ଭୁବନେଶ୍ୱର,୨୦/୧/୨୫- ପ୍ରମୋଦ ପତି ଟ୍ରଷ୍ଟ ଆନୁକୂଲ୍ୟରେ ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ ପ୍ରମୋଦ ପତିଙ୍କ ପଚାଶ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଜୀବନୀ ଓ କୃତି ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ଶ୍ୟାମସୁନ୍ଦର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପଞ୍ଚାନନ ସାମଲ,ପ୍ରମୋଦ ପତିଙ୍କ ଅନବଦ୍ୟ କୃତି ଓ କଳାତ୍ମକ ଦୃଷ୍ଟିଭଙ୍ଗୀ ଉପରେ ଗଭୀର ଆଲୋକପାତ କରିଥିଲେ। ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀ ଘନଶ୍ୟାମ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ,ଯୋଗଜନ୍ମା ପ୍ରମୋଦ ପତି ଭାରତୀୟ ଚଳଚ୍ଚିତ୍ରର ଅବିକଶିତ କାଳଖଣ୍ଡରେ ନିଜର ପ୍ରାଜ୍ଞ ,ପ୍ରତିଭା ତଥା ନବୀନ ଭାବ ପୁଟିତ ୯୦ ଟି ଚଳଚ୍ଚିତ୍ର ନିର୍ମାଣ କରି ଆମର ହୋଇପାରିଛନ୍ତି।ଏହି ଅବସରରେ ସମ୍ପାଦକ ଗୋଲକ ବିହାରୀ ସିଂ କଲିକତା ସହରରେ ପ୍ରମୋଦ ପତିଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ସଂଗ୍ରହାଳୟର ଶ୍ରେୟ ହିମାଂଶୁ ଶେଖର ଖଟୁଆଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ଉପସ୍ଥିତ ସମସ୍ତ ଅତିଥି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡ଼ିଓରେ ପ୍ରମୋଦ ପତିଙ୍କ ନାମରେ ଏକ ସ୍ବତନ୍ତ୍ର ଗ୍ୟାଲେରୀ ପ୍ରତିଷ୍ଠା କରିବା ପାଇଁ ସରକାର ଦୃଷ୍ଟି ଦେବାକୁ ମତ ଉପସ୍ଥାପନ କରିଥିଲେ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲ,ସୁନିଲ କୁମାର ଡାକୁଆ,ବଦ୍ରି ପ୍ରସାଦ ଷଡ଼ଙ୍ଗୀ,ଅଭିଷେକ ମହାପାତ୍ର,ଲଳିତ କୁମାର ସାହୁ ପ୍ରମୁଖ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ।ପରିଶେଷରେ ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ସୁବାଷ ଚନ୍ଦ୍ର ରଥ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

