ଆଜିର ଖାସ ଖବର
Sun. May 31st, 2026

ମୁକ୍ତ ଆକାଶ ପ୍ରେକ୍ଷାଳୟ

By Dainikasha Jul11,2024

ମହାମାରୀ-ପର ମନୋରଞ୍ଜନ ପରିଧିରେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ମୁକ୍ତ ଆକାଶ ରଙ୍ଗମଞ୍ଚ ଶୈଳୀର ଗୁରୁତ୍ୱ ବୃଦ୍ଧି ଆଶା କରାଯାଇପାରେ । ଭାରତ ସରକାର ‘ଅନଲକ ୪.୦’ ଅବସରରେ ନୀତିଗତ ଭାବେ ମୁକ୍ତ ଆକାଶ ରଙ୍ଗମଞ୍ଚ ‘ଓପନ ଏୟାର ଥିଏଟର’ରେ ପ୍ରଦର୍ଶନ ଲାଗି ଅନୁମତି ପ୍ରଦାନ କରିଛନ୍ତି । ‘କୋଭିଡ଼-୧୯’ ସଂକ୍ରମଣରେ ୧୫ ମାର୍ଚ୍ଚ ୨୦୨୦ରୁ ଦେଶର ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ଥିଏଟରଗୁଡ଼ିକରେ ପ୍ରଦର୍ଶନ ବନ୍ଦ ରହିଥିବା ସ୍ଥଳେ ଛଅମାସ ପରେ ମୁକ୍ତ ପରିବେଶରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ପରିବର୍ତ୍ତିତ ସ୍ୱାଭାବିକ ଅବସ୍ଥା ‘ନିଉ ନରମାଲ’ର ଅଂଶବିଶେଷ କି ବୋଲି ପ୍ରଶ୍ନ ଉଠିଥିଲା ।

ମହାମାରୀଜନିତ ଜନପଦ ବନ୍ଦ ‘ଲକ ଡାଉନ’ କାଳରେ ଜନସାଧାରଣ ଗୃହାବଦ୍ଧ ଅବସ୍ଥାରେ ଟେଲିଭିଜନ ଓ ଅନଲାଇନ ମନୋରଞ୍ଜନରେ ସଂଶ୍ଳିଷ୍ଟ ହୋଇପଡ଼ିଥିଲେ । ଏହି ଅବସରରେ ଗୁଣାତ୍ମକ କାର୍ଯ୍ୟକ୍ରମ ଉପଭୋଗ ନିମନ୍ତେ ଏମଏକ୍ସ ପ୍ଳେୟାର, ହଟଷ୍ଟାର, ନେଟଫ୍ଲିକ୍ସ ଓ ଆମେଜନ ପ୍ରାଇମଭଳି ‘ଓଭର-ଦି-ଟପ’ ମଞ୍ଚ ଗୁଡ଼ିକର ଲୋକପ୍ରିୟତା ବଢ଼ିଥିଲା । ଥିଏଟରରେ ନାଟକ ପରିବେଷଣ ବନ୍ଦ ହୋଇଯିବା ଅବସରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ‘ବ୍ରଡ଼-ୱେ’ର ନାଟ୍ୟ ସଂସ୍ଥାମାନେ ଅନଲାଇନରେ ନାଟ୍ୟ ପରିବେଷଣ ଷ୍ଟ୍ରୀମିଂ କରିବା ନିମନ୍ତେ ପଛଘୁଞ୍ଚା ଦେଇନଥିଲେ । ତେବେ ମହାମାରୀର ପ୍ରଭାବ କେତେକାଳ ବଳବତ୍ତର ରହିବ ସେ ସଂପର୍କରେ ସ୍ପଷ୍ଟ ଆକଳନ ସଂଭବପର ହୋଇପାରୁ ନଥିବା ସ୍ଥଳେ ବିକଳ୍ପ ପରିବେଶ ସଂପର୍କରେ ଚିନ୍ତନ ଯୁକ୍ତିଯୁକ୍ତ ମନେହୁଏ ।

ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସେପ୍ଟେମ୍ୱର ୨୦୨୦ ସୁଦ୍ଧା ବିଚାର ଅନୁଯାୟୀ ‘ସାର୍ସ-କରୋନା-୨’ ଭୂତାଣୁ ଅତିମାତ୍ରାରେ ସଂକ୍ରମଣପ୍ରବଣ ଏବଂ ମୁକ୍ତ ତୁଳନାରେ ଆବଦ୍ଧ ପରିବେଶରେ ବ୍ୟାପକ ସଂକ୍ରମିତ ହୋଇଥାଏ । ଏହି କାରଣରୁ ଶିକ୍ଷାନୁଷ୍ଠାନ, ଧାର୍ମିକ ଉପାସନା ପୀଠ ଓ ପ୍ରେକ୍ଷାଳୟ ଗୁଡ଼ିକରେ ଜନସମାଗମ ସରକାରୀସ୍ତରରେ ବାରଣ କରାଯାଇନଥିଲା । ମହାମାରୀର ପ୍ରକୋପ ଜାରୀ ରହିଥିବା ଯାଏଁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇନଥିଲା ।

ମହାମାରୀର ସମ୍ଭାବ୍ୟ ଅବଧି ନିର୍ଦ୍ଧାରଣ ନିମନ୍ତେ ଦୁଇ ଗୋଟି ଯୁକ୍ତି ବିଚାରକୁ ଆସିଥାଏ । ପ୍ରଥମତଃ, ଅତୀତ ଅଭିଜ୍ଞତାରୁ ୧୯୧୮ର ‘ସ୍ପାନିଶ ଫ୍ଲୁ’ ଦୁଇ ବର୍ଷରେ ତିନିଗୋଟି ତରଙ୍ଗରେ ସୀମାବଦ୍ଧ ଥିଲା । ତେଣୁ ହୁଏତ ‘କୋଭିଡ଼-୧୯’ ଦୁଇ ବର୍ଷ ଯାଏଁ କାୟା ମେଲାଇ ପାରେ ବୋଲି ଆକଳନ କରାଯାଇଥିଲା । ଦ୍ୱିତୀୟତଃ, ୨୦୨୦ ଶେଷ କିମ୍ୱା ୨୦୨୧ ସୁଦ୍ଧା ପ୍ରତିଷେଧକ ଟୀକା ଉଦ୍ଭାବିତ ହୋଇପାରିଲେ, ଅନ୍ତତଃ ମାର୍ଚ୍ଚ ସୁଦ୍ଧା ଭାରତରେ ଟୀକାକରଣ ଆରମ୍ଭ କରାଗଲେ, ମାସିକ ପନ୍ଦର କୋଟି ଟୀକାକରଣ ଲକ୍ଷ୍ୟ ଧାର୍ଯ୍ୟରେ ଭାରତରେ ସମସ୍ତ ନାଗରିକଙ୍କ ଟୀକାକରଣ ନିମନ୍ତେ ଛଅରୁ ନଅମାସ ସମୟ ଲାଗିଯିବ । ଉଭୟ ହିସାବରେ ୨୦୨୧ ଶେଷ ୨୦୨୨ ଆରମ୍ଭ ସୁଦ୍ଧା ମହାମାରୀର ପ୍ରକୋପ କମିବା ଆଶା କରାଯାଇଥିଲା ।

ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଟୀକାକରଣ ପରେ ମଧ୍ୟ ‘ସାର୍ସ-କରୋନ-୨’ ଭୂତାଣୁ ସହ ଜନସାଧାରଣଙ୍କୁ ବଞ୍ଚିବାକୁ ପଡ଼ିବ । ଅର୍ଥାତ ଭୂତାଣୁ ପ୍ରତିରୋଧରେ ଦୀର୍ଘକାଳ ଯାଏଁ ନାକ ଓ ମୁହଁ ଘୋଡ଼ାଇବା ପାଇଁ ମାସ୍କ ପିନ୍ଧିବା, ବ୍ୟକ୍ତିବ୍ୟକ୍ତିଙ୍କ ମଧ୍ୟରେ ଶାରିରୀକ ଦୂରତ୍ୱ ରଖିବା, ବାରମ୍ୱାର ହାତ ଧୋଇବା, ଭିଡ଼ରୁ ଦୂରେଇ ରହିବା ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଭଳି ଅଭ୍ୟାସରୁ ଅବ୍ୟାହତି ମିଳିବ ନାହିଁ । ଏହି କଟକଣା ପ୍ରଚଳିତ ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ମଞ୍ଚ ସଂସ୍କୃତିର ବିରୁଦ୍ଧାଚରଣ କରିଥାଏ ।

ପରିବର୍ତ୍ତିତ ସ୍ୱାଭାବିକ ପରିବେଶ ‘ନିଉ ନରମାଲ’ରେ ଜନସାଧାରଣ ଭୂତାଣୁ ସଂକ୍ରମଣ ଭୟରେ ଆବଦ୍ଧ ପରିବେଶ ବଦଳରେ ମୁକ୍ତ ପରିବେଶକୁ ଯଦି ଅଗ୍ରାଧିକାର ଦେବେ, ତେବେ ଉପଭୋକ୍ତାଙ୍କ ରୁଚ଼ିକୁ ସୁହାଇବା ଭଳି ମନୋରଞ୍ଜନ ମଡ଼େଲମାନ ଗଢ଼ି ଉଠିବା ସ୍ୱାଭାବିକ । ମୋବାଇଲ ଫୋନ, ଟେଲିଭିଜନ ପର୍ଦ୍ଦାରେ ଦୈନନ୍ଦିନ କାର୍ଯ୍ୟାବଳୀ ଓ ମନୋରଞ୍ଜନ ନିମନ୍ତେ ଦୀର୍ଘ ସମୟ ଅତିବାହିତ କରିବା ପରେ ଜନସାଧାରଣ ଗୃହ ବାହାରେ ମନୋରଞ୍ଜନ ସୂତ୍ର ଖୋଜିବେ । ନିବୁଜ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଦର୍ଶକଙ୍କୁ ଆକୃଷ୍ଟ ନ କରିପାରିଲେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟ ଏକ ବ୍ୟାବସାୟିକ ବିକଳ୍ପ ରୂପେ ମୁଣ୍ଡ ଟେକିପାରେ ।

ସମସାମୟିକ ଭାରତୀୟ ସଂସ୍କୃତି ‘ପାପୁଲାର କଲଚ଼ର’ରେ ଚଳଚ଼ିତ୍ର ଦେଖା ପରିବାର କିମ୍ୱା ବନ୍ଧୁବର୍ଗଙ୍କ ଗହଣରେ ବାହାରେ କିଛି ସମୟ କାଟିବା ଓ ଖାଇବାପିଇବାରେ ଯୋଡ଼ି ହୋଇଯାଇଛି । ମୁଖ୍ୟତଃ ବଡ଼ ସହରଗୁଡ଼ିକରେ ମଲଟିପ୍ଲେକ୍ସ ଓ ମଲ ଲୋକପ୍ରିୟତା ହାସଲ କରିବାପରେ ଚଳଚ଼ିତ୍ରର କଳାତ୍ମକ ଅଭିବ୍ୟକ୍ତି କ୍ରମଶଃ ଗୁରୁତ୍ୱ ହରାଇ ଖାଦ୍ୟପେୟ, ମଉଜମଜଲିସ ମୁହାଁ ହେଉଥିବା ଲକ୍ଷ୍ୟ କରାଯାଏ । ମହାମାରୀ-ପର ଅବସ୍ଥାରେ ଉଭୟ ପ୍ରେକ୍ଷାଳୟ ଓ ରେଷ୍ଟୁରାଣ୍ଟ ଯଦି ବ୍ୟକ୍ତିବ୍ୟକ୍ତି ମଧ୍ୟରେ ଦୂରତ୍ୱରକ୍ଷା କାରଣରୁ ଅନୁପଯୁକ୍ତ କ୍ଷେତ୍ର ମନେ କରାଯାଏ, ତେବେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟ ମଡ଼େଲକୁ ଏକ ବିକଳ୍ପ ଆଶା କରାଯାଏ ।

ତେବେ ପାରମ୍ପରିକ ଭାବେ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ମୁଖ୍ୟତଃ ‘ଡ୍ରାଇଭ-ଇନ ଥିଏଟର’ ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ଛୋଟ ସହରରେ ବ୍ୟାବସାୟିକ ଦୃଷ୍ଟିରୁ ଲାଭପ୍ରଦ ବିଚାର କରାଯାଇପାରେନା । ଅନ୍ତତଃପକ୍ଷେ ପାଞ୍ଚ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କରେ ମଟରଗାଡ଼ି ଯୋଗେ ସହରତଳି ଅଞ୍ଚଳରେ ଗଢ଼ି ଉଠୁଥିବା ପ୍ରକଳ୍ପ ଗୁଡ଼ିକ ଲାଗି ପର୍ଯ୍ୟାପ୍ତ ପରିମାଣରେ ଉପଭୋକ୍ତା ପହଞ୍ଚିବାରେ ଅଭାବ ପରିଲକ୍ଷିତ ହୋଇପାରେ । ଆମ ଦେଶ ତଥା ରାଜ୍ୟରେ ପାଞ୍ଚଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହର ସଂଖ୍ୟା ସୀମିତ । ଏଣୁ ‘ଡ୍ରାଇଭ-ଇନ-ଥିଏଟର’ ଯଦିବା ଚଳଚ଼ିତ୍ର ପ୍ରଦର୍ଶନ ପାଇଁ ବିକଳ୍ପ ଧାରା ରୂପେ ମୁଣ୍ଡ ଟେକିବ, ତେବେ ଏହି ଭଳି ପ୍ରକଳ୍ପଗୁଡ଼ିକର ସଂଖ୍ୟା ମଧ୍ୟ ସୀମିତ ରହିବ ।

କେବଳ ଭାରତ କାହିଁକି ବିଭିନ୍ନ ବିକଶିତ ରାଷ୍ଟ୍ରରେ ମଧ୍ୟ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରେକ୍ଷାଳୟର ସଂଖ୍ୟା ନଗଣ୍ୟ । ଦେଶରେ ଅହମ୍ମଦାବାଦଠାରେ ‘ସନସେଟ ଡ୍ରାଇଭ-ଇନ ଥିଏଟର’ ଏବଂ ଚ଼େନ୍ନାଇଠାରେ ‘ପ୍ରାର୍ଥନା ବିଚ଼ ଡ୍ରାଇଭ-ଇନ ଥିଏଟର’ ଦୀର୍ଘ କାଳରୁ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟ କରିଆସିଛି । ନିକଟ ଅତୀତରେ ଦିଲ୍ଲୀରେ ‘ସନସେଟ ସିନେମା କ୍ଳବ’, ଗୁରୁଗ୍ରାମରେ ‘ଗୁରୁଗ୍ରାମ ଟକିଜ’ ଓ ବାଙ୍ଗାଲୁରୁରେ ‘ଅଣ୍ଡର ଦି ଷ୍ଟାର୍ସ’ ମୁକ୍ତ ଆକାଶ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଛି ।

ଅହମ୍ମଦାବାଦ ଓ ଚ଼େନ୍ନାଇଠାରେ ସ୍ଥାୟୀ ବ୍ୟବସ୍ଥା ବିକଶିତ ହୋଇଥିବା ସ୍ଥଳେ ଅନ୍ୟତ୍ର ସେହି ବ୍ୟବସ୍ଥା ସଂଭବ ହୋଇପାରି ନାହିଁ । ‘ଗୁରୁଗ୍ରାମ ଟକିଜ’ରେ ୪୦ ଗୋଟି କାର ପାର୍କିଂ ତଥା ୧୫୦ ଦର୍ଶକ ବସିବା ନିମନ୍ତେ ସୁବିଧା ରହିଛି । ପ୍ରତ୍ୟେହ ଦୁଇଗୋଟି ସୋ’ ଆୟୋଜନ କରାଯାଇ ଦର୍ଶକ ପିଛା ୪୦୦ ଟଙ୍କା ଆଦାୟ ହୋଇଥାଏ । ଅହମ୍ମଦାବାଦ ଓ ଚ଼େନ୍ନାଇଠାରେ ନୂଆ ଚଳଚ଼ିତ୍ର ପ୍ରଦର୍ଶନ କରାଯାଉଥିବା ସ୍ଥଳେ ଅନ୍ୟତ୍ର ପ୍ରାୟ ପୁରାତନ ଚଳଚ଼ିତ୍ର ପ୍ରଦର୍ଶନକୁ ଅଗ୍ରାଧିକାର ଦେଇଥାନ୍ତି ।

ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ଚଳଚ଼ିତ୍ର ପ୍ରେକ୍ଷାଳୟ କ୍ରମଶଃ ଲୋକପ୍ରିୟତା ହରାଇବା କେତେକ ବିଶେଷଜ୍ଞ ପୂର୍ବାନୁମାନ କରୁଥିବା ସ୍ଥଳେ ମୁକ୍ତ ଆକାଶ ପ୍ରେକ୍ଷାଳୟ ତଥା ‘ଡ୍ରାଇଭ-ଇନ-ଥିଏଟର’ ସ୍ଥାପନ ପ୍ରତି ପିଭିଆର ସିନେମାସ, ଆଇନକ୍ସ ଲିଜର ଓ କାର୍ଣ୍ଣଭଲ ସିନେମାସ ପ୍ରମୁଖ ଏହିଭଳି ପ୍ରକଳ୍ପ ପ୍ରଯୋଜନାରେ ମନୋନିବେଶ କରୁଥିବା ଜଣାଯାଏ । ତେବେ ପିଭିଆରର ୮୪୫ ଗୋଟି ରୂପେଲି ପରଦା କାର୍ଯ୍ୟକ୍ଷମ ଥିବା ସ୍ଥଳେ ମାତ୍ର ଗୋଟିଏ ଡ଼ାଇଭ-ଇନ-ଥିଏଟର ନିମନ୍ତେ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଛି । ଅବଶ୍ୟ ମହାମାରୀର ପ୍ରଭାବ ନୂତନ ପ୍ରକଳ୍ପର ଭବିଷ୍ୟତ ରୂପରେଖ ଅଙ୍କନ କରିବ ।

ଓଡ଼ିଶା ପରିବେଶରେ ଖୋର୍ଦ୍ଧା-ଭୁବନେଶ୍ୱର, ପୁରୀ-ଭୁବନେଶ୍ୱର, ଭୁବନେଶ୍ୱର-କଟକ ଓ କଟକ-ଚୌଦ୍ୱାର ରାଜପଥ, ବ୍ରହ୍ମପୁର, ସମ୍ୱଲପୁର ଓ ରାଉରକେଲା ଭଳି ସହରାଞ୍ଚଳରେ ଡ୍ରାଇଭ-ଇନ-ଥିଏଟର ପରିକଳ୍ପନା ବିଚାର କରାଯାଇପାରେ । 

Related Post