ଆଜିର ଖାସ ଖବର
Sat. May 30th, 2026

“ଜଗନ୍ନାଥ ମିଶ୍ରଙ୍କ ଦେହାନ୍ତ ବାମପନ୍ଥୀ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି”

ଭୁବନେଶ୍ୱର : ବରିଷ୍ଠ ବାମପନ୍ଥୀ ନେତା ତଥା ସି.ପି.ଆଇ.ଏମ୍ ର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜଗନ୍ନାଥ ମିଶ୍ରଙ୍କ ପରଲୋକ ଘଟିଛି l ଆଜି ସକାଳୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଦେହାନ୍ତ ନେଇ ଦଳ ପକ୍ଷରୁ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥଲା । କମ୍ରେଡ ମିଶ୍ରଙ୍କ ମୃତ୍ୟୁରେ ସି ପି ଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ଗଭୀର ଶୋକ ବ୍ୟକ୍ତ କରି ଯଥୋଚିତ ସମ୍ମାନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଶୋକ ସନ୍ତପ୍ତ ପରିବାର, ପ୍ରିୟଜନ ଏବଂ ପାର୍ଟିର ଶୋକସନ୍ତପ୍ତ ସାଥୀ, ଶୁଭେଚ୍ଛୁ ଏବଂ ଅନୁଗାମୀ ମାନଙ୍କ ପ୍ରତି ଆନ୍ତରିକ ସମବେଦନା ଜ୍ଞାପନ କରିଛି। ଶ୍ରୀ ମିଶ୍ର ଖଲ୍ଲିକୋଟ କଲେଜରେ ପାଠ ପଢିବା ସମୟରୁ ସତୁରୀ ଦଶକ ପ୍ରାରମ୍ଭରୁ ଛାତ୍ର ଜୀବନରେ ସେ ବାମପନ୍ଥୀ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ଏସଏଫ୍ଆଇରେ ସାମିଲ୍ ହୋଇଥିଲେ। ୧୯୭୩-୭୪ ଶିକ୍ଷା ବର୍ଷରେ ଖଲ୍ଲିକୋଟ କଲେଜ ଛାତ୍ର ସଂସଦ ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସି ପି ଆଇ ଏମ୍ ଗଞ୍ଜାମ ଜିଲ୍ଲା ସମ୍ପାଦକ ସହିତ ୧୯୮୧ ମସିହାରୁ ସାରା ରାଜ୍ୟର କୃଷକ ଆନ୍ଦୋଳନ ର ନେତୃତ୍ବ ନେଇଥିଲେ। ୧୯୮୧ ମସିହାରୁ ୨୦୨୪ ନିକଟ ରେ ଅନୁଷ୍ଠିତ କଟକ ସମ୍ମିଳନୀ ପର୍ଯ୍ୟନ୍ତ ସି ପି ଆଇ ( ଏମ୍) ର ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଭାବେ ପାର୍ଟି ର ଶୀର୍ଷ ନେତୃତ୍ବ ରେ ରହିଥିଲେ । ଜଣେ ଜନପ୍ରିୟ ବକ୍ତା, ସୁସଂଗଠକ, ସରଳ ଜୀବନ ଯାପନ ର ଅନନ୍ୟ ଉଦାହରଣ ଏବଂ ଶ୍ରମଜୀବୀ ଜନଗଣଙ୍କ ସ୍ବାର୍ଥ ପାଇଁ ଆଜୀବନ ଲଢେ଼ଇ କରି ସମଗ୍ର ଜୀବନ କୁ ଉତ୍ସର୍ଗୀକୃତ କରିଥିଲେ। ତାଙ୍କର ତ୍ୟାଗ ଏବଂ ସଙ୍ଘର୍ଷମୟ ଜୀବନ କମ୍ୟୁନିଷ୍ଟ ଆନ୍ଦୋଳନ ର ଉତ୍ତର ପୀଢ଼ି ପାଇଁ ପ୍ରେରଣା ର ଉତ୍ସ ହୋଇ ରହିବ ।ଆଜିର କଠିନ ପରିସ୍ଥିତିରେ ଶ୍ରୀ ମିଶ୍ରଙ୍କ ମୃତ୍ୟୁ ରାଜ୍ୟର ବାମ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି।ଆଜି ସନ୍ଧ୍ୟାରେ ଶ୍ରୀ ମିଶ୍ରଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତତକ୍ଷଣାତ୍ ଏକ ଶୋକସଭା ଡି ପି ଆଇ (ଏମ୍) ରାଜ୍ୟ ଅଫିସ ରେ ଅନୁଷ୍ଠିତ ହୋଇ ଯାଇଛି ।ବରିଷ୍ଠ ସି ପି ଆଇ ( ଏମ୍) ନେତା ଜନାର୍ଦ୍ଦନ ପତିଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି ଶୋକ ସଭାରେ ସି ପି ଆଇ ଏମ୍ କେନ୍ଦ୍ର କମିଟି ସଦସ୍ୟ ଅଲି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ କୁମାର ଦାସ, ପୁଷ୍ପା ଦାଶ, ବଦ୍ରି ନାରାୟଣ ଦାଶ, ରାଜ୍ୟ କମିଟି ସଭ୍ୟା ତାପସୀ ପ୍ରହରାଜ, କୃଷକ ନେତା ଅଭିରାମ ବେହେରା ସମେତ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ,ରମେଶ ଜେନା ଓ ଶୁଭ୍ରାଂଶୁ ଉଦଗାତା ପ୍ରମୁଖ ବହୁ ନେତୃବୃନ୍ଦ ପ୍ରୟାତ ଜନନେତାଙ୍କ ସ୍ମୃତି ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକବ୍ୟକ୍ତ କରିଥିଲେ।

Related Post