ଆଜିର ଖାସ ଖବର
Mon. Jul 27th, 2026

ଦଶନ୍ଧିର ମୋଡ଼ରେ ଟେଲିଯୋଗାଯୋଗ

By Dainikasha Jul11,2024

ଭାରତରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ସାମାଜିକ ଜନଜୀବନକୁ ଗଭୀରଭାବେ ପ୍ରଭାବିତ କରିଥିବା ବିଷୟବର୍ଗରେ ଟେଲିଯୋଗାଯୋଗକୁ ସମୀକ୍ଷକମାନେ ପ୍ରାଥମିକତା ଦେଇଥାନ୍ତି । ଦେଶରେ ଟେଲିଫୋନ ଉପଭୋକ୍ତା ସଂଖ୍ୟା ୨୦୧୯ ଡ଼ିସେମ୍ୱର ସୁଦ୍ଧା ୧୧୦ କୋଟିରେ ପହଞ୍ଚିଥିବା ଏବଂ ୫୨ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ପରିସଂଖ୍ୟାନ ଯୋଗାଯୋଗ ସାଙ୍ଗକୁ ଗଣମାଧ୍ୟମ, ଅର୍ଥନୀତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନର ସାଧନ ସାଜିଛି । ଆନ୍ତର୍ଜାତିକସ୍ତରରେ ବିଭିନ୍ନ ମାନାଙ୍କକୁ ବିଚାରକୁ ନେଲେ ଟେଲିଯୋଗାଯୋଗ ପ୍ରଗତିରେ ତୁଳନାତ୍ମକଭାବେ ଭାରତ ପଛୁଆ ରହିଥିଲେ ହେଁ ବୈଷୟିକ କାରିଗରୀ କୌଶଳର ଗଭୀର ସାମାଜିକ ସଂପୃକ୍ତି ସ୍ଥାନୀୟ ପରିବେଶରେ ବିଘଟନ ସୂତ୍ରପାତ କରିଛି ।

ଆମ ଦେଶରେ ୨୦୦୮ ଅଗଷ୍ଟ ମାସରେ ‘ଏପଲ’ର ଆଇ-ଫୋନ ଏବଂ ତା’ପରେ ପରେ ଏଣ୍ଡ୍ରୋଡ଼ ସ୍ମାର୍ଟଫୋନ ବଜାରକୁ ଆସିଥିଲା । ପ୍ରାଥମିକ ଅବସ୍ଥାରେ ମୋବାଇଲ ଫୋନ ଯୋଗେ ଭଏସକଲ ଏବଂ ଟେକ୍ସଟ ମେସେଜିଂ ଅଭିଜ୍ଞତା ସ୍ମାର୍ଟଫୋନର ପ୍ରବେଶପରେ ୩ଜି କାରିଗରୀ କୌଶଳ ଉପଯୋଗରେ ଇଣ୍ଟରନେଟ ସଂଯୁକ୍ତି ନୂତନ ଅଭିଜ୍ଞତା ଆଣିଥିଲା । ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ଅପ୍ଲିକେସନ ସ୍ମାର୍ଟଫୋନ ବ୍ୟବହାରକୁ ବ୍ୟାପକ କରିଥିଲା ।

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଆନ୍ତର୍ଜାତିକସ୍ତରରେ ଟେଲିଯୋଗାଯୋଗ କ୍ଷେତ୍ରରେ ୧ଜି ଯୋଗେ ୧୯୬୧ରେ ଭଏସକଲ ଓ ୨ଜି ଯୋଗେ ୧୯୯୧ରେ ଟେକ୍ସଟ ମେସେଜିଂ ପ୍ରଚଳିତ ହୋଇଥିଲେ ହେଁ ସେଗୁଡ଼ିକର ବ୍ୟବହାରଲାଗି ଶତାଦ୍ଦୀର ଶେଷଯାଏଁ ଭାରତକୁ ଅପେକ୍ଷା କରିବାକୁ ପଡ଼ିଥିଲା । ୩ଜି ଯୋଗେ ୧୯୯୮ରେ ଇଣ୍ଟରନେଟ ସଂଯୁକ୍ତି ପାଇଁ ଦଶ ବର୍ଷ ଏବଂ ୪ଜି ଯୋଗେ ୨୦୦୮ରେ ଭିଡ଼ିଓ ପ୍ରସାରଣ ବ୍ୟବହାର ଲାଗି ପାଞ୍ଚ ବର୍ଷକୁ ଅପେକ୍ଷାର ସମୟସୀମା ଖସି ଆସିଥିଲା । ୫ଜି ଯୋଗେ ୨୦୧୯ରେ ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଅତ୍ୟାଧୁନିକ ଟେଲିଯୋଗାଯୋଗ ଉନ୍ମୋଚ଼ିତ ହୋଇଥିବା ସ୍ଥଳେ ୨୦୨୦ ମଧ୍ୟଭାଗ ସୁଦ୍ଧା ଆମଦେଶରେ ପରୀକ୍ଷାମୂଳକ ବ୍ୟବହାର ଆଶା କରାଯାଉଛି ।

ଟେଲିଯୋଗାଯୋଗ କ୍ଷେତ୍ରରେ ଭାରତ ବୃହତ୍ତର ଓ କ୍ଷୀପ୍ରତର ବଜାର ରୂପେ ପରିଗଣିତ ହୋଇଥାଏ । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ସମୟସୀମାରେ ମୋବାଇଲ ଟେଲିଫୋନ ଉପଭୋକ୍ତାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ତେବେ ଟେଲିଯୋଗାଯୋଗ ବ୍ୟବସାୟରେ ପ୍ରତିଯୋଗିତା କାରଣରୁ ସେବା ପ୍ରଦାନକାରୀଙ୍କ ସଂଖ୍ୟା ୧୫ରୁ ୪କୁ ସଂକୁଚିତ ହୋଇଥିବା ଦେଖିବାକୁ ମିଳେ । ୨୦୧୦ରେ ପାଞ୍ଚଗୋଟି ବୈଦେଶିକ ପ୍ରତିଷ୍ଠାନ ଟେଲିଯୋଗାଯୋଗ ବ୍ୟବସାୟରେ ଅବତୀର୍ଣ୍ଣ ହୋଇଥିଲେ । କିନ୍ତୁ ଭୋଡ଼ାଫୋନ, ଟେଲେନର, ମାକ୍ସିସ, ସିଷ୍ଟେମା ଓ ଇଟସଲାଟ ପ୍ରତିଯୋଗିତାତ୍ମକ ପରିବେଶରେ ପ୍ରଭୂତ କ୍ଷତି ସହିଥିଲେ ।

ରିଲାଏନ୍ସ ଜିଓର ୪ଜି ସେବା ୨୦୧୬ରେ ପ୍ରଚଳନ ହୋଇଥିଲା । ଏହି ଅବସରରେ ଭଏସକଲ ମାଗଣା ଏବଂ ଡ଼ାଟା ଦର ୯୫ ପ୍ରତିଶତ ଯାଏଁ କମିଯିବା ଫଳରେ ଜିଓ ହିଁ ଦେଶରେ ଟେଲିଯୋଗାଯୋଗ କ୍ଷେତ୍ରରେ ନେତୃତ୍ୱ ନେଲା ଏବଂ ଅନ୍ୟମାନେ କ୍ଷତିରେ ସମ୍ମୁଖୀନ ହେଲେ । ଭାରତୀୟ ଟେଲିଯୋଗାଯୋଗ କ୍ଷେତ୍ରରେ ଗ୍ରାହକ ଦେୟ ହ୍ରାସରେ ଅବିଶ୍ଵାସନୀୟ ପରିସ୍ଥିତି ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଲା । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଆରମ୍ଭରେ ମିନଟ ପିଛା ଭଏସକଲ ୫୦ ପଇସା ଏବଂ ହାରାହାରି ମାସିକ ଗ୍ରାହକ ଦେୟ ୧୪୦ ଟଙ୍କା ଥିବା ସ୍ଥଳେ ୨୦୧୯ରେ ଅଧିକାଂଶ ଉପଭୋକ୍ତାଙ୍କ ପାଇଁ ଭଏସକଲ ପ୍ରାୟତଃ ମାଗଣା ଏବଂ ହାରାହାରି ମାସିକ ଗ୍ରାହକ ଦେୟ ୧୧୩ ଟଙ୍କାରେ ପହଞ୍ଚିଥିଲା ।

ଭାରତୀୟମାନେ ଦ୍ୱିତୀୟ ଦଶକର ଦ୍ୱିତୀୟାର୍ଦ୍ଧରେ ମୋବାଇଲ ଫୋନ ଯୋଗେ ସିନେମା, ଟେଲିଭିଜନ ଚ୍ୟାନେଲ ଓ କ୍ରିକେଟ ସାଙ୍ଗକୁ ବିଭିନ୍ନ ‘ଓଭର-ଦି-ଟପ’ ପ୍ରସାରଣ ମଞ୍ଚରେ ଭିଡ଼ିଓ ଦେଖିବା ଆରମ୍ଭ କରିଥିଲେ । ଫଳରେ ବ୍ୟକ୍ତିପିଚ୍ଛା ଡ଼ାଟା ବ୍ୟବହାର ବଢ଼ିବାରେ ଲାଗିଲା । ୨୦୧୯ ସୁଦ୍ଧା ଭାରତରେ ବ୍ୟକ୍ତିପିଛା ହାରାହାରି ମାସିକ ୯.୮ ଗିଗାବାଇଟ ଡ଼ାଟା ବ୍ୟବହାର ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନ ଦାବୀ କରିଥାଏ । ଡ଼ାଟା ଦର ଗିଗାବାଇଟ ପିଛା ବ୍ରିଟେନରେ ୪୭୦ ଟଙ୍କା, ଯୁକ୍ତରାଷ୍ଟ୍ର ଆମେରିକାରେ ୧୭୦ ଟଙ୍କା ଥିବା ସ୍ଥଳେ ଭାରତରେ ମାତ୍ର ୨୦ ଟଙ୍କାରେ ସୀମିତ ।

ପରିବର୍ତ୍ତିତ ପରିବେଶରେ ଭାରତୀୟମାନଙ୍କ ନିମନ୍ତେ ମୋବାଇଲ ଫୋନ ସଂବାଦପତ୍ର, ଟେଲିଭିଜନ ଓ ଚଳଚ଼ିତ୍ର ଆହରଣର ଏକ ବିକଳ୍ପ ମଞ୍ଚ ସୃଷ୍ଟି କରିଛି । ଅର୍ଥନୀତି, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଏହାର ସୀମିତ ବ୍ୟବହାର କ୍ରମଶଃ ତୃତୀୟ ଦଶକ ମଧ୍ୟଭାଗ ସୁଦ୍ଧା ବିସ୍ତୃତି ଲାଭ କରିବା ଆକଳନ କରାଯାଏ । ୨୦୨୦ରେ ୫ଜି କାରିଗରୀ କୌଶଳ ପରୀକ୍ଷାନିରୀକ୍ଷା ସଫଳ ହେଲେ ୨୦୨୫ ସୁଦ୍ଧା ଦେଶବ୍ୟାପୀ ସାଧାରଣ କ୍ଷେତ୍ରରେ ଉପଯୋଗ ହେବା ସଂଭବପର । ୫ଜି ଇଣ୍ଟରନେଟର ବେଗ ୪ଜି ତୁଳନାରେ ଦଶଗୁଣ ଥିବା ସ୍ଥଳେ ଇଣ୍ଟରନେଟ ସଂଯୁକ୍ତ ବିଭିନ୍ନ ସେବା ‘ଇଣ୍ଟରନେଟ-ଅଫ-ଥିଙ୍ଗସ’ ସୁଚାରୁରୂପେ ଚଳାଇବା ସାମାଜିକସ୍ତରରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ କରିବ ।

ଟେଲିଯୋଗାଯୋଗ କ୍ଷେତ୍ରରେ ବିପ୍ଳବ ସ୍ମାର୍ଟଫୋନକୁ ଏକ ପକ୍ଷରେ ବହୁ କାର୍ଯ୍ୟର ଏକକ ସାଧନଭାବେ ଗଢ଼ିଉଠିଥିବା ସ୍ଥଳେ ଅପରପକ୍ଷେ ବହୁ ଶ୍ରମିକଙ୍କ କର୍ମ ସଂସ୍ଥାନ ଲୋପର କାରଣ ପାଲଟୁଛି । ଉଦାହରଣରେ ଚ଼ିତ୍ର ଉତ୍ତୋଳନ ଯନ୍ତ୍ରପାତିର ସର୍ବପୁରାତନ ନିର୍ମାତା ‘କୋଡ଼ାକ’ ସ୍ମାର୍ଟଫୋନର ଆବିର୍ଭାବ ପରେ ୨୦୧୨ରେ ବନ୍ଦ ହୋଇଗଲା । ‘କୋଡ଼ାକ’ ଏକ ସମୟରେ ଏକ ଲକ୍ଷ ଚାଳିଶି ହଜାର ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲା । ତେବେ ଏହାର ପ୍ରତିଦ୍ୱନ୍ଦୀ ଡ଼ିଜିଟାଲ ‘ଇନଷ୍ଟ୍ରାଗ୍ରାମ’କୁ ସତୁରି ହଜାର କୋଟି ଟଙ୍କା ବିନିମୟରେ ‘ଫେସବୁକ’ ଅଧିଗ୍ରହଣ କଲାବେଳେ ସେଥିରେ ମାତ୍ର ତେରଜଣ ଶ୍ରମିକ ନିଯୁକ୍ତଥିଲେ । ସେହିପରି ଫେସବୁକ, ୟୁଟ୍ୟୁବ, ଟୁଇଟର, ଟିକଟକ ଭଳି ସୋସିଆଲ ମିଡ଼ିଆର ପ୍ରଭାବ ୨୦୨୦ ଆରମ୍ଭ ସୁଦ୍ଧା ଓଡ଼ିଶାର ଗାଁଗହଳ ଯାଏଁ ଅନୁଭୂତ ହେଉଥିବା ସ୍ଥଳେ ଏହି ମଞ୍ଚଗୁଡ଼ିକରେ ରାଜ୍ୟରେ ହାତଗଣତି ବ୍ୟକ୍ତି ବୃତ୍ତିଗତସ୍ତରରେ ସାମୟିକଭାବେ ଲିପ୍ତ ଏବଂ ସେଥିରୁ ସେମାନଙ୍କ ଆୟ ନଗଣ୍ୟ । ଦ୍ୱିତୀୟ ଦଶକରେ ଟେଲିଯୋଗାଯୋଗର ଏହି ପ୍ରଭାବ ତୃତୀୟ ଦଶକରେ ପ୍ରତିବିମ୍ୱିତ ହେବା ସନ୍ଦେହ ଅମୂଳକ ନୁହେଁ ।

ପରସନାଲ କମ୍ପ୍ୟୁଟର, ୱେବ ଓ ମୋବାଇଲ ପରେ ଏକବିଂଶ ଶତାଦ୍ଦୀରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ର ବ୍ୟାପ୍ତି ଟେଲିଯୋଗାଯୋଗ ଲାଗି ଗୁରୁତ୍ୱ ବହନ କରିବ । ଗଣମାଧ୍ୟମ, ଇ-ବାଣିଜ୍ୟ ଓ ସ୍ୱାସ୍ଥ୍ୟରକ୍ଷା  କ୍ଷେତ୍ରରେ ଉପଭୋକ୍ତାଙ୍କ ବ୍ୟକ୍ତିଗତ ରୁଚି ଓ ଆବଶ୍ୟକତାକୁ ଭିତ୍ତିକରି ଅସଂଖ୍ୟ ଏକକ ସେବା ମଡ଼େଲମାନ ସୃଷ୍ଟି କରିବାରେ ସମର୍ଥ ହୋଇପାରିବ । ଫଳରେ ପାରମ୍ପରିକ ସାମୂହିକ ମଡ଼େଲକୁ କେନ୍ଦ୍ରକରି ଗଢ଼ି ଉଠିଥିବା ବ୍ୟବସାୟ ବିଲୁପ୍ତି ଆଶଙ୍କା କରାଯାଇପାରେ । ତୃତୀୟ ଦଶକରେ ଇଣ୍ଟରନେଟ ବ୍ୟବହାରରେ ଉପଭୋକ୍ତାମାନେ ଲେଖିବା ବଦଳରେ କହିବାକୁ ପସନ୍ଦ କରିବେ । ଗୁଗୁଲ ଭଳି ମଞ୍ଚ ଭାରତରେ ୧୧ ଗୋଟି ଭାରତୀୟଭାଷାରେ ଏହି ସୁବିଧା ପହୁଞ୍ଚାଇ ଦେଇସାରିଲାଣି । ଏଥିରେ କ୍ରମଶଃ ଓଡ଼ିଆ ଭଳି କମ ଭାଷାଭାଷୀଙ୍କ ଭାଷା ଯୋଡ଼ିବ ।

ଟେଲିଯୋଗାଯୋଗ ବିକାଶଜନିତ ଅନ୍ୟାନ୍ୟ ଗୂରୁତ୍ୱପୂର୍ଣ୍ଣ ପ୍ରଭାବ ମଧ୍ୟରେ ନାଗରିକଙ୍କୁ ନିଜ ଅଧିକାର ସାବ୍ୟସ୍ତ ତଥା ପ୍ରତିବାଦର ସ୍ୱର ଉତ୍ତୋଳନ ଅନ୍ୟତମ । ଦେଶରେ ବିଭିନ୍ନ ପ୍ରାନ୍ତରେ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ନାଗରିକ ସମାଜଗୁଡ଼ିକ ଦ୍ୱାରା ପ୍ରତିବାଦର ଡ଼ାକରା ସମଚ଼ିନ୍ତାଧାରାସମ୍ପନ୍ନ ଗୋଷ୍ଠୀଙ୍କୁ ଖୁବ କମ ସମୟ ମଧ୍ୟରେ ଏକତ୍ରୀତ କରିପାରୁଛି । ଏହି କାରଣରୁ ଆନ୍ଦୋଳନର ଡ଼ାକରାରେ ଇଣ୍ଟରନେଟ ସେବା ବାରଣ ପ୍ରଶାସନପକ୍ଷରୁ ବହୁଳ ବ୍ୟବହାର ପରିଲକ୍ଷିତ ହେବାରେ ଲାଗିଛି ।

ଭାରତର ଗ୍ରାମାଞ୍ଚଳରେ ଫାଇବର ଅପ୍ଟିକ ତାର ଯୋଗେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇଦେବା ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି । ଦେଶର ଆୟତନ ଓ ଭୌଗଳିକ ବିବିଧତା କାରଣରୁ ଟେଲିଯୋଗାଯୋଗର ଅତ୍ୟାଧୁନିକ ସେବା ସହଜରେ ଗ୍ରାମାଞ୍ଚଳରେ ଉପଲବ୍ଧ ହୋଇପାରୁ ନାହିଁ । ଦେଶର ସମଗ୍ର ଅଢ଼େଇ ଲକ୍ଷ ଗ୍ରାମପଞ୍ଚାୟତ ମଧ୍ୟରୁ ୨୦୧୯ ଶେଷ ସୁଦ୍ଧା ମାତ୍ର ଏକ ଲକ୍ଷ ତିରିଶି ହଜାର ଗ୍ରାମପଞ୍ଚାୟତରେ ‘ଭାରତନେଟ’ କାର୍ଯ୍ୟକ୍ରମରେ କେବୁଲ ବିଛା କାମ ସରିଛି । ୨୦୨୦ ଫେବୃୟାରୀରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ ଅନୁଯାୟୀ ବର୍ଷକ ମଧ୍ୟରେ ଅଧିକା ଏକ ଲକ୍ଷ ଗ୍ରାମପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଓଡ଼ିଶାରେ ମାତ୍ର ୩୬୯୭ ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଣ ସଂଭବପର ହୋଇପାରିଥିବା ସ୍ଥଳେ ୩୦୭୮ ଗ୍ରାମପଞ୍ଚାୟତରେ ଅପହଞ୍ଚ ।

ଭାରତରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଟେଲିଯୋଗାଯୋଗର ପ୍ରଗତି ଅସମତୁଲ ରହିଆସିଥିଲେହେଁ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକରେ ପରିସ୍ଥିତିରେ ସୁଧାର ଆସିବା ଆଶା କରାଯାଏ । ଏହା ସତ୍ତ୍ଵେ ଦେଶର ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ବିଶ୍ୱର ସର୍ବାଧିକ ଡ଼ାଟା ବ୍ୟବହାର କରୁଥିବା ଏବଂ ପ୍ରତ୍ୟେକ ହାରାହାରି ବାର୍ଷିକ ପ୍ରାୟ ୭୫ ଦିନ ମୋବାଇଲ ଫୋନ ପରଦାରେ ସମୟ କଟୁଥିବା ହିସାବ କରାଯାଏ । ଏକ ସର୍ବେକ୍ଷଣରେ ୭୮ ପ୍ରତିଶତ ସ୍ମାର୍ଟଫୋନ ଉପଭୋକ୍ତା କହିଛନ୍ତି ଯେ ସେମାନେ ରାତିରେ ଶୋଇବା ପୂର୍ବରୁ ଏବଂ ସକାଳ ଉଠିବାପରେ ମୋବାଇଲ ଫୋନ ଦେଖିବା ଅଭ୍ୟାସରେ ପରିଣତ ହୋଇସାରିଛି । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶନ୍ଧିର ମୋଡ଼ରେ ଲକ୍ଷ୍ୟ କରାଯାଉଥିବା ସ୍ଥିତାବସ୍ଥା ତୃତୀୟ ଦଶକରେ ଶାଣିତ ହେବା ନିଶ୍ଚିତ । 

Related Post