ଭାରତରେ ଚଳଚ଼ିତ୍ର ପ୍ରଦର୍ଶନ ଏକ ଲାଭଜନକ ବ୍ୟବସାୟ ରୂପେ ପରିଗଣିତ ହେଉଥିଲେ ହେଁ ନିବେଶ ତୁଳନାରେ ତ୍ୱରିତ ଆୟରେ ଅସଂଗତି, ପ୍ରଦର୍ଶନ ପରିବେଶରେ ନବୀକରଣ ଆବଶ୍ୟକତା ତଥା ପ୍ରଚଳିତ ପ୍ରଶାସନିକ କଟକଣା ହେତୁ ନୈରାଶ୍ୟଜନକ ସ୍ଥିତିରେ ରହିଆସିଛି ।ଭାରତଭଳି ଜନବହୁଳ ପଡ଼ୋଶୀ ଚ଼ୀନରେ ପଚ଼ାଶ ହଜାର ଚଳଚ଼ିତ୍ର ପ୍ରେକ୍ଷାଳୟ ଥିବାସ୍ଥଳେ ଏଠାରେ ଦଶ ହଜାରରୁ ସାମାନ୍ୟ ଅଧିକ ପ୍ରେକ୍ଷାଳୟ କାର୍ଯ୍ୟକ୍ଷମଥିବା ହିସାବ କରାଯାଇଥାଏ ।
ଗତ ଶତାଦ୍ଦୀର ଅଷ୍ଟମ ଦଶକ ଆରମ୍ଭରୁ ଉପଗ୍ରହସେବା ଯୋଗେ ଦେଶବ୍ୟାପୀ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ସ୍ୱାଧୀନୋତ୍ତର ଅବସ୍ଥାରୁ କ୍ରମବର୍ଦ୍ଧମାନ ଚଳଚ଼ିତ୍ର ପ୍ରେକ୍ଷାଳୟ ଶିଳ୍ପକୁ ପ୍ରଥମ ଧକ୍କା ଦେଇଥିଲା । ଦୂରଦର୍ଶନ ଏକକ ଚ଼୍ୟାନେଲଭାବେ ଦର୍ଶକଙ୍କ ବାସଗୃହରେ ମନୋରଞ୍ଜନ ଓ ସମ୍ୱାଦ ପ୍ରସାରଣର ମାଧ୍ୟମରୂପେ ମୁଣ୍ଡ ଟେକିଥିବା ସ୍ଥଳେ ନବମ ଦଶକ ପ୍ରାରମ୍ଭରୁ କେବଲ ଟେଲିଭିଜନ ଯୋଗେ ଏକାଧିକ ଚ଼୍ୟାନେଲ ପ୍ରସାରଣର ସୁବିଧାସୁଯୋଗ ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟ ଶିଳ୍ପ ଦ୍ୱିତୀୟ ଧକ୍କାର ସମ୍ମୁଖୀନ ହୋଇଥିଲା ।
ତେବେ ଚଳିତ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ସ୍ମାର୍ଟଫୋନ ବ୍ୟବହାର ପ୍ରସାର ଏବଂ ସାଧାରଣ ନାଗରିକ ସ୍ମାର୍ଟଫୋନ ପରଦାରେ ସାପ୍ତାହିକ ହାରାହାରି ଆଠରୁ ନଅ ଘଣ୍ଟା ଭିଡ଼ିଓ ଦେଖା ଭାରତୀୟ ଦର୍ଶକଙ୍କ ଚଳଚ଼ିତ୍ର ଉପଭୋଗ ଅଭ୍ୟାସରେ ଗୁରୁତର ପରିବର୍ତ୍ତନ ଆଣିଛି ଏବଂ ଚଳଚ଼ିତ୍ର ପ୍ରେକ୍ଷାଳୟ ଶିଳ୍ପ ଏହି କାରଣରୁ ତୃତୀୟ ଧକ୍କା ପାଇଛି ।
ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଚଳିତ ଦଶକର ମଧ୍ୟଭାଗରୁ ଇଣ୍ଟରନେଟଭିତ୍ତିକ ‘ଓଭର-ଦି-ଟପ’ (ଓଟିଟି) ଜ୍ଞାନକୌଶଳ ବ୍ୟବହାରରେ ସୃଷ୍ଟ ଚଳଚ଼ିତ୍ର ଷ୍ଟ୍ରୀମିଂ ବ୍ୟବସାୟ ଚଳଚ଼ିତ୍ର ପ୍ରଦର୍ଶନ ଲାଗି ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚୁଛି ଏବଂ ଚଳଚ଼ିତ୍ର ପ୍ରଯୋଜନା, ବିତରଣ ତଥା ପ୍ରଦର୍ଶନ କ୍ଷେତ୍ରରେ ନୂତନ ମଡ଼େଲ ସୃଷ୍ଟି କରିବାରେ ଲାଗିଛି । ୨୦୧୮ ଶେଷ ସୁଦ୍ଧା ଭାରତୀୟ ଚଳଚ଼ିତ୍ର ତିନି ଗୋଟି ଭିନ୍ନ ପରିବେଶରେ ପ୍ରଦର୍ଶିତ ହେଉଛି । ଏକ: ପାରମ୍ପରିକ ଏକକ ରୂପେଲୀ ପରଦା, ଦୁଇ: ବହୁ ପରଦାବିଶିଷ୍ଟ ମଲ୍ଟିପ୍ଳେକ୍ସ ଓ ତିନି: ଇଣ୍ଟରନେଟଭିତ୍ତିକ ଓଟିଟି ମଞ୍ଚ ।
ଭାରତ ସରକାରଙ୍କ ଟେଲିଯୋଗାଯୋଗ ମନ୍ତ୍ରଣାଳୟର ସୂଚ଼ନା ଅନୁଯାୟୀ ୨୦୧୮ ଅଗଷ୍ଟ ମାସ ସୁଦ୍ଧା ୪୬ କୋଟି ୩୬ ଲକ୍ଷ ବ୍ରଡ଼ବ୍ୟାଣ୍ଡ ସଂଯୋଗ କାର୍ଯ୍ୟକ୍ଷମ ଥିଲା । ଅର୍ଥାତ ଦେଶର ପ୍ରାୟ ୩୯ ପ୍ରତିଶତ ନାଗରିକଙ୍କ ପାଇଁ କମ୍ପ୍ୟୁଟର, ଲ୍ୟାପଟପ, ଟେବଲେଟ ଓ ସ୍ମାର୍ଟଫୋନ ଯୋଗେ ଚଳଚ଼ିତ୍ର ଉପଭୋଗ ସମ୍ଭବ । ଏମାନେ ଓଟିଟି ଚଳଚ଼ିତ୍ର ଷ୍ଟ୍ରୀମିଂ ସେବାର ସମ୍ଭାବ୍ୟ ଉପଭୋକ୍ତା ଏବଂ ଏହି ବ୍ୟବସାୟ ବାର୍ଷିକ ୪୫ ପ୍ରତିଶତ ହାରରେ ୨୦୨୩ ଯାଏଁ ବୃଦ୍ଧିପାଇବ ବୋଲି ଗବେଷଣା ସଂସ୍ଥା କେଏମପିଜି ପକ୍ଷରୁ ଆକଳନ କରାଯାଇଛି ।
ଦେଶର ଓଟିଟି ଭିଡ଼ିଓ ମଞ୍ଚରେ ତିନିଗୋଟି ଦିଗକୁ ନେଇ ଅଗ୍ରଣୀ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କେନ୍ଦ୍ରୀଭୂତ ହୋଇଛି । ପ୍ରସାରଣ ନିମନ୍ତେ ମୌଳିକ କାର୍ଯ୍ୟକ୍ରମ, ବିଭିନ୍ନ ଭାରତୀୟ ଭାଷା ନିମନ୍ତେ ଉପାଦାନ ତଥା ଗ୍ରାହକ ଚ଼ାନ୍ଦା ସେଥିରେ ଅନ୍ତର୍ଭୁକ୍ତ । ଏତାଦୃଶ ପରିବେଶ ଓଡ଼ିଆ ଭଳି ଆଞ୍ଚଳିକ ଭାଷା ନିମନ୍ତେ ନିକଟ ଭବିଷ୍ୟତରେ ବେଶ ଅନୁକୂଳ ସାଜିବ । ପ୍ରଥମତଃ ଓଟିଟି ଭିଡ଼ିଓ ପ୍ରସ୍ତୁତିରେ ଓଡ଼ିଆ ଭାଷା ଭାଗୀଦାର ହେବ, ଦ୍ୱିତୀୟତଃ ମୌଳିକ ଭିଡ଼ିଓ ପ୍ରଯୋଜନାକୁ ଉତ୍ସାହିତ କରାଯିବା ଅବସରରେ ଓଡ଼ିଆ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି ପାଇବ ଏବଂ ତୃତୀୟତଃ ଗ୍ରାହକ ଚ଼ାନ୍ଦା ଲଢ଼େଇରେ ଓଡ଼ିଶା ଉପଭୋକ୍ତାମାନେ ଲାଭବାନ ହେବେ ।
‘ନେଟଫ୍ଳିକ୍ସ’ ଓ ‘ଆମେଜନ’ ପକ୍ଷରୁ ମୌଳିକ କାର୍ଯ୍ୟକ୍ରମ ପ୍ରଯୋଜନାରେ ପ୍ରଚୁର ନିବେଶ କରୁଛନ୍ତି ।ଆମେଜନ ପକ୍ଷରୁ ହିନ୍ଦି ବ୍ୟତିତ ଛଅଗୋଟି ଭାଷାରେ ୩୦ ଗୋଟି ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଚ଼ାଲିଛି ।ସେଗୁଡ଼ିକ ୨୦୧୯ରେ ପ୍ରଦର୍ଶିତ ହେବ ।ଏଥି ମଧ୍ୟରେ ଓଡ଼ିଆ ଅନ୍ତର୍ଭୁକ୍ତ ନଥିଲେ ହେଁ ନିକଟ ଭବିଷ୍ୟତାରେ ସାମିଲ ହେବା ସମ୍ଭବ। ବିଶ୍ୱ ଗଣମାଧ୍ୟମ ମୋଗଲ ମୁଦ୍ରୋଚ଼ଙ୍କ ‘୨୧ ସେଞ୍ଚୁରି ଫକ୍ସ’ ପରିଚ଼ାଳିତ ‘ହଟଷ୍ଟାର’ ଆପ୍ଲିକେସନ ଭାରତରେ ୩୦ କୋଟି ଡ଼ାଉନଲୋଡ଼ ହୋଇଛି ।‘ହଟଷ୍ଟାର’ କେତେକ କାର୍ଯ୍ୟକ୍ରମ ମାଗଣାରେ ପ୍ରଦର୍ଶିତ କରୁଥିବା ସ୍ଥଳେ ଅନ୍ୟ କେତେକ କାର୍ଯ୍ୟକ୍ରମ କେବଳ ଗ୍ରାହକମାନଙ୍କୁ ଉପଭୋଗର ସୁଯୋଗ ଦେଇଥାଏ ।‘ହଟଷ୍ଟାର’ ଓ ଆମେଜନ ବାର୍ଷିକ ୯୯୯ ଟଙ୍କା ଗ୍ରାହକ ଚ଼ାନ୍ଦା ଦାବୀ କରିଥାନ୍ତି । ଅନ୍ୟତମ ଅଗ୍ରଣୀ ନେଟଫ୍ଲିକ୍ସ ମାସିକ ୫୦୦ ଟଙ୍କା ଗ୍ରାହକ ଚ଼ାନ୍ଦା ଧାର୍ଯ୍ୟ କରିଛି । ତେବେ ଏମାନଙ୍କ ସହ ‘ଜୀ’ ଓ ‘ଜିଓ’ ଭଳି ମଞ୍ଚ ସାମିଲ ହେବାପରେ ଗ୍ରାହକ ଚ଼ାନ୍ଦା କମିଯିବା ଆଶା କରାଯାଇପାରେ ।
ହଟଷ୍ଟାର ଓ ଜିଓ କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରଦର୍ଶନରେ ଏକଚ଼ାଟିଆ ଅଧିକାରକୁ ପ୍ରାଧାନ୍ୟ ଦେଉଥିବା ସ୍ଥଳେ ନେଟଫ୍ଳିକ୍ସ ଓ ଆମେଜନ ପକ୍ଷରୁ ଚଳଚ଼ିତ୍ରକୁ ଗୁରୁତ୍ୱ ଦିଆଯାଉଛି । ଓଟିଟି ଭିଡ଼ିଓ ୨୦୧୮ ଶେଷସୁଦ୍ଧା ପ୍ରାୟ ୨୦ କୋଟି ଉପଭୋକ୍ତା ନିୟମିତ ଉପଭୋଗ କରୁଥିବା ସ୍ଥଳେ କେତେକ ତତ୍ତ୍ୱବିତଙ୍କ ମତରେ ଆଗାମୀ ୨୦୨୩ ସୁଦ୍ଧା ୭୦ କୋଟିରେ ପହଞ୍ଚିବ । ସର୍ବଭାରତୀୟ ସ୍ଥିତି ସହ ସମତାଳ ଦେଇ ଓଡ଼ିଶାରେ ମଧ୍ୟ ଓଟିଟି ଉପଭୋକ୍ତା ବୃଦ୍ଧି ଆଞ୍ଚଳିକ ଭାଷାରେ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଆଶା କରାଯାଇପାରେ ।
ପାରମ୍ପରିକ ପ୍ରେକ୍ଷାଳୟଗୁଡ଼ିକରେ ପ୍ରଦର୍ଶନ ଲାଗି ମୁଖ୍ୟସ୍ରୋତର ଚଳଚ଼ିତ୍ର ନିର୍ମାଣ ପ୍ରତି ଧ୍ୟାନ ଦିଆଯାଉଥିବା ସ୍ଥଳେ ନେଟଫ୍ଳିକ୍ସ, ଆମେଜନ ଭଳି ମଞ୍ଚରେ ବିକଳ୍ପ ଚଳଚ଼ିତ୍ରକୁ ଅଗ୍ରାଧିକାର ଦିଆଯାଉଛି ।ଭାରତୀୟ ଚଳଚ଼ିତ୍ର ଜଗତରେ ଧରାବନ୍ଧା ନିୟମକାନୁନରୁ ମୁକ୍ତ ଚଳଚ଼ିତ୍ରଗୁଡ଼ିକୁ କଳାତ୍ମକ ଅଭିହିତ କରାଯାଉଥିଲା । ପରବର୍ତ୍ତୀ ଅବସ୍ଥାରେ ତାହା ସମାନ୍ତରାଳ ଚଳଚ଼ିତ୍ର ରୂପେ ପରିଚ଼ିତ ହେଲା । ବର୍ତ୍ତମାନ ସେହି ଧରଣର ଚଳଚ଼ିତ୍ରକୁ ବିକଳ୍ପ ଚଳଚ଼ିତ୍ର ଆଖ୍ୟା ଦିଆଯାଉଛି ।
ବିକଳ୍ପ ଚଳଚ଼ିତ୍ରଗୁଡ଼ିକରେ ବଳିଷ୍ଠ କାହାଣୀ, ବାସ୍ତବଧର୍ମୀ ଅଭିନୟ ଓ ଉନ୍ନତ ବୈଷୟିକ କୌଶଳ ଉପଯୋଗ କରାଯାଉଥିବା ସ୍ଥଳେ ଗତାନୁଗତିକତାରୁ ମୁକ୍ତ ସର୍ଜନଶୀଳତା ସାଧାରଣ ଦର୍ଶକ ମହଲରେ କ୍ରମେ ଲୋକପ୍ରିୟ ହେବାରେ ଲାଗିଛି । ଓଟିଟି ମଞ୍ଚରେ ପ୍ରଦର୍ଶିତ ଚଳଚ଼ିତ୍ରଗୁଡ଼ିକର ପ୍ରଚ଼ାର ଶୈଳୀ ଓ ବ୍ୟବସାୟିକ ରଣନୀତି ଗୁଣାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛି । ଏହି ଧାରା ବଳବତ୍ତର ରହିଲେ ଏବଂ ଆଞ୍ଚଳିକ ଚଳଚ଼ିତ୍ରଗୁଡ଼ିକ ପାଇଁ ପରିବ୍ୟାପ୍ତ ହେଲେ ଭବିଷ୍ୟତରେ ଓଡ଼ିଆ ଚଳଚ଼ିତ୍ର ମଧ୍ୟ ଗୁରୁତ୍ୱ ହାସଲ କରିବା ବିଶ୍ୱାସ କରାଯାଇପାରେ ।
ପ୍ରମୁଖ ବିକଳ୍ପ ଚଳଚ଼ିତ୍ର ନିର୍ଦ୍ଦେଶକ ଓ ନିର୍ମାତାମାନେ ଓଟିଟି ଭିଡ଼ିଓ ମଞ୍ଚକୁ ସ୍ୱାଗତ କରୁଛନ୍ତି ।‘ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ୨୦୧୮’ ଆୟୋଜନ ଅବସରରେ ଗୋଆରେ ‘ଇଣ୍ଡିଆନ ପାନୋରାମା’ରେ ପ୍ରଦର୍ଶନ ନିମନ୍ତେ ମନୋନୀତ ‘ଭୟାନକମ’, ‘ଭୋର’, ‘ଧାପା’, ‘ଉମା’ ଓ ‘ବରାମ’ ଭଳି ଆଞ୍ଚଳିକ ବିକଳ୍ପ ଚଳଚ଼ିତ୍ରର ନିର୍ଦ୍ଦେଶକମାନେ ଏକ ସାମ୍ୱାଦିକ ସମ୍ମିଳନୀରେ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଓଟିଟି ବିକଳ୍ପ ମଞ୍ଚ ସୃଷ୍ଟି କରୁଛି ବୋଲି କହିଥିଲେ । ଏସବୁ ଚଳଚ଼ିତ୍ରର କାହାଣୀଗୁଡ଼ିକ ଗତାନୁଗତିକତାରୁ ଦୂରେଇ ଯାଇ ଚ଼ିନ୍ତା ଉଦ୍ରେକକାରୀ ବିଷୟବସ୍ତୁ ଉପରେ ଆଧାରିତ ।
‘ଭୟାନକମ’ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ଜଣେ ବିଦ୍ୟାଙ୍ଗ ଡ଼ାକବାଲାର ଭରାକ୍ରାନ୍ତ ମାନସିକତା ଚ଼ିତ୍ରିତ ହୋଇଥିବା ସ୍ଥଳେ ହିନ୍ଦି ଚଳଚ଼ିତ୍ର ‘ଭୋର’ରେ ବିହାର ରାଜ୍ୟରେ ସହରତଳି ଅଞ୍ଚଳରେ ବସବାସ କରୁଥିବା ମୁସାହାର ସମ୍ପ୍ରଦାୟର ସାମାଜିକତା ବିଶ୍ଳେଷଣ କରାଯାଇଛି । ମରାଠୀ ଚଳଚ଼ିତ୍ର ‘ଧାପା’ରେ ଏକ ଶିଶୁର ଦୃଷ୍ଟିରେ ବିଦ୍ୟାଳୟରେ ପଢ଼ାଯାଉଥିବା ନୀତିଶିକ୍ଷା ଓ ବାସ୍ତବ ଜୀବନରେ ବିଶୃଙ୍ଖଳା, ବଙ୍ଗଳା ଚଳଚ଼ିତ୍ର ‘ଉମା’ରେ ଜଣେ ରୋଗାକ୍ରାନ୍ତ ଶିଶୁର ଅଭିଳାଷ ପୂରଣ ନିମନ୍ତେ ଅଦିନରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ଅଭିଜ୍ଞତା ତଥା ତାମିଲ ଚଳଚ଼ିତ୍ର ‘ବରାମ’ରେ ପତ୍ନୀହରା ଜଣେ ରାତ୍ର ଜଗୁଆଳର ବାର୍ଦ୍ଧକ୍ୟ ଜୀବନ ତର୍ଜମା କରାଯାଇଛି ।
‘ମେକ ଇନ ଓଡ଼ିଶା ୨୦୧୮’ କନକ୍ଳେଭରେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସଂପର୍କରେ ଏକ ଅଧିବେଶନରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ଶିଳ୍ପମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓର ପୁନର୍ନିମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଚ଼ାରିକୋଟି ଟଙ୍କା ବିନିଯୋଗ କରାଯାଇଥିବା ତଥା ମଲ୍ଟିପ୍ଳେକ୍ସ ନିର୍ମାଣ ପାଇଁ ସୁବିଧାରେ ଜମି ଯୋଗାଣ ଭଳି ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିବା ସମ୍ୱାଦପତ୍ର ବିବରଣୀରେ ପ୍ରକାଶିତ ହୋଇଥିଲା ।
ଓଡ଼ିଆ ଚଳଚ଼ିତ୍ରର ଉନ୍ନତି ନିମନ୍ତେ ଶିଳ୍ପ ସଂଘ ‘ଫିକି’ ଏକ ଡ୍ରାଫ୍ଟ ନୀତି ପ୍ରସ୍ତୁତ କରିଥିବା ଏବଂ ରାଜ୍ୟ ସରକାର ୧୯୭୪ରେ ପ୍ରଣୀତ ଚଳଚ଼ିତ୍ର ନୀତିର ପୁର୍ନବିନ୍ୟାସ କରିବା ନିମନ୍ତେ ଉଦ୍ୟମ କରୁଥିବା କନକ୍ଳେଭରେ ଘୋଷିତ ହୋଇଥିଲା । ତେବେ ସେହି କନକ୍ଳେଭରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଓଡ଼ିଶାରେ ମୁଣ୍ଡପିଛା ମୋବାଇଲ ଡ଼ାଟା ବ୍ୟବହାରରେ ସର୍ବଭାରତୀୟସ୍ତରରେ ପ୍ରଥମ ଥିବା ଉଲ୍ଲେଖ କରିଥିଲେ । ତେଣୁ ପରିବର୍ତ୍ତିତ ପରିବେଶରେ ଭବିଷ୍ୟତରେ ଓଡ଼ିଆ ଚଳଚ଼ିତ୍ରର ବିକାଶ ନିମନ୍ତେ ଭିତ୍ତିଭୂମି ବିକାଶ ନିମନ୍ତେ ଷ୍ଟୁଡ଼ିଓ, ମଲ୍ଟିପ୍ଳେକ୍ସ ନା ଆଉ କିଛି ଆବଶ୍ୟକ ସେ ବିଷୟରେ ଚ଼ିନ୍ତା କରିବାର ସମୟ ଆସି ପହଞ୍ଚିଛି । ବିକଳ୍ପ ମଞ୍ଚରେ ବିକଳ୍ପ ଚଳଚ଼ିତ୍ରକୁ ଆମେ ଗୁରୁତ୍ୱ ଦେବାନି କି ?
