ଭାରତରେ ବିଭିନ୍ନ ବାଣିଜ୍ୟ-ବ୍ୟବସାୟ ଗବେଷଣା ପ୍ରତିଷ୍ଠାନପକ୍ଷରୁ ସମୟାନ୍ତେ ସର୍ବେକ୍ଷଣ ମାଧ୍ୟମରେ ସଂଗୃହୀତ ଇଣ୍ଟରନେଟ ଉପଭୋକ୍ତା ସଂପର୍କୀତ ପରିସଂଖ୍ୟାନରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ । ଉଦାହରଣରେ ୨୦୨୨ ଜୁଲାଇ ମଧ୍ୟଭାଗରେ ‘କାନ୍ତାର’ ପକ୍ଷରୁ ପ୍ରକାଶିତ ‘ଇଣ୍ଟରନେଟ ଇନ ଇଣ୍ଡିଆ’ ବିବରଣୀରେ ୨୦୨୧ ସୁଦ୍ଧା ଦେଶରେ ମୋଟ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୬୯ କୋଟି ୨୦ ଲକ୍ଷ ଦର୍ଶାଯାଇଥିବା ସ୍ଥଳେ ୨୦୨୨ ମେ ପ୍ରଥମ ସପ୍ତାହରେ ‘ନେଲସନ’ ପକ୍ଷରୁ ପ୍ରକାଶିତ ‘ଭାରତ ୨.୦’ ବିବରଣୀରେ ସେହି ସମୟସୀମାରେ ୬୪ କୋଟି ୬୦ ଲକ୍ଷ ଗଣିତ କରାଯାଇଥିଲା । ସର୍ବେକ୍ଷଣ ଆୟୋଜନରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ ତଥା ନମୂନା ନିର୍ବାଚନରେ ପାର୍ଥକ୍ୟ ପରିସଂଖ୍ୟାନ ପ୍ରଭେଦର କାରଣ ।
‘କାନ୍ତାର’ର ବିବରଣୀ ‘ଇଣ୍ଟରନେଟ ଇନ ଇଣ୍ଡିଆ’ ପ୍ରସ୍ତୁତି ନିମନ୍ତେ ‘ଆଇ-କ୍ୟୁବ ୨୦୨୧’ ସର୍ବେକ୍ଷଣର ତଥ୍ୟ ବ୍ୟବହୃତ ହୋଇଥିଲା । ‘ଆଇ-କ୍ୟୁବ’ ମାଧ୍ୟମରେ ୧୯୯୮ରୁ ଧାରାବାହିକଭାବେ ପ୍ରତିବର୍ଷ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସ୍ଥିତାବସ୍ଥା ସଂପର୍କରେ ସର୍ବେକ୍ଷଣ ଆୟୋଜନ କରାଯାଇଥାଏ । ୨୦୨୧ରେ ଅନୁଷ୍ଠିତ ୧୯ ତମ ଅଧ୍ୟାୟରେ ଦେଶର ୨୦ ଗୋଟି ରାଜ୍ୟର ୮୫ ଗୋଟି ସହର ଓ ୧୩୦୦ ଗ୍ରାମାଞ୍ଚଳରୁ ନମୂନା ସାମିଲ ହୋଇଥିଲେ । ସହରାଞ୍ଚଳର ୬୦ ହଜାର ପରିବାରର ଏକ ଲକ୍ଷ ୨୦ ହଜାର ବ୍ୟକ୍ତି ଓ ଗ୍ରାମାଞ୍ଚଳର ୧୫ ହଜାର ପରିବାରରୁ ୧୫ ହଜାର ବ୍ୟକ୍ତି ଏହି ସର୍ବେକ୍ଷଣରେ ତଥ୍ୟ ପ୍ରଦାନ କରିଥିଲେ । ଏହି ଅଧ୍ୟୟନ ‘ଇଣ୍ଟରନେଟ ଏଣ୍ଡ ମାର୍କେଟିଂ ଏସୋସିଏସନ ଅଫ ଇଣ୍ଡିଆ’ ସୌଜନ୍ୟରେ ଆୟୋଜିତ ହୋଇଥାଏ ।
କରୋନାଭୂତାଣୁ ସଂକ୍ରମଣଜନିତ ମହାମାରୀ ଅବସରରେ ଆମ ଦେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହା ନାଗରିକଙ୍କ ବ୍ୟକ୍ତିଗତ, ସାମାଜିକ, ଅର୍ଥନୀତିକ, ରାଜନୀତିକ ଓ ସାଂସ୍କୃତିକ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିଥିଲା । କିଣାବିକା, ମନୋରଞ୍ଜନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରସ୍ପର ଯୋଗାଯୋଗ ଦିଗରେ ବିକଶିତ ନୂତନ ମଡ଼େଲ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’କୁ ଯେ ପ୍ରଭାବିତ କରିଛି ଏହା ୨୦୨୧ ପରିସଂଖ୍ୟାନରୁ ଜଣାଯାଏ ।
ପ୍ରଥମତଃ, ‘କାନ୍ତାର’ ରିପୋର୍ଟରେ ଦର୍ଶାଯାଇଛି ମହାମାରୀ-ପୂର୍ବାବସ୍ଥାରେ ୨୦୧୯ ସୁଦ୍ଧା ଅନଲାଇନ ଅର୍ଥ ଦେଣନେଣ ଓ ଇ-କମର୍ସରେ ୨୩ କୋଟି ଉପଭୋକ୍ତା ସାମିଲ ଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ୨୦୨୧ରେ ୩୪ କୋଟି ୬୦ ଲକ୍ଷରେ ପହଞ୍ଚିଥିଲା । ଅର୍ଥାତ, ମାତ୍ର ଦୁଇବର୍ଷ ମଧ୍ୟରେ ୫୧ ପ୍ରତିଶତ ବୃଦ୍ଧି ସମ୍ଭବ ହୋଇପାରିଥିଲା । ତୁଳନାତ୍ମକଭାବେ ଯୁକ୍ତରାଷ୍ଟ୍ର ଆମେରିକାର ସମଗ୍ର ଜନସଂଖ୍ୟା ୩୩ କୋଟି ୧୦ ଲକ୍ଷ ଥିବା ବେଳେ ଭାରତରେ ତାହାଠାରୁ ଅଧିକ ଲୋକ ଇଣ୍ଟରନେଟ ବ୍ୟବହାରରେ ବ୍ୟବସାୟ ସହ ସଂପୃକ୍ତ ଅଛନ୍ତି । ଏହି ଦୃଷ୍ଟିରୁ ଭାରତ ଇଣ୍ଟରନେଟ ବାଣିଜ୍ୟ-ବ୍ୟବସାୟରେ ଆନ୍ତର୍ଜାତିକସ୍ତରରେ ଏକ ପ୍ରମୁଖ ରାଷ୍ଟ୍ରର ମାନ୍ୟତା ପାଇଛି ।
ଦ୍ୱିତୀୟତଃ, ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧିରେ ଭାରତରେ ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ସୁସ୍ପଷ୍ଟ । ସାଧାରଣ ସମୟରେ ଅନଲାଇନ କ୍ଷେତ୍ରରେ ଯେଉଁ ଅଭିବୃଦ୍ଧି ଜାରିରହିଥିଲା ତାହା ମହାମାରୀ ପ୍ରଭାବିତ ଦୁଇବର୍ଷରେ ଅସ୍ୱାଭାବିକ ଭାବେ ବୃଦ୍ଧିରେ ପର୍ଯ୍ୟବଶିତ ହେଲା । ବିଶେଷଜ୍ଞମାନଙ୍କ ମତରେ ପରବର୍ତ୍ତୀ ତିନିବର୍ଷ, ଅର୍ଥାତ ୨୦୨୨ରୁ ୨୦୨୫ ମଧ୍ୟରେ ଏହି ଗତି ଅବ୍ୟାହତ ରହିପାରେ ଏବଂ ସମାଜର ସମସ୍ତ କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବର ସୂତ୍ରଧର ସାଜିବା ଅବସମ୍ଭାବୀ ।
ତୃତୀୟତଃ, ଭାରତରେ ଇଣ୍ଟରନେଟ ଉପଭୋକ୍ତାମାନେ ମନୋରଞ୍ଜନ, ଯୋଗାଯୋଗ ଓ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଅଧିକ ସମୟ ଅତିବାହିତ କରିଥାନ୍ତି । ମନୋରଞ୍ଜନଧର୍ମୀ ପାରମ୍ପରିକ ମଞ୍ଚଗୁଡ଼ିକ ଜନସାଧାରଣରେ ପରିବର୍ତ୍ତିତ ଆଚ଼ରଣ ହେତୁ ବିଘଟନର ସମ୍ମୁଖୀନ ହେବା ସ୍ୱାଭାବିକ । ତେବେ ସମସ୍ୟା ହେଲା ପାରମ୍ପରିକ ମଞ୍ଚ ସହ ସଂପୃକ୍ତ ପରିଚାଳକ ଓ ପ୍ରତିଭା ପରିବର୍ତ୍ତନର ରୂପରେଖ ସଂପର୍କରେ ସନ୍ଦୀହାନ । ଅନେକ କ୍ଷେତ୍ରରେ ପରିବର୍ତ୍ତନକୁ ସ୍ୱୀକାର କରିବା ନିମନ୍ତେ ମଧ୍ୟ ଅମଙ୍ଗ । ଏହି ପରିବେଶ ଦେଶର ମନୋରଞ୍ଜନ ଶିଳ୍ପରେ ୨୦୩୦ ବେଳକୁ ଅସ୍ୱାଭାବିକ ସ୍ଥିତି ଉପୁଜାଇବା ଆଶଙ୍କା କରାଯାଏ । ‘କାନ୍ତାର’ ରିପୋର୍ଟ ଅନୁଯାୟୀ ୨୦୨୫ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୯୦ କୋଟିରେ ପହଞ୍ଚିବା ଆକଳନ କରାଯାଉଥିବା ସ୍ଥଳେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କକ୍ଷ-ଚ୍ୟୂତ ହେବା ଭୟ ଅମୂଳକ ନୁହେଁ ।
ଚ଼ତୁର୍ଥତଃ, ଏହି ପରିବର୍ତ୍ତନ ସ୍ରୋତରେ ଇଣ୍ଟରନେଟଭିତ୍ତିକ ଓଭର-ଦି-ଟପ ‘ଓଟିଟି’ ମଞ୍ଚର ବ୍ୟାପକ ପ୍ରସାର ସମ୍ଭବ । ମହାମାରୀର ଠିକ ପୂର୍ବରୁ ଅୟମାରମ୍ଭ ହୋଇଥିବା ଭାରତର ଓଟିଟି ମଞ୍ଚ ମହାମାରୀ-ପର ଅବସ୍ଥାରେ ୨୦୨୨ ପ୍ରଥମାର୍ଦ୍ଧରେ ଚଳଚ଼ିତ୍ର ଶିଳ୍ପ ଆୟରେ ଅର୍ଦ୍ଧେକ ସ୍ଥାନ ଅଧିକାର କରିଥିଲା । ‘କାନ୍ତାର’ ରିପୋର୍ଟ ଅନୁଯାୟୀ ସହରାଞ୍ଚଳ ସମତୁଲ ଗ୍ରାମାଞ୍ଚଳରେ ମଧ୍ୟ ଓଟିଟି ମଞ୍ଚର ଉପଭୋକ୍ତାଙ୍କ ସଂଖ୍ୟା ବଢ଼ିଛି । ଅର୍ଥାତ, ନୂତନ ପ୍ରଯୁକ୍ତି କୌଶଳ ସହରାଞ୍ଚଳର ଇଂଲିଶ ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ, ସଂଭ୍ରାନ୍ତଙ୍କ ମଧ୍ୟରେ ସୀମାବଦ୍ଧ ରହିବ ବୋଲି ଯେଉଁ ବଦ୍ଧମୂଳ ଧାରଣା ରହିଥିଲା ତାହା ଭୂଲ ପ୍ରମାଣିତ ହେବାରେ ଲାଗିଛି ।
ପଞ୍ଚମତଃ, ମହାମାରୀ-ପର ଅବସ୍ଥାରେ ସହରାଞ୍ଚଳର ଇଣ୍ଟରନେଟ ଉପଭୋକ୍ତା ସଂଖ୍ୟାବୃଦ୍ଧି ପ୍ରାୟତଃ ସ୍ଥିର ରହିଥିବା ସ୍ଥଳେ ଗ୍ରାମାଞ୍ଚଳରେ ସଂପ୍ରସାରିତ ହେବାରେ ଲାଗିଛି । ଭବିଷ୍ୟତରେ ଏହି ଧାରା ପ୍ରଖର ହେବା ଆଶା କରାଯାଏ । ‘କାନ୍ତାର’ ରିପୋର୍ଟରେ ୨୦୨୧ ସୁଦ୍ଧା ସହରାଞ୍ଚଳରେ ୩୪ କୋଟି ୧୦ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ଥିବା ସ୍ଥଳେ ଗ୍ରାମାଞ୍ଚଳରେ ୩୫ କୋଟି ୧୦ ଲକ୍ଷ ଉପଭୋକ୍ତା ହିସାବ କରାଯାଇଥିଲା । ସହରାଞ୍ଚଳରେ ୬୯ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତି ରହିଥିଲା । ଅତଏବ, ଇଣ୍ଟରନେଟ ସଂଯୁକ୍ତି ଗ୍ରାମାଞ୍ଚଳରେ ବଢ଼ିବା ସଙ୍ଗେ ଉପଭୋକ୍ତା ସଂଖ୍ୟା ବୃଦ୍ଧିପାଇ ଅତିଶୀଘ୍ର ସହରାଞ୍ଚଳ ଉପଭୋକ୍ତାଙ୍କୁ ସଂଖ୍ୟାଲଘୁ ପ୍ରମାଣିତ କରିବ । ଏହି ପରିବେଶରେ ଗ୍ରାମାଞ୍ଚଳ ପାଠକ, ଶ୍ରୋତା ଓ ଦର୍ଶକଙ୍କ ରୁଚ଼ିକୁ ନେଇ ଗଣମାଧ୍ୟମ ଉପାଦାନ ପ୍ରସ୍ତୁତି ପ୍ରାଧାନ୍ୟ ଦାବୀ କରିବ ।
ଅନ୍ୟାନ୍ୟ ଉଲ୍ଲେଖନୀୟ ପରିସଂଖ୍ୟାନରେ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ପୁରୁଷମାନଙ୍କ ସଂଖ୍ୟା ଅଧିକା ରହିଛି । ଏହା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ପ୍ରଯୁଜ୍ୟ । ଭାରତର ରାଜ୍ୟମାନଙ୍କ ମଧ୍ୟରେ ଗୋଆରେ ସର୍ବାଧିକ ଇଣ୍ଟରନେଟ ସଂଯୁକ୍ତି ଥିବା ସ୍ଥଳେ ବିହାର ସର୍ବନିମ୍ନ ସ୍ଥାନ ଅଧିକାର କରିଥାଏ । ଇଣ୍ଟରନେଟ ବ୍ୟବହାରରେ ଶ୍ରାବ୍ୟ ‘ଭଏସ’ ଓ ଆଞ୍ଚଳିକ ଭାଷା ବ୍ୟବହାରରେ ପ୍ରାଧାନ୍ୟ ରହିଛି । ଗ୍ରାମାଞ୍ଚଳର ପାଞ୍ଚଜଣ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ଭଏସ ଆଧାରିତ ଇଣ୍ଚରନେଟ ଉତ୍ପାଦ ନିଜ ସ୍ମାର୍ଟଫୋନରେ ସ୍ଥାନିତ କରିଥାନ୍ତି ।
ଇଣ୍ଟରନେଟ ସଂଯୁକ୍ତି ଅପେକ୍ଷାରେ ଦେଶର ୭୬ କୋଟି ୨୦ ଲକ୍ଷ ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ୬୩ ପ୍ରତିଶତ ଗ୍ରାମବାସୀ ଅନ୍ତର୍ଭୁକ୍ତ । ଇଣ୍ଟରନେଟ ବ୍ୟବହାର କଳାକୌଶଳ ସଂପର୍କରେ ସଂପୂର୍ଣ୍ଣ ଅବଗତ ନଥିବା ହେତୁ ବହୁ ଉପଭୋକ୍ତା ସୀମିତ ଉପଯୋଗ କରିଥାନ୍ତି କିମ୍ୱା ଇଣ୍ଟରନେଟ ସେବାର ଧାର ମାଡ଼ି ନଥାନ୍ତି । ଏହି ପରିବେଶରେ ଇଣ୍ଟରନେଟର ବ୍ୟାବହାରିକ ଦିଗ ପ୍ରତି ଗୁରୁତ୍ୱ ଆରୋପ କରାଯିବା ଜରୁରି ମନେହୁଏ । ଭାରତୀୟ ଜନଜୀବନରେ ଇଣ୍ଟରନେଟ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇସାରିଥିବା ଏବଂ ଅର୍ଦ୍ଧେକ ନାଗରିକ ଇଣ୍ଟରନେଟ ମଞ୍ଚରେ ଦୈନିକଭିତ୍ତିରେ ଦୀର୍ଘ ସମୟ ବିତାଉଥିଲେ ସୁଦ୍ଧା ଇଣ୍ଟରନେଟ ବ୍ୟବହାର ସଂପର୍କରେ ଜନଶିକ୍ଷାର ସୁବିଧା ସୁଯୋଗ ନଥିବା, ଏପରିକି ବିଦ୍ୟାଳୟ ଶିକ୍ଷା ପରିସରଭୁକ୍ତ ହୋଇପାରିନଥିବା ସାମାଜିକ ଉଦାସୀନତାର ପରିଚାୟକ ।
