ଆଜିର ଖାସ ଖବର
Thu. Apr 16th, 2026

ଟାଟା ଷ୍ଟିଲ ଫାଉଣ୍ଡେସନ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଗୋଷ୍ଠୀ ଭିତ୍ତିକ ଜୈବ ବିବିଧତା ସଂରକ୍ଷଣ ସମ୍ପର୍କିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

By Admin_Dainkasha Aug30,2025

ଭୁବନେଶ୍ୱର, ୨୯/୦୮/୨୦୨୫: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ କୋଟକ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ଼ ସହ ସହଭାଗିତାରେ ଭୁବନେଶ୍ୱରରେ ‘ଗୋଷ୍ଠୀ ଭିତ୍ତିକ ଜୈବିକ ବିବିଧତା ସଂରକ୍ଷଣ’ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଡ଼ିଶାର ସମୃଦ୍ଧ ଜୈବିକ ବିବିଧତାକୁ ସୁରକ୍ଷିତ ରଖିବାରେ ତୃଣମୂଳସ୍ତରର ଅଂଶଗ୍ରହଣକୁ ସୁଦୃଢ଼ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବିଶେଷଜ୍ଞ ଏବଂ ହିତାଧିକାରୀମାନେ ଏକତ୍ରୀତ ହୋଇଥିଲେ।
କାର୍ଯ୍ୟକ୍ରମକୁ ଉଦଘାଟନ କରି ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ପରିବେଶ ବ୍ୟବସ୍ଥାର ସଂରକ୍ଷଣରେ ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଏକ ପ୍ରତୀକାତ୍ମକ ବୃକ୍ଷ ଜଳ ସିଂଚନ ସମାରୋହ ଅନୁଷ୍ଠିତ ହୋଇଥିଲା।
ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (ରିଜିଓନାଲ ପ୍ଲାଂଟ ରିସୋର୍ସ ସେଂଟର)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଇଏଫଏସ ଶ୍ରୀ ସୁଧାଂଶୁ ଖୋରା, ସମ୍ମାନିତ ଅତିଥି ଭାବରେ ଡେଭଲପମେଣ୍ଟ ପ୍ରଫେସନାଲ ତଥା ପରିବେଶବିତ୍ ଡ଼ ଅମ୍ବିକା ପ୍ରସାଦ ନନ୍ଦ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଟାଟା ଷ୍ଟିଲର ନାଚୁରାଲ କ୍ୟାପିଟାଲ ଆଣ୍ଡ ବିଜନେସ ଇଂଟିଗ୍ରେସନ ସଷ୍ଟେନେବିଲିଟିର ମୁଖ୍ୟ ଜେସନ ଥୋମାସ୍ ଯୋଗ ଦେଇଥିଲେ।
ବୈଷୟିକ ଅଧିବେଶନରେ ଆଦିବାସୀ ଏବଂ କୃଷି-ଜୈବ ବିବିଧତା, ପିପୁଲସ ବାୟୋଡାଇଭର୍ସିଟି ରେଜିଷ୍ଟର, ଗଜ ସଂରକ୍ଷଣ ପ୍ରକଳ୍ପ ଅଧୀନରେ ହାତୀ ସଂରକ୍ଷଣ ଏବଂ ଗୋଷ୍ଠୀ ଭିତ୍ତିକ ସଂରକ୍ଷଣ ମଡେଲ୍ ସହିତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ଏମ୍ ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ଡ଼ କାର୍ତ୍ତିକ ଚରଣ ଲେଙ୍କା, ଓଡ଼ିଶା ବାୟୋଡାଇଭର୍ସିଟି ବୋର୍ଡର ଡ଼ ସତ୍ୟରଞ୍ଜନ ବେହେରା, ‘ସ୍ନେହା’ର ରଞ୍ଜିତ ପଟ୍ଟନାୟକ ଏବଂ ଗ୍ରୋ ୱିଥ୍ ନେଚର୍ର ର ଡ଼ ଗାୟତ୍ରୀ ଦେବୀ ଉଦବୋଧନ ଦେଇଥିଲେ।
ଗୋଷ୍ଠୀ ପରିଚାଳିତ ସଂରକ୍ଷଣ ଉପରେ ଆଲୋକପାତ କରି ଡ଼ ସୁବ୍ରତ ଦେବତା ଟାଟା ଷ୍ଟିଲ ଫାଉଣ୍ଡେସନର ଅଲିଭ୍ ରିଡଲେ କଇଁଛ, କଳା ହରିଣ ଏବଂ ଭାରତୀୟ ମୟୂରଙ୍କ ପାଇଁ ଅଧିବାସ ପୁନରୁଦ୍ଧାର, ବନ୍ୟଜନ୍ତୁ ସୁରକ୍ଷା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ମାଧ୍ୟମରେ ସୁରକ୍ଷିତ କରିବା ସମ୍ପର୍କିତ କାର୍ଯ୍ୟ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ।
ଓଡ଼ିଶାରେ ସ୍ଥିରତାପୂର୍ଣ୍ଣ ପରିବେଶ ବ୍ୟବସ୍ଥା ଜନିତ ଅଭ୍ୟାସ ସୁନିଶ୍ଚିତ କରିବା ପାଇଁ ଗୋଷ୍ଠୀ, ବିଶେଷଜ୍ଞ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଦୃଢ଼ ସହଯୋଗିତା ପାଇଁ ଏକ ଆହ୍ୱାନ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Related Post