ଆଜିର ଖାସ ଖବର
Sat. May 30th, 2026

ଚଳଚ଼ିତ୍ର ଶିଳ୍ପରେ ନୂତନ ଅଧ୍ୟାୟ

By Dainikasha Jul11,2024

ପାରମ୍ପରିକଭାବେ କୁହାଯାଏ, ପ୍ରତିକୂଳ ପରିବେଶ ନୂତନ ସମ୍ଭାବନା ନେଇ ପହଞ୍ଚିଥାଏ । ‘କୋଭିଡ଼-୧୯’ ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ସମଗ୍ର ଭାରତରେ ବର୍ଷେରୁ ଦୁଇ ବର୍ଷ ଯାଏଁ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ ରହି ମାର୍ଚ୍ଚ ୨୦୨୨ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଅବସରରେ କେତେକ ନୂତନ ଉପକ୍ରମ ଦୃଷ୍ଟିକୁ ଆସିଥିଲା । ଚଳଚ଼ିତ୍ର ଶିଳ୍ପରେ ଉନ୍ନତି ମୁଖ୍ୟତଃ ସେହି ସମୟସୀମାରେ ମୁକ୍ତିଲାଭ କରୁଥିବା ଚଳଚ଼ିତ୍ରଗୁଡ଼ିକର ଲୋକପ୍ରିୟତା ଉପରେ ନିର୍ଭରଶୀଳ । ମହାମାରୀ ପରବର୍ତ୍ତୀ ପରିବେଶରେ ପୁଷ୍ପା, ଆରଆରଆର, କେଜିଏଫ-୨, କାଶ୍ମୀର ଫାଇଲ୍ସ, ବଚ୍ଚନ ପାଣ୍ଡେ, ରାଧେଶ୍ୟାମ ଓ ଝଣ୍ଡ ଭଳି ଚଳଚ଼ିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିବା ଭାରତୀୟ ଚଳଚ଼ିତ୍ର ଶିଳ୍ପ ପୁନଃବିକଶିତ ହେବା ସୂଚ଼ିତ କରିଥିଲା ।

ମହାମାରୀ ପ୍ରଭାବିତ ଗଣମାଧ୍ୟମ ବିଘଟନରେ ଭାରତୀୟ ଚଳଚ଼ିତ୍ର ଶିଳ୍ପ ଉପରେ କ୍ରମବିକଶିତ ‘ଓଭର-ଦି-ଟପ’ ଓଟିଟି ମଞ୍ଚ ପ୍ରତିକୂଳ ପ୍ରଭାବ ବିସ୍ତାର କରିବା ଆଶଙ୍କା କରାଯାଉଥିଲା । ଏକ ପକ୍ଷରେ ଭୂତାଣୁ ସଂକ୍ରମଣ ଭୟରେ ସାଧାରଣ ଦର୍ଶକ ପ୍ରେକ୍ଷାଳୟ ପରିଦର୍ଶନ ବଦଳରେ ଓଟିଟି ମଞ୍ଚରେ ଚଳଚ଼ିତ୍ର ଉପଭୋଗ ସୀମିତ ରଖିବା ଏବଂ ଅପରପକ୍ଷରେ ଓଟିଟି ମଞ୍ଚ ଓ ଉପଭୋକ୍ତା ସଂଖ୍ୟା ବଢ଼ିଚାଲିବା ତଥା କେତେକ ବଡ଼ ଚଳଚ଼ିତ୍ର ଓଟିଟି ମଞ୍ଚରେ ମୁକ୍ତିଲାଭ କରି ପ୍ରଦର୍ଶିତ ହେବା ଭଳି ଘଟଣା ଭାରତୀୟ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟର ଭବିଷ୍ୟତ ପ୍ରତି ଆଶଙ୍କା ସୃଷ୍ଟି କରିଥିଲା । ତେବେ ବାସ୍ତବ କ୍ଷେତ୍ରରେ ଓଟିଟି ମଞ୍ଚର ବିକାଶ ଏକ ନୂତନ ପ୍ରଜାତିର ଚଳଚ଼ିତ୍ର ନିର୍ମାଣ ଲାଗି ପ୍ରୋତ୍ସାହନ ଯୋଗାଇଥିବା ପରିଲକ୍ଷିତ ହୋଇଥିଲା ।

ମହାମାରୀ-ପର ଅବସ୍ଥାରେ ଡ଼ିସେମ୍ୱର ୨୦୨୧ରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’, ମାର୍ଚ୍ଚ ୨୦୨୨ରେ ‘ଆରଆରଆର’ ଏବଂ ଏପ୍ରିଲ ୨୦୨୨ରେ ‘କେଜିଏଫ-୨’ ଇତ୍ୟାଦି ଦକ୍ଷିଣ ଭାରତୀୟ ଚଳଚ଼ିତ୍ର । ଏହି ଚଳଚ଼ିତ୍ରଗୁଡ଼ିକ ସର୍ବଭାରତୀୟସ୍ତରରେ ବକ୍ସ ଅଫିସରେ ସଫଳତା ହାସଲ କରିଥିଲା । ବିଶେଷଜ୍ଞମାନଙ୍କ ମତରେ ଭାରତରେ ୨୦୧୬ରୁ ଓଟିଟି ମଞ୍ଚ ବିକଶିତ ହେବାପରେ ହିନ୍ଦି ସାଙ୍ଗକୁ ଆଞ୍ଚଳିକ ଭାଷାରେ ଚଳଚ଼ିତ୍ର ଉପଭୋଗ କରିବା ସୁବିଧା ସୁଯୋଗ ଦର୍ଶକ ପାଇପାରିଲେ । ଫଳରେ ଦେଶର ବିଭିନ୍ନ ପ୍ରାନ୍ତର ପ୍ରତିଭାବାନ କଳାକାରଙ୍କ ଚାହିଦା ବଢ଼ିଲା । ମହାମାରୀ ପୂର୍ବରୁ ତେଲୁଗୁ ଓ ହିନ୍ଦି ଭାଷାରେ ନିର୍ମିତ ‘ବାହୁବଳୀ’ ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିଥିଲେ ହେଁ ତେଲୁଗୁ ଭାଷାରେ ନିର୍ମିତ ‘ପୁଷ୍ପା’ ସେହି ଅଧ୍ୟାୟର ଦୃଢ଼ୀକରଣରେ ଅଂଶୀଦାର ହୋଇଥିଲା ।

ବକ୍ସଅଫିସ ହିସାବ ଅନୁଯାୟୀ ‘ପୁଷ୍ପା’ ମୁକ୍ତିଲାଭ କରିବା ପ୍ରଥମ ୪୦ ଦିନ ମଧ୍ୟରେ ୩୬୦ କୋଟି ଟଙ୍କା ଆଦାୟ କରିଥିବା ସ୍ଥଳେ ଅର୍ଦ୍ଧେକ ତେଲୁଗୁ ଭାଷାଭାଷୀ ଅଞ୍ଚଳ ଏବଂ ୧୦୦ କୋଟି ଟଙ୍କା ହିନ୍ଦି ଭାଷାଭାଷୀ ଅଞ୍ଚଳରୁ ବ୍ୟବସାୟ ହୋଇଥିଲା । ପରବର୍ତ୍ତୀ ଚଳଚ଼ିତ୍ର ‘ଆରଆରଆର’ ପାଞ୍ଚଗୋଟି ଭାଷାରେ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । କାଳ୍ପନିକ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ଆଧାରିତ ଏହି ଚଳଚ଼ିତ୍ରରେ ତେଲୁଗୁ ଅଭିନେତା ଜୁନିୟର ଏନଟି ରାମାରାଓ, ରାମଚ଼ରଣ ଙ୍କ ସହ ହିନ୍ଦି ଅଭିନେତା ଅଜୟ ଦେବଗନ, ଆଲିଆ ଭଟ୍ଟ ଅଭିନୟ କରିଥିଲେ । ଶୁଭମୁକ୍ତିର ଦୁଇମାସ ପରେ ଓଟିଟି ମଞ୍ଚ ‘ନେଟଫିକ୍ସ’ ହିନ୍ଦି ଓ ‘ଜି-୫’ ତେଲୁଗୁ, ତାମିଲ, ମାଳାୟଳମ, କନ୍ନଡ଼ ଭାଷାରେ ଷ୍ଟ୍ରୀମିଂ କରିବା ଯୋଜନା କରାଯାଇଥିଲା ।

ଏହି ଉଦାହରଣରୁ ବେଶ ସୂଚ଼ିତ ହୋଇଥାଏ ଯେ ଓଟିଟି ମଞ୍ଚ ଭାରତୀୟ ଚଳଚ଼ିତ୍ରକୁ ଏକ ବିସ୍ତୃତ ଦର୍ଶକଙ୍କ ସହ ପରିଚ଼ିତ କରାଇବା ସଙ୍ଗେ ପ୍ରେକ୍ଷାଳୟ ପ୍ରଦର୍ଶନର ବିରୋଧ ନକରି ପରିପୂରକ ଭୂମିକା ନିର୍ବାହ କରିଛି । ହିନ୍ଦି ଅଭିନେତାମାନେ ଦକ୍ଷିଣ ଭାରତୀୟ ଅଭିନେତାଙ୍କ ସହ ମିଳିତଭାବେ ଚଳଚ଼ିତ୍ରରେ ଅଭିନୟରେ ସାମିଲ ହେବା ଏବଂ ଏହି ଚଳଚ଼ିତ୍ରଗୁଡ଼ିକ ସର୍ବଭାରତୀୟସ୍ତରରେ ପ୍ରଦର୍ଶିତ ହୋଇ ଲୋକପ୍ରିୟତା ହାସଲ କରିବା ଏକ ନୂତନ ପରମ୍ପରାର ସୂଚ଼ନା ଦେଇଥାଏ । ଏହି ପ୍ରକ୍ରିୟା ଚଳଚ଼ିତ୍ର ଶିଳ୍ପରେ ଏକତ୍ରୀକରଣ ‘କନସଲଡ଼ିସେନ’ର ପ୍ରତିଫଳନ । ମହାମାରୀ-ପର ପରିବେଶରେ ଦଶ ବାର ଗୋଟି ଏହି ବର୍ଗର ଚଳଚ଼ିତ୍ର ନିର୍ମିତ ହୋଇଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତଃପକ୍ଷେ ମାସିକ ଗୋଟିଏ ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ସର୍ବଭାରତୀୟସ୍ତରରେ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ ହେବା ଆଶା କରାଯାଉଥିବା କୁହାଯାଇଥିଲା ।

ମହାମାରୀରେ ଓଟିଟି ମଞ୍ଚର ବିକାଶ ପରେ ଦର୍ଶକ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରତି ଅବହେଳା ଆଶଙ୍କା ଏକରକମ ଦୂରୀଭୁତ ହୋଇଥିଲା । ମହାମାରୀର ଶେଷ ଅବସ୍ଥାରେ ଜନଜୀବନ ପୁନର୍ବାର ସାଧାରଣସ୍ତରରେ ପହଞ୍ଚିବା ପରେ ୨୦୨୧ର ଶେଷ ତ୍ରୟମାସ ଓ ୨୦୨୨ର ପ୍ରଥମ ତ୍ରୟମାସରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ଗତିଶୀଳ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ମହାମାରୀ-ପୂର୍ବ ଅବସ୍ଥାରେ ଭାରତୀୟ ଚଳଚ଼ିତ୍ର ଶିଳ୍ପର କାରବାର ପ୍ରାୟ ୧୯ ହଜାର କୋଟି ହିସାବ କରାଯାଇଥିଲା । ଏଥିରେ ହିନ୍ଦି ଚଳଚ଼ିତ୍ରରୁ ଆୟ ପ୍ରମୁଖଭାଗ ଦାବୀ କରିଆସିଥିଲା । ତେବେ ମହାମାରୀ-ପର ଅବସ୍ଥାରେ ଦକ୍ଷିଣ ଭାରତୀୟ ଭାଷାରେ ପ୍ରଯୋଜିତ ଚଳଚ଼ିତ୍ରଗୁଡ଼ିକ ସର୍ବଭାରତୀୟସ୍ତରରେ ପ୍ରଦର୍ଶିତ ହୋଇ ଅଧିକ ଆୟ କରୁଥିବା ଏକ ନୂତନ ଅଭିଜ୍ଞତା ।

‘ଆରଆରଆର’ ଭଳି ଚଳଚ଼ିତ୍ର ମାର୍ଚ୍ଚ ୨୦୨୨ରେ ପାଞ୍ଚ ଶହ କୋଟି ଟଙ୍କା ସମୁଦାୟ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆୟ ନିମନ୍ତେ ସହାୟକ ହୋଇଥିବା ସ୍ଥଳେ ଏପ୍ରିଲ ୨୦୨୨ରେ ‘କେଜିଏଫ-୨’ରୁ ମଧ୍ୟ ସେହି ପରିମାଣର ଆୟ ପାଇଁ ସହାୟକ ହେବା ଆକଳନ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ ଭାରତରେ ପ୍ରାୟ ନଅ ହଜାର ପାଞ୍ଚ ଶହ ରୂପେଲି ପରଦାରୁ ମଲଟିପ୍ଳେକ୍ସ ସ୍କ୍ରୀନ ସଂଖ୍ୟା ତିନି ହଜାର ରହିଥିଲା ।

ମଲଟିପ୍ଳେକ୍ସରେ ଚଳଚ଼ିତ୍ର ସୋ’ ପ୍ରଦର୍ଶନ ସଂଖ୍ୟା ପାରମ୍ପରିକ ପ୍ରେକ୍ଷାଳୟ ତୁଳନାରେ ଅଧିକ ଏବଂ ଟିକଟ ଦର ଅଧିକ ରହିଥାଏ । ଫଳରେ ପରିବର୍ତ୍ତିତ ପରିବେଶରେ ଚଳଚ଼ିତ୍ର ପ୍ରଦର୍ଶନ ଆୟ ମଲଟିପ୍ଳେକ୍ସ ଉପରେ କେନ୍ଦ୍ରୀଭୂତ ହେବାରେ ଲାଗିଛି । ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ରଗୁଡ଼ିକର ଅଗ୍ରୀମ ବୁକିଂ ଓ ଜଣକ ଦ୍ୱାରା ୧୫୦୦ ରୁ ୨୦୦୦ ଟଙ୍କା ଯାଏଁ ବ୍ୟୟ ଭାରତୀୟ ଚଳଚ଼ିତ୍ର ଦର୍ଶକଙ୍କ ବର୍ଦ୍ଧିତ ମନୋରଞ୍ଜନ ଖର୍ଚ୍ଚର ସୂଚ଼ନା ଦେଉଥିବା ବିଶେଷଜ୍ଞମାନେ ଟିପ୍ପଣୀ ଦେଇଥାନ୍ତି ।

ଭାରତରେ ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ବ୍ୟବସାୟରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଏ । ପ୍ରେକ୍ଷାଳୟକୁ ଦର୍ଶକ କେବଳ ଚଳଚ଼ିତ୍ର ଉପଭୋଗ ନିମନ୍ତେ ଯିବା ପରିବର୍ତ୍ତେ କିଛି ସମୟ ପାଇଁ ଦୈନନ୍ଦିନ ଜୀବନରୁ ଅବ୍ୟାହତି ନେଇ ମନୋରଞ୍ଜନ ନିମନ୍ତେ ଖୋରାକ ଖୋଜୁଥିବା ଲକ୍ଷ୍ୟ କରାଯାଇପାରେ । ମଲଗୁଡ଼ିକରେ ମଲଟିପ୍ଳେକ୍ସ ସଂଲଗ୍ନ ହେବା ପରେ ଉପଭୋକ୍ତାମାନେ ଦୋକାନ ବଜାର ବୁଲା, କିଣାକିଣି, ବାହାରେ ଖାଇବା ସାଙ୍ଗକୁ ପିଲାଙ୍କ ଖେଳ ଓ ଚଳଚ଼ିତ୍ର ଦେଖା ଏକତ୍ର ପାଞ୍ଚରୁ ଛଅ ଘଣ୍ଟାର କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିଥାନ୍ତି ।

ବଡ଼ ସହର ଅନୁକରଣରେ ଛୋଟ ସହରଗୁଡ଼ିକରେ ମଧ୍ୟ ଛୋଟକାଟର ମଲ ଗଢି ଉଠୁଛି । ଏଗୁଡ଼ିକ ସହ ଚଳଚିତ୍ର ପ୍ରେକ୍ଷାଳୟ ସଂଲଗ୍ନ ହେଲେ ଦର୍ଶକ ସଂଖ୍ୟା ବଢ଼ିବା ଆଶା କରାଯାଇପାରେ । ଅନୁଧ୍ୟାନରୁ ଜଣାଯାଏ ଯେ  ମଧ୍ୟମ ବର୍ଗର ସହରଗୁଡ଼ିକର ଏକକ ରୂପେଲି ପରଦା ବିଶିଷ୍ଟ  ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ କ୍ରମଶଃ ବହୁ ପରଦା ବିଶିଷ୍ଟ ମଲଟିପ୍ଳେକ୍ସରେ ପରିବର୍ତ୍ତିତ ହେବା ପ୍ରବାହ ‘ଟ୍ରେଣ୍ଡ’ ଆରମ୍ଭ ହୋଇଛି । ଏହା ଚଳଚ଼ିତ୍ର ଶିଳ୍ପ ଜଗତରେ ନୂତନ ଅଧ୍ୟାୟର ଅଂଶବିଶେଷ ।

Related Post