ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ଚଳିତ ବର୍ଷର କ୍ୟାମ୍ପସ ପ୍ଲେସମେଣ୍ଟ ଡ୍ରାଇଭରେ ଏକ ବଡ଼ ସଫଳତା ହାସଲ କରିଛି। ଏହି ନିଯୁକ୍ତି ମେଳାରେ ୨୦ରୁ ଅଧିକ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀ ଅଂଶଗ୍ରହଣ କରିଥିବା ବେଳେ ଛାତ୍ରଛାତ୍ରୀମାନେ ବାର୍ଷିକ ସର୍ବାଧିକ ୧୭ ଲକ୍ଷ ଟଙ୍କାର (ସିଟିସି) ପ୍ୟାକେଜରେ ନିଯୁକ୍ତି ପାଇଛନ୍ତି। ଫେଡେରାଲ ବ୍ୟାଙ୍କ ପକ୍ଷରୁ ଏହି ସର୍ବାଧିକ ପ୍ୟାକେଜ୍ ପ୍ରଦାନ କରାଯାଇଥିବା ବେଳେ ଏର୍ନଷ୍ଟ ଏଣ୍ଡ୍ ୟଙ୍ଗ (ଇୱାଇ), ଡେଲଏଟ୍, ଏଡିପି, ଟିସିଏସ୍ ଏବଂ ଟେକ୍ ମହିନ୍ଦ୍ରା ଭଳି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଏହି ଡ୍ରାଇଭରେ ସାମିଲ ହୋଇଥିଲେ। ବିଶେଷ ଭାବେ ଇୱାଇ ସର୍ବାଧିକ ୨୮ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିଥିବା ବେଳେ ୟୁକେର ପ୍ରସିଦ୍ଧ ‘ଲୟଡ୍ସ ଟେକ୍ନୋଲୋଜି ସେଣ୍ଟର’ ପକ୍ଷରୁ ଏମବିଏ ଓ ଏମ.କମ୍ ର ୯ ଜଣଙ୍କୁ ନିଯୁକ୍ତି ମିଳିଛି, ଯାହା ବିଶ୍ୱବିଦ୍ୟାଳୟର ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ମାନ୍ୟତାକୁ ସୂଚାଉଛି।
ଏହି ସଫଳତା କେବଳ ମ୍ୟାନେଜମେଣ୍ଟ ମଧ୍ୟରେ ସୀମିତ ନରହି ଆଇନ, ସାମ୍ବାଦିକତା ଏବଂ ଡାଟା ସାଇନ୍ସ ଭଳି ବିଭିନ୍ନ ବିଭାଗରେ ମଧ୍ୟ ଦେଖିବାକୁ ମିଳିଛି। ‘ବିର୍ଲା ସ୍କୁଲ ଅଫ୍ ଲ’ ର ଛାତ୍ରଛାତ୍ରୀମାନେ ପୁଭୟା ଆଣ୍ଡ କୋ ଏବଂ ପ୍ରମାତା ଭଳି ଶୀର୍ଷ ସଂସ୍ଥାରେ ନିଯୁକ୍ତି ପାଇଥିବା ବେଳେ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନେ ଆଡଫ୍ୟାକ୍ଟର୍ସ ପିଆର୍ ଭଳି ଅଗ୍ରଣୀ ସଂସ୍ଥାରେ ସ୍ଥାନ ପାଇଛନ୍ତି। ବିଶ୍ୱବିଦ୍ୟାଳୟର ଆଉଟରିଚ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଆଫେୟାର୍ସର ଡିନ୍ ଡଃ ସତ୍ୟକାମ ମିଶ୍ର କହିଛନ୍ତି ଯେ, ଏଭଳି ବଡ଼ କମ୍ପାନୀଗୁଡ଼ିକର ଆଗମନ ବିଜିୟୁର ଶିଳ୍ପ-ଭିତ୍ତିକ ପାଠ୍ୟକ୍ରମ ପ୍ରତି ସେମାନଙ୍କର ଅଗାଧ ବିଶ୍ୱାସକୁ ପ୍ରମାଣିତ କରୁଛି। ନିଯୁକ୍ତି ପାଇଥିବା ଛାତ୍ର ପ୍ରତ୍ୟୁଷ ମାନସିଂହ ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟର ଉନ୍ନତ ତାଲିମ ଏବଂ ମାର୍ଗଦର୍ଶନକୁ ଶ୍ରେୟ ଦେଇଛନ୍ତି। ଏହି ପ୍ଲେସମେଣ୍ଟ ରେକର୍ଡ ବିଜିୟୁର କୌଶଳ ବିକାଶ ଏବଂ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଦକ୍ଷ ନେତୃତ୍ୱ ଭାବେ ଗଢ଼ିବା ଦିଗରେ ଥିବା ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରିଛି।

