ଆଜିର ଖାସ ଖବର
Mon. Jul 27th, 2026

କଣ୍ଟେଣ୍ଟ ସବସ୍କ୍ରିପସନ

By Dainikasha Jul11,2024

ଇଣ୍ଟରନେଟରେ ଲେଖା ଓ ଛବିକୁ ‘କଣ୍ଟେଣ୍ଟ’ କୁହାଯାଏ । ଇଣ୍ଟରନେଟର ପ୍ରବେଶ କାଳରେ ସାଧାରଣରେ କଣ୍ଟେଣ୍ଟ ଉପଭୋକ୍ତାମାନଙ୍କ ନିମନ୍ତେ ମାଗଣା ଉପଲବ୍ଧ ଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ‘କଣ୍ଟେଣ୍ଟ ସବସ୍କ୍ରିପସନ’ ବା ଗ୍ରାହକ ଚ଼ାନ୍ଦା ସଂଗ୍ରହ ଧାରାଦୃଢ଼ୀଭୂତ ହେବାରେ ଲାଗିଛି।

ଇଣ୍ଟରନେଟରେ ସମ୍ୱାଦ, ଅଭିମତ ଓ ଭିଡ଼ିଓ ବିତରଣଧାରାକୁ ଚ଼ାରିଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମତଃ କେତେକ କଣ୍ଟେଣ୍ଟ ପାଠକ ବା ଦର୍ଶକଙ୍କ ମଧ୍ୟରେ ମାଗଣାରେ ପ୍ରସାରିତ କରାଯାଇଥାଏ । ଦ୍ୱିତୀୟରେ କେତେକ ସାଇଟରେ କିଛି କଣ୍ଟେଣ୍ଟ ମାଗଣାରେ ଉପଭୋକ୍ତାମାନଙ୍କୁ ପ୍ରଦାନ କରାଯାଉଥିବାବେଳେ ଏହାର ପ୍ରଯୋଜନା ଓ ପରିଚ଼ାଳନା ଖର୍ଚ୍ଚ ବିଜ୍ଞାପନରୁ ଭରଣା ହୋଇଥାଏ । ତୃତୀୟତଃ ଅନ୍ୟ କେତେକ କ୍ଷେତ୍ରରେ କିଛି କଣ୍ଟେଣ୍ଟ ମାଗଣା ଓ କିଛି କଣ୍ଟେଣ୍ଟ ବିକ୍ରୀ କରାଯାଏ । ଚ଼ତୁର୍ଥରେ କଣ୍ଟେଣ୍ଟ କେବଳ ବିକ୍ରୀ ନିମନ୍ତେ ଉଦ୍ଦିଷ୍ଟ ରହିଥାଏ ।

ଭାରତରେ ୨୦୧୫ ମସିହା ପରବର୍ତ୍ତୀ ଅବସ୍ଥାରେ ଇଣ୍ଟରନେଟ ବ୍ୟବହାର ଦୃତଗତିରେ ବୃଦ୍ଧିପାଉଥିବା ସ୍ଥଳେ ଫଡ଼େରେସନ ଅଫ ଇଣ୍ଡିଆନ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ ପ୍ରକାଶିତ ହିସାବ ଅନୁଯାୟୀ ୨୦୧୬ ମସିହାରେ ଇଣ୍ଟେରନେଟରେ ବିଭିନ୍ନ ମଞ୍ଚରୁ ପ୍ରାୟ ୨୫୦ କୋଟି ଟଙ୍କା ଗ୍ରାହକ ଚ଼ାନ୍ଦା ବାବଦରେ ଆଦାୟ ହୋଇଥିଲା । ସେହି ବର୍ଷ ଡ଼ିଜିଟାଲ ବିଜ୍ଞାପନ କାରବାର ୭ ହଜାର ୭ ଶହ କୋଟି ଟଙ୍କାରେ ପହଞ୍ଚିଥିଲା । ସେଥିମଧ୍ୟରୁ ପ୍ରାୟ ୨ ହଜାର ୫ ଶହ କୋଟି ଟଙ୍କା ଭିଡ଼ିଓ ପ୍ରଦର୍ଶନରେ ବିଜ୍ଞାପନ ଅନ୍ତର୍ଭୁକ୍ତ । ଏଭଳି ପରିସଂଖ୍ୟାନ ଭାରତରେ ଇଣ୍ଟରନେଟ ବ୍ୟବସାୟର ସ୍ଥିତି ଉତ୍ସାହଜନକ ପ୍ରମାଣିତ କରିଥାଏ ।

ଆମ ଦେଶରେ ଇଣ୍ଟରନେଟ ସଂଯୋଗ ନିମନ୍ତେ ଡ଼ାଟା ଚ଼ାର୍ଜ ଉଚ୍ଚସ୍ତରରେ ରହିଆସିଥିଲା । ତେବେ ୨୦୧୬ରେ ରିଲାଏନ୍ସ ଜିଓ ୪ଜିର ପ୍ରବେଶ ପରେ ଇଣ୍ଟରନେଟ ଗ୍ରାହକ ଚ଼ାନ୍ଦା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସଂଭବପର ହୋଇପାରିଲା । ଏକ ପକ୍ଷରେ ଡ଼ାଟା ଗ୍ରାହକ ଚ଼ାନ୍ଦା ସମସ୍ତ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା କମାଇବା ସହ ଅପରପକ୍ଷରେ ଅଧିକରୁ ଅଧିକ ଇଣ୍ଟରନେଟ ଉପଭୋକ୍ତା ସୃଷ୍ଟି ହେବା ସାଙ୍ଗକୁ ଅଧିକରୁ ଅଧିକ ଡ଼ାଟା ବ୍ୟବହାର କରିବା ପରିବେଶ ସୃଷ୍ଟି ହୋଇପାରିଲା । ଆନ୍ତର୍ଜାତିକସ୍ତରରେ ଭାରତରେ ଇଣ୍ଟରନେଟ ପ୍ରସାରଣ ବେଗ, ଜନସଂଖ୍ୟା ତୁଳନାରେ ଆନୁପାତିକ ଉପଭୋକ୍ତା ସଂଖ୍ୟା ଓ ବ୍ୟବହାର ସମୟ ଅବଧି କମ ରହିଆସିଥିଲେ ହେଁ ଏକ ବଡ଼ ସଂଖ୍ୟାରେ ଇଣ୍ଟରନେଟ ଉପଭୋକ୍ତା ସୃଷ୍ଟି ଇଣ୍ଟରନେଟରେ ବିଭିନ୍ନ ମଞ୍ଚର ବିକାଶ ନିମନ୍ତେ ପ୍ରଶସ୍ତ ପଥ ଉନ୍ମୁକ୍ତ ହୋଇପାରିଛି ।

ସାଧାରଣରେ ଭାରତରେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଗ୍ରାହକ ଚ଼ାନ୍ଦା ମଡ଼େଲ ସଫଳ ହୋଇପାରିବ ନାହିଁ ବୋଲି ଅନେକେ ବିଚ଼ାର କରିଥାନ୍ତି । ଗଣମାଧ୍ୟମ ସମୀକ୍ଷକ ବନିତା କୋହଲି-ଖାଣ୍ଡେକରଙ୍କ ହିସାବରେ ୨୦୧୮ ବେଳକୁ ମୁଦ୍ରଣ ଗଣମାଧ୍ୟମରେ ୩୪ ପ୍ରତିଶତ ରାଜସ୍ୱ ପାଠକଙ୍କ ଗ୍ରାହକ ଚ଼ାନ୍ଦା ବାବଦରେ ସଂଗୃହୀତ ହୋଇଥାଏ । ସେହିପରି ୬୬ ପ୍ରତିଶତ ରାଜସ୍ୱ ଟେଲିଭିଜନ ଓ ୬୯ ପ୍ରତିଶତ ରାଜସ୍ୱ ଚଳଚ଼ିତ୍ର ଶିଳ୍ପ ଦର୍ଶକଙ୍କଠାରୁ ମିଳିଥାଏ । ଏଭଳି ପରିସ୍ଥିତିରେ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଗ୍ରାହକ ଚ଼ାନ୍ଦା ଆଦାୟର ଭବିଷ୍ୟତ ଉଜ୍ଜଳ ବୋଲି ସେ ଯୁକ୍ତି ବାଢ଼ିଥାନ୍ତି ।

୨୦୧୮ ଆରମ୍ଭରେ ଆମ ଦେଶରେ ପ୍ରାୟ ୩୦ ଗୋଟି ମନୋରଞ୍ଜନ ଆପ ପ୍ରଚଳିତ ଥିଲା । ଏଗୁଡ଼ିକ ମଧ୍ୟରୁ ସଂଖ୍ୟାଧିକ ବିଜ୍ଞାପନ ଆଶ୍ରିତ ବିଜିନେସ ମଡ଼େଲରେ ଉପଭୋକ୍ତାଙ୍କୁ ମାଗଣାରେ ସେବା ପ୍ରଦାନ କରୁଥିଲେ । ହଟଷ୍ଟାର ଭଳି କେତେକ ଚ଼୍ୟାନେଲ ହାଇବ୍ରିଡ଼ ମଡ଼େଲରେ କିଛି କାର୍ଯ୍ୟକ୍ରମ ମାଗଣାରେ ଓ କିଛି ସବସ୍କ୍ରିପସନରେ ପ୍ରସାରିତ କରୁଥିଲେ । କିନ୍ତୁ ସେଗୁଡ଼ିକ କ୍ରମଶଃ ନେଟଫ୍ଳିକ୍ସ ବା ଆମେଜନପ୍ରାଇମପରି ସବସ୍କ୍ରିପସନ ମଡ଼େଲକୁ ପରିବର୍ତ୍ତିତ ହେଲେ ବିପୁଳ ରାଜସ୍ୱ ଆଶା କରାଯାଇପାରେ । ବନିତାଙ୍କ ହିସାବ ଅନୁଯାୟୀ ଦେଶର ୩୨ କୋଟି ୨୫ ଲକ୍ଷ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଉପଭୋକ୍ତା ହାରାହାରି ମାସିକ ଶହେ ଟଙ୍କା କଣ୍ଟେଣ୍ଟ ସବସ୍କ୍ରିପସନରେ ଖର୍ଚ୍ଚ କଲେ ତାହା ୩ ହଜାର ୯ ଶହ କୋଟି ଟଙ୍କାର କଣ୍ଟେଣ୍ଟ ସବସ୍କ୍ରିପସନ ବ୍ୟବସାୟରେ ପର୍ଯ୍ୟବସିତ ହେବ ।

ନେଟଫ୍ଳିକ୍ସ ଉଦାହରଣରୁ କୁହାଯାଏ ଯେ ସବସ୍କ୍ରିପସନ ମଡ଼େଲରେ ପରିଚ଼ାଳିତ ଚ଼୍ୟାନେଲ ଉତ୍କୃଷ୍ଟମାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବ ଏବଂ ଦର୍ଶକମାନେ ବିଜ୍ଞାପନ ପ୍ରଦର୍ଶନ ବାଧା ରହିତ ପ୍ରସାରଣ ଉପଭୋଗ କରିପାରିବେ । ପୁଣି ଏଭଳି ବ୍ୟବସାୟରେ ନିଶ୍ଚିତ ଲାଭର ଆଶାଥିବା ଯୋଗୁଁ ନିବେଶକମାନେ ଅଧିକ ପୁଞ୍ଜି ବିନିଯୋଗ କରିବେ ଏବଂ ସେହିଭଳି ପରିବେଶ ଉଚ୍ଚ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ସହାୟକ ହେବ ।

ଅନଲାଇନରେ ବିଜ୍ଞାପନ ଆଶ୍ରିତ ମଞ୍ଚ ପରିଚ଼ାଳନା ଅନେକ କ୍ଷେତ୍ରରେ ବ୍ୟବସାୟିକ ଦୃଷ୍ଟିରୁ କଷ୍ଟକର ହୋଇଥାଏ । ଏହି ସମସ୍ୟା ବିଶ୍ୱବ୍ୟାପୀ ଅନୁଭବ କରାଯାଏ । ଆନ୍ତର୍ଜାତିକସ୍ତରରେ ଅନଲାଇନ ବିଜ୍ଞାପନର ୮୫ ପ୍ରତିଶତ କେବଳ ଗୁଗୁଲ ଓ ଫେସବୁକ ନେଇଯାଆନ୍ତି । ଫଳରେ ଛୋଟମୋଟ ଉଦ୍ୟମ ବିଜ୍ଞାପନ ପାଇବା ଏକରକମ ଅସଂଭବ ହୋଇପଡ଼େ । ଓଡ଼ିଆରେ ଅନଲାଇନ ଉପସ୍ଥିତି ନୈରାଶ୍ୟଜନକ ହେବାର ଏହା ଏକ ବିଶିଷ୍ଟ କାରଣ । ଆମରାଜ୍ୟରେ ସବସ୍କ୍ରିପସନ ମଡ଼େଲ କାର୍ଯ୍ୟକାରୀ ହୋଇପାରିଲେ ହିଁ ରାଜସ୍ୱ ସୃଷ୍ଟି ସଂଭବପର । ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା କମ ହେତୁ ଏଠାରେ ବିଜ୍ଞାପନ ମଡ଼େଲର ସଫଳତା ଆଶା କରାଯାଇ ନପାରେ ।ତେବେ ରାଜ୍ୟରେ ଅନଲାଇନ ପୋର୍ଟଲଗୁଡ଼ିକ ସରକାରୀ ବିଜ୍ଞାପନ ନିର୍ଭରଶୀଳ ହୋଇପଡୁଥିବା ପରିବେଶ ମୁଦ୍ରିତ ସମ୍ୱାଦପତ୍ର ମଡ଼େଲ ପୁନଃ ସଂସ୍ଥାପନ କରିବ ।

ଭାରତ ତଥା ଓଡ଼ିଶାରେ ଅନଲାଇନ ସବସ୍କ୍ରିପସନ କାର୍ଯ୍ୟକାରିତା ଲାଗି ଡ଼ିଜିଟାଲ ପେମେଣ୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନଲାଇନ ପାଠ୍ୟ ବା ଛବି ର ମୂଲ୍ୟ କମ ରହୁଥିବା କାରଣରୁ ଡ଼ିଜିଟାଲ ପେମେଣ୍ଟ ଭିନ୍ନ ଅନ୍ୟ ବ୍ୟବସ୍ଥା ଉପଯୋଗୀ ହୋଇପାରି ନଥାଏ । ଉଦାହରଣରେ ଗୋଟିଏ ଇ-ପାଠ୍ୟପୁସ୍ତକ ବା ଚଳଚ଼ିତ୍ର ପ୍ରଦର୍ଶନ କରିବା ନିମନ୍ତେ ଯଦି ପ୍ରକାଶକ ବା ପ୍ରଯୋଜକ ଦଶ ଟଙ୍କା ଦାବି କରେ ଡ଼ିଜିଟାଲ ପେମେଣ୍ଟ ଭିନ୍ନ ଅନ୍ୟ କୌଣସି ଉପାୟରେ ତାହା ମୂଳସୂତ୍ରରେ ପହଞ୍ଚି ପାରିବ ନାହିଁ । ରାଜ୍ୟର ଗ୍ରାମାଞ୍ଚଳରେ ଇଣ୍ଟରନେଟ ପ୍ରସାର ସାଙ୍ଗକୁ ଡ଼ିଜିଟାଲ ପେମେଣ୍ଟ ପରିବେଶର କ୍ରମୋନ୍ନତି ଘଟୁଥିବା ଅବସରରେ ୨୦୨୦ରୁ ୨୦୨୫ ମଧ୍ୟରେ ଓଡ଼ିଶାରେ କଣ୍ଟେଣ୍ଟ ସବସ୍କ୍ରିପସନ କ୍ଷେତ୍ରରେ ବ୍ୟାପକ ସୁଯୋଗ ଆଶା କରାଯାଇପାରେ ।  

Related Post