ଆଜିର ଖାସ ଖବର
Sat. Sep 12th, 2026

‘ଜିଓ’ ପ୍ରଚ଼ଳନର ପାଞ୍ଚ ବର୍ଷ

By Dainikasha Jul11,2024

‘ରିଲାଏନ୍ସ ଜିଓ’ ୫ ସେପ୍ଟେମ୍ୱର ୨୦୧୬ରେ ଟେଲିକମ ସେବା ଆରମ୍ଭ କରିଥିଲା । ମହାମାରୀଜନିତ ଦେଢ଼ ବର୍ଷ ଜରୁରି ପରିସ୍ଥିତିକୁ ମିଶାଇ ୨୦୨୧ ସୁଦ୍ଧା ପାଞ୍ଚ ବର୍ଷ ପୂରଣ କରିଛି । ଏହି ଅବସରରେ ଭାରତର ଏକ ଡିଜିଟାଲ ବିପ୍ଳବ ସୂତ୍ରପାତ ହୋଇଥିବା କୁହାଯାଏ । ଦେଶରେ ୪ଜି ଦୂରସଞ୍ଚାର ବୈଷୟିକ କୌଶଳ ପ୍ରଚଳନ, ତତ୍କାଳୀନ ପ୍ରଚଳିତ ଇଣ୍ଟରନେଟ ବ୍ୟବହାର ଡ଼ାଟା ଦରରେ ୯୫ ପ୍ରତିଶତ ଯାଏଁ ହ୍ରାସ ଏବଂ ମାଗଣାରେ ଭଏସ କଲ ସହ ଓଟିଟି ପ୍ଳାଟଫର୍ମ ବ୍ୟବହାର ଇତ୍ୟାଦି ଜିଓର ବୈଶିଷ୍ଟ୍ୟ । ଏହାର ଆବିର୍ଭାବ କାଳରେ ଭାରତୀୟ ଉପଭୋକ୍ତା ମାସିକ ହାରାହାରି ୯୦୦ ଏମବି ଡ଼ାଟା ବ୍ୟବହାର କରୁଥିବା ସ୍ଥଳେ ପାଞ୍ଚ ବର୍ଷ ମଧ୍ୟରେ ୧୨ ଜିବିକୁ ବୃଦ୍ଧି ପାଇଛି ।

ଜିଓ ଉପଭୋକ୍ତା ସଂଖ୍ୟା ୨୦୨୧ ସେପ୍ଟେମ୍ୱର ସୁଦ୍ଧା ପ୍ରାୟ ୮୦ କୋଟିରେ ପହଞ୍ଚିଥିବା ସ୍ଥଳେ ଦୂରସଞ୍ଚାର ଓ ଇଣ୍ଟରନେଟ ସଂଯୁକ୍ତିରେ ଅପେକ୍ଷାକୃତ ପଛୁଆ ରହିଥିବା ଓଡ଼ିଶାରେ ମୋଟ ତିନି କୋଟି ୪୭ ଲକ୍ଷ ମୋବାଇଲ ବ୍ୟବହାରକାରୀଙ୍କ ମଧ୍ୟରେ ଜିଓର ଭାଗ ଦେଢ଼ କୋଟି । ରାଜ୍ୟରେ ଜିଓର ସେବା ବ୍ୟବହାରକାରୀଙ୍କ ସଂଖ୍ୟା ସର୍ବାଧିକ ଏବଂ ପ୍ରତିମାସରେ ପ୍ରାୟ ଅଢ଼େଇ ଲକ୍ଷ ନୂତନ ଉପଭୋକ୍ତା ସାମିଲ ହୋଇଥାନ୍ତି । ‘ଟ୍ରାଇ’ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ମୋବାଇଲ ବ୍ରଡ଼ବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ପାଞ୍ଚ ବର୍ଷ ମଧ୍ୟରେ ୪୧ ଲକ୍ଷରୁ ଦୁଇକୋଟିରେ ପହଞ୍ଚିଛି ।

ଟେଲିଯୋଗାଯୋଗ କ୍ଷେତ୍ରରେ ଜିଓର ପ୍ରମୁଖ ଯୋଗଦାନ ସତ୍ତ୍ୱେ ଆନ୍ତର୍ଜାତିକସ୍ତରରେ ଭାରତ ଇଣ୍ଟରନେଟ ସଂଯୁକ୍ତି କ୍ଷେତ୍ରରେ ପଛୁଆ ରହିଆସିଛି । ଭାରତରେ ୫୦ ପ୍ରତିଶତ ନାଗରିକ ଇଣ୍ଟରନେଟ ସଂଯୁକ୍ତିରୁ ବଞ୍ଚିତ ଥିବା ସ୍ଥଳେ ପଡ଼ୋଶୀ ବାଂଲାଦେଶରେ ୫୯ ପ୍ରତିଶତ ଏବଂ ପାକିସ୍ଥାନରେ ୬୫ ପ୍ରତିଶତ ଯାଏଁ ଇଣ୍ଟରନେଟ ସଂଯୁକ୍ତି ଅପେକ୍ଷାରେ ରହିଥିବା ଜଣାଯାଏ । ଭାରତରେ ଡିଜିଟାଲ ପ୍ରଗତି ଇ-କମର୍ସ, ବ୍ୟାଙ୍କିଙ୍ଗ, ମନୋରଞ୍ଜନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପ୍ରଶାସନ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ସୂତ୍ରଧର ସାଜିଥିବା ସୁସ୍ପଷ୍ଟ । ତେବେ ୨୦୨୧ ସୁଦ୍ଧା ଏଥିରେ ସମଗ୍ର ଜନସଂଖ୍ୟା ସାମିଲ ହୋଇ ନପାରୁଥିବା ହେତୁ ଡିଜିଟାଲ ସଂସ୍କୃତି କିପରି ଅନ୍ୟ ଅର୍ଦ୍ଧେକଙ୍କ ନିକଟରେ ପହଞ୍ଚି ପାରିବ ତଥା ଗୁଣାତ୍ମକ ବିକାଶ ଘଟିବ ତାହା ଆହ୍ୱାନରେ ପରିଣତ ହୋଇଛି ।

ଉଦାହରଣରେ ମହାମାରୀ କାଳରେ ଭାରତରେ ଅନଲାଇନ ଶିକ୍ଷାର ବାସ୍ତବଚ଼ିତ୍ର ସଂପର୍କରେ ବିଚାର କରାଯାଉ । ‘ଦି ସ୍କୁଲ ଚ଼ିଲରନ୍ସ ଅନଲାଇନ ଏଣ୍ଡ ଅଫଲାଇନ ଲେରନିଂ’ ନାମିତ ଏକ ସର୍ବେକ୍ଷଣରେ ଦେଶର ୧୫ ଗୋଟି ରାଜ୍ୟର ୧୪୦୦ ଜଣ ଅନଗ୍ରସର ଶ୍ରେଣୀ ଅନ୍ତର୍ଭୁକ୍ତ ବାଳକବାଳିକାଙ୍କ ମହାମାରୀରେ ଶିକ୍ଷାଗ୍ରହଣ ସଂପର୍କରେ ତଥ୍ୟ ସଂଗୃହୀତ ହୋଇଥିଲା । ଏଥିରୁ ଜଣାଯାଇଥିଲା ଯେ ଶିକ୍ଷାକ୍ଷେତ୍ରରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବାଧିକ କ୍ଷତି ସମ୍ମୁଖୀନ ହୋଇଛନ୍ତି । ପାରିବାରିକସ୍ତରରେ ସହରାଞ୍ଚଳରେ ୭୭ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୫୧ ପ୍ରତିଶତ ସ୍ମାର୍ଟଫୋନ ଉପଲବ୍ଧ ଥିବା ସ୍ଥଳେ ସହରାଞ୍ଚଳରେ ୩୧ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ ଶିକ୍ଷାଗ୍ରହଣରେ ସମର୍ଥ ହୋଇଥିଲେ ।

ଡ଼ିଜିଟାଲ ବିପ୍ଳବ ସହରାଞ୍ଚଳର ସ୍ୱଚ୍ଛଳ ପରିବାରବର୍ଗ ମଧ୍ୟରେ ଗୁଣାତ୍ମକ ଶିକ୍ଷା ଗ୍ରହଣ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ କରିଛି । ଜିଓ ସେବା ଆରମ୍ଭ ବେଳେ ଦେଶରେ ମାତ୍ର ୧୫ ଲକ୍ଷ ଛାତ୍ରଛାତ୍ରୀ ବ୍ୟାବସାୟିକଭିତ୍ତିରେ ପରିଚାଳିତ ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ସ୍ଥଳେ ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ୬୫ ଲକ୍ଷରୁ ଉର୍ଦ୍ଧ୍ୱ ସୀମାରେ ପହଞ୍ଚିଛି । ଡିଜିଟାଲ ସଂଯୁକ୍ତିରେ ଧନୀକ ଓ ଗରିବଙ୍କ ମଧ୍ୟରେ ବିଭେଦ ‘ଡିଜିଟାଲ ଡିଭାଇଡ଼’ ଅନଲାଇନ ଶିକ୍ଷା ପ୍ରସାରରେ ବାଧକ ସାଜିଛି ।

ଅବଶ୍ୟ ସାମାଜିକ ଯୋଗାଯୋଗ କ୍ଷେତ୍ରରେ ଭିନ୍ନ ଚ଼ିତ୍ର ଦେଖିବାକୁ ମିଳିଥାଏ । ଜିଓ ପ୍ରବେଶ ବର୍ଷ ଫେସବୁକର ଉପଭୋକ୍ତା ସଂଖ୍ୟା ୨୦ କୋଟି ୫୦ ଲକ୍ଷ ଥିବା ବେଳେ ପାଞ୍ଚ ବର୍ଷପରେ ୪୨ କୋଟି ୫୦ ଲକ୍ଷରେ ପହଞ୍ଚିଛି । ସେହିପରି ହ୍ୱାଟସଆପର ଉପଭୋକ୍ତା ସଂଖ୍ୟା ୧୯ କୋଟିରୁ ୩୯ କୋଟିକୁ ବୃଦ୍ଧି ପାଇଛି । ସ୍ମାର୍ଟଫୋନରେ ବିଭିନ୍ନ ଆପ୍ଲିକେସନ ଡ଼ାଉନଲୋଡ଼ ସଂଖ୍ୟା ମଧ୍ୟ ଏହି ସମୟ ଅବଧିରେ ତିନିଗୁଣ ବଢ଼ିଛି । ଗୁଗୁଲ-ପ୍ଳେ ଷ୍ଟୋରରେ ଭାରତୀୟ ପ୍ରକାଶକଙ୍କ ଲକ୍ଷେ ଷାଠିଏ ହଜାରରୁ ଉର୍ଦ୍ଧ୍ୱ ଆପ ଉପଲବ୍ଧ ଥିବା ସ୍ଥଳେ ପ୍ରାୟ ସମସ୍ତ ଡ଼ାଉନ ଲୋଡ଼ ମାଗଣା ଏବଂ ମାତ୍ର ତିନି ପ୍ରତିଶତ ଡ଼ାଉନଲୋଡ଼ ପାଇଁ ଗ୍ରାହକ ଚାନ୍ଦା ଦେବାକୁ ପଡ଼ିଥାଏ । ଏହି ସବୁ ପରିସଂଖ୍ୟାନ ଅନଲାଇନ ପରିବେଶରେ ଭାରତୀୟମାନଙ୍କ ଯୋଗଦାନର ସ୍ୱର୍ଣ୍ଣିମ ଚିତ୍ର ପ୍ରଦାନ କରିଥାଏ ।

ଭାରତୀୟ ଟେଲିଯୋଗାଯୋଗ ସେବାରେ ଜିଓର ପ୍ରବେଶ ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଥିଲେ ହେଁ ପରବର୍ତ୍ତୀ ପାଞ୍ଚ ବର୍ଷ ଗୁରୁତ୍ୱପୂର୍ଣ୍ଣ । ଏକ ପକ୍ଷରେ ଇଣ୍ଟରନେଟ ବଞ୍ଚିତ ଅର୍ଦ୍ଧେକ ଜନସଂଖ୍ୟା ମଧ୍ୟରୁ ଅଧିକାଂଶକୁ ଅନଲାଇନ ମଞ୍ଚକୁ ଆଣିବା ତଥା ଅପରପକ୍ଷରେ ଇଣ୍ଟରନେଟ ସେବାର ଗୁଣାତ୍ମକ ବିକାଶ ପ୍ରତି ଦୃଷ୍ଟି ଆକର୍ଷିତ ହୋଇଥାଏ । ଅନଲାଇନ ପରିବେଶରେ ବୈଷମ୍ୟ ଚ଼ିନ୍ତାର କାରଣ ପାଲଟିଛି ।

ଯୋଗାଯୋଗ, ମନୋରଞ୍ଜନ ଓ ଇ-କମର୍ସରେ ଇଣ୍ଟରନେଟ ବ୍ୟବହାର ବଢ଼ିଥିବା ସ୍ଥଳେ ମହାମାରୀ କାଳରେ ଆହୂତ କେତେକ ଗବେଷଣା ଅନୁଯାୟୀ ସମଗ୍ର ଦକ୍ଷିଣ ଏସିଆରେ ବିଭିନ୍ନ କାରଣରୁ ୮୮ ପ୍ରତିଶତ ଯାଏଁ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାଗ୍ରହଣରୁ ଦୂରେଇ ରହିଥିବା ଉଦାହରଣରୁ ସଂଯୁକ୍ତି, ଉପକରଣ ସାଙ୍ଗକୁ ଜନସାଧାରଣରେ ଶିକ୍ଷାପ୍ରତି ପ୍ରାଥମିକତା ଦିଆ ନଯାଉଥିବା ସୁସ୍ପଷ୍ଟ । ସେହିପରି ୬୪ ପ୍ରତିଶତ ଯାଏଁ ଖୁଚୁରା ବିକ୍ରୀ ହ୍ରାସ ଭଳି ସମସ୍ୟାକୁ ଅନଲାଇନ ବୈଷୟିକ କୌଶଳ କିପରି ପ୍ରତିହତ କରିପାରିବ ତାହା ପରବର୍ତ୍ତୀ ପାଞ୍ଚବର୍ଷରେ ପ୍ରମାଣିତ ହେବ ।

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମଲ’ରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଇଣ୍ଟରନେଟ ବ୍ୟବହାର ପ୍ରାଥମିକତା ଦାବୀ କରିବ । କୁହାଯାଉଛି ଯେ ୨୦୨୧ ସେପ୍ଟେମ୍ୱର ସୁଦ୍ଧା ପ୍ରାୟ ଦେଢ଼ ବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ଏବଂ ଅନଲାଇନ ଶିକ୍ଷାଦାନ ସନ୍ତୋଷଜନକ ନହୋଇପାରିବା ହେତୁ ଗରିବ ଓ ଗ୍ରାମାଞ୍ଚଳର ବାଳକବାଳିକାମାନେ ଶିଶୁ ଶ୍ରମିକ ତଥା ବାଳିକାମାନଙ୍କ ମଧ୍ୟରେ ଶୀଘ୍ର ବିବାହ ସଂଖ୍ୟା ବୃଦ୍ଧି ପାଇବ । ବହୁ ପରିଶ୍ରମରେ ଏହିଭଳି ସାମାଜିକ ଅସଂଗତିଗୁଡ଼ିକୁ ନିୟନ୍ତ୍ରଣାଧୀନ କରାଯାଇଥିବା ସ୍ଥଳେ ବୈଷୟିକ କିମ୍ୱା ମାନସିକତା ତୃଟି କାରଣରୁ ଅବନତିକୁ ଏଡ଼ାଇବା ନିମନ୍ତେ ଉଦ୍ୟମ ଜରୁରି ।

ଜିଓ ପ୍ରବର୍ତ୍ତିତ ଡିଜିଟାଲ ବିପ୍ଳବରେ ମହାମାରୀରେ ହ୍ୱାଟସଆପ, ଜୁମ ତଥା ଅନ୍ୟାନ୍ୟ ଆପ୍ଲିକେସନ ମାଧ୍ୟମରେ ଭିଡ଼ିଓ କଲର ବ୍ୟାପକ ବ୍ୟବହାର ଅନ୍ୟତମ ଦୃଷ୍ଟିଆକର୍ଷକ ପର୍ଯ୍ୟାୟ । ଭିଡ଼ିଓ ଆପ ‘ଜୁମ’ ଓ ଗବେଷଣା ପ୍ରତିଷ୍ଠାନ ‘କ୍ୱାଲିଟ୍ରିସ ରିସର୍ଚ୍ଚ’ ପକ୍ଷରୁ ମାର୍ଚ୍ଚ ୨୦୨୧ରେ ଭାରତ ସମେତ ୧୫ ଗୋଟି ରାଷ୍ଟ୍ରରେ ପ୍ରାୟ ସାଢ଼େ ସାତ ହଜାର ଭିଡିଓ ଉପଭୋକ୍ତାଙ୍କ ଗହଣରେ ଆୟୋଜିତ ସର୍ବେକ୍ଷଣରୁ ଜନସାଧାରଣରେ ପରିବର୍ତ୍ତିତ ରୁଚ଼ି ଚ଼ିହ୍ନଟ ହୋଇଥିଲା । ପ୍ରଥମତଃ, ୧୩ ପ୍ରତିଶତ ଭାରତୀୟ କେବଳ ଭିଡ଼ିଓ ଯୋଗାଯୋଗ ବ୍ୟବହାରରେ ଅନଲାଇନ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିଥିବା ସ୍ଥଳେ ୪୬ ପ୍ରତିଶତ ଅନଲାଇନ ଓ ଅଫଲାଇନ ‘ହାଇବ୍ରିଡ଼’ ଶିକ୍ଷାପ୍ରଣାଳୀ ଚୟନ କରିଥିଲେ । ଦ୍ୱିତୀୟତଃ, ବ୍ୟାବସାୟିକ କଥାବାର୍ତ୍ତା ୧୨ ପ୍ରତିଶତ କେବଳ ଭିଡ଼ିଓ କଲରେ ସୀମିତ ରଖିବେ ବୋଲି କହିଥିଲେ । ତୃତୀୟତଃ, ୯୨ ପ୍ରତିଶତ ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ ଏବଂ ୯୦ ପ୍ରତିଶତ ଏକାନ୍ତବୋଧରୁ ମୁକ୍ତି ପାଇଁ ଭିଡିଓ କଲ ଉପଯୋଗୀ ହୋଇଥିବା ଦର୍ଶାଇଥିଲେ ।

ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସୂଚନା ମଧ୍ୟରେ ଯୁବବର୍ଗଙ୍କ ସହ ବରିଷ୍ଠ ନାଗରିକମାନେ ମଧ୍ୟ ଭିଡ଼ିଓ କଲ ବ୍ୟବହାରରେ ଅଭ୍ୟସ୍ତ ହୋଇପଡୁଥିବା ଏବଂ ଡ଼ାକ୍ତରଙ୍କ ସହ ଚ଼ିକିତ୍ସାଗତ ପରାମର୍ଶ ପାଇଁ ଭିଡ଼ିଓ କଲକୁ ଅଗ୍ରାଧିକାର ଦେଉଥିବା ଅନ୍ୟତମ । ଭାରତରେ ୫ଜି ଟେଲିଯୋଗାଯୋଗ ବୈଷୟିକ କୌଶଳ ଦୁଇ ବୃହତ ବ୍ୟାବସାୟିକ ପ୍ରତିଷ୍ଠାନ ଜିଓ ଓ ଏୟାରଟେଲ ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ସ୍ଥଳେ ୨୦୨୫ ସୁଦ୍ଧା ଇଣ୍ଟରନେଟ ସେବାରେ ବ୍ୟାପକ ଗୁଣାତ୍ମକ ବିକାଶ ଆଶା କରାଯାଉଛି ।

Related Post