-ଆଉଟ ସର୍ବାପେକ୍ଷା କ୍ଷୀପ୍ରତର ହେବା ଆକଳନ କରାଯାଉଛି । ଦେଶରେ ୫ଜି ରୋଲ-ଆଉଟ ବେଳକୁ ବିଶ୍ୱରେ ପ୍ରାୟ ୭୦ ଗୋଟି ରାଷ୍ଟ୍ରରେ ଏହି ଅତ୍ୟାଧୁନିକ ଟେଲିଯୋଗାଯୋଗ ସେବା ଆରମ୍ଭ ହୋଇସାରିଥିବା ସ୍ଥଳେ ୬୯ କୋଟି ୮୦ ଲକ୍ଷ ଉପଭୋକ୍ତା ସୃଷ୍ଟି ହୋଇସାରିଥିବା କୁହାଯାଉଛି । ଗବେଷଣା ସଂସ୍ଥା ‘ଓମେଡ଼ିଆ’ ଆକଳନରେ ୨୦୨୬ ସୁଦ୍ଧା ଭାରତରେ ୩୬ କୋଟି ୯୦ ଲକ୍ଷ ବ୍ୟକ୍ତି ୫ଜି ସେବା ବ୍ୟବହାର କରିବେ । ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକା ପରକୁ ୫ଜି ଉପଭୋକ୍ତା ସଂଖ୍ୟାରେ ଆମ ସ୍ଥାନ ତୃତୀୟରେ ରହିବ ।
ଅବଶ୍ୟ ସମୁଦାୟ ଲୋକସଂଖ୍ୟା ତୁଳନାରେ ଭାରତରେ ୫ଜି ବ୍ୟବହାର କମ ରହିବ । ‘ଜିଏସଏମ ଏସୋସିଏସନ’ର ହିସାବରେ ୨୦୨୫ ବେଳକୁ ଭାରତରେ ୫ଜି ସେବା ମାତ୍ର ୩୦ ପ୍ରତିଶତ ଜନସଂଖ୍ୟାଙ୍କୁ ଉପଲବ୍ଧ ହେବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୬୩ ପ୍ରତିଶତ, ଚୀନରେ ୫୨ ପ୍ରତିଶତ ଓ ୟୁରୋପରେ ୪୪ ପ୍ରତିଶତ ଜନସାଧାରଣଙ୍କ ନିକଟରେ ପହଞ୍ଚିସାରିଥିବ । ଅର୍ଥାତ, ଦେଶରେ ୫ଜି ସେବା ଗ୍ରହଣକାରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ରହିଲେ ସୁଦ୍ଧା ଜନସଂଖ୍ୟା ଅନୁପାତରେ ବିକଶିତ ରାଷ୍ଟ୍ରଗୁଡ଼ିକଠାରୁ ପଛରେହିଁ ରହିବ ।
ଆନ୍ତର୍ଜାତିକସ୍ତରରେ ୨ଜି, ୩ଜି ଓ ୪ଜି ସେବା ଆରମ୍ଭ ପରେ ଭାରତରେ ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଲାଗି ଯାଇଥିଲା । ସେହି ଦୃଷ୍ଟିରୁ ୫ଜି ସେବା ତିନି ବର୍ଷ ମଧ୍ୟରେ ଆରମ୍ଭ ହେଉଥିବା ବୈଷୟିକ ପ୍ରଗତିର ସୂଚ଼ନା ଦେଇଥାଏ । ଦେଶରେ ୫ଜି ସେବା ରୋଲ-ଆଉଟ ବେଳକୁ ବହୁ ସଂଖ୍ୟକ ଉପଭୋକ୍ତା ୨ଜି ଓ ୩ଜି ସେବାରେ ଆବଦ୍ଧ ରହିଥିବା ପରିପ୍ରେକ୍ଷୀରେ ସେମାନଙ୍କ ମଧ୍ୟରୁ କେତେକ ୪ଜି ଓ ଅନ୍ୟ କେତେକ ୫ଜି ସେବା ଗ୍ରହଣ କରିବେ ବୋଲି ଆଶା କରାଯାଏ । ଭାରତୀୟ ଟେଲିକମ ନିୟାମକ ‘ଟ୍ରାଇ’ ବିବରଣୀ ଅନୁଯାୟୀ ଜୁଲାଇ ୨୦୨୨ ସୁଦ୍ଧା ସର୍ବଭାରତୀୟସ୍ତରରେ ଟେଲିସାନ୍ଧ୍ରତା ୮୫.୧୧ ପ୍ରତିଶତ ରହିଥିଲା ।
ଭାରତରେ ୫ଜି ସେବା କ୍ଷିପ୍ର ହେବା ଆଶା କରାଯିବା ମୂଳରେ ବିଭିନ୍ନ କାରଣ ଦର୍ଶାଯାଉଛି । ୪ଜି ସେବା ଆରମ୍ଭ ବେଳେ ଏହି ସେବା ଗ୍ରହଣ କରିବା ନିମନ୍ତେ ଉପଯୋଗୀ ସ୍ମାର୍ଟଫୋନ ଅଭାବ ରହିଥିଲା । ଜିଓ ବ୍ୟାପକ ମାତ୍ରାରେ ୪ଜି ସଂପ୍ରସାରଣ ନିମନ୍ତେ ନିଜ ପକ୍ଷରୁ ନିର୍ମାତା ଓ ବିକ୍ରେତାଙ୍କ ସହ ବୁଝାମଣା କରିବାକୁ ପଡ଼ିଥିଲା । କିନ୍ତୁ ୫ଜି ସେବା ଆରମ୍ଭ ହେବା ବେଳକୁ ଦେଶରେ ବ୍ୟବହୃତ ସ୍ମାର୍ଟଫୋନ ମଧ୍ୟରୁ ୯.୭୫ ପ୍ରତିଶତ ଏହି ନୂଆସେବା ଆହରଣ କରିବା ନିମନ୍ତେ ସମର୍ଥ । ବଜାରରେ ସ୍ମାର୍ଟଫୋନ ବିକ୍ରୀରେ ୩୦ରୁ ୪୦ ପ୍ରତିଶତ ୫ଜି ସ୍ମାର୍ଟଫୋନ ସାମିଲ ରହୁଥିବା ହିସାବ କରାଯାଏ ।
ଦେଶରେ ୫ଜି ସେବା ଆହରଣ ଉପଯୋଗୀ ସ୍ମାର୍ଟଫୋନ ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ଉପଲବ୍ଧ । ଦ୍ୱିତୀୟ ସ୍ଥାନରେ ବିହାର ଓ ପରକୁ ଉତ୍ତର ପ୍ରଦେଶ, ରାଜସ୍ଥାନ ଇତ୍ୟାଦି ରହିଥାନ୍ତି । ଏହି ଉଦାହରଣରୁ ୫ଜି ସେବା ସଂପ୍ରସାରଣ କାଳରେ କେବଳ ସହରାଞ୍ଚଳ ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ଅତ୍ୟାଧୁନିକ ସେବା ନିମନ୍ତେ ଆଗ୍ରହ ପ୍ରକାଶ କରିବେ ବୋଲି ଭାବିବା ଅନୁଚ଼ିତ ମନେହୁଏ । କେତେକ ବିଶେଷଜ୍ଞଙ୍କ ମତରେ ଭାରତରେ ବହୁ ସଂଖ୍ୟକ ୨ଜି ଫିଚ଼ର ଫୋନରୁ ସିଧାସଳଖ ୫ଜି ସ୍ମାର୍ଟଫୋନକୁ ଉନ୍ନୀତ ହୋଇପାରନ୍ତି । ଅତୀତରେ ଟେଲିଭିଜନ ପ୍ରସାରଣକାଳରେ ଅତ୍ୟାଧୁନିକ କାରିଗରୀକୌଶଳର ଲୋକପ୍ରିୟତାର ଉଦାହରଣ ଦେଖିବାକୁ ମିଳିଥିଲା ।
ଭାରତରେ ୫ଜି ସେବା ଅନୁକୂଳ ସ୍ମାର୍ଟଫୋନର ସର୍ବନିମ୍ନ ମୂଲ୍ୟ ୧୨ ହଜାରରୁ ୧୫ ହଜାର ଥିବା ସ୍ଥଳେ ୫ଜି ସେବା ଆରମ୍ଭ ହେବା ବର୍ଷକ ମଧ୍ୟରେ ୧୦ ହଜାର ତଳକୁ କମି ଆସିପାରେ ବୋଲି ସ୍ମାର୍ଟଫୋନ ଯନ୍ତ୍ରାଂଶ ‘ଚିପ’ ନିର୍ମାଣକାରୀ ‘କ୍ୱାଲକମ’ର ଅଧ୍ୟକ୍ଷ ରାଜନ ଭଗାଡ଼ିଆ ୨୦୨୨ ସେପ୍ଟେମ୍ୱର ମାସରେ ଆକଳନ କରିଥିଲେ । ତାଙ୍କରି ହିସାବରେ ୨୦୨୩ ସୁଦ୍ଧା ଭାରତରେ ଉତ୍ପାଦିତ ୫୦ ପ୍ରତିଶତ ସ୍ମାର୍ଟଫୋନ ୫ଜି ସେବା ଅନୁକୂଳ ରହିବ । ଆନ୍ତର୍ଜାତିକସ୍ତରରେ ୫ଜି ସ୍ମାର୍ଟଫୋନ ୨୦୧୯ରେ ବଜାରକୁ ଆସିଥିବା ବେଳେ ଭାରତରେ ବର୍ଷକ ମଧ୍ୟରେ ୨୦୨୦ରେ ଉପଲବ୍ଧ ହୋଇଥିଲା ।
ସାଧାରଣରେ ଭାରତୀୟ ସ୍ମାର୍ଟଫୋନ ଉପଭୋକ୍ତାମାନେ ଶସ୍ତା ଫୋନ କିଣିଥାନ୍ତି ବୋଲି ବିଶ୍ୱାସ କରାଯାଏ । କିନ୍ତୁ ରାଜନଙ୍କ ମତରେ ଉପଭୋକ୍ତାଗଣ କ୍ରମଶଃ ଭଲ ଡ଼ିସପ୍ଳେ, ଅଧିକ ମେଗା ପିକ୍ସଲଯୁକ୍ତ କ୍ୟାମରା ଓ ମେମୋରିକୁ ଅଗ୍ରାଧିକାର ଦେଉଛନ୍ତି । ନିକଟରେ ୫ଜି ଆରମ୍ଭ ହେଉଥିବା ହେତୁ ଯଥାଶୀଘ୍ର ନୂତନ ଟେକନୋଲଜିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏତଦ୍ ବ୍ୟତୀତ ୫ଜି ସ୍ମାର୍ଟଫୋନରେ ୪ଜି ପ୍ରସାରଣ ମଧ୍ୟ ୪୦ ପ୍ରତିଶତ ଯାଏଁ ଅଧିକ ବେଗରେ ଡ଼ାଉନଲୋଡ଼ ହେଉଥିବା ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି ।
ଭାରତରେ ୫ଜି ସେବା ଗ୍ରହଣ ନିମନ୍ତେ ଉପଭୋକ୍ତା ବିଶେଷ ଖର୍ଚ୍ଚାନ୍ତ ନହୋଇପାରନ୍ତି । ସରକାରଙ୍କ ସ୍ପେକ୍ଟ୍ରମ ନିଲାମପରେ ଏକ ବିଶେଷଜ୍ଞ ଗୋଷ୍ଠୀ କହିଥିଲେ ଯେ ଭିତ୍ତିଭୂମି ଖର୍ଚ୍ଚ ଓ ଗ୍ରାହକ ସଂପ୍ରସାରଣ ଲକ୍ଷ୍ୟକୁ ବିଚାରକୁ ନେଲେ ଗ୍ରାହକ ଚାନ୍ଦା ଦଶରୁ ବାର ପ୍ରତିଶତ ବଢ଼ିପାରେ । ହିସାବ ଅନୁଯାୟୀ ୨୦୨୨ ମଧ୍ୟଭାଗ ସୁଦ୍ଧା ଦେଶରେ ଗ୍ରାହକ ହାରାହାରି ମୋବାଇଲ ବ୍ରଡ଼ବ୍ୟାଣ୍ଡ କ୍ରୟ ବାବଦରେ ମାସିକ ୨୦୦ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ସେଥିରେ ୫ଜି ସେବା ରୂପାନ୍ତର ନିମନ୍ତେ ଅଧିକା ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ଅନ୍ୟ ଏକ ବିଶେଷଜ୍ଞ ଗୋଷ୍ଠୀଙ୍କ ଯୁକ୍ତି ହେଲା ଗ୍ରାହକ ସଂଖ୍ୟା ବୃଦ୍ଧି ଉଦ୍ୟମକୁ କେନ୍ଦ୍ରକରି ୩ଜି ରୁ ୪ଜି ସେବା ଉନ୍ନୀତ କାଳରେ ଗ୍ରାହକ ଚାନ୍ଦା ବୃଦ୍ଧି ପାଇନଥିବା ତଥା ପ୍ରକାରନ୍ତରେ କମିଥିବା ଉଦାହରଣର ପୁନରାବୃତ୍ତି ହୋଇପାରେ ।
ଟେଲିଯୋଗାଯୋଗ କ୍ଷେତ୍ରରେ ୫ଜି ସେବା ପ୍ରଚଳନ ମୁଖ୍ୟତଃ ତିନିଗୋଟି ବୈଶିଷ୍ଟ୍ୟର ସୂତ୍ରଧର ସାଜିବ । ପ୍ରଥମତଃ, ମୋବାଇଲ ବ୍ରଡ଼ବ୍ୟାଣ୍ଡ ପ୍ରସାରଣରେ ବେଗ ବୃଦ୍ଧି ଫଳରେ କନେକସନ, ଡାଉନଲୋଡ଼ ଓ ଆପଲୋଡ଼ ସାଙ୍ଗକୁ ସାମର୍ଥ୍ୟ ବା କାପାସିଟି ବୃଦ୍ଧିରେ ପର୍ଯ୍ୟବସିତ ହେବ । ଦ୍ୱିତୀୟତଃ, କନେକସନରେ ଗୁଣାତ୍ମକ ବୃଦ୍ଧି ଫଳରେ ନେଟୱାର୍କ ହରାଇବା ଭଳି ଅସୁବିଧାରୁ ମୁକ୍ତି ପାଇବା ପରେ ନିର୍ଭରଯୋଗ୍ୟ ଯୋଗାଯୋଗରେ କାର୍ଯ୍ୟ କରିହେବ । ଉଦାହରଣରେ ଦୂରାବସ୍ଥାନରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସମ୍ପାଦନାଠାରୁ ଆରମ୍ଭ କରି ସହରାଞ୍ଚଳରେ ଅବସ୍ଥାପିତ ବିଶେଷଜ୍ଞ ଡ଼ାକ୍ତରଙ୍କ ପରାମର୍ଶରେ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଅସ୍ତ୍ରୋପଚାର ସମ୍ପାଦନ ଭଳି କାର୍ଯ୍ୟାବଳୀ ସମ୍ଭବପର । ତୃତୀୟତଃ, ୫ଜି ନେଟୱାର୍କ ଏକକାଳୀନ ବହୁ ସଂଖ୍ୟକ ଉପକରଣ ସହ ସଂଯୋଗ ସ୍ଥାପନରେ ସମର୍ଥ ହେବ । ଉଦାହରଣରେ ଗୃହ ଦ୍ୱାରରେ ତାଲା ମାରିବାଠାରୁ ଆରମ୍ଭ କରି ଯାବତୀୟ ଗୃହ ଉପକରଣ ନିୟନ୍ତ୍ରଣର ସୁବିଧା ମିଳିବ । ଖେଳ ଷ୍ଟାଡ଼ିଅମରେ ହଜାର ହଜାର ଦର୍ଶକ ଉପସ୍ଥିତଥିବା ସ୍ଥଳେ ସମସ୍ତେ ଫୋନ ବ୍ୟବହାର ଲାଗି ସ୍ଥିର କନେକସନ ପାଇ ପାରିବେ ।
ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ୫ଜି ଟେଲିଯୋଗାଯୋଗ ବିଘଟନ ସୃଷ୍ଟି କରିବା ସୁନିଶ୍ଚିତ । ଦେଶରେ ୪ଜି ସେବା ପ୍ରଚଳନର ପାଞ୍ଚରୁ ସାତ ବର୍ଷ ମଧ୍ୟରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଯେଉଁ ସମସ୍ୟା ସମ୍ମୁଖୀନ ହୋଇଥିଲେ ଇଣ୍ଟରନେଟ ପ୍ରସାରଣ ଓ ଆହରଣକ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ହେତୁ ସେହି ସମସ୍ୟାଗୁଡ଼ିକ ଉତ୍କଟ ରୂପ ଧାରଣ କରିବା ଯୁକ୍ତିଯୁକ୍ତ । ଅପରପକ୍ଷେ ଡ଼ିଜିଟାଲ ମଞ୍ଚରେ ଭର୍ଚୁଆଲ ରିଆଲିଟି, ଆଗୁମେଣ୍ଟେଡ଼ ରିଆଲିଟି ଓ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଭଳି ବୈଷୟିକ କୌଶଳ ବ୍ୟବହାରର ସୁଯୋଗ ଉପଭୋକ୍ତାଙ୍କ ରୁଚି ଓ ଅଭ୍ୟାସ ପରିବର୍ତ୍ତନର ସଙ୍କେତ ଦେଇଥାଏ । ସିନେମାର ଆୟ ହାନୀ ଅବସରରେ ଡ଼ିଜିଟାଲ ଗେମର ଆୟବୃଦ୍ଧି ଏକ ଉଦାହରଣ । ୫ଜି ସେବା ପାଠକ, ଦର୍ଶକ ଓ ଶ୍ରୋତାଙ୍କ ପାଇଁ ବ୍ୟକ୍ତିଗତ ଋଚ଼ି ଅନୁଯାୟୀ ବ୍ୟବହାର୍ଯ୍ୟ ଉପାଦାନ କ୍ଳାଉଡ଼ କମ୍ପ୍ୟୁଟିଂ ଯୋଗେ ହାତପାଆନ୍ତାରେ ପହୁଞ୍ଚାଇଦେବା ସଙ୍ଗେ ଉପଭୋକ୍ତାର ଅଂଶଗ୍ରହଣ ‘ଇମେରସିଭ ଏକ୍ସିପିରିଏନ୍ସ’ ଡ଼ିଜିଟାଲ ମଞ୍ଚକୁ ଆକର୍ଷଣୀୟ କରିବାରେ ସହାୟକ ହେବ । ଏହି ପରିବେଶ ନୂତନ ସମୀକରଣର ସୂଚ଼ନା ଦେଇଥାଏ ।
