ଆରଇସି ଲିମିଟେଡର ଆଞ୍ଚଳିକ କାର୍ଯ୍ୟଳୟ ଦ୍ୱାରା ଆଜି (ତା. 24.01.2025 ରିଖ) ଦିନ ସମ୍ବଲପୁର ସ୍ଥିତ ହୋଟେଲ ଗ୍ରାଣ୍ଡ ଶିବାଠାରେ ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ସହଯୋଗୀମାନଙ୍କ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା, ସିଇଓ ଓରିଡ଼ା (OREDA) ଏବଂ ଏସ୍.ଏଲ୍.ବି.ସି. ବ୍ୟାଙ୍କର ଅଂଶୀଦାରମାନେ ଯୋଗ ଦେଇଥିଲେ ।
ଏହି ବୈଠକରେ ଆରଇସି ଲିମିଟେଡ ଦ୍ୱାରା ରୁଫ୍ ଟପ୍ ସୋଲାର୍ ସ୍ଥାପନ କରିବା ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା ଏବଂ ଟିପିଡବ୍ଲୁଓଡିଏଲର ବିତରଣ ଅଞ୍ଚଳରେ ରୁଫ୍ ଟପ୍ ସୋଲାର୍ ସ୍ଥାପନର ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମାବେଶକୁ ସିପିଏମ୍, ଆରଇସି ଭୁବନେଶ୍ୱର, ସିଇଓ, ଟିପିଡବ୍ଲୁଓଡିଏଲ୍ ସମ୍ବୋଧିତ କରିଥିଲେ । ଏହି ଯୋଜନାର ସଫଳ ରୂପାୟନ ସହିତ ଜଡିତ ସମସ୍ତ ହିତାଧିକାରୀ ଉପସ୍ଥିତ ଥିବାରୁ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ସେହିପରି ବିକ୍ରେତାମାନଙ୍କର ସମସ୍ୟା ଏବଂ ଏହାର ସମ୍ଭାବ୍ୟ ସମାଧାନ ଉପରେ ଆଲୋଚନା କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ନବୀକରଣ ଯୋଗ୍ୟ ବିଦ୍ୟୁତ୍ ଶକ୍ତିକୁ ଜନସାଧାରଣଙ୍କ ଲାଗି ସୁଲଭ କରିବା ତଥା ରୁଫ୍ ଟପ୍ ସୋଲାରର ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ହେଉଛି ଏକ ପରିବର୍ତ୍ତନଶୀଳ ପଦକ୍ଷେପ । ସରକାରୀ ପୋର୍ଟାଲ ମାଧ୍ୟମରେ ଏକ ସହଜ ଆବେଦନ ପ୍ରକ୍ରିୟା ସହିତ, ଏହି ଯୋଜନା ଗ୍ରହଣକୁ ସରଳ କରିବା ଏବଂ ରାଜ୍ୟ ତଥା ଦେଶରେ ରୁଫ୍ ଟପ୍ ସୋଲାରର ସ୍ଥାପନକୁ ତ୍ୱରାନ୍ୱିତ କରିବା ପାଇଁ ପରିକଳ୍ପନା କରାଯାଇଛି ।
ଏହି ଯୋଜନାର ପ୍ରମୁଖ ଲାଭ ଗୁଡ଼ିକ ମଧ୍ୟରେ ରହିଛି 3 କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ 78,000 ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସବସିଡି । ସେହିପରି ସମାନ କିଲୋୱାଟର ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ ଅତିରିକ୍ତ 60,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଅତିଶୀଘ୍ର ରାଜ୍ୟ ସରକାର ଘୋଷଣା କରିବାକୁ ଯାଉଛନ୍ତି । ଅଧିକାଂଶ କ୍ଷେତ୍ରରେ କେନ୍ଦ୍ରୀୟ ସବସିଡି 7-15 ଦିନ ମଧ୍ୟରେ ଜାରି କରାଯାଉଅଛି । ପବ୍ଲିକ୍ ସେକ୍ଟର ବ୍ୟାଙ୍କମାନଙ୍କରୁ ମଧ୍ୟ ସୁଲଭ ମୂଲ୍ୟରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ 7% ସୁଧ ହାରରେ ଉପଲବ୍ଧ ରହିଛି ।
ବର୍ତ୍ତମାନ, ଓଡ଼ିଶାରେ 1,893 ରୁଫ୍ ଟପ୍ ସୋଲାର୍ ସ୍ଥାପନ ହୋଇସାରିଛି, ଯାହା ରାଜ୍ୟର ସବୁଜ ଶକ୍ତି ପରିବର୍ତ୍ତନରେ ଏକ ବଡ଼ ଯୋଗଦାନ । ଏଥି ସହିତ 2027 ସୁଦ୍ଧା ରାଜ୍ୟରେ ପ୍ରାୟ 3 ଲକ୍ଷ ସୌର ପ୍ୟାନେଲ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପଦକ୍ଷେପ 2030 ସୁଦ୍ଧା 500 ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାର ଦେଶର ଲକ୍ଷ୍ୟକୁ ସମର୍ଥନ କରିବ । ଏହି ଯୋଜନା ବିଶ୍ୱ କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା, ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ସାରା ଦେଶରେ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ପରିବେଶ ସ୍ଥିରତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ ।

