ଆଜିର ଖାସ ଖବର
Mon. Jul 27th, 2026

ଓଡ଼ିଶାରେ ଟେଲି- ସାନ୍ଦ୍ରତା

By Dainikasha Jul11,2024

ଓଡ଼ିଶାରେ ଟେଲି-ସାନ୍ଧ୍ରତା ଓ ଇଣ୍ଟରନେଟ ସଂଯୁକ୍ତି ଜାତୀୟ ହାରଠାରୁ କମ ରହିଛି । ରାଜ୍ୟ ବିଧାନସଭାରେ ୨୦୧୯ ଜୁନ ଶେଷ ସପ୍ତାହରେ ଉପସ୍ଥାପିତ ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୮-୧୯ ଅନୁଯାୟୀ ଭାତରେ ଟେଲି-ସାନ୍ଧ୍ରତା ୯୧.୦୯ ପ୍ରତିଶତ ଛୁଇଁଥିବା ସ୍ଥଳେ ଓଡ଼ିଶାରେ ୭୯.୫୮ ପ୍ରତିଶତରେ ଅଟକିଛି । ଏଠାକାର ମୋଟ ଟେଲିଫୋନ ସଂଯୋଗ ସଂଖ୍ୟା ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ୩ କୋଟି ୪୬ ଲକ୍ଷ ରହିଥିଲା । ଆଧୁନିକ ଜନଜୀବନରେଟେଲିସଂଯୁକ୍ତି ବିକାଶର ମାନଙ୍କରୂପେ ପରିଗଣିତ ହେଉଥିବା ସ୍ଥଳେ ପଡ଼ୋଶୀରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ପଛରେ ପଡିରହିଛି । ଏତଦ୍ୱାରା ସାମାଜିକ ବିକାଶ ପ୍ରଭାବିତ ହେଉଥିବା ସ୍ୱାଭାବିକ ।

ବିଂଶ ଶତାଦ୍ଦୀ ଓ ଏକବିଂଶ ଶତାଦ୍ଦୀ ସନ୍ଧିକାଳରୁ ମୋବାଇଲ ଟେଲିଫୋନ ସେବା ବିଶ୍ୱବ୍ୟାପୀ ଭାରତଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଯୋଗାଯୋଗ ମାଧ୍ୟମରେ ନୂତନ ସମୀକରଣ ସୃଷ୍ଟି କରିଛି । ଦେଶର ଗ୍ରାମାଞ୍ଚଳରେ ବ୍ୟାପକ ମୋବାଇଲ ବ୍ୟବହାର ଅର୍ଥନୀତି, ଦେଶାନ୍ତର, ମନୋରଞ୍ଜନ ଇଦ୍ୟାଦି କ୍ଷେତ୍ରକୁ ପ୍ରଭାବିତ କରିଛି ।କେନ୍ଦ୍ର  ସରକାରଙ୍କ ଟେଲି-କମ୍ୟୁନିକେସନ ବିଭାଗ ଆନୁକୂଲ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷର ହିସାବ ଅନୁଯାୟୀଓଡ଼ିଶାର ପ୍ରାୟ କୋଡ଼ିଏ ପ୍ରତିଶତ ଗ୍ରାମରେ ମୋବାଇଲସେବା ଅପହଞ୍ଚ । ରାଜ୍ୟର ୫୧,୩୧୧ ଗ୍ରାମ ମଧ୍ୟରୁ ୧୧,୦୦୦ ଗ୍ରାମରେ ମୋବାଇଲ ସେବା ଅଭାବ । ଫଳରେ ଏଭଳି ଗ୍ରାମାଞ୍ଚଳରେ ବସବାସ କରୁଥିବା ରାଜ୍ୟବାସୀ ମୋବାଇଲ ଫୋନ ବ୍ୟବହାର କରିପାରୁନାହାନ୍ତି ।

ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ ଜିଲ୍ଲାରେ ମୋବାଇଲ ସଂଯୁକ୍ତି ପଛରେ ପଡିଛି । ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇପାରିନଥିବା ଏଗାର ହଜାର ଗ୍ରାମ ମଧ୍ୟରୁ ଦଶ ହଜାର ଗ୍ରାମ ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳ ବୋଲି ଜଣାଯାଇଛି । ଉଗ୍ରବାଦୀମାନେ ନିଜ ଅଧିପତ୍ୟ ବିସ୍ତାର କରିଥିବା ଅଞ୍ଚଳଗୁଡ଼ିକରେ ରାସ୍ତାଘାଟ, ଟେଲିଯୋଗାଯୋଗ ଭିତ୍ତିଭୂମିକୁ ବିରୋଧ କରିଥାନ୍ତି । ଯୋଗାଯୋଗର ପରିଧି ବୃଦ୍ଧିପ୍ରାପ୍ତ ହେଲେ ପୋଲିସ ଓ ପ୍ରଶାସନ ସେମାନଙ୍କ କାର୍ଯ୍ୟଧାରାକୁ ଦମନ କରିବା ସହଜସାଧ୍ୟ ହେବା ଭୟ ଥିବା ହେତୁ ରାସ୍ତାଘାଟରେ ପୋଲ ଓ ମୋବାଇଲ ଟାୱାର ନିର୍ମିତ ହେବାମାତ୍ରେସେଗୁଡ଼ିକୁବିସ୍ପୋରକ ଖଞ୍ଜି ଉଡ଼ାଇ ଦେଇଥାନ୍ତି ।

ଓଡ଼ିଶାର ଉଗ୍ରବାଦୀଉପଦୃତ ଅଞ୍ଚଳରେ ମୋବାଇଲ ସେବା ବିସ୍ତାର କରିବା ନିମନ୍ତେ ଘରୋଇ ଟେଲିଯୋଗାଯୋଗକମ୍ପାନୀଗୁଡ଼ିକ ବୀତସ୍ପୃହ ହେବା ପଛରେ ସେଠାକାର ଗ୍ରାମାଞ୍ଚଳରେ ସ୍ଥାନୀୟ ଅଧିବାସୀ ବିଚ୍ଛୁରିତ ଭାବେ ବସବାସ କରିବା ଅନ୍ୟତମ କାରଣ । ପାରମ୍ପରିକ ଭାବେ ବଣଜଙ୍ଗଲଘେରାପାର୍ବତ୍ୟାଞ୍ଚଳଗୁଡ଼ିକରେଅବସ୍ଥିତ ଗ୍ରାମଗୁଡ଼ିକର ଲୋକସଂଖ୍ୟା ବହୁତ କମ ରହୁଥିବା ହେତୁ କମ ଉପଭୋକ୍ତାଙ୍କ ଉପସ୍ଥିତିରେ ମୋବାଇଲ ଟାୱାର ସ୍ଥାପନ କରି ସେଗୁଡ଼ିକର ରକ୍ଷଣାବେକ୍ଷଣ ଖର୍ଚ୍ଚବହୁଳ ହେବା ସ୍ୱାଭାବିକ । ବ୍ୟାବସାୟିକ ଲାଭର ଆଶା ନଥିବା ହେତୁ ଘରୋଇ କମ୍ପାନୀମାନେ ଏଭଳି ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥାପନରୁ ବିରତ ରହୁଥିବା ଲକ୍ଷ୍ୟ କରାଯାଏ ।

ମୋବାଇଲ ଅପହଞ୍ଚ ଅଞ୍ଚଳରେ ଭିତ୍ତିଭୂମି ସୃଷ୍ଟି ଦିଗରେ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଓଡ଼ିଶା ମୋବାଇଲ ଟାୱାର, ଅପ୍ଟିକ ଫାଇବର, କେବଲ ଏଣ୍ଡ ରିଲେଟେଡ଼ଟେଲକମଇନଫ୍ରାଷ୍ଟ୍ରକଚ଼ରପଲିସି ୨୦୧୭’ ପ୍ରଣୀତ ହୋଇଥିଲେ ହେଁ କେହି ଏଦିଗରେ ବିଶେଷ ତତ୍ପରତା ପ୍ରକାଶ କରୁଥିବା ଜଣାଯାଏ ନାହିଁ । ମୋବାଇଲ ଟାୱାର ଇତ୍ୟାଦି ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ ସୁବିଧାଜନକକରାଯାଉଥିଲେହେଁ ବ୍ୟାବସାୟିକ କାରଣରୁ ଘରୋଇ କମ୍ପାନୀମାନେ ବିମୁଖ ହେଉଥିବା ନିଶ୍ଚିତ ।

ସେହିପରି ଇଣ୍ଟରନେଟ କ୍ଷେତ୍ରରେ ଜାତୀୟସ୍ତରରେ ପ୍ରତି ଶହେ ଜନସଂଖ୍ୟାରେ ୩୮.୦୨ ଜଣ ସାମିଲ ହୋଇଥିବାସ୍ଥଳେ ଓଡ଼ିଶାରେ ୨୮.୨୨ ଜଣ ସଂଯୁକ୍ତ । ରାଜ୍ୟର ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ମାତ୍ର ୧୬ ପ୍ରତିଶତ ରହୁଥିବା ସ୍ଥଳେ ସହରାଞ୍ଚଳରେ ୮୩.୩ ପ୍ରତିଶତ ହିସାବ କରାଯାଇଥାଏ । ଅର୍ଥାତ ଓଡ଼ିଶାର ସହରାଞ୍ଚଳରେ ଇଣ୍ଟରନେଟ ଅଭିବୃଦ୍ଧି ହାର ବେଶ ଉତ୍ସାହଜନକ ଥିବାବେଳେ ଗ୍ରାମାଞ୍ଚଳରେ ନୈରାଶ୍ୟଜନକ ।

ଟେଲିଯୋଗାଯୋଗ ଓ ମୋବାଇଲ ସେବା କ୍ଷେତ୍ରରେ ରାଜ୍ୟ ପଛୁଆ ଥିବା ହେତୁ ଇଣ୍ଟରନେଟ ସଂଯୁକ୍ତି କମ ରହୁଛି । ଇଣ୍ଟରନେଟ ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସାଂସ୍କୃତିକ ଜୀବନ ଯାଏଁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରୁଥିବା ସ୍ଥଳେ ଓଡ଼ିଶାବାସୀସେଦିଗରେ ପଛୁଆ ରହୁଛନ୍ତି । ଇଣ୍ଟରନେଟ ମାଧ୍ୟମରେ ଆଞ୍ଚଳିକ ଭାଷା ବ୍ୟବହାରରେ ନୂତନ ପରୀକ୍ଷାନିରୀକ୍ଷା ଚ଼ାଲିଥିବା ସ୍ଥଳେ କମ ଉପଭୋକ୍ତା କାରଣରୁ ଇଣ୍ଟରନେଟ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ପଡ଼ୋଶୀଭାଷାଭାଷୀଙ୍କଠାରୁ ପଛରେ ପଡ଼ିରହୁଛି । ମୁଦ୍ରଣ କାରିଗରୀ କୌଶଳ ବିକାଶରେ ବିଳମ୍ୱ କାରଣରୁ ଓଡ଼ିଶାବାସୀ ଯେତିକି କ୍ଷତି ସହିଛନ୍ତି ଇଣ୍ଟରନେଟ ସଂଯୁକ୍ତି କ୍ଷେତ୍ରରେ ଶୀଥିଳତା ମଧ୍ୟ ଦୀର୍ଘକାଳୀନଭିତ୍ତିରେ ଓଡ଼ିଶା ସମାଜକୁ ଯେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ ।

ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୮-୧୯ ଅନୁଯାୟୀ ରାଜ୍ୟର ଶତପ୍ରତିଶତ ଗ୍ରାମରେ ବିଦ୍ୟୁତ ଯୋଗାଣ ସଂଭବପର ହୋଇପାରିଛି । ଏହା ଫଳରେ ଗ୍ରାମାଞ୍ଚଳରେ ଟେଲିଭିଜନ ସେଟ ଓ ଦର୍ଶକ ସଂଖ୍ୟା ବଢ଼ିବା ସୁନିଶ୍ଚିତ । ବିଦ୍ୟୁତ ସଂଯୋଗ ମୋବାଇଲ ଟାୱାର କାର୍ଯ୍ୟକ୍ଷମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ହେତୁ ବିଦ୍ୟୁତିକରଣ ଫଳରେ ଅପହଞ୍ଚ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ଓ କାର୍ଯ୍ୟକାରୀ ହେଲେ ନିକଟ ଭବିଷ୍ୟତରେ ଟେଲି-ସାନ୍ଧ୍ରତା ବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ ।

ଲୋକସଭାରେ ୨୦୧୯ ଶୀତକାଳୀନ ଅଧିବେଶନ ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର ଟେଲିକମ୍ୟୁନିକେସନ ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ୨୦୧୮ ସୁଦ୍ଧା ଦେଶରେ ୧୨୦ କୋଟି ଟେଲିଫୋନ ଉପଭୋକ୍ତା ଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ୧୧୭ କୋଟି ମୋବାଇଲ ଫୋନ ସଂଯୁକ୍ତି ହିସାବ କରାଯାଇଥିଲା । ସମଗ୍ର ଦେଶରେ ୯୦ ପ୍ରତିଶତ ଟେଲିସାନ୍ଧ୍ରତା ଅଧିକୃତ ହୋଇଥିଲେ ହେଁ ସମଗ୍ର ୫ ଲକ୍ଷ ୯୭ ହଜାର ୬୧୮ ଗ୍ରାମ ମଧ୍ୟରୁ ୪୩ ହଜାର ଗ୍ରାମରେ ମୋବାଇଲ ସେବା ପହଞ୍ଚିପାରିନଥିଲା । ସେଥିମଧ୍ୟରେ ମଧ୍ୟପ୍ରଦେଶ ଓ ଓଡ଼ିଶାରେ ସର୍ବାଧିକ ଗ୍ରାମ ମୋବାଇଲ ଟାୱାର ସ୍ଥାପନ କ୍ଷେତ୍ରରେ ପଛୁଆ ରହିଥିଲା ।

ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୮-୧୯ରେ ପ୍ରଦତ୍ତ ପରିସଂଖ୍ୟାନ ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ହିସାବ ମେଳ ଖାଏ ନାହିଁ । ଲୋକସଭାରେ ପ୍ରଦତ୍ତ ବିବରଣୀ ଅନୁଯାୟୀ ଓଡ଼ିଶାର ୪୭ ହଜାର ୬୭୭ ଗ୍ରାମ ମଧ୍ୟରୁ ୯ ହଜାର ୯୪୦ ଗ୍ରାମରେ ମୋବାଇଲ ସେବା ଉପଲବ୍ଧ ନଥିଲା । ଉତ୍ତରପ୍ରଦେଶରେ ସର୍ବାଧିକ ୯୭ ହଜାର ୮୧୩ ଗ୍ରାମ ରହିଥିବା ସ୍ଥଳେ ସେଠାରେ ମାତ୍ର ୨୯୮ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ହୋଇପାରି ନଥିବା ବିଷୟ ଟେଲିକମ୍ୟୁନିକେସନ ମନ୍ତ୍ରୀ ନିଜ ଉତ୍ତରରେ ଉଲ୍ଲେଖ କରିଥିଲେ । ମଧ୍ୟପ୍ରଦେଶ ଓ ଓଡ଼ିଶାରେ ମୋବାଇଲ ଟାୱାର ସ୍ଥାପନ କରାଯାଇ ପାରିନଥିବା ଗ୍ରାମଗୁଡ଼ିକପାର୍ବତ୍ୟାଞ୍ଚଳ ଓ ଅପହଞ୍ଚ ଇଲାକାରେ ଅବସ୍ଥିତଥିବା କୁହାଯାଇଥିଲା ।

ଅନ୍ୟ ଏକ ହିସାବ ଅନୁଯାୟୀ ୨୦୧୯ ଆରମ୍ଭ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ । ଏମାନଙ୍କ ମଧ୍ୟରେ ସର୍ବାଧିକ ଏକ କୋଟି ୩୧ ଲକ୍ଷ ଏୟାରଟେଲର ଗ୍ରାହକ ଥିବା ସ୍ଥଳେ ରିଲାଏନ୍ସ ଜିଓ ଗ୍ରାହକ ସଂଖ୍ୟା ୮୮ ଲକ୍ଷ । ଅନ୍ୟ ଟେଲିଯୋଗାଯୋଗ ସେବାପ୍ରଦାନକାରୀ କମ୍ପାନୀଙ୍କ ମଧ୍ୟରେ ବିଏସଏନଏଲର ୫୯ ଲକ୍ଷ, ଭୋଡ଼ାଫୋନ-ଆଇଡ଼ିଆର ୫୪ ଲକ୍ଷ ୫୮ ହଜାର ଓ ଟାଟା-ଟେଲିସର୍ଭିସେସର ୪ ଲକ୍ଷ ୬୦ ହଜାର ଉପଭୋକ୍ତା ଅନ୍ତର୍ଭୁକ୍ତ ।

ବିଭିନ୍ନ ପରିସଂଖ୍ୟାନରେ ସାମାନ୍ୟ ତାରତମ୍ୟ ପରିଲକ୍ଷିତ ହେଉଥିଲେ ହେଁ ସର୍ବଭାରତୀୟସ୍ତରରେ ଓଡ଼ିଶା ଟେଲି-ସାନ୍ଧ୍ରତା କ୍ଷେତ୍ରରେ ପଛୁଆ ଥିବା ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଟେଲିଯୋଗାଯୋଗସୁବିଧାସୁଯୋଗରେ ପ୍ରଭେଦ ସୁସ୍ପଷ୍ଟ ।    

Related Post