ଭୁବନେଶ୍ୱର (୧୫/୧) : ଭାରତୀୟ ସମ୍ବିଧାନ ଏହାର ନାଗରିକମାନଙ୍କୁ ଜୀବନ ଜିଇଁବାର ଅଧିକାର ପ୍ରଦାନ କରିଛି। ହେଲେ ପ୍ରତିଟି ମଣିଷକୁ ସ୍ଵାସ୍ଥ୍ୟ ସେବା ଯୋଗାଇ ନଦେଲେ ଏହି ମୌଳିକ ଅଧିକାର କାର୍ଯ୍ୟକ୍ଷମ ହେବା ସମ୍ଭବପର ନୁହେଁ। କରୋନା ମହାମାରୀର ମୁକାବିଲା କରିବା ବେଳେ ରାଜ୍ୟର ଦୁର୍ବଳ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ଅତ୍ୟନ୍ତ ସ୍ପଷ୍ଟ ରୂପେ ରାଜ୍ୟବାସୀଙ୍କ ନିକଟରେ ଉଜାଗର ହୋଇଅଛି। ଜନସାଧାରଣଙ୍କ ଉପଲବ୍ଧି ହେଉଛି ଯେ, “ସରକାରୀ ହସ୍ପିଟାଲକୁ ଗଲେ ଜୀବନ ପଳାଇବ। ଘରୋଇ ହସ୍ପିଟାଲକୁ ଗଲେ ଜୀବନ ଯାକର କଷ୍ଟ ଉପାର୍ଜିତ ସଞ୍ଚିତ ଅର୍ଥ ସହିତ ପୈତୃକ ସମ୍ପତ୍ତି ପଳାଇବ।” ଜିଲ୍ଳା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଖୋଲାଯାଇଥିବା ଅସଂଖ୍ୟ ଘରୋଇ ହସ୍ପିଟାଲଗୁଡ଼ିକର ଉପସ୍ଥିତି ସୂଚାଇ ଦେଉଅଛି ଯେ, ରାଜ୍ୟ ସରକାର ଜନସାଧାରଣଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ଜୀବନ ରକ୍ଷା ପାଇଁ ରାଜ୍ୟବାସୀ ଘରୋଇ ହସ୍ପିଟାଲର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି। ଠିକ୍ ସେତିକିବେଳେ ଘରୋଇ ହସ୍ପିଟାଲକୁ ଚିକିତ୍ସିତ ହେବା ପାଇଁ ଯାଉଥିବା ରୋଗୀମାନଙ୍କ ପ୍ରତି କୌଣସି ଉତ୍ତରଦାୟିତ୍ୱ ନଥିବା ବେଳେ ମୃତ୍ୟୁବରଣ କରୁଥିବା ରୋଗୀକୁ ବଞ୍ଚାଇ ରଖିଥିବାର ମିଥ୍ୟା ଚିକିତ୍ସା ଆଳରେ ତାର ପରିବାର ସଦସ୍ୟଙ୍କ ଠାରୁ ଅମାନୁଷିକ ଭାବେ ଆର୍ଥିକ ଶୋଷଣ କରୁଛନ୍ତି ତ କେଉଁଠି ଲକ୍ଷାଧିକ ମିଥ୍ୟା ଚିକିତ୍ସା ବ୍ୟୟ ଆଦାୟ ପାଇଁ ରୋଗୀର ଶବକୁ ତାର ପରିବାର ସଦସ୍ୟଙ୍କୁ ହସ୍ତାନ୍ତରିତ କରୁନାହାନ୍ତି। ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ସରକାରୀ ହସ୍ପିଟାଲଗୁଡ଼ିକରେ ନାହିଁ। ଡ଼ାକ୍ତର, ପାରାମେଡ଼ିକାଲ କର୍ମଚାରୀଙ୍କ ଅଭାବ ସହ ପ୍ୟାଥୋଲୋଜି ଲ୍ୟାବ୍, ଶଯ୍ୟା, ରୋଗ ଚିହ୍ନଟ କରିବା ପାଇଁ ବିଭିନ୍ନ ପରୀକ୍ଷା ପାଇଁ ମେସିନ୍, ଔଷଧ ଆବଶ୍ୟକ ସମୟରେ ମିଳୁନାହିଁ। ସରକାରୀ ହସ୍ପିଟାଲଗୁଡିକରେ ଜୀବନ ରକ୍ଷାକାରୀ ଔଷଧ ଓ ଅକ୍ସିଜେନ୍ ନ ମିଳିବାରୁ ରୋଗୀ ମୃତ୍ୟୁବରଣ କରୁଛନ୍ତି ।ଜନସଂଖ୍ୟାର ୯୫ % ଜନତାକୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସରକାରୀ ହସ୍ପିଟାଲରେ ଭିତ୍ତିଭୂମି ନଥିବା ବେଳେ ମାତ୍ର ୫ % ଉଚ୍ଚ ବର୍ଗର ଜନତାଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଗରିବ ଜନସାଧାରଣଙ୍କ କଷ୍ଟଲବ୍ଧ ଟିକସ ଅର୍ଥକୁ ରାଜ୍ୟର ଘରୋଇ ହସ୍ପିଟାଲର ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଧନୀ ଶ୍ରେଣୀର ୨୩ ଲକ୍ଷ ୭୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଗରିବଙ୍କ ପଇସାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଅତୀତରେ ବହୁ ସର୍ଭେକ୍ଷଣରୁ ଜଣାପଡିଛି ଯେ, ବୀମା ଯୋଜନାରେ ସାଧାରଣ ଲୋକମାନେ ସ୍ୱାସ୍ଥ୍ୟ ସେବାରୁ କେବଳ ବଞ୍ଚିତ ହେଉନାହାଁନ୍ତି ବରଂ ଘରୋଇ ହସ୍ପିଟାଲ ସ୍ୱାସ୍ଥ୍ୟ ସେବାରୁ ସିଧାସଳଖ ଚିକିତ୍ସା ଦେବା ପାଇଁ ବାରଣ କରୁଛନ୍ତି। ଶ୍ରୀନାଥ ରେଡ୍ଡୀ କମିଟି ରିପୋର୍ଟ ମଧ୍ୟ ୨୦୦୯ରେ ସୂଚାଇ ଥିଲେ ଯେ, କୌଣସି ପ୍ରକାର ବୀମାର ଯୋଜନା ସ୍ୱାସ୍ଥ୍ୟ ସେବାର ପରିପୂରକ ହୋଇପାରିବ ନାହିଁ। ଓଡ଼ିଶାରେ ଜନସାଧାରଣଙ୍କର ଜୀବିକା ହିଁ ଜୀବନ, ଜୀବନ ଜୀବିକାର ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଦିଗରେ ମୋଟ୍ ଘରୋଇ ଉତ୍ପାଦନର ୩ % ଅର୍ଥ ବ୍ୟୟବରାଦ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସମ୍ବିଧାନ ଅନୁଯାୟୀ ସ୍ୱାସ୍ଥ୍ୟ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଅଧିକାର ଭୁକ୍ତ। ତେଣୁ ଓଡ଼ିଶା ସରକାର ଅବିଳମ୍ବେ ବୀମା ଯୋଜନାକୁ ଗୁରୁତ୍ୱ ନଦେଇ ସୁରକ୍ଷିତ ପାନୀୟ ଜଳ, ପ୍ରଦ୍ୟୁଷଣ ମୁକ୍ତ ବାୟୁ, ପୁଷ୍ଟିଯୁକ୍ତ ଖାଦ୍ୟ, ଟୀକାକରଣ, ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି, ନିରରଛିନ୍ନ ରୋଜଗାର ଯୋଗାଇ ଦେବା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ଅଧିକାର ଆଇନ୍ ପ୍ରଣୟନ କରନ୍ତୁ ବୋଲି ଲୋହିଆ ଏକାଡେମୀ ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ଜନସ୍ବାସ୍ଥ୍ୟ ବିଭାଗର ସୁପ୍ରସିଦ୍ଧ ଚିକିତ୍ସିକା ଡଃ ସରସ୍ୱତୀ ସ୍ବାଇଁଙ୍କର ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ଓଡ଼ିଶାର ଜନସ୍ବାସ୍ଥ୍ୟ ସମସ୍ୟା ଓ ତାର ପ୍ରତିକାର’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଗୌରାଙ୍ଗ ମହାପାତ୍ର ଏହି ବକ୍ତବ୍ୟ ପ୍ରଦାନ କରିଥିଲେ। ଗାନ୍ଧୀବାଦୀ ଚିନ୍ତକ ପ୍ରହ୍ଲାଦ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ସ୍ୱାଗତ ଭାଷଣରେ ଡଃ ସ୍ବାଇଁଙ୍କ ଜୀବନ ଦର୍ଶନ ବାବଦରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ବ୍ୟକ୍ତିବିଶେଷମାନେ ଡଃ ସରସ୍ୱତୀ ସ୍ବାଇଁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଡାକ୍ତର ସରସ୍ୱତୀ ସ୍ବାଇଁଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀରେ ସ୍ମାରକୀ ବକ୍ତୃତା

