ଆଜିର ଖାସ ଖବର
Thu. Jul 30th, 2026

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଜେ.ଆର.ଡି. ଟାଟାଙ୍କ ୧୨୨ତମ ଜୟନ୍ତୀ ପାଳିତ

By Admin_Dainkasha Jul30,2026

କଳିଙ୍ଗନଗର, ଜୁଲାଇ ୨୯, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ୍ (ଏନଆଇଏନଏଲ) ପକ୍ଷରୁ ମହାନ ଶିଳ୍ପପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଜେ.ଆର.ଡି. ଟାଟାଙ୍କ ୧୨୨ତମ ଜୟନ୍ତୀ ବୁଧବାର ଦିନ କଳିଙ୍ଗନଗର ସ୍ଥିତ ସମସ୍ତ ୟୁନିଟ୍‌ରେ ବେଶ୍ ଉତ୍ସାହର ସହିତ ପାଳିତ ହୋଇଯାଇଛି।

ଟିଏସକେ ସେଣ୍ଟରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ମହାନ ଦୂରଦ୍ରଷ୍ଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିନର କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏଥିରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ (ଅପରେସନ୍ସ) ଉତ୍ତମ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍ କଳିଙ୍ଗନଗର ୱର୍କର୍ସ ୟୁନିୟନର ସଭାପତି ରବୀନ୍ଦ୍ର କୁମାର ଜାମୁଦା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ, ୟୁନିୟନ୍ ପ୍ରତିନିଧି ଏବଂ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ।

ଏହି ଅବସରରେ ଟିଏସକେ କ୍ରୀଡ଼ା ବିଭାଗ ପକ୍ଷରୁ କଳିଙ୍ଗନଗର ଟାଉନସିପ୍ ସ୍ଥିତ ସାର୍ ଦୋରାବଜୀ ଟାଟା ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ମାରକୀ ଦୌଡ଼ ଆୟୋଜିତ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଜେ.ଆର.ଡି. ଟାଟାଙ୍କ ସାମାଜିକ ଉତ୍ତରଦାୟିତ୍ୱର ଆଦର୍ଶକୁ ପାଥେୟ କରି ଏକ ସାମାଜିକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଦାନଗଦୀ ବ୍ଲକ ସ୍ଥିତ ଶାଳିଜଙ୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖେଳ ସାମଗ୍ରୀ ବିତରଣ କରାଯାଇଥିଲା।

ସେହିପରୀ, ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ଏବଂ ବ୍ରାହ୍ମଣୀପାଳ ସ୍ଥିତ ଫେରୋ ଆଲଏଜ ପ୍ଲାଣ୍ଟ ସମେତ ଅନ୍ୟାନ୍ୟ ପରିଚାଳନା କେନ୍ଦ୍ରଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା। ଯୁବପିଢ଼ିଙ୍କୁ ଯୋଡ଼ିବା ପାଇଁ ଏନଆଇଏନଏଲ ପକ୍ଷରୁ ଏହାର ଟାଉନସିପରେ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଜେ.ଆର.ଡି. ଟାଟାଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଧାରିତ ଏକ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି ବ୍ୟାପକ ଉତ୍ସବର ଅଂଶ ଭାବେ, ଯାଜପୁର ଟାଉନ୍ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା (ଡ଼ିଏଚଏଚ) ଏବଂ ଯାଜପୁର ରୋଡ୍ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚଏଚ) ରକ୍ତଭଣ୍ଡାର ସହଯୋଗରେ ଏନଆଇଏନଏଲ ପକ୍ଷରୁ ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ କର୍ମଚାରୀ, ପରିବାର ସଦସ୍ୟ, ଭେଣ୍ଡର୍ ପାର୍ଟନର୍ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଶାଇ ୩୦୪ ଜଣ ସ୍ୱେଚ୍ଛାସେବୀ ଉତ୍ସାହର ସହିତ ରକ୍ତଦାନ କରିଥିଲେ।

ଭାରତୀୟ ଶିଳ୍ପ ଜଗତ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଜଣେ ପୁରୋଧା ଭାବେ ଜେ.ଆର.ଡି. ଟାଟାଙ୍କ ମହାନ ଆଦର୍ଶ, ଟାଟା ଗ୍ରୁପ୍‌ର ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ସଦାସର୍ବଦା ମାର୍ଗଦର୍ଶକ ହୋଇ ରହିବ ।

Related Post