ସମ୍ୱାଦ ରଚ଼ନା ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ୱାଦ ତନଖି ଅପରିହାର୍ଯ୍ୟ । ଇଂଲିଶରେ ଏହି ଦୁଇ ପର୍ଯ୍ୟାୟ ‘କପି ରାଇଟିଂ’ ଓ ‘କପି ଚ଼େକିଂ’ ନାମିତ । ‘ସମ୍ୱାଦ ରଚ଼ନା ତନଖି’ ଶୃତିକଟୁ ବୋଧ ହେଉଥିବା ହେତୁ ‘କପି ଚ଼େକିଂ’ ଶବ୍ଦ ବ୍ୟବହାର ଉପଯୁକ୍ତ ମନେହୁଏ ।
ସାମ୍ୱାଦିକତା ପରିସରରେ ସମ୍ୱାଦ ପ୍ରକାଶିତ ହେବା ପରେ ତାହା ବହୁ ସଂଖ୍ୟକ ପାଠକ, ଶ୍ରୋତା, ଦର୍ଶକ ପଢୁଥିବା, ଶୁଣୁଥିବା, ଦେଖୁଥିବା ହେତୁ ସମ୍ୱାଦ ପାଠ୍ୟ ‘ଟେକ୍ସଟ’ ନିର୍ଭୂଲ ଓ ସାବଲୀଳ ହେବା ବାଞ୍ଛନୀୟ । ସାଧାରଣରେ ପ୍ରକାଶିତ ସମ୍ୱାଦ ବିଶ୍ୱାସଯୋଗ୍ୟ ଓ ବ୍ୟବହାରଯୋଗ୍ୟ ଦଲିଲ ରୂପେ ସ୍ୱୀକୃତି ପାଇଥାଏ । ତେଣୁ ତଥ୍ୟ କିମ୍ୱା ଆଙ୍ଗିକ କୌଣସିଟିରେ ତୃଟି ଅକ୍ଷମଣୀୟ ।
ଅବଶ୍ୟ ପ୍ରଚଳିତ ସାମ୍ୱାଦିକତାରେ ସମ୍ୱାଦ ରଚନାର ଗୁରୁତ୍ୱ ଅନେକସ୍ତରରେ ଅବହେଳିତ ଏବଂ ବହୁ ସାମ୍ୱାଦିକ, ସମ୍ପାଦକ, ପ୍ରକାଶକ ବିଭିନ୍ନ କାରଣରୁ ଅଣଦେଖା କରିଥାନ୍ତି । ସାମ୍ୱାଦିକତା ଅଧ୍ୟୟନ କାଳରେ ସେଗୁଡ଼ିକୁ ସମ୍ୱାଦ ପଦବାଚ୍ୟ ଗ୍ରହଣ କରାଯାଇନପାରେ ।
ସମ୍ୱାଦ ରଚନାରେ ଉତ୍କର୍ଷ ତଥ୍ୟଗତ ଓ ସର୍ଜନଶୀଳ ଦକ୍ଷତା ଉପରେ ନିର୍ଭରଶୀଳ । ସମ୍ୱାଦରେ ସ୍ଥାନିତ ସମସ୍ତ ତଥ୍ୟ ସତ୍ୟ ଆଧାରିତ ହେବା ସାଙ୍ଗକୁ ତଥ୍ୟ ସଂପର୍କୀତ ପ୍ରତ୍ୟକ୍ଷ ଓ ପରୋକ୍ଷ ଦିଗଗୁଡ଼ିକୁ ନିରପେକ୍ଷ ଓ ସ୍ୱାଧୀନ ଦୃଷ୍ଟିକୋଣରୁ ଯୁକ୍ତିଯୁକ୍ତ ଶୈଳୀରେ ଉପସ୍ଥାପନ କରିବାକୁ ପଡ଼ିଥାଏ । ସମ୍ୱାଦ କିପରି ପାଠକଙ୍କ ଧ୍ୟାନ ଆକର୍ଷକ, ଆବେଗପୂର୍ଣ୍ଣ ଓ ପ୍ରୋତ୍ସାହନମୂଳକ ହୋଇପାରିବ ସେଦିଗରେ ଉଦ୍ୟମ ଜରୁରୀ । ସର୍ଜନଶୀଳ ସାହିତ୍ୟ ଭଳି ସମ୍ୱାଦର ପ୍ରଭାବ ପାଠକ ଚିତ୍ତରେ ଦୀର୍ଘସ୍ଥାୟୀ ହେବା ଗୁଣାତ୍ମକ ସାମ୍ୱାଦିକତାର ପରିଚୟ ଦିଏ ।
କପିଚ଼େକିଂ ସମ୍ୱାଦରେ ବର୍ଣ୍ଣିତ ଘଟଣାକ୍ରମର ସତ୍ୟତା ସହ ସୂଚ଼ିତ ଅନ୍ୟାନ୍ୟ ଦିଗ, ଯଥା : ସ୍ଥାନର ନାମ, ସମୟ, ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ନାମ ଓ ପରିଚ଼ୟ ସଠିକ ଉପସ୍ଥାପନ ତଥା ନିର୍ଭୂଲ ବନାନ ଇତ୍ୟାଦି ମଧ୍ୟ ଗୁରୁତ୍ୱ ବହନ କରେ । ଏହି ଦିଗଗୁଡ଼ିକରେ ତୃଟି ଉପସ୍ଥାପିତ ସମ୍ୱାଦର ପାଠକୀୟ ସ୍ୱୀକୃତି କ୍ଷୁର୍ଣ୍ଣ କରିଥାଏ । ସମ୍ୱାଦ ସଂସ୍ଥା, ବୃତ୍ତିଗତ ସଂଗଠନ ଓ ବିଶେଷଜ୍ଞମାନେ ସମ୍ୱାଦ ରଚ଼ନା ନିମନ୍ତେ ମାର୍ଗଦର୍ଶିକା ସହ କପିଚ଼େକିଂ ନିମନ୍ତେ ମଧ୍ୟ ଆଚ଼ରଣ ସଂହିତା ପ୍ରସ୍ତୁତ କରିଥାନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାର ‘ନ୍ୟାସନାଲ ପବ୍ଳିକ ରେଡ଼ିଓ’ ଏକ ବୃହତ୍ତ ପ୍ରସାରଣ ନେଟୱାର୍କ । ଏଥିସହ ଏକ ହଜାରରୁ ଉର୍ଦ୍ଧ୍ୱ ରେଡ଼ିଓ ଷ୍ଟେସନ ସହବନ୍ଧିତ ଥିବା ସ୍ଥଳେ ସପ୍ତାହିକ ଶ୍ରୋତା ସଂଖ୍ୟା ସମୁଦାୟ ଛଅ କୋଟି ହିସାବ କରାଯାଏ । ଅନ୍ୟାନ୍ୟ ସଂସ୍ଥାଭଳି ‘ଏନପିଆର’ ମଧ୍ୟ ସମ୍ୱାଦିକତା ତାଲିମ ଅବସରରେ କପିଚ଼େକିଂ ନିମନ୍ତେ ନିର୍ଦ୍ଦେଶନାମା ଜାରୀ କରିଥାଏ । କପିଚ଼େକିଂ ସଂପର୍କରେ ଆଲୋଚ଼ନା କଲାବେଳେ ‘ଏନପିଆର’ର ଗାଇଡ଼ଲାଇନକୁ ଏକ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ ।
ସମ୍ୱାଦରେ ସୂଚ଼ିତ ପ୍ରତ୍ୟେକଟି ବ୍ୟକ୍ତି ଓ ସ୍ଥାନର ନାମ ସଠିକ ହେବା ସହ ଉଚ୍ଚାରଣ ଓ ବନାନ ପ୍ରତି ଦୃଷ୍ଟିଦେବା ବିଧେୟ । ଦୂରଦୂରାନ୍ତ ଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ପ୍ରଚଳିତ ନାମଗୁଡ଼ିକ ପୂର୍ବପରିଚିତି ଅଭାବରେ ସଠିକ ଉଚ୍ଚାରଣ କରିହୁଏନାହିଁ । ଫଳରେ ବନାନ ଅଶୁଦ୍ଧ ହେବା ସ୍ୱାଭାବିକ । କିନ୍ତୁ ସମ୍ୱାଦ ରଚ଼ନା ଅବସରରେ ଏହି ସମସ୍ୟାରୁ ମୁକୁଳିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ୱନ କରାଯାଇପାରେ । ପ୍ରାଥମିକ ଭାବେ ବିକଶିତ ଭାଷାଗୁଡ଼ିକର ବିଭିନ୍ନ ଶବ୍ଦର ଉଚ୍ଚାରଣ ‘ଗୁଗୁଲ ସର୍ଚ୍ଚ’ରେ ଉପଲବ୍ଧ । ଏହିପରି ଅନ୍ୟାନ୍ୟ ସାଧନ ଅନଲାଇନ ପରିସରରେ ଠାବ କରାଯାଇ ସାମ୍ୱାଦିକ ଓ ସମ୍ପାଦକମାନେ ଆବଶ୍ୟକମତେ ବ୍ୟବହାର କରିପାରିବେ ।
ବ୍ୟକ୍ତିବିଶେଷଙ୍କ ନାମ ସହ ପଦପଦବୀ ଓ ସଂପୃକ୍ତ ଅନୁଷ୍ଠାନଗୁଡ଼ିକ ସଂପର୍କରେ ବିବରଣୀର ସଠିକ ଉପସ୍ଥାପନ ନିମନ୍ତେ ସମ୍ୱାଦ ରଚ଼ନା ସମୟରେ ତନ୍ନ ତନ୍ନ ତନଖି କରିବାକୁ ପଡିଥାଏ । ବ୍ୟକ୍ତିବିଶେଷଙ୍କ ବୟସ ଉଲ୍ଲେଖ କରିବା ଅବସରରେ ସେମାନଙ୍କ ଜନ୍ମତାରିଖ ଉପଲବ୍ଧ ଥିଲେ ପୁନର୍ବାର ଗଣିତ କରିବା ଉତ୍ତମ ଅଭ୍ୟାସ । ବ୍ୟକ୍ତି ଓ ସଂସ୍ଥାର ଅତୀତ କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରିବାକୁ ଥିଲେ ନିଜ ସ୍ମରଣଶକ୍ତି ବଦଳରେ ପ୍ରାମାଣିକ ତଥ୍ୟ ପରଖିନେବା ଆବଶ୍ୟକ । କ୍ରମଶଃ ଅନଲାଇନ ପରିବେଶ ସଂପ୍ରସାରିତ ହେଉଥିବା ହେତୁ ପ୍ରାୟ ସବୁ ସହର ଓ ପ୍ରମୁଖ ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କ ସଂପର୍କରେ ତଥ୍ୟ ପାଇବା ସରଳ ହୋଇପାରିଛି । ବିନା ଦ୍ୱିଧାରେ ସେହି ସୁଯୋଗ ସୁବିଧା ଉପଯୋଗ କରିବାକୁ ପଡିଥାଏ ।
ସମ୍ୱାଦରେ କାହାରି ମତ-ମତାନ୍ତର ଉଦ୍ଧୃତି ଆକାରରେ ପ୍ରକାଶ କଲାବେଳେ ସୂତ୍ରଙ୍କ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ଉଦ୍ଧୃତି ନିର୍ବାଚନ ଓ ଆକାର ସାମ୍ୱାଦିକଙ୍କ ଇଚ୍ଛାଧୀନ ଥିବା ହେତୁ ପକ୍ଷପାକ୍ଷିକତା ପ୍ରତି ସେ ଦ୍ୱିବାର ସତର୍କ ହେବା ଉଚ଼ିତ । ସମ୍ୱାଦରେ କୌଣସି ଟେଲିଫୋନ ନମ୍ୱର, ଇମେଲ ଆଇଡ଼ି କିମ୍ୱା ୱେବ ଠିକଣା ଉଲ୍ଲେଖ କରାଯିବା ପୂର୍ବରୁ ସାମ୍ୱାଦିକ ବ୍ୟକ୍ତିଗତଭାବେ ସେଗୁଡ଼ିକୁ ପୁଣିଥରେ ବାସ୍ତବକ୍ଷେତ୍ରରେ ତନଖି ନେଲେ ଭୂଲଭଟ୍ଟକାର ଭୟ ଦୂର ହୋଇଥାଏ ।
ସମ୍ୱାଦ ରଚନା କାଳରେ ପ୍ରଥମ ପାଣ୍ଡୁଲିପି ‘ଫାଷ୍ଟ ଡ୍ରାଫଟ’ ପ୍ରସ୍ତୁତ ହୋଇସାରିବା ପରେ ବିଭିନ୍ନ ଖ୍ୟାତନାମା ସାମ୍ୱାଦିକ ବିଭିନ୍ନ ଶୈଳୀରେ ତାହା ତନଖି, ସଂଶୋଧନ ଓ ପୁନଃଲିଖନ କରିଥାନ୍ତି । ‘ଏନପିଆର’ ସାମ୍ୱାଦିକତା ତାଲିମ ପାଠ୍ୟକ୍ରମରେ ସୂଚ଼ିତ ମୁଖ୍ୟ ନିର୍ଦ୍ଦେଶାବଳୀଗୁଡ଼ିକ ମଧ୍ୟରେ ପୁନଃପଠନ ସର୍ବୋଗ୍ରେ ସ୍ଥାନିତ । ସମ୍ୱାଦ ରଚ଼ନା କରିସାରିବା ପରେ ସଂପୃକ୍ତ ସାମ୍ୱାଦିକ ତାକୁ ଉଚ୍ଚ ସ୍ୱରରେ ପାଠ କଲେ ଅନେକ ସୁଫଳ ମିଳିଥାଏ । ଭୂଲ ଭଟ୍ଟକାଗୁଡ଼ିକୁ ଚ଼ିହ୍ନଟ କରିବା ନିମନ୍ତେ ଏହା ଏକ ସରଳ ଉପାୟ ।
ତେବେ ପ୍ରଥମଥର ସମ୍ୱାଦ ପାଠ କାଳରେ ଭୂଲ ଦେଖିଲେ ଅଟକି ଯାଇ ତାହାକୁ ତୁରନ୍ତ ସଂଶୋଧନ କରିବା ବଦଳରେ ସେଠାରେ ସାମାନ୍ୟ ଚ଼ିହ୍ନ ଦେଇ ପୁରା ସମ୍ୱାଦଟିକୁ ପଢ଼ିଯିବା ଭଲ । ସମ୍ୱାଦ ପଢ଼ି ସାରିଲା ପରେ ଚ଼ିହ୍ନିତ ସ୍ଥାନଗୁଡ଼ିକୁ ଫେରି ଆବଶ୍ୟକୀୟ ସଂଶୋଧନ କରାଯାଇପାରେ । ସ୍ଥଳ ବିଶେଷରେ ନୂତନ ଶବ୍ଦ ଯୋଡ଼ିବା ସମୟରେ ଅଧିକ ସତର୍କ ରହିବାକୁ ପଡ଼େ । କାରଣ ନୂଆ ଭୂଲଟିଏ ସୃଷ୍ଟି ହୋଇପାରେ ।
କୁହାଯାଏ ଯେ ରଚନାରେ ଭୂଲଭଟ୍ଟକା ସାଧାରଣରେ ଯୋଡ଼ା-ଯୋଡ଼ି ଦେଖିବାକୁ ମିଳେ । ଅର୍ଥାତ, ଗୋଟିଏ ଭୂଲ ଚ଼ିହ୍ନଟ ହେଲେ, ଅନ୍ୟଗୁଡ଼ିକୁ ଖୋଜିବାହାର କରିବାକୁ ଯତ୍ନବାନ ହେବାକୁ ପଡ଼ିବ । କେତେକ ଶବ୍ଦ ଅଭ୍ୟାସବଶତଃ ବାରମ୍ୱାର ବ୍ୟବହୃତ ହୋଇଥାଏ । ରଚ଼ନାକାଳରେ ଏହା ବାରି ହେଉ ନଥିବା ସ୍ଥଳେ ପଠନ ଓ ପୁନଃପଠନ କାଳରେ ଶୃତିକଟୁ ବୋଧ ହୁଏ । ଆବଶ୍ୟକମତେ ବିକଳ୍ପ ଶବ୍ଦ ସଂଯୋଜନା ରଚ଼ନାଟିକୁ ସାବଲୀଳ କରିଥାଏ ।
ପ୍ରସ୍ତୁତ ସମ୍ୱାଦର ପାଠ୍ୟ ଉଭୟ ସାମ୍ୱାଦିକ ଓ ସମ୍ପାଦକଙ୍କ ଦ୍ୱାରା ବାରମ୍ୱାର ପଠନ ଅଭ୍ୟାସ ସମ୍ୱାଦର ଗୁଣବତ୍ତା ବିକାଶରେ ସହାୟକ । ସାମ୍ୱାଦିକ ପ୍ରଥମ ଥର ପ୍ରସ୍ତୁତ ସମ୍ୱାଦ ପାଠ୍ୟ ଉଚ୍ଚସ୍ୱରରେ ପଢ଼ି ସାରିବା ପରେ ଦ୍ୱିତୀୟ ଓ ତୃତୀୟବାର ପଠନର ମହତ୍ତ୍ୱ ବୃଦ୍ଧିଲାଗି ବିଭିନ୍ନ ଉପାୟ ଅବଲମ୍ୱନ କରିପାରେ । ଜଣେ ସାମ୍ୱାଦିକ ସମ୍ୱାଦର ପାଠ୍ୟ ପ୍ରସ୍ତୁତ କଲାପରେ ପ୍ରଥମ ପଠନ ପରେ ସମ୍ୱାଦର କିଛି ଅଂଶ ତାହାର ମୁଖସ୍ଥ ହୋଇପଡୁଥିବା ଦେଖିବାକୁ ମିଳେ । ଫଳରେ ଦ୍ୱିତୀୟ ପଠନ କାଳରେ ଛାଡ଼ିଯାଇଥିବା ଭୂଲଭଟ୍ଟକାକୁ ସେ ସହଜରେ ଖୋଜି ପାଇପାରେନା ।
ଏହି ପରିସ୍ଥିତିକୁ ଏଡ଼ାଇବାଲାଗି କେତେକ ସାମ୍ୱାଦିକ ପ୍ରସ୍ତୁତ ସମ୍ୱାଦକୁ ଉପରୁ ତଳକୁ ନପଢ଼ି ତଳ ପାରାଗ୍ରାଫରୁ ତତ୍ ପୂର୍ବ ପାରାଗ୍ରାଫ କ୍ରମରେ ପଢନ୍ତି । ଅନ୍ୟ କେତେକ କମ୍ପ୍ୟୁଟର ସ୍କ୍ରିନରେ ସମ୍ୱାଦ ପଢ଼ିବା ପରେ ଦ୍ୱିତୀୟବାର ତାକୁ କାଗଜରେ ପ୍ରିଣ୍ଟ କରି ପଢ଼ନ୍ତି । କିଛି ନ ହେଲେ ଅକ୍ଷରର ଆକାର ‘ଫଣ୍ଟ’ ବଢ଼ାଇ ନୂତନ ଆଙ୍ଗିକ ସୃଷ୍ଟିର ଉଦ୍ୟମ କରନ୍ତି । ବହୁ ବଡ଼ ସମ୍ୱାଦପତ୍ର ସଂସ୍ଥାରେ ଅନଲାଇନରେ ସମ୍ପାଦକୀୟ କାରବାର ଚାଲୁଥିଲେ ହେଁ ସମ୍ୱାଦ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ କାଗଜ ପ୍ରିଣ୍ଟକୁ ପୁରୁଣାକାଳିଆ ପୃଫରିଡ଼ରମାନଙ୍କ ଦ୍ୱାରା ସଂଶୋଧନର ବ୍ୟବସ୍ଥା ରହିଥାଏ ।
ବହୁ ବଡ଼ ଲେଖକ ସୃଜନପରେ କିଛି କାଳ ଅନ୍ତେ ତାହାର ସଂଶୋଧନ କରିଥାନ୍ତି । ସମ୍ୱାଦ ରଚ଼ନା ଓ ପ୍ରକାଶନର ସମୟ ଅବଧି ସୀମିତ ହୋଇଥିବା ହେତୁ ପାଣ୍ଡୁଲିପି ସଂଶୋଧନଲାଗି ପର୍ଯ୍ୟାପ୍ତ ସମୟର ବିଳାସ ସଂଭବ ନହୋଇପାରିଲେ ସୁଦ୍ଧା ପ୍ରସ୍ତୁତ ସମ୍ୱାଦର ପ୍ରଥମ ପଠନପରେ ଗୋଟିଏ ଟେଲିଫୋନ କଲ, ଛୋଟ ଭିଡ଼ିଓ ଦେଖା କିମ୍ୱା ଘେରାଏ ବୁଲି ଆସିବା ପରେ ଦ୍ୱିତୀୟ ପଠନ ଅଧିକ ଫଳପ୍ରଦ ହୋଇଥାଏ । ପ୍ରସ୍ତୁତ ପାଠ୍ୟକୁ ସହଯୋଗୀ ସାମ୍ୱାଦିକଙ୍କ ଦ୍ୱାରା ପଠନ ଓ ଟିପ୍ପଣୀ ସଂଗ୍ରହ ସର୍ବାପେକ୍ଷା ମୂଲ୍ୟବାନ ।
ସମ୍ୱାଦର ପ୍ରଥମ ଓ ଶେଷ ଭାଗ ଗୁରୁତ୍ୱପୂର୍ଣ୍ଣ ଅଂଶ । ପାଠକ ସମ୍ୱାଦ ପଠନକାଳରେ ଉକ୍ତ ସମ୍ୱାଦ ନିମନ୍ତେ ତଥ୍ୟ ସଂଗ୍ରହ କରିବାରେ ସାମ୍ୱାଦିକ କେତେ ସାମର୍ଥ୍ୟ, ସମୟ ଓ ଅର୍ଥ ବିନିଯୋଗ କରିଛନ୍ତି ତଥା କେଉଁ ପରିସ୍ଥିତିରେ ରଚ଼ନା ଓ ସଂଶୋଧନ କରି ପ୍ରକାଶ କରିଛନ୍ତି, କୌଣସିଟିକୁ ବିଚାରକୁ ନେଇ ନଥାଏ । ଉପସ୍ଥାପିତ ସମ୍ୱାଦ ଆକର୍ଷକ, ସାବଲୀଳ ଓ ତଥ୍ୟପୂର୍ଣ୍ଣ ହୋଇଥିଲେ ତାହା ପାଠକ ପଢ଼ିଥାଏ, ପ୍ରଶଂସା କରେ ଏବଂ ସେଭଳି ସମ୍ୱାଦ ପଢ଼ିବା ନିମନ୍ତେ ଗ୍ରାହକଚାନ୍ଦା ଦେବା ପାଇଁ ଆଗେଇ ଆସିଥାଏ । ଅତଏବ, ସମକାଳୀନ ସାମ୍ୱାଦିକତା କ୍ରମଶଃ ଗ୍ରାହକଚାନ୍ଦା ଆଶ୍ରିତ ମଡ଼େଲକୁ ପରିବର୍ତ୍ତିତ ହେଉଥିବା ଅବସରରେ ସମ୍ୱାଦ ରଚନା ତନଖି ସର୍ବାପେକ୍ଷା ଗୁରୁତ୍ୱ ବହନ କରେ ।
