ଆଜିର ଖାସ ଖବର
Thu. Nov 26th, 2026

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ

By Admin_Dainkasha Nov26,2026

କଳିଙ୍ଗନଗର, ନଭେମ୍ବର ୨୫, ୨୦୨୬: ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଏବଂ ଇସ୍ପାତ ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ଏକ ପ୍ରମୁଖ ଅନୁଷ୍ଠାନ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି। ବୁଧବାର ଟାଟା ଷ୍ଟିଲ୍ କଳିଙ୍ଗନଗରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ସମ୍ପନ୍ନ ହୋଇଛି।

ବିପିଏନ୍ଏସ୍ଆଇର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମଲ୍ଲିକ, ଟାଟା ଷ୍ଟିଲର ଚିଫ୍ ପିପୁଲ୍ ଅଫିସର ଅତ୍ରେୟୀ ସାନ୍ୟାଲ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ (ଅପରେସନ୍ସ) ଉତ୍ତମ ସିଂହ ଆନୁଷ୍ଠାନିକ ଭାବେ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ବିପିଏନଏସଆଇର ବରିଷ୍ଠ ସହକାରୀ ପ୍ରଫେସର ସତ୍ୟପ୍ରିୟ ଶତପଥୀ, ଟାଟା ଷ୍ଟିଲ୍ କଳିଙ୍ଗନଗରର ଚିଫ୍ (ଏଚଆରବିପି ଷ୍ଟିଲ୍) ଅମିତାଭ ଚନ୍ଦ୍ର ଝା ଏବଂ ଟିଏସକେ ହେଡ୍ (ଟେକ୍ନିକାଲ୍ କାପାବିଲିଟି) ଜୟକୁମାର ବି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସହଭାଗିତା ଉଭୟ ଅନୁଷ୍ଠାନ ମଧ୍ୟରେ ଶିକ୍ଷାଗତ ଏବଂ ଶିଳ୍ପ ଭିତ୍ତିକ ସହଯୋଗକୁ ସୁଦୃଢ଼ କରିବ, ଯାହା ଶିଳ୍ପର ଆବଶ୍ୟକତା ଏବଂ ଶିକ୍ଷାଗତ ପାଠ୍ୟକ୍ରମ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ। ଏହି ବୁଝାମଣା ମାଧ୍ୟମରେ ଟାଟା ଷ୍ଟିଲ୍ ଏହାର ଓଡ଼ିଶାରେ ଥିବା ସମସ୍ତ ୟୁନିଟ୍ ଯଥା- ଟାଟା ଷ୍ଟିଲ୍ କଳିଙ୍ଗନଗର, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ରେ ବିପିଏନଏସଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆପ୍ରେଣ୍ଟିସସିପ୍ ସୁଯୋଗ ଏବଂ କର୍ମଚାରୀମାନଙ୍କୁ (ଠିକା କର୍ମଚାରୀଙ୍କ ସମେତ) ଶିକ୍ଷଣୀୟ ସୁଯୋଗ ପ୍ରଦାନ କରିବ।

ପ୍ରତିବଦଳରେ ବିପିଏନଏସଆଇ ପକ୍ଷରୁ ଟାଟା ଷ୍ଟିଲର ଓଡ଼ିଶା ସ୍ଥିତ ୟୁନିଟଗୁଡ଼ିକରେ ସର୍ବନିମ୍ନ ୧୦୦ଟି ଆପ୍ରେଣ୍ଟିସସିପ୍ ଯୋଗାଇ ଦିଆଯିବ। ପ୍ରତ୍ୟେକ ବ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ପକ୍ଷଙ୍କ ପାରସ୍ପରିକ ସହମତିରେ ଚୟନ ପ୍ରକ୍ରିୟା, ଅବଧି, ବ୍ୟାଚ୍ ସଂଖ୍ୟା ଏବଂ ନିର୍ଦ୍ଦିଷ୍ଟ ବିଭାଗ ଚୂଡ଼ାନ୍ତ କରାଯିବ।

ଟାଟା ଷ୍ଟିଲ୍ ଲିମିଟେଡ୍ କିମ୍ବା ଏହାର ଠିକାଦାରଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବା ଆପ୍ରେଣ୍ଟିସମାନଙ୍କୁ ସେମାନଙ୍କ ତାଲିମ ଅବଧି ମଧ୍ୟରେ ମାର୍ଗଦର୍ଶନ କରିବା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶକ ନିଯୁକ୍ତ କରାଯିବ। ଏହାବ୍ୟତୀତ, ଅନୁଷ୍ଠାନର ଅନୁରୋଧ କ୍ରମେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିପିଏନଏସଆଇର ଅଧ୍ୟାପକମାନଙ୍କ ପାଇଁ ବୈଷୟିକ ତାଲିମ କାର୍ଯ୍ୟକ୍ରମ, କର୍ମଶାଳା ଏବଂ ସର୍ଟ ଟର୍ମ ଇଣ୍ଡଷ୍ଟ୍ରିଆଲ ଅସାଇନମେଣ୍ଟର ବ୍ୟବସ୍ଥା କରାଯିବ।

ଏହି ସହଭାଗିତା ଇସ୍ପାତ ଶିଳ୍ପ ପାଇଁ ଏକ ଦକ୍ଷ ତଥା ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଗଠନ କରିବା ସହ ଓଡ଼ିଶାର ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ଦୀର୍ଘସ୍ଥାୟୀ ଭବିଷ୍ୟତର ପଥ ସୃଷ୍ଟି କରିବ।

Related Post